ନମସ୍ତେ, ଖୁସିରେ ରୁହ ସମସ୍ତେ

ପ୍ରକାଶ ତ୍ରିପାଠୀ

ଭାରତୀୟ ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଚଳଣି କ’ଣ ଏତେ ଖରାପ ଯେ ତାକୁ ତ୍ୟାଗକରି ବିଦେଶୀ ସଂସ୍କୃତିକୁ ଆମେ ଆପଣେଇବା? ଘର ଭିତରକୁ ପଶୁ ପଶୁ ମିଶ୍ରବାବୁଙ୍କ ଏପରି ପ୍ରଶ୍ନ ଶୁଣି ପଚାରିଲି-ଆପଣ କେଉଁ ପ୍ରସଙ୍ଗରେ ଏପରି କଥା ପଚାରୁଛନ୍ତି। ସୋଫା ଉପରେ ବସିପଡି ମିଶ୍ରବାବୁ କହିଲେ- ନିଜର ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ସଂସ୍କୃତିକୁ ଛାଡି ବିଦେଶୀ ସଭ୍ୟତା ପଛରେ ଏବେ ଭାରତୀୟମାନେ ଦୌଡୁଛନ୍ତି। ହେଲେ ଏବେ ସେଇ ପାଶ୍ଚାତ୍ୟ ଦେଶବାସୀ ଘୋଷଣା କଲେଣି ଯେ, ଭାରତୀୟ ସଂସ୍କୃତି ଓ ଚଳଣି ସର୍ବଶ୍ରେଷ୍ଠ। ଏହାକୁ ବିଶ୍ୱବ୍ୟାପୀ ଗ୍ରହଣ କରିବା ଉଚିତ। ଏଥର ମିଶ୍ରବାବୁଙ୍କ ଭାବକୁ ମୁଁ ଭଲଭାବେ ବୁଝିପାରିଲି। କରୋନା ଭାଇରସ୍‌ ପ୍ରସଙ୍ଗରେ ସେ ଏଭଳି କହୁଥିବା ମୁଁ ଜାଣିପାରିଲି। ହାତକୁ ହାତ ମିଳାଇ, ଆଲିଙ୍ଗନ କରି ବା ମୁହଁକୁ ମୁହଁ ଲଗାଇ ଅନ୍ୟକୁ ସ୍ବାଗତ କରିବା ଏକ ବିଦେଶୀ ସଂସ୍କୃତି। କିନ୍ତୁ ଦୁଇହାତ ଯୋଡି ନମସ୍କାର, ପ୍ରଣାମ ବା ନମସ୍ତେ କରିବା ହେଉଛି ଭାରତୀୟ ସଂସ୍କୃତି। ସମ୍ପ୍ରତି କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଶାରୀରିକ ସଂସ୍ପର୍ଶଠାରୁ ଦୂରରେ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ହ୍ୟାଣ୍ଡସେକ୍‌ ବା ଆଲିଙ୍ଗନ କରିବାକୁ ଏବେ ସମସ୍ତେ ଭୟ କଲେଣି। ଏ ଦୃଷ୍ଟିରୁ ଭାରତର ପାରମ୍ପରିକ ନମସ୍କାର ଶୈଳୀକୁ ବିଶ୍ୱବ୍ୟାପୀ ସମସ୍ତେ ଗ୍ରହଣ କଲେଣି। କେବଳ ଗ୍ରହଣ କରିନାହାନ୍ତି, ଏହା ପଛରେ ଥିବା ବୈଜ୍ଞାନିକ ତାତ୍ପର୍ଯ୍ୟକୁ ବି ବୁଝିଲେଣି। ସେମାନେ ହୃଦୟଙ୍ଗମ କଲେଣି ଯେ ନମସ୍କାର ଏକ ଭାରତୀୟ ଯୋଗମୁଦ୍ରା। ଦୁଇହାତର ପାପୁଲି ଓ ଆଙ୍ଗୁଠିରେ ଥିବା ସ୍ନାୟୁ ମସ୍ତିଷ୍କ ସହ ଯୋଡି ହୋଇ ରହିଥାଏ। ନମସ୍କାର ମୁଦ୍ରାରେ ଏହା ସକ୍ରିୟ ହେବା ସହ ହୃଦୟଚକ୍ରକୁ ତ୍ୱରାନ୍ବିତ କରିଥାଏ। ଏହା ମନକୁ ଶାନ୍ତି, ପ୍ରସନ୍ନତା ପ୍ରଦାନ କରିବା ସହ ହୃଦୟରେ ଦୃଢତା ଓ ନିର୍ଭୀକତା ସୃଷ୍ଟିକରେ। ମିଶ୍ରବାବୁଙ୍କ ହାତକୁ ଚା କପ୍‌ଟିଏ ବଢାଇ ଦେଇ କହିଲି- ଯାହା ହେଉ, କରୋନା ଭୂତାଣୁ ପାଇଁ ଭାରତୀୟ ସଂସ୍କୃତିକୁ ଏବେ ସମସ୍ତେ ଗ୍ରହଣ କଲେଣି। ମିଶ୍ରବାବୁ ଗୋଟେ ଢୋକ ଚା ପିଇ କହିଲେ- କେବଳ ନମସ୍କାର ନୁହେଁ, ଭାରତୀୟ ଚଳଣିର ପ୍ରତ୍ୟେକ ଦିଗ ପ୍ରତି ଏବେ ବିଦେଶୀମାନେ ଆଗ୍ରହ ପ୍ରକାଶ କଲେଣି। ଏବେ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ରରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରମୁଖ୍ୟ ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ଶୈଳୀରେ ପରସ୍ପରକୁ ହାତ ଯୋଡି ପ୍ରଣାମ କରୁଛନ୍ତି। ଇସ୍ରାଏଲ ସରକାର ତ ଏ ସଂକ୍ରାନ୍ତରେ ସରକାରୀ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନ ଯୁବରାଜ ଚାର୍ଲସ, ଇଟାଲି ପ୍ରଧାନମନ୍ତ୍ରୀ ହ୍ୟାଣ୍ଡସେକ୍‌ ବଦଳରେ ନମସ୍କାର ମୁଦ୍ରାରେ ଅନ୍ୟମାନଙ୍କୁ ସ୍ବାଗତ କରିବା ସହ ଭାରତୀୟ ଶୈଳୀକୁ ସମସ୍ତେ ଗ୍ରହଣ କରିବାକୁ ଉପଦେଶ ଦେଉଛନ୍ତି। କିନ୍ତୁ ନମସ୍କାର ଭଳି ଏକ ଶ୍ରେଷ୍ଠ ସଂସ୍କାରକୁ ଭୁଲି ବିଦେଶୀ ସଭ୍ୟତାକୁ ଗ୍ରହଣ କରିବାକୁ ଆଧୁନିକ ଭାରତବାସୀଙ୍କ ଉତ୍ସାହଠାରୁ ଅଧିକ ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ହୋଇପାରେ!
ଥଣ୍ଡା ହୋଇଯାଇଥିବା ଚା’କୁ ଢକ ଢକ କରି ପିଇଦେଇ ମିଶ୍ରବାବୁ ଭାରତୀୟ ଚଳଣି ଉପରେ ପୁଣି ଭାଷଣ ଦେବା ଆରମ୍ଭ କରିଦେଲେ। କହିଲେ-ଜାଣିଛନ୍ତି ତ୍ରିପାଠୀବାବୁ, ଏବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତବ୍ୟକ୍ତିଙ୍କ ଶରୀରକୁ ଦାହ କରିବାକୁ ବିଶେଷଜ୍ଞମାନେ ମତ ଦେଲେଣି। ଚାଇନା ତ ସମସ୍ତ କରୋନାଜନିତ ମୃତ ଶରୀରକୁ ପୋତିବା ବଦଳରେ ଭାରତୀୟ ଶୈଳୀରେ ଦାହ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଛି। ଆମ ଭାରତରେ ଜନ୍ମ ହେଉ ବା ମୃତ୍ୟୁ, ଏହା ପରବର୍ତ୍ତୀ ଯେଉଁ କିଛି ଦିନ ରୀତିନୀତି ପାଳିଥାଉ ତାହା କେବଳ ସଂକ୍ରମଣକୁ ରୋକିବା ପାଇଁ କରାଯାଇଥାଏ। ଜନ୍ମ ପରେ ନବଜାତ ଶିଶୁର ସୁରକ୍ଷା ପାଇଁ ସୂତକ୍ରିୟା ପାଳନ କରାଯାଇଥାଏ ବାର ଦିନ, ଯେଉଁ ସମୟରେ କି ନବଜାତ ଶିଶୁ ଓ ଜନ୍ମଦାତ୍ରୀ ମାଆଙ୍କୁ ଅଲଗା ରହିବାକୁ ପଡିଥାଏ। ସେମାନଙ୍କୁ କେହି ଛୁଇଁ ନ ଥାନ୍ତି। ପୁରାତନ ଯୁଗର ଭାରତରେ ଏହା ଏକପ୍ରକାର କ୍ୱାରାଣ୍ଟାଇନ୍‌ ବୋଲି କୁହାଯାଇପାରେ। ସେହିପରି ମୃତ୍ୟୁ ପରେ ଶବଜନିତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦଶଦିନ ପର୍ଯ୍ୟନ୍ତ ସଂସ୍କାର କାର୍ଯ୍ୟ କରାଯାଇଥାଏ, ଯାହାକୁ କି ମୃତକ୍ରିୟା କୁହାଯାଇଥାଏ। ଏହି ସମୟ ମଧ୍ୟରେ ଶାରୀରିକ ସ୍ପର୍ଶକୁ ବାରଣ ସହ ଘର, ଘରର ସମସ୍ତ ଆସବାବପତ୍ର, ପୋଷାକପତ୍ରକୁ ଧୌତପୂର୍ବକ ସଂସ୍କାରିତ କରାଯାଏ। ଏହା ବିଜ୍ଞାନସମ୍ମତ ଓ ଏହାକୁ ସମ୍ପ୍ରତି ପାଶ୍ଚାତ୍ୟ ଲୋକମାନେ ଅନୁସରଣ କରିବାକୁ ଆରମ୍ଭ କଲେଣି। ମିଶ୍ରବାବୁ ଗୋଟିଏ ପରେ ଗୋଟିଏ ଉଦାହରଣ ଦେଇ ମହାନ୍‌ ଭାରତୀୟ ସଂସ୍କୃତିର ବ୍ୟାଖ୍ୟା କରିଚାଲିଥାନ୍ତି ଓ ମୁଁ ନୀରବରେ ଶ୍ରବଣ କରିଚାଲିଥାଏ। ମାଟିନିର୍ମିତ ଘର, ବାସନ ଓ ଆସବାବପତ୍ର ସପକ୍ଷରେ ଯୁକ୍ତି ଦର୍ଶାଇ ମିଶ୍ରବାବୁ କହିଥିଲେ ଯେ, ଏକ ନିର୍ଦ୍ଦିଷ୍ଟ ପ୍ରକାର ମାଟିରେ ଗୋବର ମିଶାଇ ଘରର ମାଟିକାନ୍ଥକୁ ନିୟମିତ ବ୍ୟବଧାନରେ ଆଗେ ଲିପାଯାଉଥିଲା। ଏହା ମଧ୍ୟ ବିଜ୍ଞାନସମ୍ମତ । ଏହା ଘରକୁ ଭିତରୁ ଓ ବାହାରୁ ସଂକ୍ରମଣନିରୋଧୀ ରଖୁଥିଲା। ମାଟିକାନ୍ଥ ଘରକୁ ଶୀତତାପ ନିୟନ୍ତ୍ରିତ ରଖୁଥିଲା। ଆଗେ ଘରକୁ ଲାଗି ବା ଘର ନିକଟରେ ଗାଈଗୁହାଳ ରହୁଥିଲା। ଗୋମୟ ଓ ଗୋମୂତ୍ର ଘରକୁ ତଥା ଘରର ଚତୁଃପାର୍ଶ୍ୱକୁ ସଂକ୍ରମଣରୁ ରକ୍ଷା କରୁଥିଲା। ମାତ୍ର ଏଭଳି ସଂସ୍କୃତିକୁ ଭୁଲି ଆମେ ଟାଇଲ, ମାର୍ବଲର ଘର କରୁଛେ ଓ ଘର ଭିତରେ ବିଦେଶୀ କୁକୁର ରଖୁଛେ। ବୈଠକ ଘର, ଶୋଇବା ଘର ଓ ରୋଷେଇ ଘର ଭିତରେ ନିର୍ବିଘ୍ନରେ ବୁଲୁଛି ବିଦେଶୀ ଜାତିଆ କୁକୁର। ଏହାକୁ ଘରେ ରଖିବାର କ’ଣ ବିଜ୍ଞାନସମ୍ମତ କାରଣ ଅଛି ତାହା ସେହିମାନଙ୍କୁ ହିଁ ଜଣା। ଗାଈ ଏବେ ଗରିବୀର ପ୍ରତୀକ ଓ କୁକୁର ହୋଇଛି ସମ୍ଭ୍ରାନ୍ତର ପ୍ରତୀକ। ଆଉ ମାଟିପାତ୍ରରେ ଭୋଜନ ପ୍ରସ୍ତୁତି ଓ ଖାଦ୍ୟ ସଂରକ୍ଷଣ କେତେ ସୁରକ୍ଷିତ ଓ ସ୍ବାଦଯୁକ୍ତ ତାହା ଅବର୍ଣ୍ଣନୀୟ। ସେସବୁକୁ ତ୍ୟାଗ କରି ଆମେ ଆଲୁମିନିୟମ୍‌, ଷ୍ଟିଲ ପାତ୍ର ବ୍ୟବହାର କରି କେବଳ ରୋଗ ଆହରଣ କରିଚାଲିଛୁ।
ଭାରତର ପୂର୍ବଜ ମୁନିଋଷିଗଣ କେବଳ ବିଦ୍ୱାନ ନ ଥିଲେ, ଉଚ୍ଚଶ୍ରେଣୀର ବିଜ୍ଞାନୀ ଥିଲେ ବୋଲି ସେହି ପାଶ୍ଚାତ୍ୟ ବିଶେଷଜ୍ଞମାନେ ମତ ଦେଲେଣି। ସ୍ବୀକାର କଲେଣି ଯେ, ଭାରତୀୟ ସଂସ୍କୃତି ଅତି ମହାନ୍‌ ଓ ସମୃଦ୍ଧ। ଏବେ କରୋନା ଭାଇରସ ବ୍ୟାପିବା ପରେ ଯେଉଁ ସବୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି, ସେସବୁ ଭାରତୀୟ ଚଳଣିରେ କାହିଁ କେଉଁ ଯୁଗରୁ ଚଳିଆସୁଛି। ଏମିତି କି ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମଧ୍ୟ ଏଥିରେ ବନ୍ଧା। ଏବେ କରୋନା ସୁରକ୍ଷା ପାଇଁ ଅତିକମ୍‌ରେ ୧୪ ଦିନ ଲାଗି ବାହାରକୁ ନ ବାହାରି ଘରେ ରହିବା ପାଇଁ କୁହାଯାଉଛି। ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିରେ ସ୍ନାନ ପୂର୍ଣ୍ଣମୀରେ ଗଧୋଇସାରିବା ପରେ ଥଣ୍ଡାଜ୍ୱରରେ ପୀଡିତ ହୁଅନ୍ତି। ଥଣ୍ଡାଜ୍ୱର ବି ଏକ ଭୂତାଣୁଜନିତ ରୋଗ। ସେଥିପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ୧୪ ଦିନ ଅଣସର ଘରେ ରହି ଚିକିତ୍ସିତ ହୁଅନ୍ତି ଓ ରୋଗମୁକ୍ତ ହେଲା ପରେ ଭକ୍ତମାନଙ୍କ ଗହଣକୁ ଫେରି ରଥଯାତ୍ରାରେ ବାହାରନ୍ତି। ମିଶ୍ରବାବୁଙ୍କ ଉଦାହରଣକୁ ମୁଁ ମନେ ମନେ ତାରିଫ କରୁଥିଲି। ମିଶ୍ରବାବୁ ପୁଣି କହିଲେ- ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ହାତ, ପାଦ, ମୁହଁ ଧୋଇବା ଆମ ଭାରତୀୟଙ୍କ ଏକ ସାଧାରଣ ଚଳଣି। ବାସଗୃହ ଓ ତା’ର ଆଖପାଖର ସୁସ୍ଥତା ଓ ଶୁଦ୍ଧତା ପାଇଁ ଭାରତୀୟମାନଙ୍କ ଦିନଚର୍ଯ୍ୟା ପ୍ରସ୍ତୁତ ହେଉଥିଲା। ଯାହାଠାରୁ ଉପକାର ମିଳୁଥିଲା, ସେମାନଙ୍କୁ ସମ୍ମାନ ଜଣାଇବା ସହ ପୂଜା କରିବାର ବିଧି ଭାରତୀୟମାନେ ପ୍ରଣୟନ କରିଥିଲେ। ସେ ବୃକ୍ଷଲତା ହୁଅନ୍ତୁ ଅବା ପଶୁପକ୍ଷୀ, ଦେବତା ଆସନରେ ପୂଜିତ ହେଉଥିଲେ। ସେଥିପାଇଁ ଘର ଚାରିପାଖରେ ବା ଘର ଅଗଣାରେ ବେଲ, ତୁଳସୀ, ଅଁଳା, ଡାଳିମ୍ବ, ନିମ୍ବ ଆଦି ଗଛ ରୋପଣ କରାଯାଉଥିଲା। ତୁଳସୀ ଓ ବେଲପତ୍ରର ମହାନ୍‌ ଔଷଧୀୟ ଗୁଣକୁ ଉପଲବ୍ଧି କରି ଈଶ୍ୱରଙ୍କ ପ୍ରସାଦ ଭାବେ ଭାରତୀୟମାନେ ଏହାକୁ ସେବନ କରି ଅନେକ ରୋଗରୁ ନିଜକୁ ସୁରକ୍ଷିତ ରଖୁଥିଲେ। ‘ଜୀବେ ଦୟା’ ମହାମନ୍ତ୍ର ହେଉଛି ଭାରତ ଭୂଖଣ୍ଡର। ଏବେ ତ ଏହି ସନ୍ଦେଶ ଭାରତରୁ ସମଗ୍ର ବିଶ୍ୱକୁ ସଞ୍ଚାରିତ ହେଉଛି। ଜୀବେଦୟା ନ ଥିବାରୁ ତ ଆଜି କରୋନା ଭୂତାଣୁ ମହାମାରୀର ରୂପ ନେଇଛି।
ମିଶ୍ରବାବୁଙ୍କର ନଜର ପଡିଥିଲା ଆମ ଘରର ଡାଇନିଂ ଟେବୁଲ ଉପରେ। ଟିକେ ମୁରୁକି ହସି କହିଲେ-କେବେଠାରୁ ଟେବୁଲ-ଚେୟାରରେ ବସି ଖାଉଛ। ହସି ହସି ଉତ୍ତର ଦେଲି- ବୋଉର ଆଣ୍ଠୁ-ଗଣ୍ଠି ରୋଗ ତ, ସେଥିପାଇଁ ରଖିଛି। କିଛି ସମୟ ନୀରବ ରହି ସେ କହିଲେ- ଜାଣିଛ, ଏବେ ଗୋଟାଏ ବିଜ୍ଞାନପତ୍ରିକାରେ ଡାଇନିଂ ଟେବୁଲ ଉପରେ ଭଲ ଲେଖାଟିଏ ବାହାରିଛି। ତଳେ ବସି ଖାଇବା ସପକ୍ଷରେ ଅନେକ ଯୁକ୍ତି ସ୍ଥାନିତ ହୋଇଛି ସେହି ଆଲେଖ୍ୟରେ। ତଳେ ଆସନଟିଏ ପକାଇ ଗୋଡକୁ ଗୋଡ ଛନ୍ଦି ସୁଖାସନରେ ଭୋଜନ କରିବା ଭାରତୀୟମାନଙ୍କର ଅତି ପ୍ରାଚୀନ ସଂସ୍କୃତି। ଏହାଦ୍ୱାରା ପାଚନ କ୍ରିୟା ଠିକ୍‌ ରୁହେ। ଶୀଘ୍ର ହଜମ ହୁଏ, ପେଟରେ ଗ୍ୟାସ୍‌ ସୃଷ୍ଟି ହୁଏନାହିଁ। ମେରୁଦଣ୍ଡ ସୁଦୃଢ ରହେ, ରକ୍ତ ସଞ୍ଚାଳନ ଠିକ୍‌ ରହେ। ଏହା ଓଜନ ବୃଦ୍ଧିକୁ ମଧ୍ୟ ରୋକିଥାଏ। ଡାଇନିଂ ଟେବୁଲରେ ଖାଇବା ଅଥବା ହାତରେ ଖାଇବା ଥାଳି ଧରି ଠିଆ ହୋଇ ଖାଇବା (ବଫେ) ଅନେକ ଶାରୀରିକ ସମସ୍ୟାର କାରଣ ହୋଇଥାଏ ବୋଲି ଏହି ଆଲେଖ୍ୟରେ ଦର୍ଶାଯାଇଛି। କିନ୍ତୁ ଏବେ ଆମେ ଭାରତୀୟମାନେ ଏଭଳି ଏକ ସର୍ବୋତ୍କୃଷ୍ଟ ଖାଇବା ଶୈଳୀଠୁ ଦୂରେଇଯାଇ ପାଶ୍ଚାତ୍ୟ ଶୈଳୀକୁ ବେଶି ପସନ୍ଦ କରୁଛୁ। ମିଶ୍ରବାବୁ ମୋଠାରୁ ବିଦାୟ ନେବାକୁ ଉଠି ଠିଆହେଲେ। ବିଦାୟ ନେବା ପୂର୍ବରୁ ଦୁଇ ହାତ ଯୋଡି କହିଥିଲେ-”ବନ୍ଧୁ ନମସ୍ତେ, ଖୁସିରେ ରୁହ ସମସ୍ତେ।“
ଇମେଲ-Prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri