ବିଫଳ ଯୋଜନା

ଆକାର ପଟେଲ
ସେପ୍ଟେମ୍ବର ୨୦୧୪ରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଓ୍ବେବ୍‌ସାଇଟ୍‌ (pmindia.gov.in)ରେ ଲେଖାଯାଇଛି ଯେ, ଭାରତକୁ ଏକ ଗ୍ଲୋବାଲ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରିବା ପାଇଁ ଆମ ନିର୍ମାଣ ଶିଳ୍ପକୁ କିପରି ଆଗେଇ ନିଆଯାଇପାରିବ ତାହା ଉପରେ ଭାରତର ନୀତି-ନିର୍ମାତାମାନେ ଢେର୍‌ ବର୍ଷ ଧରି ବିତର୍କ କରିଆସୁଥିଲେ। କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ କେଇ ମାସ ଭିତରେ ପୁଞ୍ଜିନିବେଶକୁ ତ୍ୱରାନ୍ବିତ କରିବା, ନବୋଦ୍ଭାବନକୁ ପ୍ରୋତ୍ସାହିତ କରିବା, ଦକ୍ଷତାର ବିକାଶ ସାଧନ କରିବା, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରିବା ଏବଂ ସର୍ବୋତ୍ତମ ମାନର ନିର୍ମାଣ ଭିତ୍ତିଭୂମି ତିଆରି କରିବା ଲାଗି ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛନ୍ତି। ନିର୍ମାଣ ଶିଳ୍ପ ହେଉଛି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଭିତରଦେଇ ନିମ୍ନ ଆୟକାରୀ ଗୋଷ୍ଠୀ ମଧ୍ୟବିତ୍ତ ଏବଂ ମଧ୍ୟମ ଆୟକାରୀ ଗୋଷ୍ଠୀ ଧନୀ ହୋଇପାରିବେ। ଏକ ଗ୍ରାମୀଣ ଓ କୃଷିଭିତ୍ତିକ ଅର୍ଥନୀତିର ଦେଶକୁ ଉନ୍ନତ ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଥମେ ହାଲୁକା ଶିଳ୍ପ (ମୁଖ୍ୟତଃ ପୋଷାକ ଶିଳ୍ପ)ରୁ ଆରମ୍ଭ କରି ପରେ ଅଧିକ ଜଟିଳ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଭାରି ଶିଳ୍ପରେ ପ୍ରବେଶ କରିବା ଛଡ଼ା ଅନ୍ୟ ରାସ୍ତା ନାହିଁ। ୨୦୧୪ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଭାରତୀୟ ନିର୍ମାଣ ଶିଳ୍ପର ଅବଦାନ ଥିଲା ୧୫ ପ୍ରତିଶତ। ଗତବର୍ଷ ଏହା ୧୪ ପ୍ରତିଶତକୁ ହ୍ରାସ ପାଇଛି। ସୁତରାଂ ପ୍ରଧାନମନ୍ତ୍ରୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଫେଲ୍‌ ମାରିଛି ଏବଂ ଏହା ଲାଗୁ ହେବାର ଇତି ମଧ୍ୟରେ ପାଞ୍ଚବର୍ଷ ଅତିକ୍ରାନ୍ତ ହୋଇସାରିଲାଣି।
ସରକାରଙ୍କ ବିଫଳତାକୁ ବୁଝାଇବା ପାଇଁ ଅନ୍ୟ ଦେଶଗୁଡ଼ିକ ସହ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରୁଛି। ଆମେ ଯେଉଁ ପଡ଼ୋଶୀ ଦେଶ ଚାଇନା ସହ ଅନେକ ସମୟରେ ନିଜର ତୁଳନା କରୁ ତାହାର ଅର୍ଥନୀତିର ଆକାର ଭାରତର ପାଞ୍ଚଗୁଣରୁ ଅଧିକ। ଏହାର ଜିଡିପିକୁ ନିର୍ମାଣ ଶିଳ୍ପର ଅଂଶ ୨୯ ପ୍ରତିଶତ ଯାହା ଭାରତର ପ୍ରାୟ ଦୁଇଗୁଣ ଏବଂ ଏହା ୨୦୧୪ରୁ ୨୦୨୦ ଭିତରେ ସ୍ଥିର ଅଛି। ଭିଏଟ୍‌ନାମର ଜିଡିପିକୁ ନିର୍ମାଣ ଶିଳ୍ପର ଅବଦାନ ଏବେ ୧୬ ପ୍ରତିଶତ ଅଛି ଏବଂ ଆମେ ଯେତେବେଳେ ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ କଲୁ ସେତେବେଳେ ଏହା ଥିଲା ୧୩ ପ୍ରତିଶତ। ଶ୍ରୀଲଙ୍କାରେ ଏହା ବର୍ତ୍ତମାନ ୧୬ ପ୍ରତିଶତ ଅଛି। ସେହିପରି ଏହା ଥାଇଲାଣ୍ଡରେ ୨୭ ପ୍ରତିଶତ, ଇଣ୍ଡୋନେସିଆରେ ୧୯ ପ୍ରତିଶତ, ଫିଲିପାଇନ୍ସରେ ୧୯ ପ୍ରତିଶତ, ମାଲେସିଆରେ ୨୧ ପ୍ରତିଶତ ଏବଂ ସିଙ୍ଗାପୁରରେ ୨୦ ପ୍ରତିଶତ ଅଛି। ଜର୍ମାନୀରେ ଏହା ୨୦ ପ୍ରତିଶତ ଅଛି, ଯାହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ଏହା ବିଶ୍ୱର ବୃହତ୍ତମ ଅଟୋମୋବାଇଲ ଶିଳ୍ପର ଦେଶ ଭାବେ ଜଣାଶୁଣା। ପୋଷାକ ପରେ ଅଟୋମୋବାଇଲ ହେଉଛି ଶିଳ୍ପ ବିକାଶର ଦ୍ୱିତୀୟ ପାହାଚ। ଯେତିକି ବର୍ଷ ହେଲା ଭାରତରେ ମେକ୍‌ ଇନ୍‌ ଇଣ୍ଡିଆ ଲାଗୁ ହେଲାଣି, ସେହି ଅବଧି ଭିତରେ ବାଂଲାଦେଶର ନିର୍ମାଣ ଶିଳ୍ପ ୧୬ରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ବାଂଲାଦେଶର ଜିଡିପି ମୋଟାମୋଟି ଭାବେ ବାର୍ଷିକ ୮ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହା ଭାରତଠାରୁ ଢେର୍‌ ଅଧିକ। ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ସମୟ ଭିତରେ ବାଂଲାଦେଶର ପୋଷାକ ରପ୍ତାନି ୩୮ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି। ଅଥଚ ଭାରତର ରପ୍ତାନି ୧୮ ବିଲିୟନରୁ ୧୬ ବିଲିୟନ ଡଲାରକୁ ହ୍ରାସ ପାଇଛି। ପୋଷାକ ଶିଳ୍ପ ଅତି ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ବହୁ ସଂଖ୍ୟାରେ ଅର୍ଦ୍ଧକୁଶଳୀ ଶ୍ରମିକ ଏବଂ ବିଶେଷତଃ ମହିଳା ନିଯୁକ୍ତି ପାଇଥାନ୍ତି। ବାଂଲାଦେଶରେ ପ୍ରାୟ ୫୦୦୦ ପୋଷାକ ତିଆରି କାରଖାନା ଥିବାବେଳେ ସେଗୁଡ଼ିକରେ ନିଯୁକ୍ତ ୮୫ ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା। ଏପରି କି ଭିଏଟ୍‌ନାମ ବି ଭାରତଠାରୁ ଅଧିକ ପୋଷାକ ରପ୍ତାନି କରୁଛି। ନିର୍ମାଣ ଶିଳ୍ପରେ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ବେତନରେ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳିଥାଏ। ତେଣୁ ଅନ୍ୟତ୍ର ଅସ୍ଥାୟୀ ନିଯୁକ୍ତି ଅପେକ୍ଷା ଏହି ଶିଳ୍ପରେ ନିଯୁକ୍ତି ପାଇବାକୁ ଲୋକେ ବେଶି ପସନ୍ଦ କରିଥାନ୍ତି। ତେବେ ଭାରତ ଏ କ୍ଷେତ୍ରରେ ବିଫଳ ହେବାର କାରଣ କ’ଣ? ମୋ ମତରେ ମେକ୍‌ ଇନ୍‌ ଇଣ୍ଡିଆ ବାସ୍ତବରେ ଏକ ରଣନୀତି ନୁହେଁ, ଏକ ଲୋଗୋ ଓ କିଛି ଶବ୍ଦ ମାତ୍ର। ତେଣୁ ତାହା ନିରର୍ଥକ।
ଚାଇନାରେ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରିବା ଅଧିକ ବ୍ୟୟସାପେକ୍ଷ କାରଣ ସେଠାରେ ଶ୍ରମିକ ଓ କର୍ମଚାରୀମାନଙ୍କ ବେତନ ଅଧିକ। ତା’ ସତ୍ତ୍ୱେ ଗତ ପାଞ୍ଚବର୍ଷ ଭିତରେ ସେଠାରେ ଜିଡିପିକୁ ନିର୍ମାଣ ଶିଳ୍ପର ଅବଦାନ ହ୍ରାସ ପାଇ ନାହିଁ, ଯାହା ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ ପରେ ଭାରତରେ ଘଟିଛି। ଏଣେ ପ୍ରଧାନମନ୍ତ୍ରୀ କହୁଛନ୍ତି, ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବେ। ଏହା ଏକ ବାସ୍ତବ ଲକ୍ଷ୍ୟ ନୁହେଁ। ଭାରତର ଜିଡିପି ଦିନେ ନା ଦିନେ ସେହି ସ୍ତରରେ ପହଞ୍ଚିବ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଧାର୍ଯ୍ୟ ଅବଧି ଭିତରେ ନୁହେଁ। ପ୍ରଶ୍ନ ହେଉଛି କେତେ ଶୀଘ୍ର ଆମେ ସେହି ଜାଗାରେ ପହଞ୍ଚିପାରିବା ଏବଂ ଏହାକୁ ତ୍ୱରାନ୍ବିତ କରିବା ପାଇଁ ସରକାର କ’ଣ କରିପାରିବେ?
ଭାରତର ଅର୍ଥନୀତିକୁ ବିକଶିତ କରିବା ପାଇଁ ମୋଦି ଯେଉଁ ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ କଲେ ତାହା ଫେଲ୍‌ ମାରିଲା। ବାସ୍ତବରେ ସେ ତା’ ଉପରେ ବିଶେଷ ଗୁରୁତ୍ୱ ଦେଇ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଓ୍ବେବ୍‌ସାଇଟରେ ୨୦୧୪ ପରଠାରୁ କୌଣସି ତଥ୍ୟ ଅପ୍‌ଡେଟ୍‌ କରାଯାଇ ନାହିଁ। ଏହାକୁ ଅପ୍‌ଡେଟ୍‌ କରାଯିବା ଦରକାର ଏବଂ ଲୋକଙ୍କୁ ଜଣାଇବା ଦରକାର ଯେ ମେକ୍‌ ଇନ୍‌ ଇଣ୍ଡିଆ ବିଫଳ ହୋଇଛି। ତା’ହେଲେ କିଛି ନୂଆ ଯୋଜନା ଆରମ୍ଭ କରାଯାଇପାରିବ, ନ ହେଲେ ଆମର ନିର୍ମାଣ ଶିଳ୍ପ ଅଧୋଗତି କରିଚାଲିଥିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri