ବିଚକ୍ଷଣ ଜନନାୟକ

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୬ତମ ପୁଣ୍ୟ ତିଥି। ଇତି ମଧ୍ୟରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ପ୍ରାୟ ୮୩ ବର୍ଷ ଅତିକ୍ରାନ୍ତ ହେଲାଣି। ସମଗ୍ର ପୂର୍ବଭାରତରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି। ଏପରି ଅନେକ କିଛି ଘଟଣା ଘଟିଯାଇଛି। କିନ୍ତୁ ଏକଥା ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ କାୟମନୋବାକ୍ୟରେ ନିଜକୁ ହଜାଇ ଦେଇଥିବା ମଧୁବାବୁଙ୍କର ଅନେକ ସ୍ବପ୍ନ ଅଧୁରା ହୋଇ ରହିଯାଇଛି। ଷଢ଼େଇକଳା-ଖରସୁଅଁା, ମେଦିନୀପୁର, ବାଙ୍କୁଡ଼ା, ସିଂହଭୂମି, ଚକ୍ରଧରପୁର ଇତ୍ୟାଦି ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏବେ ବିଚ୍ଛାନ୍ନାଞ୍ଚଳ ହୋଇ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚିନ୍ତାମଣି ଆଚାର୍ଯ୍ୟ କହନ୍ତି- ”ମୁଁ କଲିକତାରେ ଆଇନ କଲେଜରେ ପଢ଼ିଲା ବେଳେ ସମୟେ ସମୟେ ସାର୍‌ ଆଶୁତୋଷ ମୁଖୋପାଧ୍ୟାୟଙ୍କ ଘରକୁ ଯାଉଥିଲି। ଆଇନ କଲେଜ ଛାତ୍ରଙ୍କ ପାଇଁ ସାର୍‌ ଆଶୁତୋଷଙ୍କ ଦ୍ୱାର ଉନ୍ମୁକ୍ତ ଥିଲା। ଯଦି ଜାଣୁଥିଲେ କୌଣସି ଛାତ୍ର ଓଡ଼ିଶାରୁ ମଧୁବାବୁଙ୍କ ପ୍ରଦେଶରୁ ଆସି ଆଇନ କଲେଜରେ ପଢ଼ୁଛନ୍ତି, ତେବେ ସେ ନାନା କୌତୂହଳମୟ ପ୍ରଶ୍ନ କରୁଥିଲେ। ସାର୍‌ ଆଶୁତୋଷ ଦିନେ ମତେ ପଚାରିଲେ ତୁମେ କେଉଁଠାରେ ଓକିଲାତି କରିବ? ଯେତେବେଳେ ସେ ଶୁଣିଲେ ମୁଁ କଟକରେ ଓକିଲାତି କରିବି, ମୋତେ ଉପଦେଶ ଛଳରେ କହିଲେ ତା’ ହେଲେ ମୋର ଗୁରୁଦେବ ମଧୁସୂଦନ ଦାସଙ୍କ ପାଖରେ ସହକାରୀ ହୋଇ କାମ ଶିଖିବ।“ ତାଙ୍କ ଉପଦେଶ ମାନି ଚିନ୍ତାମଣି ଆଚାର୍ଯ୍ୟ ମଧୁବାବୁଙ୍କର ଜୁନିୟର ଥିଲେ। ପ୍ରାଚୀନ କାଳରେ ଗୁରୁ ଗୃହରେ ଛାତ୍ର ରହି ଶିକ୍ଷା କଲାପରି ମଧୁବାବୁ ଛାତ୍ରର ନିଷ୍ଠା ପରୀକ୍ଷା କରୁଥିଲେ। ସାମାନ୍ୟ କୌଣସି କଥାରେ ଗୋଟିଏ ଭୁଲ୍‌ ଭ୍ରାନ୍ତି ଘଟିଗଲେ ଆଉ ରକ୍ଷା ମିଳେ ନାହିଁ। ଖୁବ୍‌ ଗାଳିଦିଅନ୍ତି। କିନ୍ତୁ ଉଦାର ହୃଦୟର ମଧୁବାବୁ ତହିଁ ପରଦିନ ଜୁନିୟର ଘରେ ପ୍ରତ୍ୟୁଷରୁ ହାଜର ହୁଅନ୍ତି ଏବଂ କୁହନ୍ତି କାଲି ତତେ ଗୁଡ଼ାଏ ଗାଳିଦେଲି, ତୋର ମନରେ ଭାରି କଷ୍ଟ ହୋଇଥିବ। ମୁଁ ଯାହାଙ୍କୁ ବେଶି ସ୍ନେହକରେ, ତାଙ୍କର ସାମାନ୍ୟ ଦୋଷ ଦେଖିପାରେ ନାହିଁ। ସେ ଏପରି କଥା ସ୍ନେହପୂର୍ଣ୍ଣ ଭାଷାରେ କହନ୍ତି ଯେ, ମନରୁ ସମସ୍ତ ଦୁଃଖ, ଅଭିମାନ ଓ ରାଗ ସାଙ୍ଗେ ସାଙ୍ଗେ କୁଆଡ଼େ ଉଭେଇଯାଏ।
ଚିନ୍ତା, ଚେତନା ତଥା ଆଭିମୁଖ୍ୟ ଦୃଷ୍ଟିରୁ ସେ ମହାତ୍ମା ଗାନ୍ଧୀଙ୍କଠାରୁ ଆଗୁଆ ଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଗ୍ରାମୋଦ୍ୟୋଗ ସଂଘ ପ୍ରତିଷ୍ଠା ହେବା ପୂର୍ବରୁ ମଧୁସୂଦନ ଗ୍ରାମ୍ୟ ଶିଳ୍ପର ବିକାଶ କାର୍ଯ୍ୟ ହାତକୁ ନେଇଥିଲେ। ୧୯୦୫ରେ ଲୋକମାନଙ୍କ ବିନା ଅର୍ଥ ବ୍ୟୟରେ ମଧୁସୂଦନ କଟକଠାରେ ଲୁଗାବୁଣା ଶିକ୍ଷାର ବନ୍ଦୋବସ୍ତ କରିଥିଲେ। ସେହିପରି ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ସେ ଲୁଣମରା ଅଭିଯାନ ଉପରେ ନିଜର ମତବ୍ୟକ୍ତ କରିଥିଲେ। ପରିସ୍ଥିତି ଚାପରେ ପଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଧର୍ମୀୟ ସଂକୀର୍ଣ୍ଣତାରୁ ସେ ଊର୍ଦ୍ଧ୍ୱରେ ଥିଲେ। ତା’ ନ ହୋଇଥିଲେ ଇଂରେଜ ଶାସନ କବଳରୁ ପୁରୀର ଶ୍ରୀମନ୍ଦିରକୁ ଉଦ୍ଧାର କରି ଗଜପତି ମହାରାଜାଙ୍କ ପରିବାର ହାତରେ ମନ୍ଦିରର ପ୍ରଶାସନିକ ଦାୟିତ୍ୱ ପୁନଃଅର୍ପଣ କରିବା ପାଇଁ ସେ ମୋକଦ୍ଦମା ଲଢ଼ି ନ ଥାନ୍ତେ।
ବି.ଏ. ପଢ଼ିବାବେଳେ ଗୋଟିଏ ଘଟଣା ତାଙ୍କୁ ଲୋକଲୋଚନକୁ ଆଣିଥିଲା। ସଂସ୍କୃତ ପରୀକ୍ଷାରେ ଉତ୍ତର ଦେବନାଗରୀ ନଚେତ୍‌ ନିଜ ମାତୃଭାଷା ଲିପିରେ ଲେଖିବାକୁ କଲିକତା ବିଶ୍ୱବିଦ୍ୟାଳୟର ନିୟମ ଥିଲେ ମଧ୍ୟ ସେତେବେଳେ ସଂସ୍କୃତ ପରୀକ୍ଷା ନିରୀକ୍ଷକ କେବଳ ବଙ୍ଗଳା ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣି ନ ଥିବାରୁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଲେଖିବାକୁ ଅନୁମତି ମିଳୁ ନ ଥିଲା। ମଧୁସୂଦନ ସଂସ୍କୃତ ପରୀକ୍ଷାରେ ଓଡ଼ିଆ ଲିପିରେ ଉତ୍ତର ଲେଖିବେ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଜଣାଇଲେ। ମାତ୍ର ଏହି ଦାବି ଅଗ୍ରାହ୍ୟ ହୋଇଗଲା। ପରିଶେଷରେ ମଧୁବାବୁ ବଙ୍ଗ ବିହାର ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ନର ସାର୍‌ ୱିଲିୟମ ଗ୍ରେଙ୍କ ନିକଟକୁ ଏକ ଆବେଦନପତ୍ର ପଠାଇ ଜଣାଇଲେ ଯେ, ବହୁ ଭାଷାଭାଷୀ ଅଞ୍ଚଳକୁ ନେଇ କଲିକତା ବିଶ୍ୱବିଦ୍ୟାଳୟ ଗଠିତ ହୋଇଥିବାରୁ ସବୁଭାଷାର ଜନନୀ ଭାବେ ବିଚାର କରାଯାଉଥିବା ସଂସ୍କୃତ ପରୀକ୍ଷାର ଉତ୍ତର ମଧ୍ୟ ନିଜ ମାତୃଭାଷା ଲିପିରେ ଲେଖିବା ପାଇଁ ଅନୁମତି ଦିଆଯିବା ଉଚିତ। ମଧୁସୂଦନଙ୍କ ଅକାଟ୍ୟ ଯୁକ୍ତି ଆଗରେ ଲ୍ୟୁଟନାଣ୍ଟ ଗଭର୍ନର ମୁଣ୍ଡ ନୁଅଁାଇଥିଲେ। ଏହା ସେତେବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା।
ମଧୁବାବୁଙ୍କର ସାକ୍ଷୀମାନଙ୍କୁ ଜେରା କରିବାର କୌଶଳ ଏବେ ମଧ୍ୟ ଓଡ଼ିଶାର ଓକିଲମାନଙ୍କ ମଧ୍ୟରେ ଆଲୋଚିତ ହେଉଥିବା ଶୁଣାଯାଏ। ସାକ୍ଷୀ ଯେତେ ଦମ୍ଭକରି ମିଛ କହିବାକୁ ଆସିଥିବ, ମଧୁବାବୁଙ୍କ ଆଗରେ ତା’ ପାଟିରୁ ସତକଥା ବାହାରିଯିବ। ମଧୁସୂଦନ ଦିନେ ଗୋଟିଏ ଦୋହରା ମୋକଦ୍ଦମାରେ ଜଜ୍‌ଙ୍କ ଅଦାଲତରେ ଜେରା କରୁଥାନ୍ତି। ମୋକଦ୍ଦମାଟିର ଘଟଣା ଥିଲା ଏହିପରି- ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପିଟାପିଟି ହୋଇ ଜଣେ ମୁସଲମାନ ମରିଯାଇଥାଏ। ମଧୁବାବୁ ପ୍ରମାଣ କରିବାକୁ ଚାହୁଁଥାନ୍ତି ଯେ, ମୁସଲମାନମାନେ ଆଗେ ହିନ୍ଦୁ ପକ୍ଷର ଲୋକଙ୍କୁ ମାରିବାରୁ ଆତ୍ମରକ୍ଷା ଉଦ୍ଦେଶ୍ୟରେ ହିନ୍ଦୁପକ୍ଷ ମୁସଲମାନଙ୍କୁ ମାରିଛନ୍ତି। ଜଣେ ମୁସଲମାନ ସାକ୍ଷୀ ଆସିଲେ। ଜମାନବନ୍ଦୀ ଦେଲେ, ଜେରା ବେଳେ ମଧୁବାବୁ ନବାବ ଜାତି, ଅମିର ଜାତି, ବାଦଶାହଙ୍କ ବଂଶଧର ଇତ୍ୟାଦି ଅନେକ କଥା କହି ପ୍ରଥମ କେଇ ମିନିଟ୍‌ରେ ଏପରି ଟେକିଦେଲେ ଯେ ବିଚରା ମୁସଲମାନ ଭଦ୍ରବ୍ୟକ୍ତି ଜଣକ ନିଜର ସ୍ଥିତି ଭୁଲିଯାଇ ନିଜକୁ ବାଦଶାହ ବୋଲି ମନେକଲେ। ସେତିକିବେଳେ ମଧୁବାବୁ କହିଲେ, ଏ କାଫେର ହିନ୍ଦୁ ଆପଣଙ୍କୁ ଶାଲା ବୋଲି ଗାଳିଦେଲା, ଆପଣ ବରଦାସ୍ତ କଲେ କିପରି? ସାକ୍ଷୀ ସଙ୍ଗେ ସଙ୍ଗେ କହିଲା, ବରଦାସ୍ତ କାହିଁକି କରନ୍ତି, ମୁଁ ସଙ୍ଗେ ସଙ୍ଗେ ଲାଠିରେ ମାଡ଼ ଲଗାଇଲି। ମଧୁବାବୁ ଯେଉଁ ଉତ୍ତର ପାଇବାକୁ ଚାହୁଁଥିଲେ, କୌଶଳରେ ସେସବୁ ଉତ୍ତର ସାକ୍ଷୀ ମୁହଁରୁ ପାଇଗଲେ।
ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri