ବାତ୍ୟାପ୍ରବଣ ମାସ ଅକ୍ଟୋବର

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ
ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିଲା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି ହୁଏ। ଦେଶର ପୂର୍ବ ଉପକୂଳରେ ୧୨ଟି ଜିଲା ବାତ୍ୟାପ୍ରବଣ ହୋଇଥିଲା ବେଳେ ସେଥିରେ ଅଛି ଆମ ରାଜ୍ୟର ୪ଟି ଜିଲା-ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର। ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବାତ୍ୟା ହୁଏ ଓଡ଼ିଶାରେ। ୧୮୯୧ରୁ ୨୦୦୦ ମସିହା ମଧ୍ୟରେ ଆମ ରାଜ୍ୟରେ ୯୮ ଥର ବାତ୍ୟା ସଂଘଟିିତ ହୋଇଛି। ପୂର୍ବେ ବର୍ଷକୁ ହାରାହାରି ଗୋଟିଏରୁ କମ୍‌ ବାତ୍ୟା ହେଉଥିଲା ବେଳେ ଏବେ ବର୍ଷକୁ ଏକାଧିକ ଥର ଦେଖାଦେଲାଣି। ଗତ ଦୁଇ ଦଶନ୍ଧିର ବାତ୍ୟାକୁ ଅନୁଧ୍ୟାନ କଲେ ଜଣାଯାଏ, ସର୍ବାଧିକ ଥର ବାତ୍ୟା ଆସିଛି ଅକ୍ଟୋବର ମାସରେ। ଏପରିକି ଅନ୍ୟ ମାସରେ ବାତ୍ୟା ସଂଘଟିତ ହୋଇଥିଲେ ମଧ୍ୟ ସେ ବର୍ଷ ଅକ୍ଟୋବର ମାସରେ ମଧ୍ୟ ବାତ୍ୟା ଆସି ସେ ବର୍ଷ ରାଜ୍ୟରେ ଏକାଧିକ ବାତ୍ୟା ହୋଇଛି।
୧୯୯୯ ମେ ୧୮ରେ ଗଞ୍ଜାମ ଉପକୂଳରେ ଏକ ବାତ୍ୟା ହୋଇଥିଲେ ମଧ୍ୟ ସେ ବର୍ଷ ଅକ୍ଟୋବର ୨୯ରେ ରାଜ୍ୟକୁ ମାଡ଼ି ଆସିଥିଲା ଏକ ସୁପର ସାଇକ୍ଲୋନ ବା ମହାବାତ୍ୟା। ଏ ବାତ୍ୟା ଏତେ ଭୟଙ୍କର ଥିଲା ଯେ, ଜାତିସଂଘ ମହାସଚିବ କହିଥିଲେ, ଏ ବାତ୍ୟା ସେ ସମୟରେ ବିଶ୍ୱରେ ଏକ ବଡ଼ ବିପର୍ଯ୍ୟୟ ଥିଲା। ସମୁଦ୍ର ବକ୍ଷରେ ପ୍ରାୟ ୧୦ ମିଟର ଉଚ୍ଚର ଉତ୍ତାଳ ତରଙ୍ଗ ସୃଷ୍ଟି ହୋଇ ସ୍ଥଳଭାଗ ଆଡକୁ ୨୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରଜଳ ପ୍ରଖର ବେଗରେ ମାଡିଆସି ୧୦ ହଜାର ପର୍ଯ୍ୟନ୍ତ ଆବାଳବୃଦ୍ଧବନିତାଙ୍କୁ ସଲିଳସମାଧି ଦେଇଥିଲା। ୨୦୧୩ ଅକ୍ଟୋବର ୧୨ରେ ଗଞ୍ଜାମ ଓ ଗଜପତି ଜିଲାରେ ଆତଙ୍କ ଖେଳାଇ ଦେଇଥିଲା ବାତ୍ୟା ଫାଇଲିନ। ଏ ଫାଇଲିନ ବାତ୍ୟାର ବର୍ଷ ପୂର୍ତ୍ତି ପାଳନ ପାଇଁ ମାଡି ଆସିଥିଲା ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା ହୁଡ୍‌ହୁଡ୍‌। ସେହି ଅକ୍ଟୋବରରେ ସମୁଦ୍ର ବକ୍ଷରେ କେତେକ ଛୋଟ ବାତ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ସେ ସବୁ ଉପକୂଳ ଛୁଇଁବା ଆଗରୁ ସମୁଦ୍ରରେ ବିଲୁପ୍ତି ଲାଭ କରିଥିଲା। ୨୦୧୬ ମସିହା ଅକ୍ଟୋବରର ବାତ୍ୟା କ୍ୟାଣ୍ଟ ସାଙ୍ଗକୁ ସେ ବର୍ଷ ଆଉ ଦୁଇଟି ବାତ୍ୟା ଆସିଥିଲା। ୨୦୧୬ ମେ’ରେ ସୃଷ୍ଟି ହୋଇଥିଲା ବାତ୍ୟା ରୁଆନୁ ଓ ପରେ ଅକ୍ଟୋବର ୨୩ରେ ମାଡି ଆସିଥିଲା ବାତ୍ୟା କ୍ୟାଣ୍ଟ। ସେହିବର୍ଷ ଡିସେମ୍ବର ୯ରେ ସମୁଦ୍ରରେ ସୃଷ୍ଟି ହୋଇଥିଲା ବାତ୍ୟା ବର୍ଦା। ବାତ୍ୟା ବର୍ଦା ମହାବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଓ ଏହା ଲୋକଙ୍କ ମନରେ ଛାନିଆ ଖେଳାଇ ଦେଇଥିଲା। ସୌଭାଗ୍ୟକ୍ରମେ ତାହା ଡିସେମ୍ବର ୧୨ରେ ଆନ୍ଧ୍ର ଉପକୂଳ କାକିନାଡା ଛୁଇଁ ଓଡ଼ିଶା ମୁହାଁ ନ ହୋଇ ସେଆଡେ ସ୍ଥଳଭାଗରେ ମାଡ଼ି ଯାଇଥିଲା। ୨୦୧୮ ଅକ୍ଟୋବର ୧୧ରେ ଘଣ୍ଟାକୁ ୧୬୫ କିଲୋମିଟର ବେଗରେ ମାଡ଼ି ଆସିଥିଲା ବାତ୍ୟା ତିତ୍‌ଲି ଓ ଏହା ବ୍ୟାପକ ଭାବେ ଫସଲକୁ ଝାଡ଼ି ଦେଇଥିଲା। ତା’ ପୂର୍ବରୁ ସେହିବର୍ଷ ୨୦୧୮ ସେପ୍ଟେମ୍ବର ୨୨ରେ ବାତ୍ୟା ଡାଏ ପ୍ରହାବିତ ହୋଇ ଖୋର୍ଦ୍ଧା ଜିଲାର ୮୦ରୁ ଊର୍ଦ୍ଧ୍ୱ ଗୃହ ନଷ୍ଟ କରିଥିଲା। ସେହି ୨୦୧୮ ଡିସେମ୍ବର ୧୮ରେ ସୃଷ୍ଟି ହୋଇଥିଲା ବାତ୍ୟା ପେଥାଇ। ଏଠି ଲକ୍ଷ୍ୟ କରିବାର କଥା ୨୦୧୬ରେ ତିନୋଟି ଓ ୨୦୧୮ରେ ତିନୋଟି ବାତ୍ୟା ସଂଘଟିତ ହୋଇଥିଲେ ମଧ୍ୟ ସେ ଦୁଇବର୍ଷରେ ଅକ୍ଟୋବରରେ ସୃଷ୍ଟ ବାତ୍ୟା ଅଧିକ କ୍ଷତି ଘଟାଇଥିଲା। ଚଳିତ ୨୦୧୯ ମେ ୩ରେ ବାତ୍ୟା ଫନୀ ମାଡି ଆସି ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାରେ ବ୍ୟାପକ କ୍ଷତି ଘଟାଇଥିଲେ ମଧ୍ୟ ଅକ୍ଟୋବର ଓ ତତ୍‌ପରବର୍ତ୍ତୀ ମାସରେ ବାତ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଯେହେତୁ ରାଜ୍ୟରେ ସର୍ବାଧିକ ଥର ବାତ୍ୟା ଅକ୍ଟୋବର ମାସରେ ସୃଷ୍ଟି ହୁଏ, ଅକ୍ଟୋବର ମାସ ଆସିଲେ ରାଜ୍ୟ ସରକାର ଓ ଉପକୂଳ ଚାଷୀଙ୍କୁ ଘାରେ ବାତ୍ୟା ଭୟ। ଅକ୍ଟୋବର ବାତ୍ୟା ତା’ର କରାଳ ପଞ୍ଝା ମେଲାଇ ଉପକୂଳ ଧାନ ଫସଲକୁ ଗ୍ରାସ କରିଦିଏ। କାରଣ ସେ ସମୟରେ ଲଘୁଧାନ ପାଚି ଆସିଥାଏ। ଝଡ଼ ଧାନଗଛକୁ ଝାଡ଼ିଦିଏ ଓ କିଆରିରେ ପାଣିଜମି ଧାନକେନ୍ଦାକୁ ନଷ୍ଟ କରିଦିଏ। ସେ ସମୟରେ ଶାରଦ ଧାନ ଫସଲ ଫୁଲ ଉଡାଉଥାଏ ବା ହାଟ କରୁଥାଏ। ଧାନଗଛକୁ ଝଡ଼ ଝାଡ଼ିଦେଲେ ଧାନକେନ୍ଦା ଅଗାଡ଼ି ହୋଇଯାଏ। ଦୀପାବଳି ଅମାବାସ୍ୟା ପୂର୍ବରୁ ଯଦି ଉପକୂଳ ଚାଷୀଙ୍କୁ ତାଙ୍କ ଫସଲ କିପରି ହୋଇଛି ପଚରାଯାଏ, ତାଙ୍କ ପାଟିରୁ ହଠାତ୍‌ ଉତ୍ତର ଆସିବ-ପିମ୍ପେଇ ଅମାବାସ୍ୟା ଓ କାର୍ତ୍ତିକ ବୁଡ଼ି ପରା ଯାଇନି। ଦୀପାବଳି ଅମାବାସ୍ୟାକୁ ଉପକୂଳ ଅଞ୍ଚଳରେ କୁହନ୍ତି ପିମ୍ପେଇ ଅମାବାସ୍ୟା ଓ କାର୍ତ୍ତିକ ମାସ ବର୍ଷାରେ ଧାନ କିଆରି ବୁଡିଗଲେ ତାକୁ କହନ୍ତି କାର୍ତ୍ତିକ ବୁଡ଼ି। ସୁତରାଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝଡ଼ବାତ୍ୟାର ଭୟ ଥାଏ।
ଏଠି ମନରେ ପ୍ରଶ୍ନ ଉଙ୍କିମାରେ, ଅକ୍ଟୋବର ମାସରେ ସାମୁଦ୍ରିକ ଝଡ଼ ବା ବାତ୍ୟା ସୃଷ୍ଟି ହୁଏ କାହିଁକି। ସମୁଦ୍ର ବକ୍ଷରେ ଝଡ଼ ସୃଷ୍ଟି ପାଇଁ ସେଠାରେ କେତେଗୁଡିଏ ମେକାନିଜମ୍‌ ବା ପରିବେଶ ସୃଷ୍ଟି ହୁଏ। ସେଥିରୁ ଗୋଟିଏ ହେଲା ଯେତେବେଳେ ସ୍ଥଳଭାଗ ଅପେକ୍ଷା ଜଳଭାଗ ଅଧିକ ଉଷୁମ ଲାଗେ। ଆମେ ଅକ୍ଟୋବର ମାସରେ ଜଳାଶୟ ପାଖରେ ଠିଆ ହୋଇ ଗୋଡ଼କୁ ଜଳାଶୟରେ ବୁଡ଼ାଇଲେ ଅନୁଭବ କରିବା ସ୍ଥଳଭାଗ ଅପେକ୍ଷା ଜଳଭାଗ ଅଧିକ ଉଷୁମ ଲାଗୁଛି। ଶୀତ ଆରମ୍ଭ ହୁଏ ଅକ୍ଟୋବର ମାସରେ ଓ ଶେଷ ହୁଏ ମାର୍ଚ୍ଚ ମାସରେ। ତେଣୁ ଅକ୍ଟୋବର ଓ ମାର୍ଚ୍ଚରେ ଝଡ଼ ପାଇଁ ସମୁଦ୍ର ବକ୍ଷରେ ଅନୁକୂଳ ପରିବେଶ ସୃଷ୍ଟି ହୁଏ। ମାର୍ଚ୍ଚରେ ସମୁଦ୍ର ବକ୍ଷରେ ଯେଉଁ ଝଡ଼ ସୃଷ୍ଟି ହୁଏ, ତାକୁ ଗତିଶୀଳ କରି ପ୍ରବଳ ବେଗରେ ସ୍ଥଳଭାଗକୁ ନେବା ପାଇଁ ଅନ୍ୟ ମେକାନିଜମ୍‌ କ୍ୱଚିତ୍‌ ସୃଷ୍ଟି ହୁଏ। ଗତ ଶତାବ୍ଦୀରେ ବର୍ଷକୁ ହାରାହାରି ଗୋଟିଏରୁ କମ୍‌ ବାତ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ଗୋଟିଏ ଗୋଟିଏ ବର୍ଷରେ ୩ଟି ବାତ୍ୟା ସୃଷ୍ଟି ହେଲାଣି। ଏହାର କାରଣ ହେଲା ଦିନକୁ ଦିନ ଆମ ପରିବେଶ ପ୍ରଦୂଷଣ ବଢ଼ି ବଢ଼ି ବିଶ୍ୱ ତାପମାନକୁ ବୃଦ୍ଧି କରାଉଛି। ବାତ୍ୟା ଉତ୍ପନ୍ନରେ ଲଗାମ ଦେବାକୁ ଆମକୁ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେବ।
ପରିବେଶ ଇଞ୍ଜିନିୟରିଂ ବିଶେଷଜ୍ଞ, ଭୁବନେଶ୍ୱର, ମୋ-୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri