ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଭାରତୀୟ ପରମ୍ପରାରେ ମଣିଷ ଜୀବନର ଲକ୍ଷ୍ୟ ହେଉଛି ଚତୁର୍ବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ପ୍ରାପ୍ତି। ସେ ତା’ ଜୀବନର ଚାରୋଟି ପର୍ଯ୍ୟାୟ (ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ, ସନ୍ନ୍ୟାସ) ଦେଇ ଏହି ଚତୁର୍ବର୍ଗ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରେ। ବ୍ରହ୍ମଚର୍ଯ୍ୟ ଆଶ୍ରମରେ ସେ ବିଦ୍ୟା ଅଧ୍ୟୟନ କରେ। ଗୃହସ୍ଥାଶ୍ରମରେ ସେ ଅର୍ଜିତ ବିଦ୍ୟାକୁ ଉପଯୋଗ କରି ଜଣେ ଆଦର୍ଶ ଗୃହସ୍ଥ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରେ। ତା’ପରେ ସେ ଗ୍ରହଣ କରେ ବାନପ୍ରସ୍ଥ। ଏହି ପର୍ଯ୍ୟାୟରେ ସେ ଅରଣ୍ୟନିବାସୀ ଋଷିମାନଙ୍କ ଶରଣାପନ୍ନ ହୋଇ ସେମାନଙ୍କ ଉପଦେଶ ଅନୁସାରେ ପାର୍ଥିବ ଆସକ୍ତିଠାରୁ ନିଜକୁ ଦୂରେଇ ରଖିବା ପ୍ରକ୍ରିୟା ଆରମ୍ଭ କରେ। ଶେଷରେ ସ୍ତ୍ରୀଙ୍କ ଦାୟିତ୍ୱ ପୁତ୍ରଠାରେ ନ୍ୟସ୍ତ କରି ସନ୍ନ୍ୟାସ ଗ୍ରହଣ କରେ। ଏହି ସମୟରେ ସେ ଅରଣ୍ୟରେ ନିବାସ କରି ବିଭୁ ଚିନ୍ତାରେ ନିମଗ୍ନ ହୁଏ ଓ ତପସ୍ୟା କରି ମୋକ୍ଷ ଲାଭ ପାଇଁ ବ୍ରତୀ ହୁଏ।
ମାତ୍ର ସ୍ବାମୀ ବିବେକାନନ୍ଦ ଭାରତୀୟ ପରମ୍ପରାର ସନ୍ନ୍ୟାସ ସମ୍ପର୍କିତ ପ୍ରଚଳିତ ଧାରଣାରେ ପରିବର୍ତ୍ତନ ଆଣିଥିଲେ। ସେ ଯେତେବେଳେ ନିର୍ବିକଳ୍ପ ସମାଧି ଚାହିଁଥିଲେ ଗୁରୁ ରାମକୃଷ୍ଣ ପରମହଂସ କହିଥିଲେ, ”ତୋତେ ଏକଥା କହିବାକୁ ଲାଜ ମାଡୁନାହିଁ? ମୁଁ ଭାବିଥିଲି ତୁ ଏକ ବଟବୃକ୍ଷ ହୋଇ ବଢ଼ିବୁ ଓ ତୋର ଛାୟାରେ ଆଶ୍ରୟ ନେବେ ହଜାର ହଜାର ନିରାଶ୍ରୟ ଜନତା। ତୁ କିନ୍ତୁ ନିଜ ମୁକ୍ତି ପାଇଁ ବ୍ୟସ୍ତ ହୋଇପଡିଛୁ। ଏତେ କ୍ଷୁଦ୍ର ଆଦର୍ଶ ତୋର।“ ରାମକୃଷ୍ଣଙ୍କ ଏହି କଥା ପଦକ ବିବେକାନନ୍ଦଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା। ରାମକୃଷ୍ଣଙ୍କ ମୃତ୍ୟୁ ପରେ ବିବେକାନନ୍ଦ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତ ପରିଭ୍ରମଣ କଲେ। ସ୍ବଚକ୍ଷୁରେ ଦେଖିଲେ ଭାରତବର୍ଷରେ ରହିଥିବା ଜଡ଼ତା, ଅଜ୍ଞତା ଓ ଦାରିଦ୍ର୍ୟର ଚିତ୍ର। ଅଜସ୍ର ଲୋକ ଦିନକୁ ଦି’ ଓଳି ଖାଇବାକୁ ଓ ଦେହକୁ ଘୋଡ଼ାଇବା ପାଇଁ ଲୁଗା ଖଣ୍ଡେ ପାଉ ନ ଥିବା ଦୃଶ୍ୟ ତାଙ୍କ ହୃଦୟକୁ ବିଚଳିତ କରିଥିଲା। ସେ ଅନୁଭବ କଲେ ସନ୍ନ୍ୟାସ ଗ୍ରହଣ କରି ଜାଗତିକ ସୁଖଦୁଃଖଠୁ ଦୂରେଇ ରହି ନିଜର ମୋକ୍ଷ ପାଇଁ ସାଧନା କରିବା ହେଉଛି ସ୍ବାର୍ଥପରତା। ସେ ଗୁରୁଭାଇମାନଙ୍କୁ ଜୀବନର ଉଦ୍ଦେଶ୍ୟ ବୁଝାଇ ଦେଇ କହିଲେ, ଭାରତର କଲ୍ୟାଣ କାମନାରେ ଏଭଳି ଏକ ଅଭିନବ ସନ୍ନ୍ୟାସୀ ସମ୍ପ୍ରଦାୟ ସୃଷ୍ଟି କରିବାକୁ ହେବ, ଯେଉଁମାନେ ମାନବସେବା ବ୍ରତରେ ନିଜ ନିଜ ମୁକ୍ତିର କାମନା ମଧ୍ୟ ପରିତ୍ୟାଗ କରିବେ ଓ ପ୍ରୟୋଜନ ହେଲେ ସାନନ୍ଦେ ନରକକୁ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହେବେ।
ସ୍ବାମିଜୀ ପାଶ୍ଚାତ୍ୟ ଦେଶରେ ଥିବାବେଳେ କେତେଜଣ ଯୁବକ ଆଲମବଜାର ମଠରେ ଯୋଗଦାନ କରି ବ୍ରହ୍ମଚାରୀ ଜୀବନଯାପନ କରୁଥିଲେ। ସେମାନେ ସ୍ବାମିଜୀଙ୍କ ନିକଟରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିବା ପରେ ସେ ସେମାନଙ୍କୁ କହିଲେ, ‘ବହୁଜନ ହିତାୟ ବହୁଜନ ସୁଖାୟ’ ସନ୍ନ୍ୟାସୀର ଜୀବନ। ସନ୍ନ୍ୟାସ ଗ୍ରହଣ କରି ଯେଉଁମାନେ ଏହି ଉଚ୍ଚାଦର୍ଶ ଭୁଲିଯାଆନ୍ତି ତାଙ୍କ ଜୀବନ ବୃଥା। ପର ପାଇଁ ପ୍ରାଣ ଦେବାକୁ, ଜୀବର ଗଗନଭେଦୀ କ୍ରନ୍ଦନ ନିବାରଣ କରିବାକୁ, ବିଧବାର ଅଶ୍ରୁ ପୋଛିଦେବାକୁ, ପୁତ୍ର ବିୟୋଗ ବିଧୁରା ପ୍ରାଣରେ ଶାନ୍ତି ଦେବାକୁ, ଅଜ୍ଞ ଇତର ସାଧାରଣ ଜନତାଙ୍କ ଦୈହିକ ଓ ପରମାର୍ଥିକ ମଙ୍ଗଳ କରିବାକୁ ଓ ଜ୍ଞାନାଲୋକ ଦେଇ ସମସ୍ତଙ୍କ ଭିତରେ ପ୍ରସୁପ୍ତ ବ୍ରହ୍ମସିଂହକୁ ଜାଗ୍ରତ କରିବା ପାଇଁ ସନ୍ନ୍ୟାସୀଙ୍କ ଜନ୍ମ ହୋଇଛି। ସ୍ବାମିଜୀଙ୍କ ପ୍ରେରଣାରେ ସନ୍ନ୍ୟାସୀର ଏହି ଆଦର୍ଶ ପୂରଣ କରିବା ପାଇଁ ରାମକୃଷ୍ଣାନନ୍ଦ ଠାକୁରଙ୍କ ପୂଜା ଛାଡି ବେଦାନ୍ତ ପ୍ରଚାର କାର୍ଯ୍ୟରେ ଦାକ୍ଷିଣାତ୍ୟ ଗଲେ। ସ୍ବାମୀ ଅଖଣ୍ଡାନନ୍ଦ ମୁର୍ଶିଦାବାଦରେ ଦୁର୍ଭିକ୍ଷ ପ୍ରପୀଡ଼ିତ ନରନାରୀଙ୍କ ସେବାକାର୍ଯ୍ୟ କଲେ। ସ୍ବାମିଜୀ ନିଜେ କଲିକତାରେ ପ୍ଲେଗ୍‌ ବ୍ୟାପିଥିବା ସମୟରେ ମଠର ସନ୍ନ୍ୟାସୀ ଓ ଭଗିନୀ ନିବେଦିତାଙ୍କୁ ସାଙ୍ଗରେ ନେଇ ରୋଗୀସେବା ଆରମ୍ଭ କଲେ। ଏହି କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ କୁଆଡୁ ଆସିବ ବୋଲି ଚିନ୍ତା କରି ଜଣେ ଗୁରୁଭ୍ରାତା ପଚାରିଲେ, ”ସ୍ବାମିଜୀ, ଟଙ୍କା କୁଆଡୁ ଆସିବ?“ ସ୍ବାମିଜୀ ଉତ୍ତର ଦେଲେ, ”ଯଦି ପ୍ରୟୋଜନ ହୁଏ, ମଠ ପାଇଁ କିଣାଯାଇଥିବା ଜମି ବିକ୍ରି ହେବ। ହଜାର ହଜାର ଲୋକ ଆମ ଆଖିଆଗରେ ଯନ୍ତ୍ରଣା ଭୋଗ କରିବେ ଆଉ ଆମେ ମଠରେ ବସିରହିଥିବା? ଆମେ ସନ୍ନ୍ୟାସୀ। ଆମେ ଆଗପରି ଗଛତଳେ ବାସକରିବା, ଭିକ୍ଷା କରି ପେଟ ପୋଷିବା।“ ସୁଖର ବିଷୟ ମଠବାଡି ବିକ୍ରୟ କରିବାକୁ ପଡିଲା ନାହିଁ। ଚାରିଆଡୁ ପ୍ରଚୁର ଅର୍ଥ ସାହାଯ୍ୟ ମିଳିଲା। ଜାତି, ବର୍ଣ୍ଣ ନିର୍ବିଶେଷରେ ସନ୍ନ୍ୟାସୀମାନେ ପ୍ଲେଗ୍‌ ରୋଗାକ୍ରାନ୍ତ ନରନାରୀଙ୍କ ସେବା କଲେ। ବିବେକାନନ୍ଦ କେବଳ ମୁହଁରେ ବେଦାନ୍ତ ପ୍ରଚାର ନ କରି ତାକୁ କାର୍ଯ୍ୟରେ ପରିଣତ କଲେ। ‘ଯତ୍ର ଜୀବ ତତ୍ର ଶିବ’ ମନ୍ତ୍ରରେ ଦୀକ୍ଷିତ ବିବେକାନନ୍ଦ ମୃତ୍ୟୁକୁ ନ ଡରି ସ୍ବଦେଶବାସୀଙ୍କୁ ଜଣାଇଦେଲେ କିଭଳି ଭାବରେ ଜଣେ ସନ୍ନ୍ୟାସୀ ଗିରିଗୁହାରେ ଆତ୍ମକଲ୍ୟାଣ ପାଇଁ ତପସ୍ୟା ନ କରି ନରନାରାୟଣ ସେବାରେ ନିଜକୁ ଉତ୍ସର୍ଗ କରିପାରେ। ଅଦ୍ୱୈତବାଦର ସୁଦୃଢ ଭିତ୍ତି ଉପରେ ସେ ସେବାଧର୍ମର ପ୍ରାସାଦ ଗଢିଥିଲେ। ସନ୍ନ୍ୟାସୀମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ବେଲୁଡରେ ସେ ପ୍ରତିଷ୍ଠା କଲେ ରାମକୃଷ୍ଣ ମଠ। ଦିନେ ସ୍ବାମୀ ବିରଜାନନ୍ଦ କହିଲେ, ”ସ୍ବାମିଜୀ ଆଗେ ସାଧନା ବଳରେ ଆତ୍ମସାକ୍ଷାତ୍‌ ନ କରି କିପରି ଲୋକସେବା କର୍ମରେ ଅଗ୍ରସର ହେବି?“ ବିବେକାନନ୍ଦ ଗର୍ଜି ଉଠି କହିଲେ, ”ସ୍ବାର୍ଥପରଙ୍କ ଭଳି ନିଜ ମୁକ୍ତି ପାଇଁ ଚେଷ୍ଟା କଲେ ତୁମେ ନରକକୁ ଯିବ। ଯଦି ତୁମେ ସେହି ପୂର୍ଣ୍ଣବ୍ରହ୍ମଙ୍କୁ ଉପଲବ୍ଧି କରିବାକୁ ଚାହଁ, ତା’ହେଲେ ଅନ୍ୟର ମୁକ୍ତିଲାଭ ପାଇଁ ସାହାଯ୍ୟ କର। ନିଜ ମୁକ୍ତି ଆକାଙ୍‌କ୍ଷାକୁ ସମୂଳେ ବିନାଶ କରିବା ହିଁ ଶ୍ରେଷ୍ଠ ସାଧନା।“ ବେଲୁଡ ମଠର ଗୋଟିଏ ସଭାରେ ସ୍ବାମିଜୀ ‘ସନ୍ନ୍ୟାସୀର ଆଦର୍ଶ ଓ ତାହାର ସାଧନା’ ସମ୍ବନ୍ଧରେ ଇଂଲିଶରେ ଗୋଟିଏ ବତ୍କୃତା ଦେଇଥିଲେ। ସେ ନବଯୁଗର ସନ୍ନ୍ୟାସୀମାନଙ୍କୁ ଆଦର୍ଶ ବୁଝାଇ କହିଥିଲେ: ତୁମକୁ ମୃତ୍ୟୁକୁ ଭଲ ପାଇବାକୁ ହେବ। ମୃତ୍ୟୁକୁ ଭଲ ପାଇବାର ଅର୍ଥ, ପରମକଲ୍ୟାଣ କାମନାରେ ସତତ ଆତ୍ମବିସର୍ଜନ କରିବାକୁ ପ୍ରସ୍ତୁତ ହୁଅ। ଗୁହାରେ ବସି ଧ୍ୟାନକରି ଦେହତ୍ୟାଗ କରିବା ପରି ପ୍ରାଚୀନ ଆଦର୍ଶର ଆବଶ୍ୟକତା ବର୍ତ୍ତମାନ ଯୁଗରେ ନାହିଁ। ପ୍ରତ୍ୟେକ ମାନବ ଭ୍ରାତାଙ୍କୁ ମୁକ୍ତି ନିମିତ୍ତ ସାହାଯ୍ୟ କରିବାକୁ ହେବ। କେବଳ ଧ୍ୟାନରେ ନିମଗ୍ନ ନ ରହି ମଠ ସଂଲଗ୍ନ ଭୂମି କର୍ଷଣ କରିବାକୁ ଦ୍ୱିଧାବୋଧ କରିବ ନାହିଁ। ଏହା ଥିଲା ନବଦୀକ୍ଷିତ ସନ୍ନ୍ୟାସୀମାନଙ୍କୁ ବିବେକାନନ୍ଦଙ୍କ ଆହ୍ବାନ। ପରାର୍ଥରେ ଜୀବନ ଦେବା ପାଇଁ ସେ ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ଅନୁପ୍ରାଣିତ କରୁଥିଲେ। ଥରେ ଶିଷ୍ୟ ସାରଦାନନ୍ଦଙ୍କୁ କହିଥିଲେ- ମୁଁ ତୁମମାନଙ୍କୁ ଏତେ ଭଲପାଏ, ତଥାପି ଇଚ୍ଛା ହୁଏ, ତୁମେ ସବୁ ପର ପାଇଁ ଖଟି ଖଟି ମରିଯାଅ- ମୁଁ ଦେଖି ଖୁସି ହୁଏ। ୧୯୦୨ରେ ମହାପ୍ରୟାଣର ଅଳ୍ପ କେତେଦିନ ପୂର୍ବରୁ ସେ ତାଙ୍କୁ କହିଥିଲେ ”ଆର ଜନ୍ମରେ ଆସି ବେଦାନ୍ତ ଫେଦାନ୍ତ ପଢିବୁ। ଏଥର ପରସେବାରେ ଦେହଟା ଦେଇ ଯା।“
ମୋଟ ଉପରେ କହିବାକୁ ଗଲେ ପୂର୍ବ ଅବଧାରିତ ସନ୍ନ୍ୟାସର ପରିଭାଷାକୁ ବଦଳାଇ ଦେଇଥିଲେ ସ୍ବାମୀ ବିବେକାନନ୍ଦ। ପୂର୍ବରୁ ସନ୍ନ୍ୟାସ ଗ୍ରହଣ କରିବାକୁ ହେଲେ ସମସ୍ତ ପାର୍ଥିବ କର୍ମକୁ ତ୍ୟାଗ କରିବାକୁ ପଡୁଥିଲା। ମାତ୍ର ସ୍ବାମିଜୀ ସନ୍ନ୍ୟାସ ସହ କର୍ମଯୋଗର ଅପୂର୍ବ ସମନ୍ବୟ କରିଥିଲେ। ଗୀତାରେ ଅର୍ଜୁନ ଭଗବାନଙ୍କୁ ପଚାରିଲେ, ”ଆପଣ କେତେବେଳେ କର୍ମ ସନ୍ନ୍ୟାସର ତ ଆଉ କେତେବେଳେ କର୍ମଯୋଗର ପ୍ରଶଂସା କରିଛନ୍ତି। ପ୍ରକୃତରେ କ’ଣ ଶ୍ରେଷ୍ଠ?“ ଭଗବାନ ଉତ୍ତର ଦେଇଥିଲେ, କର୍ମ ସନ୍ନ୍ୟାସଠାରୁ କର୍ମଯୋଗ ଶ୍ରେଷ୍ଠ। ବିବେକାନନ୍ଦ ଏହି ଦୁଇ ଯୋଗର ଏକ ଅପୂର୍ବ ସମନ୍ବୟ କରି ପ୍ରମାଣ କରିଦେଲେ ଯେ ଜଣେ କର୍ମଯୋଗୀ ବି ସନ୍ନ୍ୟାସୀ ହୋଇପାରେ ଓ ଜଣେ ସନ୍ନ୍ୟାସୀ ବି କର୍ମଯୋଗୀ ହୋଇପାରେ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ- ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri