ଭଲ ଦିଗ ପ୍ରତି ଅଣଦେଖା କାହିଁକି

ଈପ୍ସିତା ମହାନ୍ତି

କିଛିମାସ ଧରି ଡ୍ରଗ୍ସ ତସ୍କର ଓ ବଲିଉଡ ମାଫିଆଙ୍କ ମଧୁଚନ୍ଦ୍ରିକାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି; ଯାହାର ପ୍ରଭାବ ମନୋରଞ୍ଜନ ଦୁନିଆ ସହ ଗଣମାଧ୍ୟମ ଉପରେ ପଡ଼ିଛି। ସଭିଏ ଏହାର ଜାଲରେ ଛନ୍ଦି ହୋଇଥିବା ବେଳେ କ୍ଷୁଦ୍ର ତଥା ନାମମାତ୍ର ଗଞ୍ଜେଇ ଚାଷୀଙ୍କ ଜୀବନଜୀବିକା ଉପରେ ଏହା କିଭଳି ପ୍ରଭାବ ପକାଇଛି ତାହା ବୁଝିବା ପାଇଁ ଆମକୁ ବେଶ୍‌ କିଛି ସମୟ ଲାଗିଯିବ। କିନ୍ତୁ ଗଞ୍ଜେଇ ଗଛର ଔଷଧୀୟ ଗୁଣ, ତାହାର ଅଣନିଶାକାରୀ ଗୁଣ ଓ ଅନ୍ୟାନ୍ୟ ଅଦୃଶ୍ୟ ଗୁଣ ଉପରେ ଜାରି ରହିଥିବା ବିଭିନ୍ନ ବୈଜ୍ଞାନିକ ଗବେଷଣା ଉପରେ ଏହି ବିବାଦ ସବୁଠାରୁ ବଡ ପ୍ରଭାବ ପକାଇଛି। ବିଭିନ୍ନ ଗଣମାଧ୍ୟମ ଓ ଯାଞ୍ଚକାରୀ ସଂସ୍ଥା ଗଞ୍ଜେଇ ସମେତ ଅନ୍ୟାନ୍ୟ କୃତ୍ରିମ ନିଶାଦ୍ରବ୍ୟକୁ ଏକା ଦୃଷ୍ଟିରେ ଦେଖୁଥିବାରୁ ଲୋକେ ଗଞ୍ଜେଇ ଗଛକୁ କେବଳ ଏକ ମନ୍ଦ ପ୍ରକୃତିର ଉଦ୍ଭିଦ ନୁହେଁ ବରଂ ଏକ କ୍ଷତିକାରକ ଉଦ୍ଭିଦ ବୋଲି ଭାବି ନେଇଛନ୍ତି। ବିଭିନ୍ନ ଅନୁସନ୍ଧାନ ତଥା ଗବେଷଣାତ୍ମକ ତଥ୍ୟ ଅନୁଯାୟୀ ମାନସିକ ବିକାର, ଅପସ୍ମାର, କର୍କଟ, ବ୍ୟଥା ନିବାରଣ ଓ ଏକ୍‌ଜିମା ଭଳି ବିଭିନ୍ନ ପ୍ରକାରର ଚର୍ମରୋଗ ପାଇଁ ଗଞ୍ଜେଇର ଅଣନିଶାକାରୀ ଏବଂ ଅଦୃଶ୍ୟ ଗୁଣ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ।
ବେଙ୍ଗାଲୁରୁଠାରେ ପ୍ରତିଷ୍ଠିତ ନମ୍ରତା ହେଲ୍‌ଥ କେୟାରର ପରିଚାଳନା ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ରେଡ୍ଡୀ ସିରୁପାଙ୍କ କହିବା ଅନୁସାରେ ଗଞ୍ଜେଇ ଚାଷ ଏବଂ ଏହାକୁ ନେଇ ଗବେଷଣା, ଅଧ୍ୟୟନ, ଅନୁସନ୍ଧାନ ତଥା ଔଷଧୀୟ ଉଦ୍ୟୋଗର ପ୍ରତିଷ୍ଠା ସକାଶେ ନିଷ୍ପତ୍ତି ନେବା ଓ ଅନୁମତି ଦେବାକୁ ସରକାରଙ୍କୁ ୩ରୁ ୪ ବର୍ଷ ସମୟ ଲାଗିଯିବ। ସିରୁପାଙ୍କ ଆଶଙ୍କା ଏକ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଥିବା ବିଭିନ୍ନ ବ୍ୟବସାୟୀଙ୍କ ଆଶଙ୍କା ସହ ମେଳ ଖାଉଛି। ଆଇନକାନୁନରେ ଉଚିତ ପରିବର୍ତ୍ତନ ସହ ଗଞ୍ଜେଇକୁ କୃଷି ଓ ଉଦ୍ୟାନ କ୍ଷେତ୍ରରେ, କପଡ଼ା ଉଦ୍ୟୋଗରେ, ଔଷଧ ପ୍ରସ୍ତୁତି ତଥା ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ବ୍ୟବହାର କରିବା ଆଶାରେ ଏସବୁ ବ୍ୟବସାୟୀ ଓ ଉଦ୍ୟୋଗପତି ଏହି କ୍ଷେତ୍ରକୁ ଓହ୍ଲାଇ ଥିଲେ। ଏମାନଙ୍କର ଆକଳନ ଥିଲା ୨୦୨୫ସୁଦ୍ଧା ଏସବୁ ଉଦ୍ୟୋଗର ବଜାର ୧ଶହରୁ ଦେଢଶହ ଆରବ କୋଟିରେ ପହଞ୍ଚିଯିବ। ମାତ୍ର ବର୍ତ୍ତମାନର ପରିସ୍ଥିତି ଏହି ଆକଳନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଜାତୀୟ ଡ୍ରଗ୍‌ ନିର୍ଭରଶୀଳ ଚିକିତ୍ସା କେନ୍ଦ୍ର ଓ ମାନସିକ ଚିକିତ୍ସା ବିଭାଗର ଡାକ୍ତର ଅତୁଲ ଆମ୍ବେଦକରଙ୍କ କହିବା ଅନୁସାରେ ଗଞ୍ଜେଇର ଉପକାରିତା ବିଷୟରେ ମୂଳ ରୂପରେ ଅନେକ ଅଦୃଶ୍ୟ ଦିଗ ରହିଛି। ଏସବୁ ଦିଗ ପ୍ରତି ଗବେଷଣା ହେବା ନିହାତି ଆବଶ୍ୟକ। ଏହି ମାମଲାରେ କେଉଁସବୁ ବିଷୟକୁ ମାନିବା ଓ କେଉଁସବୁ ବିଷୟକୁ ମାନିବା ନାହିଁ ତାହା ପ୍ରଥମେ ସ୍ଥିର ହେବା ଦରକାର। ତେବେ ଯାଇ ଏଥିରୁ ଉପକାର ମିଳିପାରିବ। କିନ୍ତୁ ଆମ ପ୍ରଚଳିତ ଆଇନ ବ୍ୟବସ୍ଥା ଲୋକଙ୍କୁ ଗଞ୍ଜେଇଠାରୁ ଦୂରେଇ ରହିବା ପାଇଁ କହୁଛି। ବିଡ଼ମ୍ବନାର ବିଷୟ, ଏସବୁ ନିୟମ ସେହି ମାନ୍ଧାତା ଅମଳର। ଆମ ସମାଜକୁ କିଏ ସବୁଠାରୁ ଅଧିକ କ୍ଷତି ପହଞ୍ଚାଉଛି ଏ ବିଷୟରେ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଜାତୀୟ ଡ୍ରଗ୍‌ ନିର୍ଭରଶୀଳ ଚିକିତ୍ସା କେନ୍ଦ୍ରର ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଗତବର୍ଷ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏହି ଅଧ୍ୟୟନ ପାଇଁ ଉପରୋକ୍ତ ସଂସ୍ଥାକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅଧ୍ୟୟନର ତଥ୍ୟ ଅନୁଯାୟୀ ଆମ ଦେଶର ୧୩୦କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୨କୋଟି ଲୋକ ଗଞ୍ଜେଇ ଗଛରୁ ପ୍ରସ୍ତୁତ ଉତ୍ପାଦକ ସେବନ କରିଥାନ୍ତି। ଆମ ଦେଶରେ ଔଷଧରେ ଅତି କମ୍‌ ପରିମାଣର ଗଞ୍ଜେଇ ବ୍ୟବହାର ହୋଇଥାଏ। ଅପରପକ୍ଷରେ ଚାଇନାରେ ଏହା ଯଥେଷ୍ଟ ବେଶି।
ଗଞ୍ଜେଇରେ ଟେଟ୍ରାହାଇଡ୍ରୋକାନାବିନୋଲ୍‌ ବା ଟିଏଚସି ଏବଂ କାନାବିଡିଓଲ୍‌ ବା ସିବିଡି ନାମକ ୨ପ୍ରକାରର ରାସାୟନିକ ପଦାର୍ଥ ପ୍ରଚୁର ପରିମାଣରେ ରହିଛି। ଟେଟ୍ରାହାଇଡ୍ରୋକାନାବିନୋଲ୍‌ ବା ଟିଏଚ୍‌ସି ନିଶା ସୃଷ୍ଟି କରାଇଥାଏ। ଏଥିରେ ଏପରି କିଛି ଗୁଣ ରହିଛି, ଯାହା ଚିକିତ୍ସା କ୍ଷେତ୍ରରେ ସୀମିତ ପରିମାଣରେ ବ୍ୟବହାର କରାଯାଇ ପାରିବ। ଶ୍ୱାସକ୍ରିୟାରେ ସମସ୍ୟା ଥିବା ରୋଗୀଙ୍କ ପାଇଁ ଟେଟ୍ରାହାଇଡ୍ରୋକାନାବିନୋଲ୍‌ ବା ଟିଏଚସି ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେଉଥିବା ଜଣାପଡ଼ିଛି। ଗୁରୁତର କରୋନା ରୋଗୀଙ୍କ ପାଇଁ ଗଞ୍ଜେଇ ଚିକିତ୍ସା ଉପଯୋଗୀ ହୋଇପାରିବ ବୋଲି କିଛିଦିନ ତଳେ ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକଗଣ ଦାବି କରିଥିଲେ। ମୂଷାଙ୍କ ଉପରେ ଗଞ୍ଜେଇ ଚିକିତ୍ସା ସଫଳ ହେବା ପରେ ଏମାନଙ୍କ ଆଶା ଦ୍ବିଗୁଣିତ ହୋଇଅଛି। ମାତ୍ର କାନାବିଡିଓଲ୍‌ ବା ସିବିଡି ଚିକିତ୍ସା କ୍ଷେତ୍ରରେ ଅଧିକ ଉପାଦେୟ ହୋଇଥିବାରୁ ବୈଜ୍ଞାନିକଙ୍କୁ ଗବେଷଣା ପାଇଁ ଏହା ଖୋରାକ ଯୋଗାଇ ଥାଏ।
ମୁମ୍ବାଇସ୍ଥିତ କସ୍ତୁରବା ମେଡିକାଲ ସୋସାଇଟିର ଆୟୁର୍ବେଦିକ ପରାମର୍ଶଦାତ୍ରୀ ଡା.କଳ୍ପନା ଧୁରୀ ଶାହଙ୍କ ମତରେ ଯେଉଁ ରୋଗୀଙ୍କୁ ଔଷଧରେ ଗଞ୍ଜେଇ ମିଶିଛି ବୋଲି କୁହାଯାଉଛି ତାଙ୍କ ମନରେ ଏହାକୁ ନେଇ କୌଣସି ପ୍ରକାରର ନକାରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ। ଆମ ଦେଶରେ ଖ୍ରୀଷ୍ଟପୂର୍ବ ୫ଶହରୁ ଗଞ୍ଜେଇ ଏକ ଔଷଧୀୟ ଦ୍ରବ୍ୟ ରୂପେ ବ୍ୟବହୃତ ହୋଇଆସୁଛି। ୧୯୬୧ର ନାର୍କୋଟିକ୍ସ ଡ୍ରଗ୍ସ କନ୍‌ଭେନ୍ସନରେ ସବୁଠାରୁ ବିପଦଜନକ ଡ୍ରଗ୍ସ ତାଲିକାର ଗଞ୍ଜେଇକୁ ତାଲିକାଭୁକ୍ତ କରାଯାଇଥିଲା। ଏଥିରୁ ବାଦ୍‌ ଦେବା ପାଇଁ ୨୦୧୯ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ ୧୯୮୫ରେ ଆମେରିକାର ଚାପରେ ପଡ଼ି ଭାରତ ସମେତ ପୃଥିବୀର ବିଭିନ୍ନ ଦେଶ ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରି ଏହାର ପରିବହନ, ଆମଦାନୀ ଓ ରପ୍ତାନି ଉପରେ କଟକଣା ଲଗାଇଥିଲେ। ଫଳରେ ଏହାର ପ୍ରଭାବ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି, କାଗଜ, କପଡ଼ା, ଚକୋଲେଟ୍‌, ମିଠା, କସ୍‌ମେଟିକ୍‌, ଗୃହ ନିର୍ମାଣ ସାମଗ୍ରୀ, ଜୋତା ରଙ୍ଗ ଆଦି ଉଦ୍ୟୋଗ ଉପରେ ପଡ଼ିଛି। ତେଣୁ ଆମ ଦେଶରେ ପ୍ରଚଳିତ ଏଥି ସମ୍ପର୍କିତ ଆଇନକାନୁନରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ତା’ହେଲେ ଯାଇ ବିଭିନ୍ନ କମ୍ପାନୀ ଓ ଉଦ୍ୟୋଗପତି ଏଥି ସମ୍ବନ୍ଧୀୟ ବିଭିନ୍ନ ଗବେଷଣା, ଅଧ୍ୟୟନ ଓ ଉନ୍ନୟନ କାର୍ଯ୍ୟ ସକାଶେ ପୁଞ୍ଜି ନିବେଶ ପାଇଁ ଆଗେଇ ଆସିବେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ ବିଭିନ୍ନ କିସମର ଏହି ଉଦ୍ଭିଦ ପ୍ରଚୁର ପରିମାଣରେ ରହିଥିବା ସତ୍ତ୍ୱେ ଆମେ ଔଷଧ ପ୍ରସ୍ତୁତି ପାଇଁ ଏହାକୁ ବିଦେଶରୁ ଆମଦାନୀ କରୁଛୁ। ଏକଥା ଯେତିକି ହାସ୍ୟାସ୍ପଦ ସେତିକି ଆଶ୍ଚର୍ଯ୍ୟଜନକ। କାରଣ ଏପଟେ ଆମ ଦେଶର କେତେକ ଅଞ୍ଚଳରେ ଗଞ୍ଜେଇ ଚାଷକୁ ତ ଆଉ କେତେକ ଅଞ୍ଚଳରେ ଜବତ ଗଞ୍ଜେଇକୁ ବେଆଇନ ଦର୍ଶାଇ ପୋଡି ନଷ୍ଟ କରି ଦିଆଯାଉଛି। ସେ ପରମାଣୁ ହେଉ ଅବା ଗଞ୍ଜେଇ ପ୍ରତ୍ୟେକ ଜିନିଷର ଭଲମନ୍ଦ ଭଳି ଉଭୟ ଦିଗ ରହିଅଛି । ମନ୍ଦ ଦିଗଟି ନକାରାତ୍ମକ ଭାବରେ ଜୀବଜଗତର କ୍ଷତି ପହଞ୍ଚାଇ ସମାଜର ବିନାଶ ଘଟାଉଥିବା ବେଳେ ଭଲ ଦିଗଟି ସକାରାତ୍ମକ ଢଙ୍ଗରେ ଜନକଲ୍ୟାଣ କାର୍ଯ୍ୟରେ ଜୀବଜଗତ ଓ ସମାଜର ମଙ୍ଗଳ ସାଧନ କରିଥାଏ। ଏ ଦୃଷ୍ଟିରୁ ଗଞ୍ଜେଇର ଭଲ ଦିଗକୁ ଜନକଲ୍ୟାଣ କ୍ଷେତ୍ରରେ ବିନିଯୋଗ ପାଇଁ ସରକାର ପ୍ରତିବଦ୍ଧତା ଦେଖାଇବା ଆବଶ୍ୟକ।
ଇତିମଧ୍ୟରେ ୨୦୨୦ ଡିସେମ୍ବର ୨ରେ ଜାତିସଂଘ ବିପଜ୍ଜନକ ଡ୍ରଗ୍ସ ତାଲିକାରୁ ଗଞ୍ଜେଇକୁ ବାଦ୍‌ ଦେବା ସହ ଔଷଧ ଭାବେ ଏହାକୁ ବ୍ୟବହାର କରିବା ପାଇଁ ପୁନଃ ବର୍ଗୀକରଣ ଉଦ୍ଦେଶ୍ୟରେ କରାଯାଇଥିବା ସୁପାରିସକୁ ଅନୁମୋଦନ କରିଛି। ଏହା ବିଶ୍ବରେ ଗଞ୍ଜେଇର ବୈଧୀକରଣ ଓ ଡାକ୍ତରୀ ଗବେଷଣା କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଇପାରେ। ଅବଶ୍ୟ ବିଶ୍ବର ୪୦ଟି ଦେଶ ଗଞ୍ଜେଇକୁ ଔଷଧ ଭାବେ ବ୍ୟବହାର କରିବା ପାଇଁ ସ୍ବୀକୃତି ଦେଇ ସାରିଛନ୍ତି। ବିଭିନ୍ନ ପରିସଂଖ୍ୟାନରୁ ଜଣାଯାଏ, ଚାଇନା ହେଉଛି ସାରାଦୁନିଆରେ ସର୍ବାଧିକ ଗଞ୍ଜେଇ ଉତ୍ପାଦନକାରୀ ଦେଶ। ସାରାଦୁନିଆର ୮୦ପ୍ରତିଶତ ଗଞ୍ଜେଇ ଏକା ଚାଇନା ହିଁ ଉତ୍ପାଦନ କରିଥାଏ। ଚାଇନାରେ ସୂତାଠାରୁ ଆରମ୍ଭ କରି କପଡ଼ା ତିଆରି ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଉଛି। ଆମ ଦେଶର ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏ କ୍ଷେତ୍ରରେ ଆମେ ବୈଷୟିକ ନେତୃତ୍ୱ ନେବାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥ। ଏ କ୍ଷେତ୍ରରେ ଆମ ଦେଶ ନିହାତି ଭାବେ ବିଶ୍ବଗୁରୁ ହୋଇପାରିବ। ଯଦି ଆମ ରାଜ୍ୟ ଓଡ଼ିଶା କଥାକୁ ଚିନ୍ତା କରିବା ତେବେ ଓଡ଼ିଶା ବି ଏହି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟର ଭୂମିକା ତୁଲାଇ ପାରିବ। କେବଳ ଏଥିପାଇଁ ସୁହାଇଲା ଭଳି ଉପଯୁକ୍ତ ଆଇନଟିଏ ଦରକାର। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଳରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ। ଏପରି ହେଲେ ପ୍ରଥମତଃ ଗଞ୍ଜେଇ ଚାଷ ଦ୍ବାରା ଚାଷୀମାନେ ଲାଭବାନ ହୋଇପାରିବେ। ୨ୟରେ ଏଥି ସମ୍ପର୍କିତ ଉଦ୍ୟୋଗ ଗଢ଼ି ଉଠିବା ଦ୍ବାରା ଦେଶର ଅର୍ଥନୀତି ବି ସୁଦୃଢ ହେବ। ୩ୟରେ ଏହା ଦେଶର ବେକାରି ସମସ୍ୟାକୁ ମଧ୍ୟ ଅନେକାଂଶରେ ଦୂର କରିପାରିବ। ଶେଷରେ ଔଷଧ ପ୍ରସ୍ତୁତ ଦ୍ବାରା ଅନେକଙ୍କ ଜୀବନ ରକ୍ଷା ହୋଇପାରିବ।
ବୈପାରୀଗୁଡ଼ା, କୋରାପୁଟ
ମୋ:୬୩୭୦୬୭୯୪୦୫
imohanty.1991@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri