ଭାରତ ବିକାଶରେ ଧର୍ମର ଗୁରୁତ୍ୱ

ଶକ୍ତି ପ୍ରସାଦ ଦାସ
ସୁସ୍ଥ ଜୀବନଯାପନ ପାଇଁ ବ୍ୟକ୍ତି ତଥା ସମାଜର ସର୍ବାଙ୍ଗୀଣ ବିକାଶ ନିହାତି ଜରୁରୀ। ଅର୍ଥନୈତିକ ବିକାଶ ସେଥିମଧ୍ୟରୁ ଅନ୍ୟତମ। ଆମେ ସାଧାରଣ ଲୋକାଚାରରେ ଅର୍ଥନୈତିକ ବିକାଶ ସହିତ ଧର୍ମର ବିଶେଷ କିଛି ସମ୍ପର୍କ ନାହିଁ ବୋଲି ଜାଣୁ। କିନ୍ତୁ ଟିକିଏ ନିରିଖେଇ ଦେଖିଲେ ଦେଖାଯିବ ଯେ, ବିକାଶ ଉପରେ ପ୍ରଚଳିତ ଧର୍ମର ଅଖଣ୍ଡ ପ୍ରଭାବ ରହିଛି। ବିକାଶର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମଗ୍ର ମାନବଜଗତର ଜୀବନଯାପନ ଶୈଳୀରେ ଉନ୍ନତି ଆଣିବା। ଉନ୍ନତ ଜୀବନଯାପନ ପାଇଁ ବିକାଶଶାସ୍ତ୍ର ଧର୍ମ ନିକଟରୁ ତିନୋଟି ପ୍ରତ୍ୟଶା ରଖେ : ବ୍ୟକ୍ତିକୁ ସାମାଜିକ ପରିଚୟ ଦେବା; ମୂଲ୍ୟବୋଧ ଓ କ୍ଷମତାର ଉତ୍ସ ହେବା ଏବଂ ସମ୍ପ୍ରଦାୟ ଓ ସାମାଜିକ କଲ୍ୟାଣର ମାଧ୍ୟମ ସାଜିବା।
ଆପଣାର ଭାବନା ଜରିଆରେ ଧର୍ମ ବ୍ୟକ୍ତିକୁ ସାମାଜିକ ସହାୟତା ତଥା ଗୋଟିଏ ସାମାଜିକ ପରିଚୟ ପ୍ରଦାନ କରିଥାଏ। ବ୍ୟକ୍ତି ତଥା ସମାଜ ହିସାବରେ ଉନ୍ନତ ଜୀବନଯାପନ କରିବାର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ଧର୍ମ ସମୁଚିତ ଶିକ୍ଷା ଦେଇଥାଏ ଓ ଉଚିତ ମାର୍ଗ ପ୍ରଦର୍ଶନ କରିଥାଏ। ଧର୍ମ ବ୍ୟକ୍ତିର ଉଚ୍ଚାଭିଳାଷ ଓ ଏହାର ପ୍ରାପ୍ତି ମଧ୍ୟରେ ଦୂରତ୍ୱକୁ କମାଇବା ସହିତ ଆତ୍ମ-ସନ୍ତୋଷ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ପାଶ୍ଚାତ୍ୟରେ ବିଜ୍ଞାନ, କଳା, ରାଜନୀତି କିମ୍ବା ଅର୍ଥନୈତିକ ବିକାଶ ତର୍କସଂଗତ ତଥ୍ୟ ଆଧାରରେ ଅଭିବୃଦ୍ଧି ଲାଭ କରିଛି, ଯାହା ଭାରତ ଓ ଚାଇନା ପ୍ରଭୃତି ଦେଶରେ ବିଳମ୍ବରେ ଘଟିଛି। କାରଣ, ଭାରତରେ ହିନ୍ଦୁ ଧର୍ମର ମୌଳିକ ବିଚାରଧାରା ଭୌତିକ ବିକାଶରେ ଅଟକି ରହିଯାଇ ନାହିଁ। ହିନ୍ଦୁ ବୌଦ୍ଧିକତା ହେଉଛି ମୁକ୍ତ। ଏଥିରେ ମନୁଷ୍ୟ ଓ ପ୍ରକୃତିକୁ ବ୍ରହ୍ମାଣ୍ଡର ଅଭିନ୍ନ ଅଙ୍ଗ ରୂପରେ ଚିନ୍ତା ଓ ଅନୁଭବ କରାଯାଏ। ହିନ୍ଦୁ ପାଇଁ ପ୍ରକୃତି ଜୀବନ୍ତ ଓ ଅଦୃଶ୍ୟର ଏକ ପ୍ରତୀକ। ତେଣୁ ଆଧୁନିକ ବୈଜ୍ଞାନିକ ଭାବନା ତଥା ପ୍ରଯୁକ୍ତି ବିଦ୍ୟା, ଯାହା ପ୍ରକୃତିକୁ ମନୁଷ୍ୟଠାରୁ ପୃଥକ୍‌ କରେ, ଭାରତରେ ପାଦ ଥାପିବା ପାଇଁ ସମୟ ନେଇଛି।
ଆଧୁନିକ ଯୁକ୍ତିବତ୍ତାରେ ପ୍ରକୃତିଗତ ବସ୍ତୁ ସହଜରେ ଖାପେଇଯାଏ, କିନ୍ତୁ ମାନବିକ ବିଜ୍ଞାନ ନୁହେଁ। ଏହା ହିଁ ଭୌତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଉଦୟର କାରଣ। ମନୁଷ୍ୟର ଏହି ତର୍କସଂଗତ ମନୋବୃତ୍ତି ଓ ପ୍ରକୃତି ସହିତ ଏହି ନୂତନ ଅନୁଭୂତି ପୁଞ୍ଜିବାଦ ପାଇଁ ଉପଯୁକ୍ତ ପୃଷ୍ଠଭୂମି ତିଆରି କରେ।
ଖ୍ରୀଷ୍ଟ, ଇସ୍‌ଲାମ ଓ ବୌଦ୍ଧ ଧର୍ମ ପରି ହିନ୍ଦୁ ଧର୍ମର ନା କେହି ସଂସ୍ଥାପକ ଅଛନ୍ତି ନା ଏହାର କିଛି ଅୟମାରମ୍ଭ ଅଛି। ସେଥିପାଇଁ ହିନ୍ଦୁ ଧର୍ମର ଚରିତ୍ର ସମୟହୀନ ଓ ଇତିହାସହୀନ। ଅନନ୍ତ କାଳର ସଚେତନତାର ଏହା ଏକ ଦୃଷ୍ଟିକୋଣ ମାତ୍ର ଏବଂ ପରିଣାମ ସ୍ବରୂପ ଏହା ଇତିହାସ ପ୍ରତି ଉଦାସୀନ। ତେଣୁ ଏହାର କ୍ରମ ବିକାଶ, ବୈଜ୍ଞାନିକ ଭାବନା ଓ ପ୍ରୌଦ୍ୟୋଗିକୀରେ ପରିବର୍ତ୍ତିତ ହେବା ପାଇଁ ସମୟ ନେଇଛି।
ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜା ରାମମୋହନ ରାୟ, ମହର୍ଷି ଦେବେନ୍ଦ୍ରନାଥ ଠାକୁର, ସ୍ବାମୀ ବିବେକାନନ୍ଦ ପ୍ରମୁଖ ସଂସ୍କାରକ ଅନେକ କାର୍ଯ୍ୟ କରିଯାଇଛନ୍ତି। ସେମାନେ ସମସ୍ତେ ପଶ୍ଚିମର ଆହ୍ବାନ ଓ ପରମ୍ପରାର ବିଶ୍ଳେଷଣ ପ୍ରତି ପ୍ରତିକ୍ରିୟାଶୀଳ ଥିଲେ। ସେମାନେ ତର୍କବାଦକୁ ଉତ୍ସାହିତ କରିଛନ୍ତି। ସ୍ବାମୀ ଦୟାନନ୍ଦ ତାଙ୍କର ଆର୍ଯ୍ୟସମାଜ ମାଧ୍ୟମରେ ସଂସ୍କାରବାଦ ଓ ସଂସ୍କୃତିନିଷ୍ଠ ଅଭିବିନ୍ୟାସକୁ ପର୍ଯ୍ୟାପ୍ତ ରୂପରେ ସଂରକ୍ଷଣ କରି ହିନ୍ଦୁ ଧର୍ମକୁ କେତେକାଂଶରେ ତର୍କ-ସଂଗତ କରିଛନ୍ତି।
ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ମୌଳିକ ସମସ୍ୟା ହେଉଛି ପରମ୍ପରାଗତ ପ୍ରଥା ଯେପରି କି ଜାତି, ଲିଙ୍ଗ, ମୂଲ୍ୟବୋଧ ଓ ଦୃଷ୍ଟିକୋଣ ଇତ୍ୟାଦିର ଅସ୍ତିତ୍ୱରୁ ଜାତ ପ୍ରତିରୋଧକୁ ଅତିକ୍ରମ କରିବା ଓ ଏହାର ବିଳମ୍ବିତ ପ୍ରଭାବର ସମ୍ମୁଖୀନ ହେବା। ଦୁଇଟି ସର୍ବାଧିକ ଦୁର୍ବଳ ବର୍ଗ- ବଞ୍ଚତ୍ତ ଜାତି ଓ ମହିଳାଗୋଷ୍ଠୀଙ୍କ ଅବଦାନକୁ ଖୁବ୍‌ ସୀମିତ କରିଦିଆଯାଇଛି, ଯାହା ଭାରତକୁ ତା’ର ସର୍ବାଧିକ ସମ୍ଭାବ୍ୟ ଆର୍ଥିକ ଅଭିବୃଦ୍ଧି ହାସଲ କରିବାରେ ବାଧକ ସାଜିଛି। କର୍ମ ପରିସରରେ ମହିଳାଙ୍କ ଅଂଶ ଭାରତରେ ମାତ୍ର ୨୭ପ୍ରତିଶତ, ଯାହା ଦକ୍ଷିଣ-ଏସୀୟ ଦେଶଗୁଡ଼ିକ ମଧ୍ୟରେ ନିମ୍ନତମ। ଯଦି ଭାରତ ଜାତି ଓ ଲିଙ୍ଗଗତ ଅସମାନତାକୁ ଧାର୍ମିକ ମାନ୍ୟତା ଦେଇ ନ ଥା’ନ୍ତା, ତେବେ ଗତ ୬୦ ବର୍ଷରେ ଏହା ନିଜର GDPକୁ ଅଧା ସମୟରେ ଦୁଇଗୁଣରୁ ଅଧିକ କରିପାରିଥା’ନ୍ତା।
ଆମ ଦେଶରେ ଜନସଂଖ୍ୟାର ଗୋଟିଏ ବିରାଟ ଅଂଶ (ମହିଳା ଓ ଅନୁସୂଚିତ ଜାତିର ଲୋକ)କୁ ସଂସାଧନ (ପୁଞ୍ଜି ଓ କୌଶଳ) ବାରଣ କରି ଅର୍ଥନୈତିକ ଗତିବିଧିକୁ ବାଧା ଦେଇଛି। ଭାରତରେ ଜାତିବାଦ ଏତେ ଗଭୀରକୁ ବ୍ୟାପିଯାଇଛି ଯେ ଅନୁସୂଚିତ ଜାତିର ଲୋକ ଇସ୍‌ଲାମ କିମ୍ବା ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ମଧ୍ୟ ସେମାନଙ୍କ ଦଳିତ ସ୍ଥିତି ଜାରି ରହୁଛି। ଆମେ ସେମାନଙ୍କୁ ଦଳିତ ମୁସଲମାନ ଅବା ଦଳିତ ଖ୍ରୀଷ୍ଟିଆନ ଆଖ୍ୟା ଦେଉଛୁ। ତେଣୁ ଏସବୁ ମନୋବୃତ୍ତିରେ ଗୋଟିଏ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ଅନୁଭୂତ ହୁଏ।
ୱାଲର୍‌ଡ ଭାଲ୍ୟୁ ସର୍ଭେ (WVS) ତଥ୍ୟ ଅନୁସାରେ ଧର୍ମବିଶ୍ୱାସୀଙ୍କର ସବୁଠାରୁ ବଡ ବୈଶ୍ୱିକ ଭଣ୍ଡାର ଭାରତରେ ଅଛି। ସାମ୍ପ୍ରତିକ ଗବେଷଣାଲବ୍ଧ ତଥ୍ୟ କହେ: ଭାରତରେ ବିକାଶନୀତି ଓ କାର୍ଯ୍ୟକ୍ରମଗୁଡିକ ସଂଖ୍ୟାଧିକ ଲୋକଙ୍କ ଜୀବନର ଏକ କ୍ଷୁଦ୍ର ଅଂଶ ହୋଇଥିବାବେଳେ, ଧର୍ମ ଏକ ଅନ୍ତର୍ନିହିତ ନୈତିକ ବ୍ୟବସ୍ଥା ସହିତ ଜଡିତ।
ତେଣୁ ବିକାଶକର୍ତ୍ତାମାନେ ସେମାନଙ୍କର ଦାବି ଓ ଲକ୍ଷ୍ୟ ଉପସ୍ଥାପନରେ ନମ୍ର ହେବାର ଅଛି। ଅପରିଚିତ ପ୍ରସଙ୍ଗରେ, ନିଜ ଧାରଣାକୁ ଅନୁମାନ ଲଗାଇ ତ୍ୱରିତ ନିଷ୍କର୍ଷକୁ ଡେଇଁ ପଡିବା ଅନୁଚିତ। ଧର୍ମ ଓ ଅର୍ଥନୀତିର ଶ୍ରେଷ୍ଠ ବିଦ୍ୱାନ ମାକ୍ସ ୱେବର (୧୯୫୮) ବିଶ୍ୱାସ କରନ୍ତି କି ଭାରତର ଧର୍ମୀୟ ପରମ୍ପରା ଏଠାରେ ପୁଞ୍ଜିବାଦର ବିକାଶକୁ ଘୋର ପ୍ରତିରୋଧ କରିଥିଲା। ତେଣୁ, ଭାରତରେ ଆଧୁନିକତାର ମହତ୍ତ୍ୱକୁ ବୁଝିବାକୁ ଗଲାବେଳେ ଏହାର ଧାର୍ମିକ ସଂରଚନା ଓ ବିଶ୍ୱାସ ପ୍ରତି ଯଥେଷ୍ଟ ମହତ୍ତ୍ୱ ଦେବାକୁ ହେବ।
ସ୍ବାଧୀନତା ପରେ ଭାରତର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସ୍ବୀଧୀନତା-ପରବର୍ତ୍ତୀ ୪୦ବର୍ଷ ଧରି ଭାରତ ଏକ ରାଷ୍ଟ୍ର-କୈନ୍ଦ୍ରିକ, ସମାଜବାଦୀ ଚିନ୍ତାଧାରା ଅନୁପ୍ରେରିତ ଅର୍ଥନୈତିକ ମଡେଲକୁ ଅନୁସରଣ କଲା। ୧୯୯୧ରେ ନରସିଂହ ରାଓ ସରକାର ସମୟରେ ଅର୍ଥନୈତିକ ଉଦାର ନୀତି ଆସିବା ଫଳରେ ପ୍ରଚଳିତ ଢାଞ୍ଚାରେ ପରିବର୍ତ୍ତନ ଆସିଲା। ଅର୍ଥନୈତିକ ବିଚାରଧାରା ଓ ନୀତିରେ ଏପରି ମୌଳିକ ପରିବର୍ତ୍ତନ, ସୁସ୍ଥ ଜୀବନଯାପନ ବିଷୟରେ ଲୋକଙ୍କର ଭାବନା ଓ ଏହାକୁ ହାସଲ କରିବାର ପ୍ରକ୍ରିୟାରେ ଗଭୀର ପ୍ରଭାବ ପକାଇଲା। କିନ୍ତୁ ଏହା ବାହାରେ ନାଗରିକମାନଙ୍କ ସହିତ ରାଷ୍ଟ୍ରର ସମ୍ପର୍କରେ ମଧ୍ୟ ପରିବର୍ତ୍ତନ ଘଟିଲା।
ଔପନିବେଶିକ ଶାସନ ସମୟରୁ ବିକାଶ କ୍ଷେତ୍ରରେ ଧାର୍ମିକ ପରିଚୟକୁ ଲୋପ କରିଦିଆଯାଇଥିଲା। ଗତ ଦେଢ ଦଶକ ମଧ୍ୟରେ ଆର୍ଥିକ ବିକାଶ ପାଇଁ ମୂଲ୍ୟବୋଧର ଭୂମିକା ବିଷୟରେ ସଚେତନତା ବଢିଛି। ଅଧିକାଂଶ ଲୋକଙ୍କ ପାଇଁ ଧର୍ମ ମୂଲ୍ୟବୋଧ ଦୃଷ୍ଟିରୁ ସବୁଠାରୁ ବଡ ଉତ୍ସ ଭାବରେ ଉଭା ହୋଇଛି। ପ୍ରତ୍ୟେକ ଧର୍ମର ସଦସ୍ୟ ଦ୍ୱାରା ପାଳନ କରାଯାଉଥିବା ମୂଲ୍ୟବୋଧଜନିତ ବିଧି, ତତ୍‌ସଂଲଗ୍ନ ଆର୍ଥିକ ପରିସ୍ଥିତି ଓ ରାଜନୈତିକ ଚାପ କାରଣରୁ ଅନବରତ ବଦଳୁଥାଏ। ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ ଭାବେ ହେଉ, ଧର୍ମ ସର୍ବଦା ଗୁରୁତ୍ୱ ବହନ କରେ।
ପାଶ୍ଚାତ୍ୟର ଆର୍ଥିକ ବିକାଶ ଉଦାର-ପ୍ରତିଯୋଗିତାମୂଳକ ସମାଜରେ ହୋଇଛି। ଏହା ଯୋଜନାବଦ୍ଧ ଭାବରେ ସମାଜବାଦୀ ଚିନ୍ତାଧାରାରେ ଓ ଲୋକହିତକାରୀ ପ୍ରଶାସନ ସଂଦର୍ଭରେ ହୋଇନାହିଁ। ଭାରତର ଆର୍ଥିକ ବିକାଶ ସାମାଜିକ ସମସ୍ୟାରୁ ଜାତ। ଏହା ଯୋଜନାବଦ୍ଧ ଭାବରେ ସିଦ୍ଧ- ସମାଜର ପୁଞ୍ଜିବାଦୀ ବିଚାରଧାରାକୁ ଆରୋପିତ କରିବାରେ ନାହିଁ କି ଏକ କ୍ରମବିକଶିତ ପରମ୍ପରାରୁ ଜାତ ବିକାଶକୁ ବିରୋଧ କରୁଥିବା ଚିନ୍ତାଧାରାକୁ ଜୟ କରିବାରେ ନାହିଁ। ଯୋଜନାବଦ୍ଧ ଭାବରେ ଆର୍ଥିକ ବିକାଶ ପାଇଁ ଏକ ଦର୍ଶନ ଖୋଜିବାର ହିଁ ଅଛି। ଏହି ଦର୍ଶନ ହିଁ କେବଳ ଧର୍ମ, ଏହାର ପରମ୍ପରା ଓ ଆର୍ଥିକ ବିକାଶ ମଧ୍ୟରେ ଏକ ସୁସଂଗଠିତ ସମନ୍ବୟ ଆଣିପାରିବ।
ମୋ:୯୪୩୭୧୬୪୬୧୧, saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri