ମଡ଼ା ଉପରେ ଶାସନ

ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ଇତିମଧ୍ୟରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇଦିନିଆ ଭାରତ ଗସ୍ତରେ ଥିବା ବେଳେ ଉତ୍ତର-ପୂର୍ବ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହେବା କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଇଛି। ପ୍ରଚାର କରାଗଲା ଯେ, ଟ୍ରମ୍ପ୍‌ଙ୍କ ଆଗମନକୁ ଅନିଷା କରି ସିଏଏ ବିରୋଧୀମାନେ ଏଭଳି ହିଂସା ଭିଆଇଛନ୍ତି। କିନ୍ତୁ ଗତ ଦୁଇଦିନକୁ ଦେଖିଲେ ଶାହିନ୍‌ବାଗ ପ୍ରତିବାଦ ଶାନ୍ତିଶୃଙ୍ଖଳାରେ ଚାଲିଥିବା ବେଳେ ଭାଜପାର ସ୍ଥାନୀୟ ନେତା କପିଲ ମିଶ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଗସ୍ତ ପୂର୍ବରୁ ମଉଜପୁର ଓ ଜାଫରାବାଦ ଅଞ୍ଚଳର ପ୍ରତିବାଦକାରୀଙ୍କ ବିରୋଧରେ କଠୋର ମନ୍ତବ୍ୟ ଦେଇଥିଲେ। କେବଳ ସେତିକି ନୁହେଁ, ପ୍ରତିବାଦ କରୁଥିବା ସ୍ଥାନ ନିକଟରେ ସିଏଏ ସପକ୍ଷବାଦୀଙ୍କ ଏକ ଶୋଭାଯାତ୍ରାର ଆୟୋଜନ କରାଇ ପରିସ୍ଥିତିକୁ ଅସମ୍ଭାଳ କରିବା ପାଇଁ ଏହି ନେତା ଦାୟିତ୍ୱ ନେଇଥିବା ଭଳି ମନେହୁଏ। ଏଭଳି ଏକ ବିରାଟକାୟ ହିଂସା ଘଟାଇବା କେବେହେଲେ ତାଙ୍କ ନିଜସ୍ବ ଶକ୍ତିରେ ହୋଇ ପାରି ନ ଥାନ୍ତା। ଏହାପଛରେ କେନ୍ଦ୍ର ପ୍ରଶାସନର ସକ୍ରିୟ ସମର୍ଥନ ରହିଛି ବୋଲି ଦିଲ୍ଲୀ ପୋଲିସ ନିଷ୍କ୍ରିୟତାରୁ ବୁଝାପଡ଼େ। ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ-ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କହିଥିବାରୁ କପିଲଙ୍କୁ ନିର୍ବାଚନ ବେଳେ ପ୍ରଚାର କରିବାରୁ ବାରଣ କରାଯାଇଥିଲା। ସେଭଳି ଜଣେ ବ୍ୟକ୍ତି ସିଏଏ ସପକ୍ଷବାଦୀ ଶୋଭାଯାତ୍ରା କରିବା ପରେ ସଦ୍ୟ ହିଂସାକାଣ୍ଡ ଉପୁଜିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସିଏଏକୁ ଆଇନର ମୋହର ଦେଇଥିବାରୁ ସଂଯମ ରକ୍ଷା କରିବା କଥା। ଦେଶର କୌଣସି ଆଇନ ନାଗରିକଙ୍କୁ ଅଡ଼ୁଆରେ ପକାଇଲେ ତାହାକୁ ବିରୋଧ କରାଯିବା ସ୍ବାଭାବିକ। ଦେଖାଯାଏ କୌଣସି ଚିନ୍ତାଧାରାର ସପକ୍ଷବାଦୀ ଓ ବିପକ୍ଷବାଦୀମାନେ ମୁହଁାମୁହିଁ ହୋଇଗଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସୁନିଶ୍ଚିତ। ସ୍ଥିତିକୁ ଆକଳନ କରିବା ସହିତ ଠିକ୍‌ ଭାବେ ପରିଚାଳନା କରିବାର ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ନ୍ୟସ୍ତ। ବିଶେଷକରି ରାଜଧାନୀ ପୋଲିସକୁ ସିଧାସଳଖ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରିଚାଳନା କରୁଥିବାରୁ ତାହାର ବିଫଳତା ଅଧିକ ଚିନ୍ତାଜନକ ହୋଇପଡ଼ୁଛି।
ବର୍ତ୍ତମାନ ଭାରତରେ ଭିନ୍ନ ଧରଣର ପରିସ୍ଥିତି ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଗଲାଣି। ନିକଟରେ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଛ୍ବସିତ ପ୍ରଶଂସା କରିଥିଲେ। ସେ ମୋଦିଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ଦିବ୍ୟଦ୍ରଷ୍ଟା ବା ସର୍ବତୋମୁଖୀ ଅସାଧାରଣ ବ୍ୟକ୍ତି ବୋଲି ଅଭିହିତ କରିଥିଲେ। ଜଣେ ବିଚାରପତି ନ୍ୟାୟାଳୟର ସ୍ବାର୍ଥକୁ ଜଗିବା କଥା। ତା’ ପରିବର୍ତ୍ତେ ରାଜନୈତିକ କ୍ଷମତାସୀନ ବ୍ୟକ୍ତିଙ୍କୁ ସମର୍ଥନ କରିବା ଦ୍ୱାରା ତାଙ୍କ ପ୍ରତ୍ୟେକଟି ରାୟ ସନ୍ଦେହ ଘେରରେ ଆସିଯିବ। ହୁଏତ ସେଥିପାଇଁ ଉଭୟ ଭୋଡାଫୋନ୍‌ ଓ ଏୟାରଟେଲ୍‌ ବିରୋଧରେ ଜଷ୍ଟିସ୍‌ ମିଶ୍ରଙ୍କ ରାୟକୁ ଏବେ ସମାଲୋଚନା ଆରମ୍ଭ ହୋଇଛି। ଅତି ସହଜରେ କହିବାକୁ ଗଲେ ତାଙ୍କ ଦ୍ୱାରା ଦିଆଯାଇଥିବା ରାୟର ପ୍ରତିଫଳନ ଭାବେ ଏହି ଦୁଇଟି ମୋବାଇଲ ଟେଲିକମ୍‌ କମ୍ପାନୀର ଖୁବ୍‌ଶୀଘ୍ର ମୃତ୍ୟୁ ଘଟିବ ଏବଂ କେବଳ ଗୋଟିଏ କମ୍ପାନୀ ଏକଚାଟିଆ ଅଧିକାର ପାଇ ଶକ୍ତିଶାଳୀ ହେବ। ଏଭଳି ପରିସ୍ଥିତି ଘଟିଲେ ସମଗ୍ର ଦେଶବାସୀଙ୍କ କ୍ଷତି ହେବ। ଯଦି ବିଚାରପତିମାନେ ଏପରିି ପକ୍ଷପାତିତା କରିବେ ଓ ରାଜନୈତିକ ନେତୃତ୍ୱକୁ ସମର୍ଥନ କରିବେ, ତେବେ ଭାରତର ଗଣତନ୍ତ୍ର ବିପଦରେ ପଡ଼ିଲାଣି ବୋଲି ବୁଝିବାକୁ ହେବ।
ଆମ ମଧ୍ୟରୁ ଅନେକ ହିନ୍ଦୁ ସନ୍ତୋଷଲାଭ କରିଥାଇପାରନ୍ତି ଯେ, ଉତ୍ତର-ପୂର୍ବ ଦିଲ୍ଲୀରେ ଘଟୁଥିବା ଦଙ୍ଗାରେ କେବଳ ମୁସଲମାନ ସମ୍ପ୍ରଦାୟର ମହିଳାମାନେ ଦମନର ଶିକାର ହେଉଛନ୍ତି। କିନ୍ତୁ ଯେଉଁ ଶକ୍ତି ଦେଶରେ ସାମାଜିକ ବିଭାଜନ ସୃଷ୍ଟି କରିବା ପାଇଁ ପଛଘୁଞ୍ଚା ଦେଉନାହିଁ, ସେଭଳି ଗୋଷ୍ଠୀ କେବଳ ମୁସଲମାନଙ୍କୁ ମାରି ସନ୍ତୁଷ୍ଟ ହେବ ନାହିଁ। ଆଜି ଯଦି ମୁସଲମାନ ଶିକାର ହେଉଛନ୍ତି, ତେବେ ଆସନ୍ତାକାଲି ଦଳିତମାନେ ଶିକାର ହେବେ, ତା’ପରେ ଖ୍ରୀଷ୍ଟିଆନ ଶିକାର ହେବେ, ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କୁ ବିରୋଧ କରୁଥିବା ଶ୍ରମିକ ଗୋଷ୍ଠୀ ଶିକାର ହେବେ। ଏହିଭଳି ଗୋଟିଏ ପରେ ଗୋଟିଏ ସଙ୍ଗଠିତ ଗୋଷ୍ଠୀ ଶିକାର ହୋଇ ମରିବା ପରେ ଶେଷକୁ ହିନ୍ଦୁମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ସୃଷ୍ଟି କରାଇ ସପକ୍ଷବାଦୀ ଓ ବିପକ୍ଷବାଦୀ ତିଆରି କରାଯିବ, ଯେଉଁମାନେ ପରସ୍ପରକୁ ମାରିବେ। ଏଭଳି ପରିସ୍ଥିତିରେ ମଡ଼ା ଉପରେ ଶାସନ କରିବା ପାଇଁ ଯେଉଁମାନେ ବଞ୍ଚି ରହିବେ, ସେହିମାନେ ହେବେ କେବଳମାତ୍ର ବିଜୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri