ଭୂସ୍ବର୍ଗର ପ୍ରତ୍ୟାବର୍ତ୍ତନ

ବିପିନ ବିହାରୀ ମିଶ୍ର
ଏ ପର୍ଯ୍ୟନ୍ତ ମାନଚିତ୍ରକୁ ଦେଖିଲେ ଜଣାପଡୁଥିଲା ଯେ ସମଗ୍ର କଶ୍ମୀର ଭାରତର ଏକ ଅଙ୍ଗ। ସବୁ ଦଳର ନେତା କହି ଆସୁଛନ୍ତି ଯେ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ପ୍ରକୃତ ଅବସ୍ଥା ଏଇଆ ଯେ ମାନଚିତ୍ରରେ ଦେଖାଯାଉଥିବା କଶ୍ମୀରର ଏକ ତୃତୀୟାଂଶ ପାକିସ୍ତାନ ଦଖଲରେ। ଲଦାଖର ୩୭୨୪୪ ବର୍ଗ କି.ମି. ଚାଇନାର ଅବୈଧ ଅକ୍ତିଆରରେ। କିନ୍ତୁ କଶ୍ମୀରର ଯେତିକି ଅଂଶ ଆମର ହୋଇଛି ସେ ଅଂଶ ପ୍ରକୃତରେ ଆମ ଦେଶରେ ଅଛି କି ବୋଲି ଅନେକ ବୁଦ୍ଧିଜୀବୀ ଅତୀତରେ ବାରମ୍ବାର ପ୍ରଶ୍ନ କରିଛନ୍ତି। ଓଡ଼ିଶା, ଉତ୍ତରପ୍ରଦେଶ କିମ୍ବା ବିହାର ଓ ଅନ୍ୟାନ୍ୟ ସବୁ ପ୍ରଦେଶ ବିଷୟରେ କାହାକୁ ଘୋଷଣା କରିବା ପାଇଁ ପଡ଼ିନାହିଁ ଯେ ଏହି ପ୍ରଦେଶଗୁଡ଼ିକ ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ କଶ୍ମୀର ବିଷୟରେ କାହିଁକି? କାରଣ ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ କଶ୍ମୀର ହେଉଛି ପାକିସ୍ତାନର, ଯେହେତୁ ଏହାର ଅଧିକାଂଶ ଅଧିବାସୀ ମୁସଲମାନ। ଯଦି ଅଧିକାଂଶ ଅଧିବାସୀ ମୁସଲମାନ ହେବାରୁ କଶ୍ମୀର ପାକିସ୍ତାନର ଅଙ୍ଗ ହୋଇଯିବ ତେବେ ପାକିସ୍ତାନ କାହିଁକି ଦାବି କରୁନାହିଁ ଯେ ଇରାନ ଓ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ଅଙ୍ଗ।
ଭୂଗୋଳ ଓ ଇତିହାସ କଶ୍ମୀର ବିପକ୍ଷରେ। କଶ୍ମୀରରେ ୧୮୫୦ ମସିହାଠାରୁ ଡୋଗ୍ରା ଶାସନ ଚାଲିଥିଲା। ତା’ପୂର୍ବରୁ ଇଂରେଜ ଶାସନ, ତା’ପୂର୍ବରୁ ଆଫଗାନ। ଏକଦା କଶ୍ମୀର ଥିଲା ହିନ୍ଦୁମାନଙ୍କ ରାଜ୍ୟ, କିନ୍ତୁ ଆଫଗାନମାନେ ଦଖଲକରି ବହୁ ହିନ୍ଦୁଙ୍କୁ ହତ୍ୟାକଲେ ଓ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇଲେ। ବହୁ ପଣ୍ଡିତଙ୍କୁ ହତ୍ୟାକଲେ। କାରଣ ସେମାନଙ୍କର ଶାସନ ଓ ସମାଜରେ ବେଶ୍‌ ପତିଆରା ଥିଲା। ଉତ୍ତରରେ ରୁଷିଆ, ପଶ୍ଚିମରେ ଆଫଗାନିସ୍ତାନ ଓ ପାକିସ୍ତାନ, ପୂର୍ବରେ ତିବ୍ବତ ପରେ ଚାଇନା ଓ ଦକ୍ଷିଣରେ ଭାରତ ଥିବାରୁ କଶ୍ମୀର ଦେଶୀୟ ରାଜ୍ୟ (ଯାହାର ଶାସକ ଥିଲେ ମହାରାଜା ହରି ସିଂହ) ଭୂଗୋଳ ଦୃଷ୍ଟିରୁ ଅସୁବିଧାରେ ଥିଲା। ଦେଶ ବିଭାଜନ ହେବା ପୂର୍ବରୁ ଓ ପରେ ଇଂରେଜମାନେ ମନେକଲେ ଯେ ନୂତନ ସମୀକରଣ ଦୃଷ୍ଟିରୁ କଶ୍ମୀରକୁ ଏକ ଘାଟି ରୂପେ ବ୍ୟବହାର କରିବା ଠିକ୍‌ ହେବ। ସେଥିପାଇଁ ଇଂଲଣ୍ଡ, ଆମେରିକା ଓ ପାଶ୍ଚାତ୍ୟ ଗୋଷ୍ଠୀ ପାକିସ୍ତାନକୁ ସମର୍ଥନ କଲେ। ଜାତିସଂଘରେ ଆମେରିକାର ପ୍ରତିନିଧି ଇଂଲଣ୍ଡର ପ୍ରତିନିଧି ନୋଏଲ ବେକରଙ୍କ ପରାମର୍ଶ ଲୋଡ଼ି ନିରାପତ୍ତା ପରିଷଦରେ ବାରମ୍ବାର ଦାବି କରୁଥିଲେ ଯେ କଶ୍ମୀରରେ ଗଣଭୋଟ ହେଉ। ମହାରାଜା ହରି ସିଂହ ଭାରତରେ କଶ୍ମୀରର ମିଶ୍ରଣ ପାଇଁ ଚୁକ୍ତି କଲେ। କିନ୍ତୁ ସେ ଚୁକ୍ତିପତ୍ରରେ ଏକ ମସ୍ତବଡ଼ ଭୁଲ୍‌ ରହିଗଲା। ତାହା ହେଲା, ଭାରତର କ୍ଷମତା ସୀମିତ ରହିବ କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗରେ। ଏଭଳି ଚୁକ୍ତି ୫୬୪ ଦେଶୀୟ ରାଜ୍ୟ ମଧ୍ୟରୁ କାହା ସଙ୍ଗେ ହୋଇ ନ ଥିଲା।
ସେତେବେଳେ ଏଭଳି ଗୋଟିଏ ପରେ ଗୋଟିଏ ଭୁଲ୍‌ କରି ଚାଲିଲେ ପଣ୍ଡିତ ନେହେରୁଙ୍କ ସରକାର। ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ଉପେକ୍ଷା କରି ଦେଶ ଭୋଗୁଥିଲା କଶ୍ମୀରଜନିତ ଦଶା। ୧୯୪୭ରୁ ୧୯୫୩ ମସିହା ପର୍ଯ୍ୟନ୍ତ କଶ୍ମୀରର ପ୍ରଧାନମନ୍ତ୍ରୀ ନିଜ ମନ ମୁତାବକ ଶାସନ କଲେ। ହିନ୍ଦୁମାନଙ୍କୁ ହାତରେ ନ ମାରି ଭାତରେ ମାରିଲେ। ଭୂସଂସ୍କାର ନାମରେ ତାଙ୍କଠାରୁ ଜମିସବୁ ଛଡ଼େଇ ନିଆଗଲା। ଚାକିରି କ୍ଷେତ୍ରରେ ଯୋଗ୍ୟ ହିନ୍ଦୁ ବିଶେଷତଃ ପଣ୍ଡିତମାନଙ୍କୁ ଉପେକ୍ଷା କରାଗଲା। ୧୯୫୩ ମସିହା ବେଳକୁ ସରକାର ଜାଗି ଉଠିଲେ। ଶେଖ୍‌ ଅବଦୁଲାଙ୍କୁ ଗିରଫ କଲେ।
୧୯୫୪ ମସିହାରେ କଶ୍ମୀର ନିଜ କ୍ଷମତା ପରିସର ବଢ଼େଇଚାଲିଲା। ଜନସଂଘ ଦଳ ଏହାର ଖୁବ୍‌ ପ୍ରତିବାଦ କଲା। ସେ ସମୟରେ ଉକ୍ତ ଦଳ କାୟାବିସ୍ତାର କରିପାରି ନ ଥିଲା। କିନ୍ତୁ ସମ୍ବିଧାନରେ ଅସ୍ଥାୟୀ ଭାବେ ୩୭୦ ଧାରା ଯୋଡ଼ାଗଲା। ଯାହା ବଳରେ ୩୫(କ) ଧାରା ମଧ୍ୟ ରହିଲା। ଜଣେ ଅଣ-କଶ୍ମୀରୀ କଶ୍ମୀରରେ ଜମି କିଣିପାରିଲା ନାହିଁ। ଯଦି କଶ୍ମୀରୀ ଝିଅ ଅଣକଶ୍ମୀରୀ ପୁଅକୁ ବାହାହେବ ତେବେ ସେ ନାଗରିକତ୍ୱ ହରେଇବ। କଶ୍ମୀର ବିଧାନସଭାର ସମ୍ମତି ବିନା ଭାରତର ଆଇନ ପ୍ରଯୁଜ୍ୟ ହେବ ନାହିଁ। କଶ୍ମୀରର ଭିନ୍ନ ଜାତୀୟ ପତାକା ଓ ଭିନ୍ନ ସମ୍ବିଧାନ। ଏଭଳି ବ୍ୟବସ୍ଥା କରାଗଲା ଯେ କଶ୍ମୀରବାସୀଙ୍କର ଅଣକଶ୍ମୀରଙ୍କଠାରୁ ମାନସିକ ଦୂରତା ବଢ଼ିଲା। ପାକିସ୍ତାନ ୧୯୮୯ ମସିହାରୁ ସନ୍ତ୍ରାସବାଦୀଙ୍କୁ ପଠେଇଲା। କଶ୍ମୀରରେ ଅନେକ ମଦ୍ରାସା ଖୋଲିଲା। ପରିସ୍ଥିତି ଜଟିଳ ହେଲା।
ସମଗ୍ର ପୃଥିବୀକୁ ଚମକାଇ ମୋଦି ସରକାର ଏହି ଯେଉଁ ଦୁଃସାହସିକ ପଦକ୍ଷେପ ନେଲେ ତାହାର ପରିଣାମ ପାଇଁ ସେମାନେ ନିଶ୍ଚୟ ପ୍ରସ୍ତୁତ ଥିବେ। ଆମ ଭିତରେ ଅନେକ ଗୋତ୍ରମାରୁ ଅଛନ୍ତି, ଯେଉଁମାନେ ଆମ ଶତ୍ରୁ ରାଜ୍ୟ ପାକିସ୍ତାନକୁ ଅନେକ ଉପାଦାନ ଯୋଗାଉଛନ୍ତି। ଜଣେ ବିଶିଷ୍ଟ ନେତା କହିଲେ ଯେ ସମଗ୍ର କଶ୍ମୀର ଏକ ବନ୍ଦିଶାଳା ହୋଇଛି ଓ ପାକିସ୍ତାନ ସେଇଆକୁ ଘୋଷି ହେଉଛି। ଏକଥା ସତ ଯେ ବର୍ତ୍ତମାନ କଶ୍ମୀରରେ କର୍ଫ୍ୟୁ ଜାରି ହୋଇଛି ସୁରକ୍ଷା ଦୃଷ୍ଟିରୁ। ଅତୀତରେ ଦେଶର ବହୁ ସ୍ଥାନରେ ବହୁ ସମୟରେ ସାନ୍ଧ୍ୟ ଆଇନ ଜାରି ହୋଇଛି। ଜରୁରିକାଳୀନ ପରିସ୍ଥିତି ସମୟରେ ସର୍ବସାଧାରଣଙ୍କର ଦେଖିବା, ଶୁଣିବା ଏବଂ କହିବା ବନ୍ଦ କରିଦିଆଗଲା ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ। ସେତେବେଳେ ସମଗ୍ର ଦେଶ ବନ୍ଦୀଶାଳା ଥିଲା ଓ ଯେଉଁମାନେ ଏବେ କଶ୍ମୀର ଏକ ବନ୍ଦୀଶାଳା ବୋଲି କହୁଛନ୍ତି ତାଙ୍କର ଦଳ ଶାସନ କରୁଥିଲା। ୧୯୬୨ ମସିହାରେ ଚାଇନା ସଙ୍ଗେ ଯୁଦ୍ଧ ହେଲାବେଳେ ଦୋଷ ଥାଉ କିମ୍ବା ନ ଥାଉ ବାମପନ୍ଥୀମାନଙ୍କୁ ଆଖିବୁଜା ଗିରଫ କରାଗଲା। ସେତେବେଳେ କଂଗ୍ରେସ ଶାସନ ଥିଲା। ଦେଶକୁ ବନ୍ଦୀଶାଳା କୁହାଗଲା ନାହିଁ। ବର୍ତ୍ତମାନ ଜାତୀୟ ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି କରାଗଲା ଓ ତିନିଦିନ ମଧ୍ୟରେ କୋହଳ କରାଗଲା। ତଥାପି ସେଇ ବନ୍ଦୀଶାଳା ସ୍ଲୋଗାନ ଚାଲିଛି।
ପାକିସ୍ତାନ ଭାରତ ସଙ୍ଗେ ବାଣିଜ୍ୟ ସମ୍ପର୍କ ଛିନ୍ନ କରିଦେଲା। ସମଝୌତା ଏକ୍ସପ୍ରେସ୍‌କୁ ବନ୍ଦ କରିଦେଲା। ଆକାଶମାର୍ଗକୁ ଆଂଶିକ ରୁଦ୍ଧ କରିଦେଲା ଓ ମୁସଲମାନ ଦେଶଗୁଡ଼ିକ ସହ ସେ ଆଲୋଚନା କରୁଛି। ତା’ ସାଙ୍ଗରେ ପୁଲ୍‌ଓ୍ବାମା ଭଳି ଘଟଣା ଓ ଆଣବିକ ଯୁଦ୍ଧ ହୋଇପାରେ ବୋଲି ଧମକ ଦେଉଛି। ୧୯୫୮ ମସିହାରେ ଜେନେରାଲ ଆୟୁବ ଖାଁ ସାମରିକ ଶାସନ କରିବା ଦିନଠାରୁ ପାକିସ୍ତାନ ଯୁଦ୍ଧ ଧମକ ଦେଇ ଆସୁଛି ଓ ତିନିଥର (୧୯୬୫, ୧୯୭୧, ୧୯୯୯) ଭାରତ ଆକ୍ରମଣ କରିଛି ଏବଂ ହାରିଛି। ୧୯୭୧ ମସିହା ଯୁଦ୍ଧ ପାକିସ୍ତାନ ପାଇଁ ସବୁଠୁ ଲଜ୍ଜାଜନକ ଥିଲା। ଏବେ ପାକିସ୍ତାନ ଧମକାଉଛି ଯେ ଅନ୍ତର୍ଜାତୀୟ ଅଦାଲତ ଏବଂ ଜାତିସଂଘକୁ ଯିବ। ଯଦିବା ଶିମ୍‌ଲା ଚୁକ୍ତିରେ ପାକିସ୍ତାନ ଘୋଷଣା କରିଛି ଯେ କଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହେବ। ବର୍ତ୍ତମାନ ଆମେରିକା ପାକିସ୍ତାନ ସଙ୍ଗେ ଫାଟ ଯୋଡ଼ିବା ପାଇଁ ବାଧ୍ୟ ହୋଇଛି। କାରଣ ପାକିସ୍ତାନର ବିନା ସହଯୋଗରେ ତାଲିବାନ୍‌ଙ୍କ ସହ ଆଲୋଚନା ହୋଇପାରିବ ନାହିଁ ଓ ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ପାରିବ ନାହିଁ। ତେଣୁ ଆମେରିକା ଓ ଇଂଲଣ୍ଡ ନିରପେକ୍ଷ ରହିବେ। ଆମେରିକା, ଚାଇନା ଓ ଜାତିସଂଘ ଶିମ୍‌ଲା ରାଜିନାମା ମାନିବା ପାଇଁ ପାକିସ୍ତାନକୁ କହିସାରିଲେଣି।
ରୁଷିଆ ମଧ୍ୟ ନିରପେକ୍ଷ ରହିବ। କାରଣ ରୁଷିଆ ଚାହୁଁଛି ପାକିସ୍ତାନର ଗ୍ବାଦର ବନ୍ଦର ଦେଇ ଆରବ ସାଗରକୁ ପ୍ରବେଶ କରିବାର କ୍ଷମତା। ତା’ଛଡ଼ା ଭାରତ ରୁଷିଆରୁ ବେଶି ଅସ୍ତ୍ରଶସ୍ତ୍ର କିଣୁନାହିଁ। କେବଳ ଫ୍ରାନ୍ସ ଉପରେ ନିର୍ଭର କରିବାକୁ ପଡ଼ିବ, ଯେହେତୁ ଫ୍ରାନ୍ସରୁ ଅନେକ ଅସ୍ତ୍ରଶସ୍ତ୍ର କିଣା ହେଉଛି ଓ କିଣାହେବାର ଅଛି। ତେଣୁ ଫ୍ରାନ୍ସ ଭାରତକୁ ସମର୍ଥନ କରିବା ସମ୍ଭାବନା ବେଶି। ଏସବୁ ଦେଶଗୁଡ଼ିକର ଭିଟୋ କ୍ଷମତା ଅଛି। ତେଣୁ ନିରାପତ୍ତା ପରିଷଦର ଅଧିକାଂଶ ସଦସ୍ୟ ଭାରତ ବିରୋଧରେ ଗଲେ ମଧ୍ୟ ପ୍ରସ୍ତାବକୁ ଅକାମୀ କରିବା ପାଇଁ ଗୋଟିଏ ଭିଟୋ ଯଥେଷ୍ଟ। ଆମେ ପାରାଡାଇଜ ରିଗେନ୍‌ଡ (ସ୍ବର୍ଗ ଫେରିପାଇଛେ)। ଆମକୁ ସମସ୍ତ ପ୍ରକାର ବ୍ୟବସ୍ଥା ଓ କୂଟନୀତି କରିବାକୁ ପଡ଼ିବ ଯେପରି ଫେରିପାଇଥିବା ସ୍ବର୍ଗ ହାତରୁ ଖସି ନ ଯାଏ। ଉଭୟ ଅନ୍ତଃଶତ୍ରୁ ଓ ବହିଃଶତ୍ରୁ ପ୍ରତି ସାବଧାନ ରହିବାକୁ ପଡ଼ିବ । ତା’ ସଙ୍ଗେ କଶ୍ମୀର ଓ ଲଦାଖର ବିକାଶ ଦରକାର। ନିର୍ବାଚନମଣ୍ଡଳୀକୁ ପୁନର୍ଗଠନ କରି ଯେଭଳି ସବୁଧର୍ମର ଭୋଟଦାତାଙ୍କ ପ୍ରାଧାନ୍ୟ ରହିବ ତାହା ଦେଖିବାକୁ ପଡ଼ିବ। ସାମରିକ ବାହିନୀ ଏପରି କୌଣସି ପଦକ୍ଷେପ ନେବା କଥା ନୁହେଁ, ଯାହା ପାଇଁ ଅନ୍ୟାନ୍ୟ ଦେଶ ଆମକୁ ଭୁଲ୍‌ ବୁଝିବେ।
ପୂର୍ବତନ ଡିଜି, ମୋ-୯୦୪୦୪୧୨୩୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri