ମହମ୍ମଦ ଅନିଶ

ଓଡ଼ିଶାର ମାଓବାଦୀପ୍ରବଣ ମାଲକାନଗିରି ଜିଲାରେ ମହମ୍ମଦ ଅନିଶ ନାମକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ କାର୍ଯ୍ୟରତ ଅଛନ୍ତି। ଜୀବନକୁ ପାଣି ଛଡ଼ାଇ ଓଡ଼ିଶାବାସୀଙ୍କୁ ଶାନ୍ତିରେ ଶୋଇବାର ସୁଯୋଗ ଦେଉଥିବା ଅନେକ ଯବାନଙ୍କ ମଧ୍ୟରୁ ଅନିଶ ଅନ୍ୟତମ। ଦିଲ୍ଲୀର ବାସିନ୍ଦା ଅନିଶ ଆମ ସମସ୍ତଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ବେଳେ ନିଜ ପରିବାରର ସୁରକ୍ଷା କରିବାକୁ ସୁଯୋଗ ପାଇନାହାନ୍ତି। ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀରେ ଚାଲିଥିବା ହିନ୍ଦୁ-ମୁସଲମାନ ଦଙ୍ଗାରେ ଅନିଶଙ୍କ ଘରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିଚାଳିତ ବିଏସ୍‌ଏଫ୍‌ ଯବାନ ଅନିଶଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ।
ଦିଲ୍ଲୀ ଦଙ୍ଗାକୁ ଦେଖି ବହୁତ ଲୋକ ଧର୍ମ ଉପରେ ଯାଇ ଅନିଶ ଭଳି ନାଗରିକଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପଛାଇ ନ ପାରନ୍ତି। କେତେକେ ଏଭଳି ସ୍ଥିତିରେ ଆହୁରି ଆଗକୁ ଯାଇ ଏମାନଙ୍କୁ ‘ଗୋଲି ମାରୋ’ କିମ୍ବା ପାକିସ୍ତାନ ଯାଅ ବୋଲି କହିପାରନ୍ତି। ଦେଖିବାକୁ ଗଲେ ଏବେ ଦେଶରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଭାରତ ସାମାଜିକ କ୍ରସ୍‌ରୋଡ୍‌ ବା ଚାରିଛକରେ ଥିବା ଭଳି ମନେହେଉଛି। ଏଠାରେ ଧର୍ମନିରପେକ୍ଷ କଥା ଆଲୋଚନା କରିବା ଓ କିଏ କେତେ ମାତ୍ରାରେ ଦୋଷୀ ତାହା ଉପସ୍ଥାପନା କରିବା ଆମର ଉଦ୍ଦେଶ୍ୟ ନୁହେଁ କିମ୍ବା ସେଭଳି ଅଭିପ୍ରାୟ ନାହିଁ। ବାସ୍ତବ କଥା ହେଲା ବିଗତ ବର୍ଷଗୁଡ଼ିକରେ ଯେତେବେଳେ ସୁଯୋଗ ମିଳିଛି, ସେତେବେଳେ ମୁସଲମାନ ସମ୍ପ୍ରଦାୟ ନେତୃତ୍ୱ ବିରୋଧରେ ସ୍ବର ଉତ୍ତୋଳନ କରି ଭୁଲ କଥାକୁ ବିରୋଧ କରିନାହାନ୍ତି। ଆଜି କଷ୍ଟକର ଆଇନ ସିଏଏକୁ ବୁଝି ପ୍ରତିବାଦ କରିପାରୁଥିବା ଲୋକ ଯଦି ଏହିଭଳି ଏକ ସାଧାରଣ ପ୍ରତିବାଦର ଆୟୋଜନ କରି ୨୬/୧୧ ବମ୍ବେ ଆକ୍ରମଣ କିମ୍ବା ଦିଲ୍ଲୀ, ହାଇଦ୍ରାବାଦ ଆଦି ସ୍ଥାନରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଜର ଭାରତୀୟତାକୁ ସୁଦୃଢ଼ କରିଥାଆନ୍ତେ, ତେବେ ଦେଶରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇପାରିଥାଆନ୍ତା। ଅନ୍ୟପଟେ ଅନିଶଙ୍କ ଭଳି ଯବାନ ମଧ୍ୟ ଭାରତରେ ଅଛନ୍ତି। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଖେମ୍‌ କରନ୍‌ଠାରେ ଭାରତୀୟ ମୁସଲମାନ ଯବାନ ଅବଦୁଲ ହମିଦ୍‌ ପାକିସ୍ତାନର ୮ଟି ପାଟନ୍‌ ଟ୍ୟାଙ୍କ୍‌କୁ ଧ୍ୱଂସ କରିଦେଇପାରିଥିଲେ। ସେତେବେଳେ କେହି ପାକିସ୍ତାନ ଯାଅ ବୋଲି ସେହି ଯବାନଙ୍କୁ କହି ନ ଥିଲେ। ଆଜି ମଧ୍ୟ ମହମ୍ମଦ ଅନିଶଙ୍କୁ ଦେଶଦ୍ରୋହୀ ବୋଲି କୌଣସି ସଚ୍ଚୋଟ ଓଡ଼ିଆ କହିବେ ନାହିଁ। ଏହା ପଛରେ ଏକ ବିରାଟ ଆଧ୍ୟାତ୍ମିକ କାରଣ ରହିଛି। ଆମର ମହାପ୍ରଭୁ ଜଗନ୍ନାଥ ଅଜନ୍ମା। ତାଙ୍କର କୌଣସି ଜନ୍ମସ୍ଥାନ କେହି ଜାଣିନାହାନ୍ତି। ସେଭଳି ପ୍ରଭୁଙ୍କ ଭକ୍ତ ସାଲବେଗ ମଧ୍ୟ ଏହି ଜାତିର ମହାନ୍‌ ପୁତ୍ର ଭାବେ ପରିଚିତ ହୋଇ ଆସିଛନ୍ତି। ହେଲେ ଆଜି କୋଲକାତାଠାରୁ ବେଙ୍ଗାଲୁର ପର୍ଯ୍ୟନ୍ତ ଯେତେବେଳେ ‘ଗୋଲି ମାରୋ’ ଧ୍ୱନି ଶୁଣିବାକୁ ମିଳୁଛି, ସେତେବେଳେ ଅନିଶଙ୍କ ପରି ଅନେକ ଲୋକଙ୍କ କର୍ତ୍ତବ୍ୟପରାୟଣତାକୁ ଜନସାଧାରଣ ହୃଦୟଙ୍ଗମ କରୁଛନ୍ତି। ଏଠାରେ ଦୋହରାଯାଇପାରେ ଯେ, ଧର୍ମନିରପେକ୍ଷତା ସହିତ ଏସବୁର କୌଣସି ସମ୍ପର୍କ ନାହିଁ। ବରଂ ଏହା ଏକ ଉଦାର ମାନସିକତାର ପ୍ରତିଫଳନ ମାଗୁଛି।
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ନାଗରିକତ୍ୱ ହରାଇବା ଆଶଙ୍କାରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଅସନ୍ତୋଷକୁ ଦୂର କରିବାରେ କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ବିଫଳତା ବୋଲି ପ୍ରଶ୍ନ ଉଠିଲାଣି। ଏକ ସମ୍ପ୍ରଦାୟର ଆଦର୍ଶଗତ ମତପାର୍ଥକ୍ୟ ଅପେକ୍ଷା ତିଷ୍ଠି ରହିବା ଲାଗି ହୋଇଥିବା ସଂଗ୍ରାମକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବ ହିଂସାରେ ଯେଉଁ ଲୋକଙ୍କ ଜୀବନ ଓ ସମ୍ପଦ ନଷ୍ଟ ହେଲା ତାହା ଦ୍ୱାରା କୌଣସି ସକାରାତ୍ମକ ଫଳ ଆସିପାରି ନାହିଁ।
ମନେହେଉଛି ଯେପରି ୧୬.୮୮ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା କର୍ପୋରେଟ୍‌ ଇଣ୍ଡିଆ ଆଜିର ଭାରତ ସରକାରର ରୂପ ବଦଳାଇବାକୁ ବାଧ୍ୟ କରିଛି। ବୃହତ୍‌ ବ୍ୟବସାୟୀମାନେ ନିଜର ସୁରକ୍ଷା ଦେଖିବାକୁ ଯାଇ ନା ଯେ କେବଳ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଶେଷ କରିଦେଲେଣି, ଏଥିସହିତ ସରକାରଙ୍କୁ ଅନ୍ୟତ୍ର ଦୃଷ୍ଟି ପକାଇବାକୁ ବାଧ୍ୟ କରୁଛନ୍ତି। ଯେତେବେଳେ ସରକାରୀ କଳ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମୁଖ୍ୟ ଦାୟିତ୍ୱ ଭାବେ ଗ୍ରହଣ କରେନାହିଁ, ସେତେବେଳେ ଅନ୍ୟସବୁ ବିକାଶମୂଳକ କାର୍ଯ୍ୟ ଅନିଶ୍ଚିତତାର ଶିକାର ହୋଇଯାଏ। ଏକ ଅଶାନ୍ତ ଦେଶରେ କୌଣସି ବ୍ୟକ୍ତିବିଶେଷ ବା କମ୍ପାନୀ ପୁଞ୍ଜି ଲଗାଏ ନାହିଁ। ଏବେକାର ଭାରତରେ ବିରାଟକାୟ ପୁଞ୍ଜିଲଗାଣ ହେବା କଥା ମୁଖ୍ୟ ଆବଶ୍ୟକତା। କିନ୍ତୁ ସରକାରଙ୍କ ଦୃଷ୍ଟି ସେହି ଦିଗରେ ଥିବା ଭଳି କୌଣସି ସୂଚନା ମିଳୁନାହିଁ। ଭାରତର କର୍ପୋରେଟ୍‌ ଜଗତର ଚାପରେ ଆଜିର ସରକାର ନିଜର ମୁଖ୍ୟ ଦାୟିତ୍ୱ ପାସୋରିଯିବାକୁ ପସନ୍ଦ କରୁଛି। ପ୍ରଶାସନିକ ଦକ୍ଷତା ଓ ଶୃଙ୍ଖଳା, ଦୁର୍ନୀତି ଦୂରୀକରଣ
ଏବଂ ଶାନ୍ତ ପରିସ୍ଥିତି ସୃଷ୍ଟି କରିବା ସହିତ ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସରକାରଙ୍କ ମୁଖ୍ୟ କର୍ତ୍ତବ୍ୟ ହେବା କଥା। ତାହା ପରିବର୍ତ୍ତେ ନାଗରିକ କ’ଣ ପିନ୍ଧିଲା, କ’ଣ ଖାଇଲା, କେଉଁଠି ପୂଜା କଲା ଏବଂ ତା’ର ନାଗରିକତ୍ୱର ପ୍ରମାଣ ବୁଝିବା ହୋଇଯାଇଛି ସରକାରଙ୍କ ମୁଖ୍ୟ କାମ। କରୋନା ଭାଇରସ୍‌ରେ ଆକ୍ରାନ୍ତ ଚାଇନା ଏବଂ କ୍ରମଶଃ ପାଶ୍ଚାତ୍ୟ ଦେଶଗୁଡ଼ିକ ପ୍ରଭାବିତ ହେଉଥିବା ବେଳେ ଭାରତର ଏକ ନୂତନ ସୁବର୍ଣ୍ଣ ଯୁଗ ଆରମ୍ଭ ହେବାର ସୁଯୋଗ ଥିଲା। ଏହିଭଳି ସୁଯୋଗ ବାରମ୍ବାର କୌଣସି ଜାତିକୁ ମିଳେନାହିଁ। ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥାନକୁ ସୁଦୃଢ଼ କରିବାର ସୁଯୋଗ ଯେତେବେଳେ ଭାରତ ପାଇଛି, ସେତେବେଳେ ଆମେ ସମସ୍ତେ କ୍ଷୁଦ୍ର ମାନସିକତା ଯୋଗୁ ପରସ୍ପର ମଧ୍ୟରେ ବାଡ଼ିଆପିଟା ହେଉଛେ। ଏଭଳି ସୁଯୋଗ ହରାଉଥିବା ଭାରତ ଭବିଷ୍ୟତରେ କେଉଁଭଳି ନିଜକୁ ଗଢ଼ି ତୋଳିବ, ତାହାର ଆଜି ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ଆଜିର ଭାରତରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତିରୁ ମୁକୁଳିବା ପାଇଁ ଜଗନ୍ନାଥ ଭକ୍ତମାନେ ହିନ୍ଦୁମାନଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?