ବିଶ୍ୱ ନଜରରେ ଭାରତ

ଆକାର ପଟେଲ
୨୦୨୦ରେ ସାରା ଜଗତ ଭାରତ ବିଷୟରେ କ’ଣ କହୁଛି? ”ଭାରତରେ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ ମୁସଲମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି“ (ନ୍ୟୁୟର୍କ ଟାଇମ୍ସ, ଜାନୁୟାରୀ ୩)। ”ଭାରତରେ ଦମନଲୀଳା ଚାଲିଥିବା ବେଳେ ବିଶିଷ୍ଟ ବ୍ୟକ୍ତିମାନେ ନୀରବ ରହୁଛନ୍ତି“ (ଓ୍ବାଶିଂଟନ ପୋଷ୍ଟ, ଜାନୁୟାରୀ ୪)। ”ଆମେ ନିରାପଦ ନୋହୁଁ: ପୋଲିସ ନୃଶଂସତାକୁ ନେଇ ଭାରତୀୟ ମୁସଲମାନଙ୍କ ପ୍ରତିକ୍ରିୟା“ (ଗାର୍ଡିଆନ, ଜାନୁୟାରୀ ୩)। ରକ୍ଷଣଶୀଳ କାଗଜଗୁଡ଼ିକ ଭାବୁଛନ୍ତି ଯେ ଭାରତରେ କିଛି ବି ଠିକ୍‌ ନାହିଁ। ଫାଇନାନ୍ସିଆଲ ଟାଇମ୍ସ ଜିଜ୍ଞାସା କରିଛି: ଭାରତ କ’ଣ ଦ୍ୱିତୀୟ ଜରୁରୀ ପରିସ୍ଥିତି ଆଡ଼କୁ ଗତି କରୁଛି? ବିଶ୍ୱ ଯାହା କହୁଛି ସେଥିରେ ଆମେ ସହମତ ହେବା କି ନ ହେବା ତାହା ଭିନ୍ନକଥା। କିନ୍ତୁ ଅନେକ ଭାରତୀୟ ଏବଂ ବିଶେଷ କରି ହିନ୍ଦୁମାନେ ଏଇ ବିଷୟରେ ଏକମତ ନୁହନ୍ତି ଯେ, ଭାରତରେ କିଛି ଭଲ ଚାଲିନାହିଁ ବା ଏଇ ସରକାର ତା’ର ନାଗରିକମାନଙ୍କୁ ଭୟଭୀତ କରୁଛନ୍ତି। ମୂଳ କଥାଟି ହେଉଛି ବିଶ୍ୱ ଆମ୍ଭମାନଙ୍କୁ ଏହି ନଜରରେ ଦେଖୁଛି। ପ୍ରଶ୍ନ ହେଉଛି କାହିଁକି ସେମାନେ ଆମକୁ ଏପରି ଦେଖୁଛନ୍ତି? କାରଣ ତଥ୍ୟଗୁଡ଼ିକ ଆମ ବିପକ୍ଷରେ ଯାଉଛି। ତା’ର ଗୋଟିଏ କାରଣ ହେଉଛି ନାଗରିକତ୍ୱ ଆଇନ ବିରୋଧରେ ଯେଉଁ ପ୍ରତିବାଦ ହେଉଛି, ସେଗୁଡ଼ିକର ନେତୃତ୍ୱ ନେଉଛନ୍ତି ଭାରତର ମୁସଲମାନମାନେ। ସେମାନଙ୍କୁ ଯେ ଆଇନଗୁଡ଼ିକରେ ଟାର୍ଗେଟ କରାଯାଇଛି, ତାହା ସେମାନେ ଜାଣନ୍ତି। ନିର୍ବିବାଦୀୟ ସତ କଥାଗୁଡ଼ିକ କ’ଣ ଆସନ୍ତୁ ଜାଣିବା-
ପ୍ରଥମତଃ ଆସାମରେ ଏନ୍‌ଆର୍‌ସି ପ୍ରକ୍ରିୟା ଆରମ୍ଭ ହେଲାବେଳେ ସ୍ଥାନୀୟ ଯାଞ୍ଚ ଅଧିକାରୀମାନେ ଭୋଟର ତାଲିକାରୁ ଡି-ଭୋଟର (ସନ୍ଦେହଜନକ ଭୋଟର) କହି ଅନେକ ଲୋକଙ୍କ ନାଁ କାଟିଦେଲେ। ଏହି ଡି-ଭୋଟରମାନଙ୍କର ଭୋଟଦାନର ଅଧିକାର ରହିଲା ନାହିଁ। ଏହି ପ୍ରକ୍ରିୟା ସ୍ବଚ୍ଛ ନ ଥିଲା ଏବଂ ଗୌହାଟୀ ହାଇକୋର୍ଟ ଓ ଭାରତର ସୁପ୍ରିମ୍‌କୋର୍ଟ ଏହାକୁ ସମାଲୋଚନା କରିଛନ୍ତି। ଦ୍ୱିତୀୟତଃ ୨୦୧୯ ଅଗଷ୍ଟ ୩ ତାରିଖରେ ପିଟିଆଇର ରିପୋର୍ଟ ଅନୁସାରେ, ସାରା ଭାରତରେ ଏନ୍‌ଆର୍‌ସିର ମୂଳଦୁଆ ପକାଇବା ପାଇଁ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ପ୍ରସ୍ତୁତ କରିବେ। ରିପୋର୍ଟ ଅନୁସାରେ ନାଗରିକତ୍ୱ ଆଇନର ନିୟମ-୩, ୨୦୦୩ ଅନ୍ତର୍ଗତ ଉପନିୟମ-୪ ଅନୁସାରେ କେନ୍ଦ୍ର ସରକାର ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ କରିବା ଓ ଅପ୍‌ଡେଟ କରିବାକୁ ସ୍ଥିର କରିଛନ୍ତି। ଆସାମ ବ୍ୟତୀତ ସବୁ ରାଜ୍ୟରେ କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ଏବଂ ଏହା ୨୦୨୦ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ସମ୍ପନ୍ନ କରାଯିବ। ଜାତୀୟ ନାଗରିକ ପଞ୍ଜିକାକୁ ସରକାର ପ୍ରାଥମିକତା ଦେଇ ଲାଗୁ କରିବେ ବୋଲି ଲୋକ ସଭାରେ ଜୁନ୍‌ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଉଦ୍‌ବୋଧନ ଅବସରରେ କହିଥିଲେ। ତେଣୁ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି, ତାହା ମିଛ ବା ସେ ଏ ବିଷୟରେ ଜାଣିନାହାନ୍ତି। ତୃତୀୟତଃ ମାର୍ଚ୍ଚ ୨୬, ୨୦୧୮ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି (FEMA 21(R)/2018-RB) ଅନୁସାରେ ଆଫଗାନିସ୍ତାନ, ବାଂଲାଦେଶ ବା ପାକିସ୍ତାନର ଯେଉଁ ସଂଖ୍ୟାଲଘୁ ନାଗରିକ ଯଥା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ଦୀର୍ଘମିଆଦୀ ଭିଜା ପାଇ ଭାରତରେ ବସବାସ କରୁଛନ୍ତି, ସେମାନେ ବସବାସ ପାଇଁ ଗୋଟିଏ ଆବାସିକ ସ୍ଥାବର ସମ୍ପତ୍ତି ଏବଂ ଆତ୍ମନିଯୁକ୍ତି ପାଇଁ ଗୋଟିଏ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ। କାହାର ଧର୍ମ କ’ଣ ସେ କଥା ଆର୍‌ବିଆଇ କେମିତି ଜାଣିବ? ଆମେ କ’ଣ ଏବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ସେଥିରେ ଆମର ଧର୍ମ ଉଲ୍ଲେଖ କରିବାକୁ ଆରମ୍ଭ କରିବା? ଏ କଥା ପଦାକୁ ଆସିବା ପରେ ଗତ ସପ୍ତାହରେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଏକ ଟୁଇଟ ଛାଡ଼ିଲେ ଯେ ଭାରତୀୟ ନାଗରିକମାନଙ୍କୁ ସେମାନଙ୍କ ଧର୍ମ ସମ୍ବନ୍ଧରେ ଘୋଷଣା କରିବାକୁ ପଡ଼ିବ ନାହିଁ।
ସମସ୍ୟା ହେଉଛି କିଏ ଦେଶର ନାଗରିକ ଓ କିଏ ବାହାରୁ ଆସିଛନ୍ତି, ତାହା କିଏ ସ୍ଥିର କରିବ? ମୁସଲମାନଙ୍କ ମନରେ ଆଶଙ୍କା ସୃଷ୍ଟିହେବା ସ୍ବାଭାବିକ। ସେମାନଙ୍କ ଆଶଙ୍କା ସରକାର ଆପ୍ରବାସୀ ମୁସଲମାନମାନଙ୍କୁ ଦେଶରୁ ବିଦା କରିବାକୁ ଚାହୁଁଛନ୍ତି। ପ୍ରଥମେ ଭୋଟର ତାଲିକାରୁ ସେମାନଙ୍କ ନାଁ କଟାଯିବ। ତା’ପରେ ସନ୍ଦେହଜନକ ବିବେଚିତ ବ୍ୟକ୍ତିମାନଙ୍କୁ ନିରୀହ ବୋଲି ପ୍ରମାଣ ଦେବାକୁ ପଡ଼ିବ। ତା’ ମଝିରେ କ’ଣ ହେବ? ଡି-ଭୋଟର ମାନ୍ୟତା ମିଳିଥିବା ଲୋକମାନଙ୍କର ପାସ୍‌ପୋର୍ଟ ଓ ଲାଇସେନ୍ସ ବାତିଲ କରାଯିବ ଏବଂ ସେମାନଙ୍କୁ ସମ୍ପତ୍ତି ଅଧିକାରରୁ ବଞ୍ଚିତ କରାଯିବ (କାରଣ ଆର୍‌ବିଆଇ ସର୍କୁଲାର ଅନୁସାରେ କେବଳ ଅଣମୁସଲମାନ ସମ୍ପତ୍ତି କିଣିବା ପାଇଁ ଅନୁମତିପ୍ରାପ୍ତ)। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଓ ଚାକିରି ଅଧିକାରରୁ ସେମାନଙ୍କୁ ବେଦଖଲ କରାଯିବ। ସରକାରଙ୍କୁ ଏପରି କି ଦେଶରେ ଅଟକ କେନ୍ଦ୍ର ଖୋଲିବାକୁ ପଡ଼ିବ ନାହିଁ। ଯେଉଁ ମୁସଲମାନମାନେ ଏବେ ଏସବୁର ସମ୍ମୁଖୀନ ହୋଇନାହାନ୍ତି, ସେମାନଙ୍କୁ କେବେ ଯେ ସମ୍ମୁଖୀନ ହେବାକୁ ପଡ଼ିବ କହିହେବ ନାହିଁ। ସେଥିପାଇଁ ସେମାନେ ପ୍ରତିବାଦର ନେତୃତ୍ୱ ନେଉଛନ୍ତି। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଆଶ୍ୱାସନା ଉପରେ ସେମାନେ ଭରସା କରିପାରୁ ନାହାନ୍ତି। ଉତ୍ତରପ୍ରଦେଶ ହିଂସାରେ ପୋଲିସ ଗୁଳିରେ ୧୬ରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଆମ ପ୍ରଧାନମନ୍ତ୍ରୀ ଏଥିପାଇଁ ଆନ୍ଦୋଳନକାରୀମାନେ ଭିଆଇଥିବା ହିଂସାକୁ ଦାୟୀ କରୁଛନ୍ତି। ସେଥିପାଇଁ ବିଶ୍ୱ ସମୁଦାୟ ଆମକୁ ଭଲ ନଜରରେ ଦେଖୁନାହାନ୍ତି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri