ବିପଦରେ ବର୍ଣ୍ଣବୋଧ

ଡ. ପ୍ରଫୁଲ୍ଲ କୁମାର ସାହୁ
ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ପରିଚୟ ହେଉଛି ତା’ର ଭାଷା। ମାତ୍ର ଭାଷାର ବ୍ୟବହାର ଉପରେ ନିର୍ଭର କରେ ସେହି ପରିଚୟ ଓ ପ୍ରତିଷ୍ଠା। ଯେମିତି ସହସ୍ରାଧିକ ବର୍ଷ ଧରି ନିରବଚ୍ଛିନ୍ନ ବ୍ୟବହାର ଫଳରେ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମର୍ଯ୍ୟାଦା। ଓଡ଼ିଆ ଭାଷାର ଗୌରବମୟ ଇତିହାସରୁ ଜଣାଯାଏ ଯେ ଶତଶତ ବର୍ଷ ଧରି ଉଚ୍ଚାରଣ ଓ ଲେଖା ମାଧ୍ୟମରେ ଓଡ଼ିଆ ଭାଷା ପାଲି-ପ୍ରାକୃତ ଓ ଅପଭ୍ରଂଶ ସ୍ତରରୁ ମାର୍ଜିତ ହୋଇ ସାରଳା, ପଞ୍ଚସଖା, ରୀତି ଯୁଗ ଓ ଆଧୁନିକ ଯୁଗରେ ମାନକ-ଓଡ଼ିଆ ଭାଷାରେ ପରିଣତ ହେଲା; ଯାହାର ସର୍ବଶେଷ ନିର୍ଯାସ ହେଉଛି ଭକ୍ତକବି ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’।
ନ’ଅଙ୍କ (୧୮୬୬) ଦୁର୍ଭିକ୍ଷ ପରେ ଓଡ଼ିଆ ଜାତି ଅଣ୍ଟା ସଳଖି ଠିଆ ହେବା ଆଗରୁ ତା’ର ମାତୃଭାଷା ଉପରେ ଆରମ୍ଭ ହେଲା ଆକ୍ରମଣ। ଓଡିଆ ମାଟିରେ ଜଣେ ବେତନଭୋଗୀ ବଙ୍ଗୀୟ ଶିକ୍ଷକ ବାବୁ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାର ଉପଭାଷା ବୋଲି ପ୍ରମାଣ କରିବାକୁ ଯାଇ ଏକ ପୁସ୍ତିକା ଲେଖିଲେ- ‘ଓଡ଼ିଆ ଏକଟା ଏକ ସ୍ବତନ୍ତ୍ର ଭାଷା ନଏ’। ଏଥିରେ ଉତ୍ସାହିତ ହୋଇ କଚେରି ଓ ବିଦ୍ୟାଳୟରୁ ଓଡ଼ିଆ ଭାଷାକୁ ଉଚ୍ଛେଦ ପାଇଁ ଲାଗି ପଡ଼ିିଲେ ଆଉ କିଛି ବଙ୍ଗୀୟ କର୍ମଚାରୀ। ଓଡ଼ିଆ ଭାଷାର ପାଠ୍ୟପୁସ୍ତକ ନ ଥିବା ଦର୍ଶାଇ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷାରେ ଶିକ୍ଷାଦାନ କରାଯାଉ ବୋଲି ସେମାନେ ପ୍ରସ୍ତାବ ବାଢିଲେ ଇଂରେଜ ସରକାରଙ୍କ ପାଖରେ। ପ୍ରତିବେଶୀମାନଙ୍କର ଏହି ହୀନ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ଆଗେଇ ଆସିଲେ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ, ସ୍ବଭାବକବି ଗଙ୍ଗାଧର, ଭକ୍ତକବି ମଧୁସୂଦନ, କର୍ମବୀର ଗୌରୀଶଙ୍କର ପ୍ରମୁଖ ଦେଶପ୍ରାଣମାନେ। ସେମାନେ ଏକାଠି ହୋଇ ଦୀର୍ଘକାଳ ପର୍ଯ୍ୟନ୍ତ ଲଢିଲେ ବୌଦ୍ଧିକ ଲଢେଇ। ଜାତିର ଏହି ସଙ୍କଟ କାଳରେ ଓଡ଼ିଆ ଭାଷାପ୍ରେମୀଙ୍କ ପ୍ରାଣରେ ଖେଳିଗଲା ଜାତୀୟତାର ଏକ ଅଦ୍ଭୁତ ଉନ୍ମାଦନା। କବି, ଲେଖକମାନଙ୍କ ତପତ୍ରତା ଯୋଗୁ ସମୃଦ୍ଧ ହେଲା ଓଡ଼ିଆ ସାହିତ୍ୟ। ଏହି କ୍ରମରେ ‘ବର୍ଣ୍ଣବୋଧ’ ଲେଖି ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଲେ ଶିଶୁସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ। ‘ବର୍ଣ୍ଣବୋଧ’ ଓଡ଼ିଆ ଭାଷା ଅସ୍ମିତାର ଓଁକାର। ସର୍ବଜନାଦୃତ ମାନକ ଓଡ଼ିଆ ଭାଷାର ଶ୍ରେଷ୍ଠ ସଂହିତା। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି ଶିକ୍ଷା ପାଇଁ ଏହା ଅତ୍ୟନ୍ତ ଉପାଦେୟ ଓ ଅପରିହାର୍ଯ୍ୟ। ବର୍ଣ୍ଣବୋଧ (୧୮୯୫) ପ୍ରକାଶ ପାଇବାଠାରୁ ଆଜି ପର୍ଯ୍ୟନ୍ତ ବିତିଯାଇସାରିଛି ଗୋଟିଏ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ। ଓଡ଼ିଆ ବର୍ଣ୍ଣ ପରିଚୟ ନିମନ୍ତେ ପ୍ରକାଶ ପାଇସାରିଛି କେତେ ନୂଆ ଧାରା ଓ ଅଧ୍ୟୟନ କୌଶଳ। ମାତ୍ର ଶିକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକ ମହଲରେ ବର୍ଣ୍ଣବୋଧ ହରାଇନାହିଁ ଶ୍ରେଷ୍ଠ ଓଡ଼ିଆ-ବର୍ଣ୍ଣ ପରିଚୟ ପୁସ୍ତକର ଆଦୃତି। ସମୟ ଥିଲା ଓଡ଼ିଶାର ଗ୍ରାମେ ଗ୍ରାମେ ଶବ୍ଦର ବନାନ ଓ ପଣିକିଆକୁ ଉଚ୍ଚ ସ୍ବରରେ ଉଚ୍ଚାରଣ କରୁଥିଲେ ବିଦ୍ୟାର୍ଥୀମାନେ। ଏବେ ପ୍ରାୟତଃ ବନ୍ଦ ହୋଇଯାଇଛି ସେ ପ୍ରକାର ଶିକ୍ଷା ପ୍ରଣାଳୀ। ବିଭିନ୍ନ ସମୟରେ ଓ ବିଭିନ୍ନ ଆଳରେ ବର୍ଣ୍ଣବୋଧକୁ ପାଠ୍ୟକ୍ରମରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ସତ୍ତ୍ୱେ କୌଣସି ସମୟରେ ହ୍ରାସ ପାଇନି ମଧୁ ବର୍ଣ୍ଣବୋଧର ମୁଦ୍ରଣ ଓ ବିକ୍ରୟ ହାର।
ଅମୃତ ଅଭୀପ୍‌ସାର କବି ମଧୁସୂଦନ ରାଓ। ଜଣେ ବିଭୁପ୍ରାଣ ମଣିଷ। ତାଙ୍କ ଅମୃତମୟ ଲେଖନୀ ସ୍ପର୍ଶରେ ବର୍ଣ୍ଣବୋଧ ପାଲଟି ଯାଇଛି ଶିଶୁ ସାହିତ୍ୟର ଅମୂଲ୍ୟ ରନତ୍। ବର୍ଣ୍ଣବୋଧର ସରଳ ତରଳ ଭାଷା ଓ ଭାବ ଚପଳମତି ଶିିଶୁ ମନରେ ଭାଷା ଶିକ୍ଷା ନିମନ୍ତେ ସୃଷ୍ଟିକରେ ଅଦମ୍ୟ ଆଗ୍ରହ ଓ କୌତୂହଳ। ପିଲାଟି ବଢୁଥିବା ପରିବେଶରୁ ତା’ର ପରିବାର ପରିଜନ ତଥା ପରଚିତ ଜୀବଜନ୍ତୁ ଓ ଉପକରଣକୁ ନେଇ ଏଥିରେ ଖଞ୍ଜାଯାଇଛି ଅନେକ ଶବ୍ଦପୁଞ୍ଜ, ଯାହାର ସଜ୍ଜୀକରଣ କୌଶଳ ବର୍ଣ୍ଣ ଶିକ୍ଷା ପାଇଁ ଅତ୍ୟନ୍ତ ଉପାଦେୟ ଓ ଅନନ୍ୟ। ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ଜାଣିଥିଲେ ଶିଶୁ ଅମୃତର ସନ୍ତାନ ଓ ତା’ର ମନ କଞ୍ଚାମାଟି ସହିତ ସମାନ। ସେହି କୋମଳ ମନରେ ଆଧ୍ୟାମତ୍ିକ, ନୈତିକ ଓ ସାମାଜିକ ଶିକ୍ଷାର ବିକାଶ ନିମନ୍ତେ ସେ ବର୍ଣ୍ଣବୋଧରେ ସଂଯୋଜିତ କରିଛନ୍ତି ‘ସୁନ୍ଦର ସଂସାର’, ପରମେଶ୍ୱର ସ୍ତବ, ପ୍ରଭାତ ଓ ସନ୍ଧ୍ୟା ଆଦି କବିତା। ସରଳ ଭାବୋଦ୍ଦୀପକ ଏବଂ ସଂଗୀତଧର୍ମୀ ଏହି କବିତାଗୁଡ଼ିକ ସାହାଯ୍ୟରେ ସର୍ବତ୍ର ଅଜାଡ଼ି ଦେଇଛନ୍ତି ପରମାମତ୍ା ପରମେଶ୍ୱରଙ୍କ ପ୍ରତି ଅଚଳାଚଳ ଭକ୍ତି। ସତ୍ୟ ସାଧନ, ସତ୍ୟ ବଚନ ଓ ସତ୍ୟ ଚିନ୍ତନ ସଂସାରର ଶ୍ରେଷ୍ଠ ଧର୍ମ ଏବଂ ଏହା ବିଧାତାଙ୍କ ନିର୍ଦ୍ଦେଶ। ପରମାମତ୍ାଙ୍କର ଏହି ମହାନ୍‌ ଭାବଧାରାକୁ ଶିଶୁର କୋମଳ ହୃଦୟରେ ଥାପିଦେବା ପାଇଁ ସେ ଲେଖିଛନ୍ତି- ଯାହା ମୁଁ କରଇ , ଯାହା ମୁଁ କହଇ ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ-ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ପୃଥିବୀର ଏପରି କୌଣସି ଧର୍ମ ନାହିଁ, ଯେଉଁଠି ବର୍ଣ୍ଣବୋଧର ଏହି ଆତ୍ମସଚେତନତା ସୃଷ୍ଟିକାରୀ ନୀତିବାଣୀ ଦଖଲ କରିନି ପ୍ରମୁଖ ସ୍ଥାନ। ଏହି କାରଣରୁ ବର୍ଣ୍ଣବୋଧ ଆମର ଏତେ ପ୍ରିୟ ଓ ପରିଚିତ। ଅଥଚ ଏବେ ଏକ ସଂକୀର୍ଣ୍ଣ ଆଞ୍ଚଳିକ ଭାବକୁ ନେଇ ପଶ୍ଚିମ ଓଡ଼ିଶାରେ ବର୍ଣ୍ଣବୋଧ ଉପରେ ହୋଇଛି ଆକ୍ରମଣ। କଥାରେ ଅଛି ନଈକେ ବାଙ୍କ, ଦେଶ କେ ଫାଙ୍କ। ଅର୍ଥାତ୍‌ ଗୋଟିଏ ଅଞ୍ଚଳଠାରୁ ଆଉ ଗୋଟିଏ ଅଞ୍ଚଳର ଚଳଣି, ପରମ୍ପରା ଓ କଥିତ ଭାଷାରେ ତାରତମ୍ୟ ରହିବା ସ୍ବାଭାବିକ। ସେଥିପାଇଁ ଉପକୂଳ ଅଞ୍ଚଳରେ ମଧ୍ୟ କଟକିଆ ଓ ବାଲେଶ୍ୱରୀ ଭାଷା ଭିତରେ ବି ଅଛି ଅନେକ ଫରକ। ମାତ୍ର ଓଡ଼ିଆ ହେଉଛି ଆମ ସମସ୍ତଙ୍କର କୁଳଭାଷା। ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ଏବଂ ଓଡ଼ିଆ ସାହିତ୍ୟ ଖୁବ୍‌ ପ୍ରତିଷ୍ଠିତ। ଓଡ଼ିଆ ସାହିତ୍ୟରେ ପ୍ରକାଶ ପାଉଛି ଅନେକ ଗୁଣାମତ୍କ ମାନ ସମ୍ବଳିତ ପୁସ୍ତକ। ଏହା ସତ୍ତ୍ୱେ ପାଠକହୀନତା ସଙ୍କଟ ମଧ୍ୟଦେଇ ଗତିକରୁଛି ଓଡ଼ିଆ ସାହିତ୍ୟ। ଏ ସମସ୍ୟାକୁ ଅଧିକ ଜଟିଳ କରିଛି କୋଶଳୀ ଭାଷା ଆନ୍ଦୋଳନ। ଏପରି ସ୍ଥିତିରେ କୋଶଳୀ ଭାଷାରେ ଯେତେ ଉନ୍ନତ ସାହିତ୍ୟ ଲେଖା ହେଲେ ବି ପାଠକ ସୃଷ୍ଟି କରିବା ହେବ ତା ପାଇଁ ଏକ ଦୁରୂହ ବ୍ୟାପାର। ସାଧାରଣତଃ ଭାଷା ଆନ୍ଦୋଳନକୁ କେନ୍ଦ୍ରକରି ସୃଷ୍ଟିହୁଏ ଜାତୀୟ ଏକତା। ଜାତି, ଧର୍ମ, ବର୍ଣ୍ଣ ଓ ଅଞ୍ଚଳର ଭେଦଭାବ ଭୁଲି ସଂଗ୍ରାମରେ ସାମିଲ ହୁଅନ୍ତି ପ୍ରତ୍ୟେକ ଭାଷାପ୍ରେମୀ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଊନବିଂଶ ଶତାବ୍ଦୀରେ ଯେଉଁ ଭାଷା ଆନ୍ଦୋଳନ ହୋଇଥିଲା, ତା’ର ନେତୃତ୍ୱ ନେଇଥିବା ରାଧାନାଥ, ବୈକୁଣ୍ଠନାଥ ଓ ଗୌରୀଶଙ୍କର ଥିଲେ ଓଡ଼ିଆଭାଷୀ ବଙ୍ଗାଳୀ। ‘ବର୍ଣ୍ଣବୋଧ’ ଲେଖି ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଥିବା ମଧୁସୂଦନ ଥିଲେ ମରାଠୀ। ମାତ୍ର ସେମାନଙ୍କ ଭିତରେ ଥିବା ଗଭୀର ଜାତୀୟତାବୋଧ ସେମାନଙ୍କୁ ଆଣି ଠିଆ କରାଇ ଦେଇଥିଲା ଭାଷା ସୁରକ୍ଷା ଆନ୍ଦୋଳନର ମହାମଞ୍ଚରେ। ମାତ୍ର ଏହା କି ପ୍ରକାର ଆନ୍ଦୋଳନ, ଯେଉଁ ଆନ୍ଦୋଳନରେ ଆହୂତି ଲଭେ କୁଳଭାଷାର ଶ୍ରେଷ୍ଠ ସଂହିତା ପୁସ୍ତକ।
ଏଭଳି ହୀନମନ୍ୟତା କେବଳ ସେଇମାନେ ପୋଷଣ କରନ୍ତି, ଯେଉଁମାନଙ୍କ ସଂକୀର୍ଣ୍ଣ ଆଞ୍ଚଳିକ ଭାବନା ଆଗରେ କୌଣସି ମୂଲ୍ୟ ବହନ କରେନି ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ପଶ୍ଚିମ ଓଡ଼ିଶା ଭାଷା ସୁରକ୍ଷା ଆନ୍ଦୋଳନର ଜାଗ୍ରତ ପ୍ରହରୀ ଗଙ୍ଗାଧର ମେରେହଙ୍କ ମହାର୍ଘ ବାଣୀ ”ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା।“ ସେହି ମାତୃଭାଷାର ବିଦ୍ୱେଷୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ସ୍ବଭାବକବିଙ୍କର ସେହି ସ୍ମରଣୀୟ କବିତା ପଂକ୍ତି ”ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନିଗଣରେ ଗଣିବା ଅଜ୍ଞାନ ରହିବେ କାହିଁ“। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ସରକାରୀ ଦାପ୍ତରିକ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ ଦାବି କରି ଯେଉଁ ମାଟିର ସ୍ବର ଏତେ ତୀବ୍ର, ସେହି ସ୍ବଭାବକବିଙ୍କ ମାଟିରେ ଏଭଳି ମାତୃଭାଷାବିରୋଧୀ କାର୍ଯ୍ୟ ହେଲା କେମିତି? ଏହି ପରିପ୍ରେକ୍ଷୀରେ ଆମେ ଜାଣିରଖିବା ଉଚିତ ଯେଉଁ ରାଜ୍ୟର କବି, ଲେଖକ ଓ ବିଦ୍ୱାନମାନେ ଭାଷା ପ୍ରତିଷ୍ଠାନର ଭାଷା ବିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଥିବା ମଧୁ ବର୍ଣ୍ଣବୋଧର ଅଳ୍ପ କେତୋଟି ଶବ୍ଦର ବନାନ ସଂଶୋଧନକୁ ବିରୋଧ କରନ୍ତି, ସେଠାରେ କେବେ ବି ବରଦାସ୍ତ କରାଯାଇପାରିବ ନାହିଁ ତା’ର ଅବମାନନା। ସେଥିପାଇଁ ରାଜ୍ୟବ୍ୟାପୀ ଏବେ ପ୍ରକାଶ ପାଇଛି ତୀବ୍ର ବିରୋଧ ଓ ପ୍ରତିକ୍ରିୟା।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri