ଭଲ ସମୟ କେବେ ଆସିବ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ
”ମୋ ସରକାର, ଫାଇଭ୍‌ ଟି, ଲୋକମାନେ ଆମ ମାଲିକ“ ଆଦି କେତେ କ’ଣ ଶ୍ରୁତିମଧୁର ସ୍ଲୋଗାନ! ତଥାପି ତ କାହିଁ ଲୋକଙ୍କ ଦୁଃଖର ଶେଷ ନାହିଁ। ଲାଞ୍ଚ ମିଛ ସେମିତି ଚାଲିଛି। ଦୁର୍ନୀତି ଦୁରାଚାର ବଢ଼ିଚାଲିଛି। ଏ ଜଗତ କ’ଣ ସବୁବେଳେ ଏମିତି ମିଥ୍ୟାଚାରର ଅନ୍ଧାରରେ ଡୁବି ରହିଥିବ? ସତ୍ୟର ଆଲୋକରେ କେବେ କ’ଣ ଉଦ୍ଭାସିତ ହେବନାହିଁ ଆସନ୍ତାକାଲିର ସକାଳ?
ଏ ସବୁ ପ୍ରଶ୍ନ ଏ କାଳର ଉଦ୍ଧବମାନଙ୍କର। ଯାବତୀୟ ଅସତ୍ୟ ଅନାଚାରରେ ନାକ ଚିପି ପଡିରହି ସଦାଚାରର ସୁରଭିକୁ ବ୍ୟାକୁଳ ପ୍ରତୀକ୍ଷା କରୁଥିବା ଏଇ ଉଦ୍ଧବମାନଙ୍କୁ ଆଉ କେତେକାଳ ଅପେକ୍ଷା କରିବାକୁ ପଡିବ, କଥା ଆଉଥରେ ଅବତାର ଗ୍ରହଣ କଲେ ବି ସ୍ବୟଂ କୃଷ୍ଣଙ୍କ ପକ୍ଷେ ମଧ୍ୟ କହିବା ସହଜ ହୁଅନ୍ତା ନାହିଁ। ପାରମାର୍ଥିକ ଜ୍ଞାନପ୍ରାପ୍ତି ପାଇଁ ଅନ୍ତରର ସମସ୍ତ ବ୍ୟାକୁଳତା ନେଇ ଦ୍ୱାପର ଯୁଗର ଉଦ୍ଧବ ବାରମ୍ବାର କୃଷ୍ଣକୁ ପଚାରିବା ଭଳି ସଂସ୍କାର ଓ ସଦାଚାର ମଧ୍ୟରେ ବଞ୍ଚୁଥିବା ଏ କାଳର ଉଦ୍ଧବମାନେ ମଧ୍ୟ ବାରମ୍ବାର ପଚାରି ଚାଲନ୍ତି ସେଇ ପ୍ରଶ୍ନଟିକୁ ‘ଭଲ ସମୟ କେବେ ଆସିବ?’
ପ୍ରକୃତରେ ସାଧୁ ପୁରୁଷଟିଏ ହୋଇ ଜୀବନ ନିର୍ବାହ କରିବା, ସତ୍ୟ ସଦାଚାର ସହ ସାଲିସ ନ କରିବା ତ୍ୟାଗୀ ତପସ୍ବୀଙ୍କ ସାଧନାଠୁଁ ବଳି ଆହୁରି କଠୋର। ତାଙ୍କ ଆଗରେ ପ୍ରତିପକ୍ଷଟିଏ ଲାଞ୍ଚମିଛର ଲାଞ୍ଜ ଧରି ଆଶା ବୈତରଣୀ ପାର ହୋଇ ଯାଉଥିବ। ତା’ ପାଇଁ ଅପ୍ରାପ୍ୟ ହୋଇ ରହିବ, ଏମିତି କିଛି ଚିଜ ନ ଥିବ ଦୁନିଆରେ। ଦୁଇ ଦୁଇଟି ଘର ଥାଇ ମଧ୍ୟ ସରକାରୀ ଆବାସ ଯୋଜନାରେ ଆଉ ଦୁଇଟି ଘର ମିଳିଯାଉଥିବ ତ ପୁଣି କାଳିଆ ଯୋଜନାରେ ଗୋଟିଏ ପରିବାରର ତିନିଜଣଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଯାଉଥିବ। ଅଥଚ ସଦାଚାରୀ ଲୋକଙ୍କ ପାଇଁ ସାଧାରଣ ଭାବେ ସର୍ବନିମ୍ନ ଅଧିକାର ମଧ୍ୟ ଅପ୍ରାପ୍ୟ ହୋଇ ରହିଥିବ ଚିରକାଳ।
ଏମିତି ଜଣେ ସଦାଚାରୀ ସେଦିନ ନିଜ ଆଦର୍ଶକୁ ଅଭିଶାପ ଦେଇ ଅବସୋସ ପ୍ରକଟ କରୁଥିଲେ। କହୁଥିଲେ, ”କେଉଁ ଅଶୁଭ ମୁହୂର୍ତ୍ତରେ ଅସତ୍‌ ପଥରେ ଯାତ୍ରା ନ କରିବା ପାଇଁ ଶପଥ କରିଥିଲି କେଜାଣି, ଭାରି ହନ୍ତସନ୍ତ ହେଲିଣି ଏଥି ପାଇଁ। ଜୀବନରେ କେବେ ବି କାହାକୁ ଲାଞ୍ଚ ନ ଦେବାକୁ ବା କାହାଠୁ ଲାଞ୍ଚ ନ ନେବାକୁ ଯେଉଁ ପଣ କରିଥିଲି, ସେଥିପାଇଁ ଢେର ମୂଲ୍ୟ ଦେଲିଣି, ଢେର ନିର୍ଯାତନା ଭୋଗିଲିଣି। ଲାଞ୍ଚଦେଇ କାମ ହାସଲ କରିବା ଭଳି ଆଦର୍ଶକୁ ଆଦରି ନେଇ ମୋର ଜଣେ ସହକର୍ମୀ ନିଜ ପରିସରରେ ଏତେ ସମର୍ଥ ଯେ, ସେ ଚାହିଁଲେ ବର୍ଷକରେ ତିନୋଟି ସ୍ଥାନକୁ ନିଜ ଇଚ୍ଛା ମୁତାବକ ବଦଳି ହୋଇପାରିବେ ତ ନିଜେ ନ ଚାହିଁଲେ ଦଶବର୍ଷ ଯାଏ ମଧ୍ୟ ତାଙ୍କୁ ତାଙ୍କ ସ୍ଥାନରୁ କେହି ହଟାଇପାରିବେ ନାହିଁ। ଯେକୌଣସି ସରକାରୀ ଫାଇଲ ତାଙ୍କ ପାଇଁ ପକ୍ଷୀରାଜ ଘୋଡାର ବେଗ ଧାରଣ କରିପାରୁଥିଲା ବେଳେ ମୋ ଭଳି ଲାଞ୍ଚ ଦେଇ କାମ ହାସଲ ନ କରିବାକୁ ପଣ କରିଥିବା ଲୋକଟି ପାଇଁ ତାହାର ଗତି କଚ୍ଛପଠାରୁ ଆହୁରି ମନ୍ଥର। ଲାଞ୍ଚମିଛର ପ୍ରତିକୂଳ ସ୍ରୋତରେ ପହଁରିବା ଭଳି ଏକ ମିଥ୍ୟା ଆଦର୍ଶବୋଧକୁ ଆପଣେଇ ମୁଁ ଆଜି ପତ୍ନୀ-ପରିବାର ଆଖିରେ ଏକ ଅକର୍ମା ପୁରୁଷ।“
ନିଜ ପରିସରରେ ଲାଞ୍ଚ ଦେଣନେଣ ପ୍ରକ୍ରିୟାକୁ ଢେର ସୁସ୍ଥସବଳ କରି ଗତି ତୋଳିଥିବା ଆଉ ଜଣେ ବୃତ୍ତିଧାରୀଙ୍କ ପ୍ରତିକ୍ରିୟା ଆହୁରି ଅଭିନବ। ସେ କହନ୍ତି ”ଆଦ୍ୟ ଜୀବନରେ ମୁଁ ବି ଥିଲି ଜଣେ ଆଦର୍ଶ ପୁରୁଷ। ଏକ ଶୁଦ୍ଧ ଚେତନାର ଆହ୍ବାନରେ ଜୀବନର କୌଣସି ସୋପାନରେ ସାମାନ୍ୟ ଅନୀତି ଅନାଚାରକୁ ନିଜ ମଧ୍ୟରେ ପ୍ରଶ୍ରୟ ଦେଉ ନ ଥିଲି। ମାଇକ୍ରୋଫୋନ ଆଗରେ ଗଳା ଫଟାଇ ଢେର ଚିତ୍କାର କରୁଥିଲି ଲାଞ୍ଚ ବିରୋଧରେ। ଲାଞ୍ଚ ଦେଉଥିବା କି ନେଉଥିବା ଲୋକଙ୍କୁ ସମାଜର ଶତ୍ରୁ ବିଚାରି ସେମାନଙ୍କୁ ଫାଶୀ ଦିଆଯାଉ ବୋଲି ଯୁକ୍ତି ବାଢୁଥିଲି। ମାତ୍ର ଜଣ ଜଣ କରି ମୋର ସବୁ ସାଙ୍ଗ କିଛି ନା କିଛି ନିଯୁକ୍ତି ପାଇ ଚାଲିଗଲା ପରେ ଲାଞ୍ଚର ମାହାତ୍ମ୍ୟ କେତେ ବ୍ୟାପକ, ତାହା ପ୍ରଥମ କରି ଅନୁଭବ କଲି। ଗୋଟାଏ ପଇସା ରୋଜଗାର କରିବାର ସାମର୍ଥ୍ୟ ନ ଥାଇ, ଯେଉଁ ବୟସରେ ବାପାମା’ଙ୍କର ବୋଝ ବୋହିବାର କଥା, ସେ ବୟସରେ ସେମାନଙ୍କ ଉପରେ ବୋଝ ହୋଇ ଦୁର୍ନୀତି ନିବାରଣ ଯୁବ ମଞ୍ଚର ସଭାପତି ବୋଲାଇବାରେ କିଛି ଗୌରବ ନ ଥାଏ ବୋଲି ଯେଉଁଦିନ ହୃଦୟଙ୍ଗମ କଲି, ସେଦିନ ମୋ ସାଙ୍ଗମାନଙ୍କ ପଥରେ ପାଦ ରଖିଲି ଓ ଆପେ ଆପେ ଏକ ସଫଳ ମଣିଷରେ ରୂପାନ୍ତରିତ ହୋଇଗଲି।“
ପ୍ରଥମେ ସତ୍ୟ, ସଦାଚାରକୁ ଆପଣେଇ ନେଇ ପରେ ଅସତ୍ୟ ପଥରେ ଯାତ୍ରା କରିବା କିଛି ଯୁକ୍ତି ବହିର୍ଭୂତ ନୁହେଁ ବୋଲି ସେ ପ୍ରକାର ଯାତ୍ରୀମାନେ ଯୁକ୍ତି କରନ୍ତି। କହନ୍ତି ”ଶୁଣିବାକୁ ମିଠା ଲାଗେ ଚରିତ୍ରବାନ, ସାଧୁ ବା ସଚ୍ଚୋଟ ଭଳି ବ୍ୟକ୍ତିତ୍ୱର ବିଶେଷଣମାନ। ମାତ୍ର ସଂସାର ସଡକରେ ଯାତ୍ରା କରୁଥିବା ଲୋକଟିଏ ସିନା ଜାଣେ କେଡେ କଷ୍ଟକର ଏ ଯାତ୍ରାପଥ! ଜୋତା ପିନ୍ଧିଥିବା ଲୋକ ସିନା ଜାଣେ ଜୋତା ଖେଞ୍ଚିବାର ଯନ୍ତ୍ରଣା!“ ସୁତରାଂ ଏପରି ଯୁକ୍ତି ଆଗରେ ହାର ମାନିଯାଏ ନ୍ୟାୟ, ନୀତି, ସତ୍ୟ, ସଦାଚାର ଭଳି ଯେତେ ଯାହା ସଂସ୍କାର। ସଂସ୍କାରନିଷ୍ଠତା ବଦଳରେ ପ୍ରଭାବଶାଳୀ ହୋଇପଡେ ଜୀବନର ଆବଶ୍ୟକତା। ବାଲ୍ୟକାଳରୁ ମାତାପିତା ବା ପୁସ୍ତକରୁ ଆହରଣ କରାଯାଇଥିବା ସତ୍ୟ ସଦାଚାରର ଜ୍ଞାନ ବିସ୍ମୃତିର ଅନ୍ଧାରୀ ଗହ୍ବରକୁ ଠେଲି ହୋଇଯାଏ। ସକଳ ନୀତିନୈତିକତାକୁ ବିସର୍ଜନ ଦେଇ ଜନ୍ମ ନିଏ ସୁରୁଖୁରୁରେ ଜୀବନ ନିର୍ବାହ କରିବାର ଯେତେ ଯାହା ଗଳାବାଟ। ଜୀବନର ଆବଶ୍ୟକତା ସହ ମୂଲଚାଲ ବାଧ୍ୟ କରେ ମଣିଷକୁ ସାଲିସ କରିବା ପାଇଁ। ଏପଟେ ସାଧୁ ମଣିଷଙ୍କ ସଂଖ୍ୟାରୁ ଜଣେ କମିଯାଏ ତ ସେପଟେ ଅସାଧୁଙ୍କ ତାଲିକାରେ ଆଉ ଜଣଙ୍କ ନାମ ଯୋଡି ହୋଇଯାଏ।
ସମାଜକୁ ସୁଧାରିବା ପାଇଁ, ଦୁର୍ନୀତି ଦୁରାଚାର ଦୂର କରିବା ଲାଗି ଆମ ସମାଜପତିମାନେ କେତେ ନୂଆ ନୂଆ କଥା ଚିନ୍ତା କରୁଛନ୍ତି, କେତେ ନୂଆ ନୂଆ ପ୍ରକଳ୍ପମାନ ଗଢୁଛନ୍ତି। ‘ମୋ ସରକାର ବା ଫାଇଭ୍‌ ଟି’ ଭଳି ଯୋଜନାରେ ତୁହାକୁ ତୁହା ସ୍ଲୋଗାନ ଦିଆଯାଇ ପ୍ରଜାମାନଙ୍କୁ ରାଜାଙ୍କ ସହ ଯୋଡିବାର ପ୍ରାଣମୟ ପ୍ରଚେଷ୍ଟା କରାଯାଉଛି। ରାତି ନ ପାହୁଣୁ ପ୍ରବଳ ପ୍ରତାପ ସଚିବ ଯାଇ ହସ୍ପିଟାଲରେ ପହଞ୍ଚି ଯାଉଛନ୍ତି। ଅଥଚ ହସ୍ପିଟାଲରେ ଖଟିଆଟିଏ ପାଇଁ ନେହୁରା ଅପେକ୍ଷା ବେଶି କାମ ଦେଉଛି ପଇସା। ଅସହାୟ ବୃଦ୍ଧ ରୋଗୀଜଣକ ସେବାକାରିଣୀଙ୍କଠୁଁ ମାଡ ଖାଇବାକୁ ପଡୁଛି। ଥାନାବାବୁଙ୍କ ନାଲି ଆଖି ଆଗରେ ଅଭିଯୋଗକାରୀଙ୍କ ନ୍ୟାୟପ୍ରାର୍ଥନା ନିଃଶବ୍ଦରେ ନିର୍ବାସନରେ ଚାଲିଯାଉଛି।
ବହୁବର୍ଷ ତଳେ ଆମ ଦେଶର ଏକ ଉତ୍ତରାଞ୍ଚଳ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇ ଜଣେ ବୃଦ୍ଧ କହିଲେ, ”ମୁଁ ଜଣେ ସ୍ବାଧୀନତା ସଂଗ୍ରାମୀ। ଏ ଦେଶର ମୁକ୍ତି ପାଇଁ ଲଢେଇ କରିଛି। ସମର୍ପି ଦେଇଛି ମୋ ଜୀବନ ଓ ଯୌବନ। ଦେଶ ପାଇଁ ସଂଗ୍ରାମ କରି ଅସହ୍ୟ ଅତ୍ୟାଚାରର ସାମ୍ନା କରୁଥିଲା ବେଳେ ସ୍ବାଧୀନତା ପରେ ମନ୍ତ୍ରୀ ହୋଇ କ୍ଷମତା ଉପଭୋଗ କରିବାକୁ ଆମର କିଛି ଲାଳସା ନ ଥିଲା। ମାତ୍ର ସ୍ବାଧୀନତା ପରେ ଦେଶ ପାଇଁ ଆମ ତ୍ୟାଗକୁ ସମ୍ମାନ ଜଣାଇ କୃତଜ୍ଞ ସରକାର ଆମ ପାଇଁ କେଇ ଟଙ୍କାର ପେନସନ ଖଞ୍ଜି ଦେଇଥିଲେ। ସେଇ ପେନସନ ଗଣ୍ଡାକ ହିଁ ଆମ ସଂଗ୍ରାମର ସନ୍ତକ, ଆମ ପରିଣତ ବୟସର ଏକମାତ୍ର ସମ୍ବଳ। ଅଥଚ ସେତକ ପାଇବା ପାଇଁ ବି ଆମକୁ ଲାଞ୍ଚ ଦେବାକୁ ପଡିବ?“
ବୃଦ୍ଧ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରଶ୍ନ ଥିଲା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଅହଙ୍କାର ଉପରେ ଏକ ପ୍ରଚଣ୍ଡ ପ୍ରହାର। ସେ ବିରକ୍ତିର ସହ କହିଲେ, ”ଅତୀତକୁ ଫେରି ଚାହିଁଲେ ଦେଶ ପ୍ରଗତି ପଥରେ ଆଗେଇପାରିବ ନାହିଁ। ତୁମେ ଯେଉଁ ଦେଶର ମୁକ୍ତି ପାଇଁ ସଂଗ୍ରାମ କରିଥିଲ, ସେଇ ଦେଶର ବିକାଶ ପାଇଁ ଆମେ କିଛି କମ୍‌ ପରିଶ୍ରମ କରୁନାହୁଁ। ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆମେ ରାତିରେ ଶାନ୍ତିରେ ଶୋଇପାରୁ ନ ଥିବାବେଳେ ତମର ଏ ମାମୁଲି ଅଭିଯୋଗ ଶୁଣିବାକୁ ମୋର ସମୟ ନାହିଁ। ସାମାନ୍ୟ କେଇ ଟଙ୍କାର ଲାଞ୍ଚ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ମୁଣ୍ଡ ପୂରାଇଲେ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଚିନ୍ତା କରିବାକୁ ସମୟ ମିଳିବ କେଉଁଠୁ?“ ରାଜ୍ୟ ମୁଖ୍ୟ ପକେଟରୁ ପାଞ୍ଚଶହ ଟଙ୍କା କାଢି ବୃଦ୍ଧଙ୍କ ହାତକୁ ବଢାଇଦେଲେ ଓ କହିଲେ, ”ଶହେ ଟଙ୍କା ଲାଞ୍ଚ ଦେଇ ତୁମ ପେନସନ ନେଇଆସିବ ଓ ବାକି ଚାରିଶହ ପାଖରେ ରଖିଥିବ। ଭବିଷ୍ୟତରେ ଆଉ କୌଣସି କାମ ପାଇଁ କେହି ଅଧିକାରୀ କେବେ ଲାଞ୍ଚ ମାଗିଲେ ସେଇ ଟଙ୍କା ଦେଇ କାମ କରିନେବ। ପୁଣି କେବେ ମୋ ପାଖକୁ ଦୌଡି ମୋ ସମୟ ନଷ୍ଟ କରିବ ନାହିଁ।“
ସେଦିନ ସେଇ ବୃଦ୍ଧ ସ୍ବାଧୀନତା ସଂଗ୍ରାମୀ ଜଣକ ଫେରିଆସିଲେ ତାଙ୍କ ସ୍ବାଧୀନତା ସଂଗ୍ରାମର ମୂଲ ସେତକ ସେଇଠି ଥୋଇ। ଘଟଣାଟି ଘଟିବାର ପ୍ରାୟ ଚାଳିଶ ବର୍ଷ ବିତିଗଲାଣି। ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ବାଧୀନତା ସଂଗ୍ରାମୀ ଦୁହେଁ ଏ ସଂସାରରେ ଥିବେ ବୋଲି ବିଶ୍ୱାସ ନାହିଁ। ମାତ୍ର ପ୍ରଶାସନର ଦୁର୍ନୀତି ଦୁରାଚାର ସେତେବେଳେ ଯେମିତି ଥିଲା, ଆଜି ତହିଁରେ କିଛି ସୁଧାର ଆସିନାହିଁ କି କିଛି ବଦଳି ଯାଇନାହିଁ। କେବଳ ଯାହା ବଦଳିଯାଇଛି ଟଙ୍କାର ପରିମାଣ। ଶହେଟା ହଜାର ହୋଇଯାଇଛି, ହଜାରଟା ଲକ୍ଷ। ଏହାକୁ ଦେଖି କୁହାଯାଇପାରେ ଯେ ଭଲ ସମୟ ନିଶ୍ଚୟ ଆସିଛି!
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?