ବିକୃତ ମାନସିକତାର ପ୍ରତିଫଳନ

ବୈକୁଣ୍ଠନାଥ ମିଶ୍ର
ଯୁଗେ ଯୁଗେ ସମାଜରେ ଏପରି କିଛି ବ୍ୟକ୍ତିତ୍ୱ ଦୃଶ୍ୟ ହୁଅନ୍ତି, ଯେଉଁମାନଙ୍କର କାର୍ଯ୍ୟକଳାପ ସୂଚାଇଦିଏ ସେମାନେ କେତେ ବିକୃତ ମସ୍ତିଷ୍କଧାରୀ ଓ ନୀଚ ମାନସିକତାର ପରିଚାୟକ। ଅବଶ୍ୟ ଏଥିପାଇଁ ଅନେକ କାରଣ ଯଥା ପାରିପାର୍ଶ୍ୱିକ ଅବସ୍ଥା, ନିଜ ମନ ମଧ୍ୟରେ ଜମାଟ ବାନ୍ଧିଥିବା ପୁଞ୍ଜୀଭୂତ ଅସନ୍ତୋଷ, ସାମାଜିକ ଜୀବନରେ ସ୍ନେହ-ସହାନୁଭୂତିର ଅଭାବ ଓ ସର୍ବୋପରି ଯୌନ ବିକାର ଇତ୍ୟାଦିକୁ ଦାୟୀ କରାଯାଇପାରେ। ଅନେକ ସମୟରେ ମଦ୍ୟପାନ ବ୍ୟକ୍ତିସତ୍ତାର ବିଲୋପ କରି ଅସ୍ବାଭାବିକ ଆଚରଣର ସୂତ୍ରପାତ କରିଥାଏ। ରକ୍ତପାତ, ହତ୍ୟାକାଣ୍ଡ ଯାହା ସାଧାରଣ ମଣିଷ ଦୃଷ୍ଟିରେ ଅପରାଧ, ଜଣେ ବିକୃତ ମସ୍ତିଷ୍କଧାରୀ ପକ୍ଷେ ଏହା ଅତ୍ୟନ୍ତ ସହଜ। ଏହା ଏକ ମାନସିକ ବ୍ୟାଧି, ଯାହା ନାରୀପୁରୁଷ ନିର୍ବିଶେଷରେ ସଞ୍ଚରିତ ହୋଇଥାଏ।
କେରଳର ସିରିୟଲ କିଲର ଜଲି (ପୂରାନାମ ଜଲି ଆମ୍ମା ଯୋଶେଫ୍‌)ର ଜୀବନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ତା’ର ସ୍ବାଭାବିକ ଆଚରଣ ତଳେ ଅପରାଧର ଦାବାନଳ ସୁପ୍ତ ଅବସ୍ଥାରେ ଥାଇ ସୁଯୋଗର ଅପେକ୍ଷାରେ ଥାଏ। ୧୪ ବର୍ଷ ମଧ୍ୟରେ ଛଅଜଣଙ୍କୁ ହତ୍ୟା କରିବାର ବିରଳ ଦୃଷ୍ଟାନ୍ତର ଅଧିକାରିଣୀ ସେ। ଅଚଳାଚଳ ସମ୍ପତ୍ତିର ମାଲିକ ହେବା ମୋହ ତାକୁ ହତ୍ୟାକାରୀ ରୂପେ ଦୁନିଆ ଦାଣ୍ଡରେ ଠିଆ କରାଇଛି। ତା’ର ପ୍ରଥମ ଶିକାର ଥିଲା ତା’ ପ୍ରଥମ ସ୍ବାମୀ ରୟ ଟମାସ। ମାତ୍ର ୧୪ ବର୍ଷ ବୟସରେ ରୟଙ୍କୁ ପ୍ରେମ ବିବାହ କରିଥିଲା ଜଲି। ସ୍ବାମୀଙ୍କ ମୃତ୍ୟୁ ପରେ ଆଇନତଃ ତାଙ୍କର ସମସ୍ତ ସମ୍ପତ୍ତି ଜଲିକୁ ପ୍ରାପ୍ତ ହେଲା। ଜଲିର ଦ୍ୱିତୀୟ ଶିକାର ଥିଲେ ତା’ର ଶାଶୁ ଆନ୍ନାମ୍ମା ଟମାସ। ଶାଶୁଙ୍କ ମୃତ୍ୟୁର ୬ ବର୍ଷ ପରେ ୨୦୦୮ ମସିହାରେ ସେ ହତ୍ୟାକଲା ତା’ର ଶ୍ୱଶୁର ଟମ୍‌ ଟମାସଙ୍କୁ। ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ରଚି ଚାଲିଥିଲେ ମଧ୍ୟ ସେ କେବେ କାହାର ସନ୍ଦେହ ପରିସରକୁ ଆସୁ ନ ଥିଲା। ତା’ର ସଲଜ୍ଜ ମୁଖମଣ୍ଡଳ ଓ ସରଳ ବ୍ୟବହାର ସନ୍ଦେହଠାରୁ ତାକୁ ବହୁଦୂରରେ ରଖିଥିଲା। ଏହାପରେ ଶିକାର ହେଲେ ତା’ର ଦେଢ଼ଶୁରଙ୍କ ଦୁଇ ନିଷ୍ପାପ ଶିଶୁ କନ୍ୟା ଓ ପୁତ୍ର। ଷଷ୍ଠ ଏବଂ ଶେଷରେ ସେ ହତ୍ୟା କଲା ତା’ର ଯାଆ ଶିଲିଙ୍କୁ। ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡର ସଫଳତା ତାକୁ ନୂତନ ହତ୍ୟାକାଣ୍ଡ ପାଇଁ ପ୍ରୋତ୍ସାହନ ଯୋଗାଉଥିଲା। ତେଣୁ ନ ଥିଲା ତା’ ମନରେ ଅନୁଶୋଚନା କିମ୍ବା ବ୍ୟବହାରରେ ଅସ୍ବାଭାବିକତା। ଉପରୋକ୍ତ ଛ’ଜଣଙ୍କୁ ହତ୍ୟା କଲା ପରେ ତା’ର କ୍ରୂର ନଜରକୁ ଆସିଥିଲେ ଦେଢ଼ଶୁର ରଜ୍ଜୋ ଟମାସ। ନିଜ ସୌନ୍ଦର୍ଯ୍ୟ ଓ ସରଳତା ବଳରେ ସେ ରଜ୍ଜୋଙ୍କ ହୃଦୟ ଜିଣିପାରିଲେ। ଦେଢ଼ଶୁର ହୋଇ ମଧ୍ୟ ସେ ଜଲି ପ୍ରତି ଆକୃଷ୍ଟ ହେଲେ ଓ ଦୁହେଁ ପରସ୍ପରକୁ ବିବାହ କଲେ। ରଜ୍ଜୋଙ୍କର ଆମେରିକାରେ ବ୍ୟବସାୟ ଥାଇ ସେ ଥିଲେ ପ୍ରଭୂତ ସମ୍ପତ୍ତିର ମାଲିକ। ବିବାହର ପ୍ରଥମ ରାତିରେ ଜଲିର ଧନପିପାସାର ସମ୍ୟକ୍‌ ସୂଚନା ରଜ୍ଜୋଙ୍କୁ ମିଳିଥିଲା। ସନ୍ଦେହ ହେବାରୁ ସେ ପୋଲିସରେ ଅଭିଯୋଗ କଲେ। ପୋଲିସ ତାକୁ ଗିରଫ କଲା ପରେ ସେ ଦୋଷ ସ୍ବୀକାର କରିଛି। ସବୁଠାରୁ ବଡ଼କଥା ହେଲା, ସମସ୍ତ ୬ଜଣଙ୍କୁ ରାତ୍ରି ଭୋଜନରେ ସାଏନାଇଡ୍‌ ପ୍ରୟୋଗ କରି ହତ୍ୟା କରାଯାଇଛି। ସମସ୍ତ ହତ୍ୟାକାଣ୍ଡରେ ଜଲିକୁ ସାହାଯ୍ୟ କରିଥିଲେ ତା’ର ଦୁଇ ପୁରୁଷ ବନ୍ଧୁ ଏମ୍‌.ଏସ୍‌. ମାଥ୍ୟୁ ଏବଂ ପ୍ରାଜି କୁମାର। ଜଲି ବର୍ତ୍ତମାନ ଅନ୍ଧକାର ଜେଲ୍‌ ପ୍ରକୋଷ୍ଠରେ ତା’ ଶେଷଦିନର ଅବଗଣନା କରୁଛି। ପୃଥିବୀର ୯୦ଭାଗ ହତ୍ୟାକାଣ୍ଡ ପୁରୁଷଙ୍କ ଦ୍ୱାରା ସଂଘଟିତ ହେଉଥିବା ବେଳେ ଜଲି ନିଶ୍ଚିତ ଏକ ବ୍ୟତିକ୍ରମ ଓ ବିରଳ ହତ୍ୟାକାରିଣୀ।
ଆମେରିକାର ଜଘନ୍ୟ ସିରିୟଲ କିଲର ଥିଲା ୭୯ ବର୍ଷ ବୟସ୍କ ସାମୁଏଲ ଲିଟିଲ୍‌। ୧୯୭୦ ମସିହାରେ ତା’ ହତ୍ୟାକାରୀ ଜୀବନର ଆରମ୍ଭ ହୋଇ ୨୦୦୫ ମସିହାରେ ଯବନିକା ପଡ଼ିଲା। ଏହି ୩୫ ବର୍ଷ ମଧ୍ୟରେ ସେ ହତ୍ୟା କରିଛି ୯୩ ଜଣଙ୍କୁ; ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା। ୨୦୦୫ରେ ସେ ପୋଲିସ ଦ୍ୱାରା ଗିରଫ ହୋଇ ନିଜ ଦୋଷ ସ୍ବୀକାର କରିଛି। ଇଚ୍ଛା କରିଥିଲେ ସେ ପୋଲିସକୁ ଭୁଆଁ ବୁଲାଇ ପାରିଥାନ୍ତା। କିନ୍ତୁ ବୟସାଧିକ୍ୟ ଯୋଗୁ ହେଉ ବା ଅନ୍ୟ କୌଣସି କାରଣରୁ ସେ ଅପରାଧୀ ଜୀବନର ପୂର୍ଣ୍ଣଚ୍ଛେଦ ଟାଣି ଏକପ୍ରକାର ଆତ୍ମସମର୍ପଣ କରିଥିଲା। ସେ ନିଜେ ନିଜ ଦୋଷ ସ୍ବୀକାର କଲାପରେ ତା’ ଜୀବନର ଅପଢ଼ା ଫର୍ଦ୍ଦ ଲୋକଲୋଚନକୁ ଆସିଥିଲା। ଅବଶିଷ୍ଟ ଜୀବନ ଯେ ତାକୁ ଜେଲର ଅନ୍ଧକାର ପ୍ରକୋଷ୍ଠରେ ଅତିବାହିତ କରିବାକୁ ହେବ କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ହେବ ଏହା ତାକୁ ଭଲଭାବେ ଜଣାଥିଲେ ମଧ୍ୟ ସେ ଦୋଷ ସ୍ବୀକାର କରିବାରେ କୁଣ୍ଠାବୋଧ କରିନାହିଁ। ବର୍ତ୍ତମାନ ତା’ର ବିଚାର ଚାଲୁ ରହିଛି। ୭୯ ବର୍ଷ ବୟସରେ ତା’ର ଶେଷ ତଥା ୯୩ତମ ଶିକାର ଥିଲା ମାତ୍ର ୧୪ ବର୍ଷର ଜଣେ ନାବାଳିକା। ତା’ ସହ ବଳାତ୍କାର ଉଦ୍ୟମ କରୁଥିବା ସମୟରେ ତା’ ତୁଣ୍ଡରୁ ‘ଡାଡ୍‌’ ଉଚ୍ଚାରଣ ସାମୁଏଲକୁ ବିଚଳିତ କରିଦେଇଥିଲା। ଚାହିଁଥିଲା ସେ ଝିଅଟିକୁ ବଞ୍ଚାଇବା ପାଇଁ, ମାତ୍ର ପରମୁହୂର୍ତ୍ତରେ ସେ ତାକୁ ହତ୍ୟାକଲା। ତା’ ସ୍ବୀକାରୋକ୍ତିରେ ସେ ସ୍ବୀକାର କରିଛି ଯେ, ହତ୍ୟା କରିବା ତା’ର ଏକ ସଉକ ଭିନ୍ନ ଅନ୍ୟ କିଛି ନୁହେଁ।
ସେହି ଆମେରିକାର ଆଉ ଜଣେ ସିରିୟଲ କିଲର ହେଲା ‘ଟେଡ୍‌ ବଣ୍ଡି’। ୧୯୭୪ରୁ ୧୯୭୮ ମାତ୍ର ୪ ବର୍ଷ ମଧ୍ୟରେ ସେ ହତ୍ୟା କରିଥିଲା ୩୦ ଜଣ ମହିଳାଙ୍କୁ। ସମସ୍ତଙ୍କ ସହ ସେ ଆଚରିଥିଲା ଯୌନ ଦୁଷ୍କର୍ମ। ଅବଶ୍ୟ ଏହି ୪ ବର୍ଷ ମଧ୍ୟରେ ସେ ଦୁଇଥର ଜେଲ ଯାଇଛି; କିନ୍ତୁ ପ୍ରମାଣ ଅଭାବରୁ ମୁକ୍ତି ପାଇଛି। ସଦା ହସ ହସ ପ୍ରଫୁଲ୍ଲମନା ବଣ୍ଡି ଯେ ଜଣେ ଜଘନ୍ୟ ହତ୍ୟାକାରୀ ଏ କଥା କେହି କେବେ ଭାବି ନ ଥିଲେ। ତା’ ଜୀବନୀ ଏକ ରହସ୍ୟମୟ କାହାଣୀ। ସେ ଥିଲା ଏକ ବୃଦ୍ଧ ଦମ୍ପତିଙ୍କ ପାଳିତ ପୁତ୍ର। ଶତଚେଷ୍ଟା ସତ୍ତ୍ୱେ ନା ସେ ଠାବ କରିପାରିଥିଲା ନିଜ ମାତାପିତାଙ୍କୁ ନା ଭେଦ କରିପାରିଥିଲା ନିଜ ଜନ୍ମ ରହସ୍ୟକୁ। ତା’ ମନୋରାଜ୍ୟରେ ବିପ୍ଳବର ଝଡ଼ ସୃଷ୍ଟି ହେଲା ଯେ, ଯେଉଁ ମା’ ପୁତ୍ରକୁ ଜନ୍ମ ଦେଇ ମାତୃତ୍ୱକୁ ସ୍ବୀକାର କରିପାରେନା, ସେ ମା’ ନୁହେଁ- ଜଣେ କଳଙ୍କିନୀ। ତା’ ମନରେ ସୃଷ୍ଟିହୁଏ ସମଗ୍ର ନାରୀ ଜାତି ପ୍ରତି ଅବିଶ୍ୱାସ। ତା’ ମତରେ ନାରୀ ପାପଲିପ୍ତ ହେବ; ଅଥଚ ପାପର ଫଳ ପ୍ରତି ତା’ର ଘୋର ଭୟ! ନାରୀ ଜାତି ପ୍ରତି ତା’ ମନରେ ଜନ୍ମନେଲା ଅସମ୍ମାନ ଓ ସଂଦେହର ଶତ ଉଦ୍‌ବେଳନ। ସୁନ୍ଦରୀ ଅବିବାହିତ ଝିଅଙ୍କୁ ନିଜ ପ୍ରେମଜାଲରେ ଫସାଇ ପାଶବିକ କାମନା ଚରିତାର୍ଥ ପରେ ହତ୍ୟା କରୁଥିଲା ସେମାନଙ୍କୁ ଅତି ନିର୍ମମ ଭାବରେ। ମହିଳାଙ୍କୁ ଯେତେ ଅଧିକ ଶାରୀରିକ କଷ୍ଟ ହେଉଥିଲା, ସେ ସେତେ ଅଧିକ ଉଲ୍ଲସିତ ହେଉଥିଲା। ସେମାନେ ମରିଗଲା ପରେ ସେମାନଙ୍କ ଦୁଃଖର ଅନ୍ତ ଘଟୁଥିଲା ସିନା ହେଲେ ବଣ୍ଡି ଲାଗିପଡୁଥିଲା ପରବର୍ତ୍ତୀ ଶିକାର ଅନ୍ବେଷଣରେ। ଶୈଶବରେ ବିଲେଇ କୁକୁରଙ୍କୁ ଶକ୍ତ ରଜ୍ଜୁରେ ବନ୍ଧନ କରି ନିର୍ମମ ପ୍ରହାର କରି ତାଙ୍କ ଦେହରୁ ରକ୍ତ ଝରାଇ ଆନନ୍ଦ ଉପଭୋଗ କରୁଥିଲା ବଣ୍ଡି।
ଯୁଦ୍ଧ କିମ୍ବା ସନ୍ତ୍ରାସବାଦୀ ଆକ୍ରମଣରେ ବହୁ ଲୋକ ମୃତ୍ୟୁବରଣ କରିବା ଆମେ ଜାଣୁ। କିନ୍ତୁ ନିଜ ଖିଆଲି ମନୋଭାବରେ ଏତେ ଲୋକଙ୍କୁ ହତ୍ୟା କରାଯିବା ନିଶ୍ଚିତ ଗୋଟିଏ ଗୋଟିଏ ବିରଳ ଘଟଣା। ଏତଦ୍‌ବ୍ୟତୀତ ଏକକ କି ଦ୍ୱୈତ ହତ୍ୟାକାଣ୍ଡ ପ୍ରାୟତଃ ସଂଘଟିତ ହେଉଛି। କିଛିଦିନ ତଳେ ଭୁବନେଶ୍ୱରରେ ଜଣେ ଡାକ୍ତର ନିଜ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଟିଫିନ ବାକ୍ସରେ ଭର୍ତ୍ତିକରି କାର୍‌ରେ ନେବାବେଳେ ଧରାପଡ଼ିଥିଲେ। ପୋଲିସକୁ ତାଙ୍କ ବୟାନ ହେଲା ଯେ, ସେ ପତ୍ନୀଙ୍କୁ ଅତି ଭଲପାଆନ୍ତି ଓ ତାଙ୍କ ସ୍ବାଭାବିକ ମୃତ୍ୟୁ ପରେ ତାଙ୍କ ଶରୀରକୁ ଗଙ୍ଗାରେ ବିସର୍ଜନ କରିବା ପାଇଁ ପରିବହନ ସୁବିଧା ଦୃଷ୍ଟିରୁ ଏପରି କରିଥିଲେ। କିନ୍ତୁ ତାଙ୍କ ନିଜ ପୁତ୍ରକନ୍ୟା ତାଙ୍କୁ ପତ୍ନୀହତ୍ୟା ଦୋଷର ଆରୋପ ଲଗାଇଥିଲେ।
ଏଠାରେ ପ୍ରଶ୍ନ ଉଠେ, ମଣିଷ ଏତେ ହିଂସ୍ର ହୁଏ କିପରି? ମନସ୍ତତ୍ତ୍ୱବିତ୍‌ଙ୍କ ମତରେ, ବ୍ୟକ୍ତି ମାନସିକ ସନ୍ତୁଳନ ହରାଇଲେ ନରହତ୍ୟା ତା’ ପାଇଁ ଏକ କ୍ରୀଡ଼ା ସଦୃଶ ହୋଇଯାଏ। ମଦ୍ୟପାନ ମାନସିକ ସନ୍ତୁଳନ ହରାଇବାର ଏକ ପ୍ରମୁଖ କାରଣ। ସୁସ୍ଥ ମସ୍ତିଷ୍କଧାରୀ ପକ୍ଷେ ନରହତ୍ୟା ସମ୍ଭବ ହୋଇ ନ ପାରେ। ଏତଦ୍‌ବ୍ୟତୀତ ଜୀବନର ପ୍ରାକ୍‌କାଳରେ ଘଟିଥିବା କୌଣସି ଦୁର୍ଘଟଣା ସେମାନଙ୍କ ଉତ୍ତର ଜୀବନରେ ଏକ ବୃହତ୍‌ ଆପରାଧିକ ମାନସିକତା ସୃଷ୍ଟି କରିବାରେ ସହାୟକ ହୋଇଥାଏ; ଯେପରି ଘଟିଥିଲା ଦସ୍ୟୁନାୟିକା ଫୁଲନ ଦେବୀ ଜୀବନରେ। ଏପରି ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ। ମାତ୍ର ସେମାନେ ତାଙ୍କ ବୁଦ୍ଧିକୁ କୌଣସି ସକାରାତ୍ମକ ଗଠନମୂଳକ କାର୍ଯ୍ୟରେ ପ୍ର୍ରୟୋଗ ନ କରି ଅପରାଧ ସୃଷ୍ଟି କରିବା ଓ ତହିଁରୁ ରକ୍ଷା ପାଇବା କୌଶଳ ଆପଣେଇବାରେ ବିନିଯୋଗ କରନ୍ତି। ସେମାନଙ୍କୁ କଠିନରୁ କଠିନତର ଦଣ୍ଡବିଧାନ କରାଯାଇ ସମାଜ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ତା’ହେଲେ ଅପରାଧ ଜଗତକୁ ପାଦ ବଢ଼ାଉଥିବା ବ୍ୟକ୍ତି ହୁଏତ ସଚେତନ ହୋଇପାରେ ଓ ତା’ ମନରେ ଭୀତି ସଞ୍ଚାର ହୋଇପାରେ। ଏପରି ନରରାକ୍ଷସମାନେ ସମାଜର କଳଙ୍କ। ମୃତ୍ୟୁଦଣ୍ଡ ଏମାନଙ୍କ ପାଇଁ ଏକମାତ୍ର ବିକଳ୍ପ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri