ମହାମାରୀର ଭୟାବହତା

ଆକାର ପଟେଲ
୧୮୭୨ର ପ୍ରଥମ ଜନଗଣନାରେ ଭାରତର ଜନସଂଖ୍ୟା ଥିଲା ୨୦,୬୧,୬୨,୩୬୦। ଅର୍ଥାତ୍‌ ଆଜିର ବାଂଲାଦେଶ ଓ ପାକିସ୍ତାନକୁ ମିଶାଇ ଉପମହାଦେଶରେ ଜନସଂଖ୍ୟା ଥିଲା ୨୦.୬୧ କୋଟି। ୧୮୮୧ ମସିହାରେ, ଏହା ୨୩ ପ୍ରତିଶତ ବୃଦ୍ଧି ପାଇ ୨୫.୩୮ କୋଟିରେ ପହଞ୍ଚିଥିଲା। ଏଥିମଧ୍ୟରୁ କିଛି ଜନସଂଖ୍ୟା ବୃଦ୍ଧି ହେତୁ ଏବଂ କେତେକ ବ୍ରିଟିଶ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳର ବୃଦ୍ଧି ହେତୁ ହୋଇଥିଲା। ୧୯୧୧ ମସିହାରେ ଜନସଂଖ୍ୟା ୭ ପ୍ରତିଶତ ବୃଦ୍ଧି ପାଇ ୩୧ କୋଟିରେ ପହଞ୍ଚିଥିଲା। ଅବଶ୍ୟ ୧୯୨୧ ମସିହାରେ, ୧୦ ବର୍ଷ ପରେ ଏହା ସେହି ୩୧ କୋଟିରେ ରହିଥିଲା।
ଏହି ଦଶନ୍ଧି ମଧ୍ୟରେ ଜନସଂଖ୍ୟା କାହିଁକି ବୃଦ୍ଧି ପାଇଲା ନାହିଁ? ଏହାର ଉତ୍ତର ହେଉଛି ଏକ H1N1 ଭୂତାଣୁ ଯାହାକୁ ସ୍ପେନୀୟ ଇନ୍‌ଫ୍ଲୁଏଞ୍ଜା କୁହାଯାଏ। ଏହା କରୋନା ଭାଇରସ୍‌ ପରି ମହାମାରୀ ଥିଲା ଏବଂ ଏହା ଭାରତରେ ଏକ ଦଶନ୍ଧିର ସମଗ୍ର ଜନସଂଖ୍ୟା ବୃଦ୍ଧିକୁ ମାରି ଦେଇଥିଲା। ପାଖାପାଖି ୧.୫ କୋଟି ଲୋକ ଏବଂ ସମ୍ଭବତଃ ଏହାଠାରୁ ଅଧିକ ଏହାଦ୍ୱାରା ମୃତ୍ୟୁ ଲଭିଥିଲେ। ସ୍ବାଇନ ଫ୍ଲୁ ୟୁରୋପରୁ ଭାରତକୁ ଆସିଥିଲା ଏବଂ ପ୍ରଥମ ବିଶ୍ୱଯୁଦ୍ଧର ଶେଷ ଆଡକୁ ୟୁରୋପର ସାମରିକ ଡାକ୍ତରଖାନାଗୁଡ଼ିକରେ ଏହା ଆରମ୍ଭ ହୋଇଥିଲା। ଆମେ ଜାଣିନୁ ଏହା କିପରି ଉତ୍ପନ୍ନ ହେଲା କିନ୍ତୁ ଏହା ସମ୍ଭବତଃ ସୈନ୍ୟବାହିନୀର ମେସ୍‌ରେ ରୋଷେଇ ପାଇଁ ମରାଯାଉଥିବା ପକ୍ଷୀ କିମ୍ବା ପଶୁମାନଙ୍କଠାରୁ ମଣିଷଙ୍କ ଦେହକୁ ସଂକ୍ରମିତ ହୋଇଥିଲା। ୧୯୧୮ ମସିହାରେ ଜର୍ମାନୀ ଆତ୍ମସମର୍ପଣ କରିବା ପରେ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଯୁଦ୍ଧ କରିଥିବା ଭାରତୀୟ ରେଜିମେଣ୍ଟ ବମ୍ବେକୁ ଫେରିଥିଲା ଏବଂ ଯୁଦ୍ଧ ଶେଷ ହୋଇଥିଲା। ବିଦେଶରୁ ଆସୁଥିବା ଲୋକମାନେ କରୋନା ଭାଇରସ ସାଙ୍ଗରେ ଆଣିବା ପରି ସେମାନେ ମଧ୍ୟ ଏହି ଭୂତାଣୁକୁ ସାଙ୍ଗରେ ନେଇ ଆସିଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକା ସମେତ ଅନେକ ଦେଶ ଯୁଦ୍ଧ କରିଥିଲେ ଏବଂ ଯୁଦ୍ଧରୁ ଫେରିଥିବା ସୈନିକମାନେ ସାରା ବିଶ୍ୱରେ ଏହି ରୋଗ ଖେଳାଇ ଦେଇଥିଲେ। ଅନୁମାନ କରାଯାଏ ଯେ ଏହାଦ୍ୱାରା ବିଶ୍ୱର ୨୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିଲେ ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ମୃତ୍ୟୁବରଣ କରିଥିଲେ।
ସେତେବେଳେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁହାର ବହୁତ ଉଚ୍ଚ ଥିଲା ଏବଂ କରୋନା ଭାଇରସ୍‌ ଦ୍ୱାରା ଆମେ ଏବେ ସେହିପରି ସମସ୍ୟାର ସାମ୍ନା କରୁଛୁ। ଏହି ନୂତନ ଭାଇରସ୍‌ର ସମସ୍ୟା ହେଉଛି ଏହାର କୌଣସି ପ୍ରତିକାର ନାହିଁ। କୌଣସି ଔଷଧ ନାହିଁ ଯାହାକୁ ଖାଇ ରୋଗ ଭଲ ହୋଇପାରିବ ଏବଂ ଭାରତରେ ଏହା ଅତିଶୀଘ୍ର ବ୍ୟାପିବାର ସମ୍ଭାବନା ଅଛି। ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ତାଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇପାରେ ବା ନ ପାରେ କିନ୍ତୁ ତାଙ୍କଠାରୁ ରୋଗ ସଂକ୍ରମିତ ହୋଇପାରେ। ପୁଣି ସେହି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ନିକଟବର୍ତ୍ତୀ ଅନ୍ୟ ଲୋକଙ୍କୁ ସଂକ୍ରମିତ ହୋଇପାରେ। ଏହିପରି ଜଣେ ଲୋକଠାରୁ ଅନେକ ଲୋକଙ୍କୁ ଗୋଟିଏ ଦିନରେ ସଂକ୍ରମଣ ଘଟିପାରେ। ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ ହେଉଛି ପରସ୍ପରଠାରୁ ଯଥାସମ୍ଭବ ଦୂରତା ରକ୍ଷା କରିବା। ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ବଞ୍ଚିବେ ଏବଂ ଅନ୍ୟମାନେ ମରିବେ। କିନ୍ତୁ ସଂକ୍ରମିତ ବ୍ୟକ୍ତି ଅନ୍ୟମାନଙ୍କଠାରୁ ଦୂରେଇ ରହିଲେ ଏହି ରୋଗ ବ୍ୟାପିବ ନାହିଁ। ଏହାଦ୍ୱାରା ରୋଗୀର ଲାଭ ନ ହେଲେ ବି ଅନ୍ୟମାନଙ୍କର ଲାଭ ହୋଇଥାଏ।
ଚାଇନା ସମଗ୍ର ସହରଗୁଡ଼ିକୁ ଅବରୁଦ୍ଧ କରିବା ମାଧ୍ୟମରେ କରୋନା ଭୂତାଣୁର ବିସ୍ତାରକୁ ବନ୍ଦ କରିପାରିଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରିବା ସହ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତ୍ୟେକ ଘରକୁ ଖାଦ୍ୟ ଯୋଗାଇଦେବାକୁ ସରକାର ସୁନିଶ୍ଚିତ କରିଛନ୍ତି। ୟୁରୋପରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ପାଇଁ ଚାଇନା ପରି ସମ୍ପୂର୍ଣ୍ଣ ଅବରୋଧ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଏହି କାରଣ ପାଇଁ ଇଟାଲୀରେ ଏବଂ ବର୍ତ୍ତମାନ ସ୍ପେନରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି ଏବଂ ଚାଇନା ତୁଳନାରେ ସେଠାରେ ମୃତ୍ୟୁହାର ଅଧିକ। ଅବଶ୍ୟ ୟୁରୋପୀୟମାନେ ସାମାଜିକ ଦୂରତା ଏବଂ ଆତ୍ମସଙ୍ଗରୋଧ ଅଭ୍ୟାସ କରୁୁଛନ୍ତି, କିନ୍ତୁ ଏହା ସମୁଦାୟ ଅବରୋଧ ଭଳି ପ୍ରଭାବଶାଳୀ ନୁହେଁ। ଶୁକ୍ରବାର ଇଟାଲୀରେ (ଯାହାର ଜନସଂଖ୍ୟା ଗୁଜରାଟଠାରୁ କମ୍‌) ୬୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୬,୦୦୦ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ରେକର୍ଡ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରବିବାର ଆମେ କିଛି ଘଣ୍ଟା ପାଇଁ ସଂକ୍ରମଣକୁ ରୋକିବା ନିମନ୍ତେ ବାହାରକୁ ବାହାରିବା ନାହିଁ। ଏହା ଏକ ସମାଧାନ ନୁହେଁ। ପ୍ରକୃତରେ କରୋନା ବିରୋଧରେ ଲଢ଼ିବା ପାଇଁ ଭାରତର କ୍ଷମତା ନାହିଁ। ଭାରତୀୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗୋଟିଏ କୋଠରିରେ ରୁହନ୍ତି। ଅନ୍ୟ ଏକ ତୃତୀୟାଂଶ ୨ଟି ରୁମ୍‌ରେ ରୁହନ୍ତି। ସେମାନେ ପରସ୍ପରକୁ ଅଲଗା ରଖିପାରିବେ ନାହିଁ ଏବଂ ଜଣେ ସଂକ୍ରମିତ ହେଲେ ପରିବାରର ସମସ୍ତେ ସଂକ୍ରମିତ ହେବେ। ତେଣୁ ମହାମାରୀକୁ ନିୟନ୍ତ୍ରଣ କରିବା ଭାରତ ପାଇଁ ଅସମ୍ଭବ। ପ୍ରତ୍ୟେକ ଘରେ ତାଲିମପ୍ରାପ୍ତ ତଥା ସୁରକ୍ଷିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଖାଦ୍ୟ ଯୋଗାଇବା ଏବଂ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ପାଇଁ ଆମର ଚାଇନା ପରି କ୍ଷମତା ନାହିଁ। ସଂକ୍ରମିତମାନଙ୍କୁ ବଞ୍ଚାଇବା ପାଇଁ ଆମର ଯଥେଷ୍ଟ ସ୍ବାସ୍ଥ୍ୟସେବା ସୁବିଧା ମଧ୍ୟ ନାହିଁ। ଭାରତ ସ୍ବାସ୍ଥ୍ୟସେବା ପାଇଁ ଯେତିକି ଖର୍ଚ୍ଚ କରୁଛି ତା’ର ୪ଗୁଣ ଖର୍ଚ୍ଚ କରୁଛି ପ୍ରତିରକ୍ଷା ପାଇଁ। ଗତବର୍ଷ ଆୟୁଷ୍ମାନ ଭାରତ ଯୋଜନା ପାଇଁ ସରକାର ମାତ୍ର ୩୨୦୦ କୋଟି ଟଙ୍କା ଦେଇଥିଲେ। ଅଥଚ ଆମେ କେବଳ ୩୬ଟି ରାଫାଲ ଯୁଦ୍ଧବିମାନ ପାଇଁ ୫୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛୁ।
ମହାମାରୀ ବ୍ୟାପିଲେ ଯେଉଁ ସଂକ୍ରମିତମାନେ ଅନ୍ୟ ଦେଶ ହୋଇଥିଲେ ବଞ୍ଚିଯାଇ ପାରିଥାନ୍ତେ ସେମାନେ ଭାରତରେ ମରିବେ। ଆମେ ଏପରି ଏକ ରୋଗର ସମ୍ମୁଖୀନ ହେବାକୁ ଯାଉଛୁ ଯାହା କେବଳ କିଛି ସଂଖ୍ୟାରେ ନୁହେଁ ବରଂ ଜନସଂଖ୍ୟାର ଏକ ଅଂଶକୁ ନିପାତ କରିବ। ଆମେ ଅତ୍ୟଧିକ ଅଭାବ, ଦୁଃଖ ଓ କ୍ଷତିରେ ଏତେ ଅଭ୍ୟସ୍ତ ଯେ ଶହ ଶହ ହଜାର ଲୋକ ମଲେ ମଧ୍ୟ କୌଣସି ବିପ୍ଳବ ହେବ ନାହିଁ କିମ୍ବା ସାମାଜିକ ଉତ୍ତେଜନା ଦେଖାଦେବ ନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri