ବୁଢ଼ୀମା’ର ହାତ

ରୁଦ୍ରପ୍ରସନ୍ନ ରଥ
ଗାଁର ଯୌଥ ପରିବାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଲା ପରିବାରର ବୁଢ଼ୀବୁଢ଼ାମାନେ। ସହରର ଛୋଟିଆ ପରିବାର ପାଖରେ ହୁଏତ ପଇସାର ଅଭାବ ନ ଥାଇପାରେ, ହେଲେ କୋଠାଘର, ରଙ୍ଗିନ ଟିଭି, ଏସି ଆଉ ଦାମୀ ଗାଡ଼ି ଭିତରେ ବି ବୁଢ଼ୀବୁଢ଼ାଙ୍କର ଅଭାବ ହିଁ ସହରିଆ ଲୋକକୁ ସବୁଠାରୁ ଅଧିକ ମାଡ଼ିବସେ। ଧୀରେ ଧୀରେ ଜଞ୍ଜାଳ ଭିତରେ ବାନ୍ଧି ହୋଇ ଗାଁକୁ ଯାଇପାରୁ ନ ଥିବା ମଣିଷଟାଏ ଗାଁର ବଢ଼ୀବୁଢ଼ାଙ୍କ ପାଖରେ ମନଟାକୁ ଯେ କେତେକାଳୁ ବନ୍ଧା ପକାଇ ଦେଇଛି ସେକଥା ସେ ନିଜେ ବି ଜାଣି ନ ଥାଏ।
ହଁ ଗାଁକୁ ଗଲେ ବା ନ ଗଲେ କିନ୍ତୁ ବୁଢୀମା’ ମନେପଡ଼େ। ସହରୀ ପୁଅଟା ହୁଏତ ମା’କୁ ଧୀରେ ଧୀରେ ଭୁଲିବାକୁ ବସିଥାଏ, ହେଲେ ସହରୀ ନାତିନାତୁଣୀମାନେ ଯେତେ ବଡ଼ ହେଉଥାଆନ୍ତି ସେତେ ବେଶି ବୁଢ଼ୀମା’କୁ ଖୋଜନ୍ତି। ବୁଢ଼ୀମା’ ତ ମନରେ ଥାଏ କିନ୍ତୁ ବୁଡ଼ୀମା’ର ହାତକୁ ନାତିଟୋକା କିମ୍ବା ଗେହ୍ଲେଇ ନାତୁଣୀ ଭୁଲିପାରି ନ ଥାନ୍ତି। ବୁଢ଼ୀମା’ ହାତରେ ହିଁ ନାତିନାତୁଣୀଙ୍କର ଜୀବନର ମୂଳଦୁଆ ପଡିଥାଏ। ନାତିନାତୁଣୀର ଝାଡ଼ାପରିସ୍ରା ପୋଛିବା ସମୟରୁ ହିଁ ନାତିନାତୁଣୀମାନେ ସେ ହାତକୁ ଚିହ୍ନି ଦେଇଥାଆନ୍ତି।
ବୁଢୀମା’ର ହାତ ଧରି ଟୁକୁ ଟୁକୁ କରି ଚାଲି ଶିଖନ୍ତି ନାତିନାତୁଣୀ। ପୁଣି ବୁଢ଼ୀମା’ ହାତରେ ତା’ କାଖକୁ ଉଠିଗଲେ ଜହ୍ନରେ ପହଞ୍ଚତ୍ଲା ପରି ଲାଗେ। ଅନ୍ୟକୁ ମାତ୍‌ ଦେଇ କଳେବଳେକୌଶଳେ ବୁଢୀମା’ ହାତ ଦେଇ ତା’ କାଖକୁ ଉଠିଗଲା ପରେ ଆପଣାଛାଏଁ ଅନ୍ୟମାନଙ୍କ ଆଖିରେ ଈର୍ଷାର ଲକ୍ଷେ ପଦ୍ମଫୁଲ ଏକାଥରେ ଫୁଟିଯାଏ। ବୁଢୀମା’ ବି ବେଳେ ବେଳେ ନାଚାର ହୋଇ ଏକା ସମୟରେ ସମବୟସ୍କ ନାତିନାତୁଣୀଙ୍କୁ କାଖରେ କିଛି ସମୟଧରି ରଖିବାକୁ ଚେଷ୍ଟା କରେ। କିଛି ସମୟ ପରେ ବୟସର ତାଡନାରେ ହାତ ଜବାବ ଦେଇଦିଏ, ବୁଢୀମା’ ପାରେନି। ନିଜ କାଖକୁ ଟେକି ନେଇ ଆମକୁ ସ୍ବର୍ଗସୁଖ ଦେଉଥିବା ବୁଢୀମା’ର ସେ ସମୟରେ ନିଜର ଅନୁଭୂତି କ’ଣ ହେଉଥିବ ତାହା ସେ ନିଜେ ହିଁ ଜାଣିଥିବ।
ପୁଣି ଖରାଦିନ ଛୁଟିରେ ଗାଁକୁ ନାତିନାତୁଣୀ ବୁଲିଗଲେ ବୁଢ଼ୀମାର ହାତକୁ ବିରାମ ନ ଥାଏ। ଘର ଓଳାଇବାଠାରୁ ଆରମ୍ଭକରି ମୁଢ଼ି ଭାଜିବାଯାଏ ବୁଢ଼ୀମା’ର ହାତ ଚାଲୁଥାଏ ଗୋଟିଏ ରୋବଟ୍‌ ପରି। ଏ ଘରୁ ସେ ଘର ବୁଲିବା ଭିତରେ ସେ ପାଲଟି ଯାଉଥାଏ ଦେବୀଟିଏ। ତା’ ହାତ କେତେବେଳେ ବଟୁଆ ଖୋଲି ପାନ ଭାଙ୍ଗୁଥାଏ ତ ଆଉ କେତେବେଳେ କାଚ, ଲୁହା କିମ୍ବା ମୁନିଆ ଜିନିଷକୁ ଖୋଜି ନାତିନାତୁଣୀଙ୍କ ହାତ ପାହାନ୍ତାରୁ ଦୂରେଇ ରଖୁଥାଏ। ପୁଣି ଉଦୁଉଦିଆ ଖରାବେଳେ ଗରମ ଆଉ ତାତିକୁ ଖାତିର ନ କରି ଚୁଲିମୁଣ୍ଡେ ବସିପଡ଼େ ଚିନାବାଦମ, ଖଇ କିମ୍ବା ମୁଢ଼ି ଭାଜିବା ପାଇଁ।
ଖରାଦିନ ଅପରାହ୍ଣରେ ନାତିନାତୁଣୀଙ୍କୁ ଶୁଆଇବା ପାଇଁ ସେ ହାତ ଅନବରତ ବିଞ୍ଚଣା ବିଞ୍ଚି ଚାଲୁଥାଏ। ନାତିନାତୁଣୀଙ୍କ ଆଖିରେ ନିଦମାଉସୀ ଆସର ଜମାଇଲା ବେଳକୁ ତଥାପି ସେ ହାତ ଥକିଯାଇ ନ ଥାଏ। ପୁଣି ଶୋଇପଡିଥିବା ନାତିନାତୁଣୀର ଦେହ ଉପରେ ବୁଢୀମା’ର ହାତର ପରଶ ଯିଏ ପାଇଛି ସିଏ ଜାଣିଛି। ଆମ ଭିତରୁ ଅନେକେ ଏମିତି ଥିବେ ଯିଏ ସେ ପରଶ ଟିକିଏ ପାଇବା ପାଇଁ ଭେଜାଲ ଅଥଚ ଗ୍ରହଣୀୟ ଅଭିନୟଟିଏ ନିଜ ଜୀବନରେ ଥରେ ଅଧେ ନିଶ୍ଚେ କରିଥିବେ।
ସେହି ହାତ ହିଁ ବଡ଼ ସରାଗରେ ଚାଉଳରୁ ଗୋଡ଼ି ବାଛି ଅଲଗା କରେ। ବିରି ଚୂରି ପକାଏ। ଚାଉଳ ଚୂନାକୁ ଆଉଟି ପିଠା କରିପକାଏ। ସନ୍ଧ୍ୟାବେଳେ ମାଛି ଅନ୍ଧାରରେ ବିଜୁଳି ଆଲୁଅ ନ ଥିବା ରୋଷେଇଘରେ ପିଠା ଲେଉଟାଇବା ଶବ୍ଦ ଯିଏ ଶୁଣିଛି ତାକୁ ବଡ଼ ଦିନେ ବିଥ୍‌ହୋଭେନ, ମୋଜର୍ଟ ଏବଂ ୟାନିଙ୍କ ସଙ୍ଗୀତ ବି ବେସୁରା ମନେ ହେବ। ହଁ, ସେ ହାତ କେବଳ ପିଠା କରେନି ବରଂ ପିଠା ମଧ୍ୟରେ ଆମକୁ ଜୀବନର ସଙ୍ଗୀତ ଶୁଣାଏ। ଖଡ଼ିକା ଦେଇ ବୁଢ଼ୀମା’ ପିଠା ଲେଉଟେଇବା କଥା ଭାବିଲେ ଏବେ ବି ଆମ ପିଲାଦିନ ଆମ ଅଜାଣତରେ କଡ଼ ଲେଉଟାଇ ଦିଏନି କି?
ବେଳେ ବେଳେ ବୁଢୀମା’କୁ ଗାଁରୁ ସହରକୁ ଆସିବା ପାଇଁ ଡାକରା ପଡ଼େ। ସେଇ ଡାକରା ଟିକକରେ ବୁଢୀମା’ର ଖୁସି ଦେଖେ କିଏ? ହାତ ନ ପାଉଥିଲେ ବି ଶଜନା ଗଛରୁ ଛୁଇଁ ତୋଳିବାକୁ ଲାଗିପଡ଼େ। ଆକାଶରୁ ଜହ୍ନ ତୋଳିବାର ଆସ୍ପର୍ଦ୍ଧା କରିବା ପରି ପିଜୁଳି ଗଛରୁ ପିଜୁଳି ତୋଳେ। ଆଉ ସବୁବେଳେ ସେହି ହାତରେ ଛୋଟ ଛୋଟ ପୁଡିଆ ଖୁସିରେ ବାନ୍ଧି ପକାଏ। କେଉଁଥିରେ ଚାଉଳ ତ ଆଉ କେଉଁଥିରେ ବଡ଼ି। ପୁଣି କେଉଁଥିରେ କୋଳି ଆଚାର। ପୁଡିଆ ସବୁର ଓଜନରେ ବୁଢୀମା’ ଗୋଟିଏ ପଟକୁ ଢଳି ପଡୁଥିଲେ ବି ତା’ ହାତକୁ ସେମିତି ମଜଭୁତ କରି ସେ ଅଧବସ୍ତା କିମ୍ବା ବଡ଼ ବ୍ୟାଗକୁ ଜାବୁଡି ଧରିଥାଏ।
ସମୟର ପ୍ରଖର ସ୍ରୋତରେ ବୁଢ଼ୀମାର ବୟସ ବି ବହି ଚାଲିଯାଏ। କେତେବେଳୁ ବିଧାତା ତା’ ହାତରୁ କାଚ ପୋଛି ନେଇଥାଏ। ପୁଣି ଅନେକ ସମୟରେ ଚିତାକୁଟା ହାତର ମାଂସପେଶୀ ଗଳିପଡିଥାଏ । ହାତର ଶିରାପ୍ରଶିରା ମୋଟା ହୋଇ ବାହାରକୁ ଦେଖାଯାଉଥାଏ। ନାତିନାତୁଣୀମାନେ ବେଶ୍‌ ବଡ଼ ହୋଇ ସାରିଥାନ୍ତି। ବୁଢ଼ୀମା’ ବି ଜାଣି ସାରିଥାଏ ତା’ର ଜୀବନ ସରିବାକୁ ଆସୁଛି। ବୁଢ଼ୀମା’ର ଆଉ ଦେବା ପାଇଁ କିଛି ନ ଥାଏ। ଶେଷଯାଏ ସେ ହାତ ଉଠାଇ ଚାଲିଥିବା ଯାଏ ନାତିନାତୁଣୀଙ୍କୁ ଆଶୀର୍ବାଦ ହିଁ ଦେଇଚାଲିଥାଏ।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri