ବିଧିବିଧାନ ବନାମ ବିଧିରକ୍ଷା

ଯଦୁମଣି ପାଣିଗ୍ରାହୀ

ଗବାନଙ୍କର ଏ ବିଶାଳ ସୃଷ୍ଟି ଯେମିତି ବିଚିତ୍ର ଓ ରହସ୍ୟମୟ ଠିକ୍‌ ସେମିତି ଏ ସୃଷ୍ଟିକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁପରିଚାଳନା କରିବା ନିମନ୍ତେ ତାଙ୍କ ପ୍ରଣିତ ଓ ନିର୍ଦ୍ଧାରିତ ବିଧିବିଧାନ ବା ନୀତିନିୟମଗୁଡିକ ମାନବ ସମାଜ ଲାଗି ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଏହି ପ୍ରାକୃତିକ ନୀତିନିୟମଗୁଡିକ କେଉଁ ଅନାଦି କାଳରୁ ଆଜି ଯାଏ ନିରନ୍ତର ଭାବେ କାର୍ଯ୍ୟକାରୀ ହୋଇ ଆସୁଛି। ଏହାକୁ ବଦଳାଇବାର ସାଧ୍ୟ କାହାର ନାହିଁ। ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତ ପ୍ରକୃତିର ଏହି ବିଧାନ ଅନୁସାରେ ଚାଲିଛି। ତେବେ ବୁଦ୍ଧି, ବିବେକ ଓ ଜ୍ଞାନର ଅଧିକାରୀ ଭାବେ ସକଳ ପ୍ରାଣୀଜଗତ ମଧ୍ୟରେ ଶ୍ରେଷ୍ଠତାର ଆଖ୍ୟା ପାଇଥିବା ମନୁଷ୍ୟ ଆଜି ପ୍ରକୃତିର ସମସ୍ତ ନୀତି ନିୟମକୁ ନଷ୍ଟ କରିବାରେ ଲାଗିଛି। ପ୍ରକୃତି ତଥା ପରିବେଶ ସ୍ବଚ୍ଛ ଓ ସୁରକ୍ଷିତ ରହିଲେ ସିନା ଯାଇ ଜୀବଜଗତ ତିଷ୍ଠି ରହିବ, ଏକଥାକୁ ସେ ଭୁଲିଯାଇ କେବଳ ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଉଛି। ପରିବେଶ ସୁରକ୍ଷା ନାଁରେ ଯେତେସବୁ କାର୍ଯ୍ୟକ୍ରମ କରାଯାଉଛି ତାହା କେବଳ ବିଧିରକ୍ଷାରେ ସୀମିତ ରହୁଛି। ଫଳରେ ପରିବେଶ ପ୍ରଦୂଷଣ ବଢି ଚାଲିଛି।
ଶିଳ୍ପ ପ୍ରତିଷ୍ଠା, ଖଣି ଖନନ, ରାସ୍ତା ନିର୍ମାଣ ଓ ସହରୀକରଣ ଆଦି ଆଳରେ ନିରନ୍ତର ବୃକ୍ଷ କଟାଯାଉଛି। ଯେଉଁଥିପାଇଁ ବନ୍ୟ ଜୀବଜନ୍ତୁ ବାସସ୍ଥାନ ହରାଇ ଜନବସତିମୁହଁା ହେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ବୃକ୍ଷରୋପଣ ନାଁରେ କେବଳ ବିଧି ରକ୍ଷା କରାଯାଉଛି ସିନା ହେଲେ ଜଙ୍ଗଲରୁ ବୃକ୍ଷ ସଂଖ୍ୟା ଦିନକୁଦିନ ବିଲୋପ ହେବାରେ ଲାଗିଛି। ଏପଟେ ନଦୀକୁ ଦୂଷିତ ଜଳ ଓ ବାୟୁମଣ୍ଡଳକୁ ଦୂଷିତ ବାଷ୍ପ ଛଡାଯାଉଛି। ସେପଟେ ନଦୀ ଜଳ ସୁରକ୍ଷାଠାରୁ ପୁଣି ବାୟୁ ପ୍ରଦୂଷଣ ରୋକିବାର ପ୍ରୟାସ ସବୁକିଛି ଖାଲି ଯାହା ବିଧିରକ୍ଷାରେ ସୀମିତ ରହୁଛି। ଭବିଷ୍ୟତର ପରିଣାମ କଥା ଚିନ୍ତା ନ କରି ମଣିଷ କେବଳ ନିଜର ସୁଖ ସୁବିଧା ହାସଲ କରିବାକୁ ଯାଇ ପରିବେଶ ଉପରେ ଅହରହ ଅତ୍ୟାଚାର କରିବାରେ ଲାଗିଛି। ନିଜ ଗୋଡରେ ନିଜେ କୁରାଢି ମାରିବା ଭଳି ଆଜି ବିପଦକୁ ପାଖକୁ ଡାକି ଆଣୁଛି । ଆଜି ଯେତେ ଯାହା ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟମାନ ଘଟୁଛି ସେସବୁ କେବଳ ମନୁଷ୍ୟର ଓଦ୍ଧତ୍ୟ ଓ ଅହଙ୍କାରର ପରିଣାମ। ପ୍ରକୃତିର ବିଧିବିଧାନ ବା ନୀତିନିୟମକୁ ପାଳନ କରିବାର ନିଷ୍ଠା ଓ ଆନ୍ତରିକତା ଯେତେଦିନ ଯାଏ ମଣିଷ ଭିତରେ ସୃଷ୍ଟି ନ ହୋଇଛି, ସେତେଦିନ ଯାଏ ମଣିଷକୁ ଏମିତି ପ୍ରକୃତିର ଦଣ୍ଡ ଭୋଗିବାକୁ ହେଉଥିବ। ଅନ୍ୟପକ୍ଷେ ମଣିଷର ବ୍ୟକ୍ତିଗତ ଓ ପାରିବାରିକ ସର୍ବୋପରି ସାମାଜିକ ଜୀବନକୁ ସରସ, ସୁନ୍ଦର, ଶୃଙ୍ଖଳିତ କରିବା ଲାଗି ମୁନିଋଷି ଓ ମହାପୁରୁଷଗଣ ଅନେକ ବିଧିବିଧାନ ପ୍ରଣୟନ କରିଯାଇଛନ୍ତି। ବେଦ ବେଦାନ୍ତ, କର୍ମକାଣ୍ଡ, ପୁରାଣଶାସ୍ତ୍ର ଓ କାବ୍ୟକବିତା ପୁସ୍ତକାଦିରେ ସେମାନେ ଉକ୍ତ ବିଧିବିଧାନ ସମ୍ପର୍କରେ ଉଲ୍ଲେଖ କରିଯାଇଛନ୍ତି। ହେଲେ ସେସବୁ ଆଜି ମଣିଷ ପାଇଁ ନିରର୍ଥକ ଓ ଅଦରକାରୀ ସାବ୍ୟସ୍ତ ହୋଇଛି।
ଆଜି ଯେତେ ସବୁ ଧାର୍ମିକ ଅନୁଷ୍ଠାନ, ଓଷାବ୍ରତ, ଯାଗଯଜ୍ଞ, ଦେବଦେବୀ ପୂଜା ଓ ବିବାହବ୍ରତାଦିମାନ ପାଳନ କରାଯାଉଛି ସେସବୁରେ ନିଷ୍ଠା, ଭକ୍ତି ଓ ବିଶ୍ୱାସ ଅପେକ୍ଷା ତାମସିକତାର ଭାବ ବାରିହୋଇ ପଡୁଛି। ଆଗ୍ରହ ନାହିଁ କି ଆନ୍ତରିକତା ନାହିଁ। କେବଳ ବିଧିରକ୍ଷା ଲାଗି ମଣିଷ ଯେମିତି ଏସବୁ ନିହାତି ବାଧ୍ୟବାଧକତାରେ କରୁଛି। ବେଦ, କର୍ମକାଣ୍ଡ ଓ ପୁରାଣ ଶାସ୍ତ୍ରାଦିରେ ଉଲ୍ଲିଖିତ ନୀତିନିୟମକୁ ଉପେକ୍ଷା କରିବାର କୁପରିଣାମ ମଣିଷକୁ ଭୋଗିବାକୁ ପଡୁଛି, ଏକଥା ମଣିଷର ଚେତନାକୁ ଆସୁନାହିଁ।
ଆମ ସାମାଜିକ ଜୀବନକୁ ଶୃଙ୍ଖଳିତ, ସଂସ୍କାରିତ ଓ ସୁରକ୍ଷିତ କରିବା ଲାଗି ସରକାରୀ ସ୍ତରରେ ବିଭିନ୍ନ ବିଧିବିଧାନ ବା ନୀତିନିୟମମାନ ପ୍ରଣୟନ କରାଯାଇଛି। ତେବେ ଏହି ନୀତିନିୟମଗୁଡିକ ନାମକୁମାତ୍ର କାର୍ଯ୍ୟକାରୀ ହେଉଛି। ସରକାରୀ ବିଧିବିଧାନ ବା ନୀତିନିୟମକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଧିକାରୀମାନେ କେବଳ ବିଧିରକ୍ଷାରେ ସେମାନଙ୍କ କର୍ତ୍ତବ୍ୟ ଶେଷ କରୁଛନ୍ତି। ଆଜିକାଲି ଆମ ସମାଜରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ନିରାକରଣ ନେଇ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ବାସ୍ତବରେ ଏଥିରୁ କୌଣସି ସୁଫଳ ମିଳୁନି। ସେହିପରି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ସରକାରୀ ବାବୁମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ହେଲେ ବାବୁମାନେ ଅଫିସ ପରିସରରେ ବ୍ୟାନର ଟାଙ୍ଗି ଆଉ ଫଟୋ ଉଠାଇ ସେମାନଙ୍କ କର୍ତ୍ତବ୍ୟ ସମାପନ କରୁଛନ୍ତି। ଠିକ୍‌ ସେମିତି ଲୋକଙ୍କ ଅସୁବିଧା ଓ ଅଭିଯୋଗ ଶୁଣିବାକୁ ବ୍ଲକ ଓ ଜିଲାସ୍ତରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ହେଲେ ସେସବୁ କେବଳ ବିଧିରକ୍ଷାରେ ସୀମିତ ରହୁଥିବାରୁ ବର୍ଷ ବର୍ଷ ଧରି ଅପେକ୍ଷା ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି। ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନମାନଙ୍କରେ ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଦିବସ ପାଳନ ସର୍ବୋପରି ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ବଳିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡିକ ପାଳନ ବି କେବଳ ବିଧିରକ୍ଷାରେ ସୀମିତ ରହୁଛି। ଛାତ୍ରୀଛାତ୍ରମାନେ ଏସବୁ ବିଷୟରେ କିଛି ଜାଣିବାର ସୁଯୋଗ ପାଉନାହାନ୍ତି। ବିଧିବିଧାନ ବା ନୀତିନିୟମକୁ ବେଖାତିର କରିବା ଆଜିକାଲି ଆମ ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ଯେମିତି। ଏହାର ଗୁରୁତ୍ୱ ଓ ଉପକାରିତାକୁ ଉଭୟ ପଦାଧିକାରୀ ଓ ସାଧାରଣ ଲୋକେ ହୃଦୟଙ୍ଗମ କରିବା ପରିବର୍ତ୍ତେ କେବଳ ବିଧିରକ୍ଷାରେ ନିଜକୁ ସୀମିତ ରଖି ନିଜର ଦୂରଦୃଷ୍ଟିହୀନତା ଓ ଅପରିଣାମଦର୍ଶିତାର ପରିଚୟ ଦେବା ଉଚିତ ନୁହେଁ। ତା’ ନ ହେଲେ ଦୈନନ୍ଦିନ ଜୀବନରେ ଆମକୁ ଏମିତି ବିଭିନ୍ନ ସାମାଜିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ।
ଶଂଖିଡା, ତିହିଡି, ଭଦ୍ରକ
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri