ମଦବିରୋଧୀ ଆନ୍ଦୋଳନ ତେଜିବା ଦରକାର

ରଘୁନାଥ ମହାପାତ୍ର
ଏକ ନିଶାମୁକ୍ତ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବଜେଟରେ କୋଟି କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କିନ୍ତୁ ନିକଟରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ଅତ୍ୟନ୍ତ ଦୁଃଖଦାୟକ। ଦେଶରେ ୧୬କୋଟି ଲୋକ ମଦ୍ୟପାନ କରନ୍ତି, ଯେଉଁମାନଙ୍କ ଭିତରୁ ୬କୋଟି ଲୋକଙ୍କର ଏହା ହେଉଛି ନିତିଦିନିଆ ଅଭ୍ୟାସ। ଦେଶବ୍ୟାପୀ ୩.୧କୋଟି ଲୋକ ପ୍ରତିଦିନ ଗଞ୍ଜେଇ ଓ ଭାଙ୍ଗ ବ୍ୟବହାର କରୁଛନ୍ତି। ୧୦-୭୫ ବର୍ଷ ବୟସ ମଧ୍ୟରେ ୧.୧୮ କୋଟି ଲୋକ ସେଡିଟିକ୍ସ ନେଉଥିବାବେଳେ ୭୭ଲକ୍ଷ ଲୋକ ଇନ୍‌ହେଲାଣ୍ଡସ୍‌ ବ୍ୟବହାର କରୁଛନ୍ତି। ପୃଥିବୀରେ ଉପତ୍ାଦିତ ସବୁ ପ୍ରକାର ମଦର ଏକ ପଞ୍ଚମାଂଶ ଭାରତୀୟମାନେ ପିଇଥାନ୍ତି। ସେହିପରି ଏକ ଗବେଷଣା ସଂସ୍ଥାର ତଥ୍ୟ ଅନୁଯାୟୀ ଭାରତବର୍ଷରେ ବ୍ୟବହୃତ ମଦର ଦୁଇ ତୃତୀୟାଂଶ ଚୋରାମଦ କାରବାରରୁ ଆସିଥାଏ। ପୃଥିବୀର ପ୍ରାୟ ୩୮.୩ ପ୍ରତିଶତ ଲୋକ ମଦ୍ୟପାନ କରିଥାନ୍ତି, ଯାହାର ବାର୍ଷିକ ମୁଣ୍ଡପିଛା ପରିମାଣ ହେଉଛି ୧୭ ଲିଟର। ଭାରତରେ ଅର୍ଥନୀତି ବିଶ୍ୱୀକରଣ ପରେ ବିଦେଶୀ ମଦର ଚାହିଦା ପ୍ରାୟ ୩୦ ପ୍ରତିଶତ ବଢ଼ିଛି। ଭାରତବର୍ଷରେ ୧୫ଲକ୍ଷ କୋଟି ଟଙ୍କାର ବିୟର, ୱାଇନ୍‌ ଓ ଅନ୍ୟାନ୍ୟ ମଦ ବିକ୍ରି ହୋଇଥାଏ। ପୃଥିବୀରେ ପାନ କରାଯାଉଥିବା ହ୍ବିସ୍କି ବଜାରରେ ଭାରତର ସ୍ଥାନ ଏକ ନମ୍ବର। ନାନା କାରଣରୁ ଦିନକୁ ଦିନ ବିଶେଷକରି ଯୁବକମାନେ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି। ବିଭିନ୍ନ ମହାନଗରରେ ମଦ କିଣୁଥିବା ବ୍ୟକ୍ତିମାନଙ୍କ ଭିତରୁ ୩୨ ପ୍ରତିଶତଙ୍କ ବୟସ ୧୭ରୁ ୨୫ ବର୍ଷ ହୋଇଥିବା ବେଳେ ୧.୫ ପ୍ରତିଶତଙ୍କ ବୟସ ୧୬ବର୍ଷରୁ କମ୍‌। ମଦ କିଣୁଥିବା ୪୫ ପ୍ରତିଶତ ଲୋକଙ୍କର ବୟସ ୨୬ରୁ ୫୦ ବର୍ଷ ଭିତରେ ଏବଂ ମଦ କିଣୁଥିବା ଯୁବବର୍ଗଙ୍କ ଭିତରେ ୪୨ ପ୍ରତିଶତ ଛାତ୍ର।
ଗୁଜରାଟ, ମଣିପୁର, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ ଓ ବର୍ତ୍ତମାନ ବିହାରରେ ସମ୍ପୂର୍ଣ୍ଣ ମଦ ନିବାରଣ କରାଯାଇଛି। ଓଡ଼ିଶାରେ ମଦ ସମେତ ଅନ୍ୟାନ୍ୟ ନିଶା ବ୍ୟବହାର ଉଦ୍‌ବେଗଜନକ ଭାବେ ବଢ଼ୁଥିବାବେଳେ ସରକାରୀ ନିଶା ଅପେକ୍ଷା ଚୋରା ନିଶାର ପ୍ରାବଲ୍ୟ ଅଧିକ ରହୁଛି।
ଓଡ଼ିଶାରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ଚୋରା ମଦ ବେପାରୀମାନେ ଏଥିରୁ ଭଲ ଫାଇଦା ଉଠାଉଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୪-୧୫ ବର୍ଷରେ ଓଡ଼ିଶାରେ ଅନୂ୍ୟନ ୨୨ଟି ଜିଲାରେ ଗୋଟିଏ ହେଲେ ଅବକାରୀ ମାମଲାରେ କେହି ଦଣ୍ଡ ପାଇନାହାନ୍ତି। ଦଣ୍ଡବିଧାନ ହାର ମାତ୍ର ୪.୫୯ପ୍ରତିଶତ। ୨୦୧୫-୧୬ବର୍ଷରେ ଓଡ଼ିଶାରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଥିଲା ୦.୩୬ ପ୍ରତିଶତ। ୨୦୧୬-୧୭ ବର୍ଷରେ ଅବକାରୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନର ହାର ୩.୪୬ ପ୍ରତିଶତ ଥିବାବେଳେ ଚୂଡ଼ାନ୍ତ ଫଇସଲା ହୋଇଥିବା ୧୨,୧୨୯ଟି ମାମଲା ଭିତରୁ ମାତ୍ର ୧୦୭ଟିରେ ଦଣ୍ଡବିଧାନ ହୋଇଛି। ୨୦୧୭-୧୮ ବର୍ଷରେ ରାଜ୍ୟରେ ୬୩୭୫ଟି ଅବକାରୀ ମାମଲା ଫଇସଲା ହୋଇଥିବାବେଳେ ୬୧୨୭ଟି ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ମାତ୍ର ୨୩୧ଟି ମାମଲାରେ ଦଣ୍ଡବିଧାନ ହୋଇଥିଲା। ଏହି ବର୍ଷରେ ଦଣ୍ଡବିଧାନ ହାର ୩.୬୨ ପ୍ରତିଶତ ରହିଥିଲା ଓ ୨୩ଟି ଜିଲାରେ ଗୋଟିଏ ହେଲେ ଅବକାରୀ ମାମଲାରେ କେହିବି ଦଣ୍ଡ ପାଇନାହାନ୍ତି। ଏହି ପ୍ରସଙ୍ଗରେ ସିଏଜି ତାଙ୍କ ରିପୋର୍ଟରେ କ୍ଷୋଭ ପ୍ରକାଶ ସହ ଅବକାରୀ ମାମଲା ଠିକଣା ଭାବେ ପରିଚାଳନା ହେଉନାହିଁ ବୋଲି ମତ ଦେଇଥିଲେ। ଚଳିତ ଆର୍ଥିକବର୍ଷରେ ଓଡ଼ିଶା ସରକାର ୪୬୦୦ କୋଟି ଟଙ୍କାର ରାଜସ୍ବ ପାଇବାକୁ ଯାଉଛନ୍ତି ଏବଂ ରାଜ୍ୟର ୧,୩୯,୦୦୦ କୋଟି ଟଙ୍କାର ବଜେଟରେ ଅବକାରୀ ବିଭାଗ ପାଇଁ ମାତ୍ର ୧୩୦କୋଟି ଟଙ୍କାରୁ କମ୍‌ ବ୍ୟୟବରାଦ ହୋଇଛି। ସର୍ବଶେଷ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ୧୨ଟି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଖାଲି ପଡ଼ିଛି।
ଭାରତୀୟ ସମ୍ବିଧାନ ଅନୁସାରେ ଆମ ଦେଶ ଏକ ଜନମଙ୍ଗଳ ରାଷ୍ଟ୍ର। ରାଷ୍ଟ୍ରର ସମସ୍ତ ପ୍ରକାର ଉନ୍ନତି ପାଇଁ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରମାନେ କାର୍ଯ୍ୟ କରୁଛନ୍ତି। ଲୋକଙ୍କର ଆର୍ଥିକ, ସାମାଜିକ, ବ୍ୟକ୍ତିଗତ ଉନ୍ନତି ପାଇଁ ପ୍ରତିବର୍ଷ କେନ୍ଦ୍ର ସରକାର ନୂଆ ନୂଆ ଯୋଜନା କରୁଛନ୍ତି। ଅନେକ ଯୋଜନା ଜନମଙ୍ଗଳ ରାଷ୍ଟ୍ର ଗଠନରେ ବିରୁଦ୍ଧାଚରଣ କରୁଥିବା ମଧ୍ୟ ଖବରକାଗଜରେ ପ୍ରକାଶ ପାଉଛି ଏବଂ ସମାଜସେବୀମାନେ ସଭାସମିତି କରି ତା’ର ପ୍ରତିବାଦ କରୁଛନ୍ତି। ଏବେ ଆମ ରାଜ୍ୟ ଓଡ଼ିଶା କଥା ବିଚାର କରିବା।
ଓଡ଼ିଶାରେ ବର୍ତ୍ତମାନ ମଦର ବନ୍ୟା ପ୍ରବାହିତ ହେଉଛି ଗଁାଠାରୁ ସହର ଯାଏ। ସବୁ ଜାଗାରେ ମଦ ଦୋକାନ। ମଦ୍ୟପାନ ଦ୍ୱାରା ଯେ ଆମ ସମାଜ ଜୀବନ ନଷ୍ଟଭ୍ରଷ୍ଟ ହେଉଛି ସେକଥା ସରକାର ଜାଣନ୍ତି। ଯେତେ ପ୍ରକାର ଚୋରି, ଡକାୟତି, ବଳାତ୍କାର, ଅସାମାଜିକ କାର୍ଯ୍ୟ, ହତ୍ୟା, ଲୁଣ୍ଠନ ସବୁ ମଦ୍ୟପମାନେ କରୁଛନ୍ତି। ମଦ୍ୟପାନ କରି ଯୁବକମାନେ ମୋଟର ସାଇକେଲ ଚଳାଇ ରାସ୍ତାଘାଟରେ ଦୁର୍ଘଟଣା ଘଟାଇ ଅନ୍ୟର ଜୀବନ ନେବା ସଙ୍ଗେ ସଙ୍ଗେ ନିଜର ମୂଲ୍ୟବାନ ଜୀବନ ମଧ୍ୟ ହରାଉଛନ୍ତି। ପାରିବାରିକ ଜୀବନ ଏବେ ନଷ୍ଟଭ୍ରଷ୍ଟ ହେବାକୁ ବସିଛି। ରାତିଅଧରେ ପୁଅ ମଦପିଇ ଆସି ସ୍ତ୍ରୀକୁ ବାଡ଼େଇବା ସହିତ ନିଦ୍ରିତ ଛୋଟ ଶିଶୁମାନଙ୍କୁ ବାଡ଼େଇବାକୁ ମଧ୍ୟ ପଛାଉ ନାହିଁ। ପାଖ ଘରେ ଶୋଇଥିବା ବୃଦ୍ଧ ମାତାପିତା ବୋହୂର ମାଡ଼ଖିଆ କାନ୍ଦଣା ଶୁଣି ପାରୁଛନ୍ତି, କବାଟ ଖୋଲି ପ୍ରତିବାଦ କରିବାକୁ ତାଙ୍କର ସାହସ ନାହିଁ। ଗଁାଗହଳିରେ ୧୬-୧୭ ବର୍ଷର ଯୁବକ ମଦ ପିଇ ଘରକୁ ଫେରୁଛି, ମାତାପିତା କହିଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛି। ଆମର ସମାଜ ଜୀବନ ଯେ ଦିନକୁ ଦିନ ଦୁର୍ବିଷହ ହୋଇ ଉଠୁଛି, ଏ କଥା ରାଜନେତାଙ୍କୁ ଅଜଣା ନାହିଁ। ଏବେ ଶାସକମାନଙ୍କୁ ଆମ ସମସ୍ତଙ୍କର ପ୍ରଶ୍ନ ଜାତିର ଜନକ ଗାନ୍ଧିଜୀ କ’ଣ ଏହିପରି ଜନମଙ୍ଗଳ ରାଷ୍ଟ୍ରର କଳ୍ପନା କରିଥିଲେ? ଘରେ ଘରେ ଲୋକମାନେ ମଦ୍ୟପ ହେବେ, ଝିଅବୋହୂଙ୍କ ଉପରେ ଅତ୍ୟାଚାର କରିବେ? ନିର୍ଭୀକ ଭାବରେ ସ୍ତ୍ରୀଲୋକଟିଏ ରାସ୍ତାରେ ଚାଲିପାରିବ ନାହିଁ। ତେବେ ଏ କେଉଁ ପ୍ରକାର ଜନମଙ୍ଗଳ ରାଷ୍ଟ୍ର ସେ କଥା ବିଚାର ହେବା ଦରକାର।
ଓଡ଼ିଶା ସରକାର ରାଜକୋଷ ବୃଦ୍ଧି ପାଇଁ ପ୍ରତିବର୍ଷ ନୂଆ ନୂଆ ମଦ ଦୋକାନ ଖୋଲୁଛନ୍ତି ଏବଂ ଅଧିକ ସଂଖ୍ୟାରେ ଲୋକେ ମଦ୍ୟପ ହେବାକୁ ଉତ୍ସାହ ପ୍ରଦାନ କରୁଛନ୍ତି। ମଦ ଦୋକାନ ବଢ଼ିବା ସଙ୍ଗେ ସଙ୍ଗେ ଅପରାଧ ବଢ଼ୁଛି। ତାକୁ ନିୟନ୍ତ୍ରଣ କରିବା ପାଇଁ ଥାନା ପୋଲିସ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ପୋଲିସ ଅପରାଧୀକୁ ନିୟନ୍ତ୍ରଣ କରିପାରୁନାହିଁ। ଭାରତବର୍ଷର ଅନେକ ରାଜ୍ୟରେ ନିଶା ନିବାରଣ କରାଯାଇଛି, ଯାହାଫଳରେ ଗରିବ ଶ୍ରେଣୀର ଲୋକେ ବହୁ ଭାବେ ଉପକୃତ ହେଉଛନ୍ତି। ଆମ ପଡ଼ୋଶୀ ରାଜ୍ୟ ବିହାରରେ ସାଧାରଣ ଲୋକେ ନୀତୀଶ କୁମାରଙ୍କୁ ଅନୁରୋଧ କରିଥିଲେ, ଆପଣ ଯଦି ମଦ ବନ୍ଦ କରିବେ ତା’ହେଲେ ଆପଣଙ୍କ ଦଳକୁ ଆମେ ଭୋଟ୍‌ ଦେବୁ। ନୀତୀଶ କୁମାର ଜଣେ ପ୍ରଭାବଶାଳୀ ନେତା। ସେ ଗରିବ ଲୋକଙ୍କ ଦୁଃଖ ବୁଝିଲେ ଏବଂ ସରକାର ଗଢ଼ିବା ମାତ୍ରେ ବିହାରରୁ ମଦ ଉଠାଇଲେ। ବର୍ତ୍ତମାନ ସାଧାରଣ ଲୋକେ ବେଶ୍‌ ଖୁସି ଅଛନ୍ତି। ଆମ ଓଡ଼ିଶାରେ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ କରୁଛନ୍ତି, ମଦଭାଟି ଭାଙ୍ଗୁଛନ୍ତି, ସମାଜସେବୀମାନେ ପ୍ରତିବାଦ ସଭା କରୁଛନ୍ତି କିନ୍ତୁ କଥାଟା ସରକାରଙ୍କ କାନରେ ନ ପଡ଼ିଲା ଭଳି ଜଣାପଡ଼ୁଛି। ସରକାର ଚାହୁଁଛନ୍ତି ଜନମଙ୍ଗଳ ରାଷ୍ଟ୍ର ନିଶାବିକଳ ରାଷ୍ଟ୍ରରେ ପରିଣତ ହେଉ। ବିଧାନସଭାରେ ଏ ବିଷୟରେ ତ କେହି ପ୍ରତିବାଦର ସ୍ବର ଉଠାଉନାହାନ୍ତି। ଯଦି ବିରୋଧୀ ଦଳମାନେ ଏ ବିଷୟରେ କଡ଼ା ଆଭିମୁଖ୍ୟ ନିଅନ୍ତେ ତା’ହେଲେ ଶାସକଦଳ ଉପରେ ଏହାର ପ୍ରଭାବ ପଡ଼ନ୍ତା। ଖବରକାଗଜରେ ମଦ ବିରୋଧରେ ଅନେକ ଲେଖା ପ୍ରକାଶ ପାଉଛି, ତାକୁ କିନ୍ତୁ ଗୁରୁତ୍ୱ ଦିଆଯାଉନାହିଁ। ଆମ ସମାଜର ବିଶିଷ୍ଟ ବ୍ୟକ୍ତି ବୋଲି ଯେଉଁମାନେ ନିଜକୁ ପରିଚୟ ଦେଉଛନ୍ତି, ବୁଦ୍ଧିଜୀବୀ ବୋଲି କହୁଛନ୍ତି ସେମାନେ ତ କେବେ ଏ ବିଷୟରେ ପ୍ରତିବାଦର ସ୍ବର ଉଠାଉ ନାହାନ୍ତି। ତା’ହେଲେ ଏ ସମାଜ ତିଷ୍ଠିବ କିପରି? ନିଶା ନିବାରଣ ନ ହେଲେ ଆମର ଆଗାମୀ ବଂଶଧରମାନେ ଆମକୁ ହିଁ ଦୋଷ ଦେବେ। ବର୍ତ୍ତମାନ ସାରା ରାଜ୍ୟରେ ମଦବିରୋଧୀ ଆନ୍ଦୋଳନକୁ ଆଗେଇ ନେବାକୁ ସମାଜସେବୀମାନେ ଆଗଭର ହୁଅନ୍ତୁ।
ସତ୍ୟଶ୍ରୀ ନିବାସ, ତାରାଚାନ୍ଦପାଟଣା, କଟକ, ମୋ- ୯୨୩୮୬୩୨୭୫୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri