ବାତ୍ୟାପ୍ରବଣ ମାସ ଅକ୍ଟୋବର

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ
ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିଲା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି ହୁଏ। ଦେଶର ପୂର୍ବ ଉପକୂଳରେ ୧୨ଟି ଜିଲା ବାତ୍ୟାପ୍ରବଣ ହୋଇଥିଲା ବେଳେ ସେଥିରେ ଅଛି ଆମ ରାଜ୍ୟର ୪ଟି ଜିଲା-ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର। ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବାତ୍ୟା ହୁଏ ଓଡ଼ିଶାରେ। ୧୮୯୧ରୁ ୨୦୦୦ ମସିହା ମଧ୍ୟରେ ଆମ ରାଜ୍ୟରେ ୯୮ ଥର ବାତ୍ୟା ସଂଘଟିିତ ହୋଇଛି। ପୂର୍ବେ ବର୍ଷକୁ ହାରାହାରି ଗୋଟିଏରୁ କମ୍‌ ବାତ୍ୟା ହେଉଥିଲା ବେଳେ ଏବେ ବର୍ଷକୁ ଏକାଧିକ ଥର ଦେଖାଦେଲାଣି। ଗତ ଦୁଇ ଦଶନ୍ଧିର ବାତ୍ୟାକୁ ଅନୁଧ୍ୟାନ କଲେ ଜଣାଯାଏ, ସର୍ବାଧିକ ଥର ବାତ୍ୟା ଆସିଛି ଅକ୍ଟୋବର ମାସରେ। ଏପରିକି ଅନ୍ୟ ମାସରେ ବାତ୍ୟା ସଂଘଟିତ ହୋଇଥିଲେ ମଧ୍ୟ ସେ ବର୍ଷ ଅକ୍ଟୋବର ମାସରେ ମଧ୍ୟ ବାତ୍ୟା ଆସି ସେ ବର୍ଷ ରାଜ୍ୟରେ ଏକାଧିକ ବାତ୍ୟା ହୋଇଛି।
୧୯୯୯ ମେ ୧୮ରେ ଗଞ୍ଜାମ ଉପକୂଳରେ ଏକ ବାତ୍ୟା ହୋଇଥିଲେ ମଧ୍ୟ ସେ ବର୍ଷ ଅକ୍ଟୋବର ୨୯ରେ ରାଜ୍ୟକୁ ମାଡ଼ି ଆସିଥିଲା ଏକ ସୁପର ସାଇକ୍ଲୋନ ବା ମହାବାତ୍ୟା। ଏ ବାତ୍ୟା ଏତେ ଭୟଙ୍କର ଥିଲା ଯେ, ଜାତିସଂଘ ମହାସଚିବ କହିଥିଲେ, ଏ ବାତ୍ୟା ସେ ସମୟରେ ବିଶ୍ୱରେ ଏକ ବଡ଼ ବିପର୍ଯ୍ୟୟ ଥିଲା। ସମୁଦ୍ର ବକ୍ଷରେ ପ୍ରାୟ ୧୦ ମିଟର ଉଚ୍ଚର ଉତ୍ତାଳ ତରଙ୍ଗ ସୃଷ୍ଟି ହୋଇ ସ୍ଥଳଭାଗ ଆଡକୁ ୨୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ରଜଳ ପ୍ରଖର ବେଗରେ ମାଡିଆସି ୧୦ ହଜାର ପର୍ଯ୍ୟନ୍ତ ଆବାଳବୃଦ୍ଧବନିତାଙ୍କୁ ସଲିଳସମାଧି ଦେଇଥିଲା। ୨୦୧୩ ଅକ୍ଟୋବର ୧୨ରେ ଗଞ୍ଜାମ ଓ ଗଜପତି ଜିଲାରେ ଆତଙ୍କ ଖେଳାଇ ଦେଇଥିଲା ବାତ୍ୟା ଫାଇଲିନ। ଏ ଫାଇଲିନ ବାତ୍ୟାର ବର୍ଷ ପୂର୍ତ୍ତି ପାଳନ ପାଇଁ ମାଡି ଆସିଥିଲା ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା ହୁଡ୍‌ହୁଡ୍‌। ସେହି ଅକ୍ଟୋବରରେ ସମୁଦ୍ର ବକ୍ଷରେ କେତେକ ଛୋଟ ବାତ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ସେ ସବୁ ଉପକୂଳ ଛୁଇଁବା ଆଗରୁ ସମୁଦ୍ରରେ ବିଲୁପ୍ତି ଲାଭ କରିଥିଲା। ୨୦୧୬ ମସିହା ଅକ୍ଟୋବରର ବାତ୍ୟା କ୍ୟାଣ୍ଟ ସାଙ୍ଗକୁ ସେ ବର୍ଷ ଆଉ ଦୁଇଟି ବାତ୍ୟା ଆସିଥିଲା। ୨୦୧୬ ମେ’ରେ ସୃଷ୍ଟି ହୋଇଥିଲା ବାତ୍ୟା ରୁଆନୁ ଓ ପରେ ଅକ୍ଟୋବର ୨୩ରେ ମାଡି ଆସିଥିଲା ବାତ୍ୟା କ୍ୟାଣ୍ଟ। ସେହିବର୍ଷ ଡିସେମ୍ବର ୯ରେ ସମୁଦ୍ରରେ ସୃଷ୍ଟି ହୋଇଥିଲା ବାତ୍ୟା ବର୍ଦା। ବାତ୍ୟା ବର୍ଦା ମହାବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଓ ଏହା ଲୋକଙ୍କ ମନରେ ଛାନିଆ ଖେଳାଇ ଦେଇଥିଲା। ସୌଭାଗ୍ୟକ୍ରମେ ତାହା ଡିସେମ୍ବର ୧୨ରେ ଆନ୍ଧ୍ର ଉପକୂଳ କାକିନାଡା ଛୁଇଁ ଓଡ଼ିଶା ମୁହାଁ ନ ହୋଇ ସେଆଡେ ସ୍ଥଳଭାଗରେ ମାଡ଼ି ଯାଇଥିଲା। ୨୦୧୮ ଅକ୍ଟୋବର ୧୧ରେ ଘଣ୍ଟାକୁ ୧୬୫ କିଲୋମିଟର ବେଗରେ ମାଡ଼ି ଆସିଥିଲା ବାତ୍ୟା ତିତ୍‌ଲି ଓ ଏହା ବ୍ୟାପକ ଭାବେ ଫସଲକୁ ଝାଡ଼ି ଦେଇଥିଲା। ତା’ ପୂର୍ବରୁ ସେହିବର୍ଷ ୨୦୧୮ ସେପ୍ଟେମ୍ବର ୨୨ରେ ବାତ୍ୟା ଡାଏ ପ୍ରହାବିତ ହୋଇ ଖୋର୍ଦ୍ଧା ଜିଲାର ୮୦ରୁ ଊର୍ଦ୍ଧ୍ୱ ଗୃହ ନଷ୍ଟ କରିଥିଲା। ସେହି ୨୦୧୮ ଡିସେମ୍ବର ୧୮ରେ ସୃଷ୍ଟି ହୋଇଥିଲା ବାତ୍ୟା ପେଥାଇ। ଏଠି ଲକ୍ଷ୍ୟ କରିବାର କଥା ୨୦୧୬ରେ ତିନୋଟି ଓ ୨୦୧୮ରେ ତିନୋଟି ବାତ୍ୟା ସଂଘଟିତ ହୋଇଥିଲେ ମଧ୍ୟ ସେ ଦୁଇବର୍ଷରେ ଅକ୍ଟୋବରରେ ସୃଷ୍ଟ ବାତ୍ୟା ଅଧିକ କ୍ଷତି ଘଟାଇଥିଲା। ଚଳିତ ୨୦୧୯ ମେ ୩ରେ ବାତ୍ୟା ଫନୀ ମାଡି ଆସି ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାରେ ବ୍ୟାପକ କ୍ଷତି ଘଟାଇଥିଲେ ମଧ୍ୟ ଅକ୍ଟୋବର ଓ ତତ୍‌ପରବର୍ତ୍ତୀ ମାସରେ ବାତ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଯେହେତୁ ରାଜ୍ୟରେ ସର୍ବାଧିକ ଥର ବାତ୍ୟା ଅକ୍ଟୋବର ମାସରେ ସୃଷ୍ଟି ହୁଏ, ଅକ୍ଟୋବର ମାସ ଆସିଲେ ରାଜ୍ୟ ସରକାର ଓ ଉପକୂଳ ଚାଷୀଙ୍କୁ ଘାରେ ବାତ୍ୟା ଭୟ। ଅକ୍ଟୋବର ବାତ୍ୟା ତା’ର କରାଳ ପଞ୍ଝା ମେଲାଇ ଉପକୂଳ ଧାନ ଫସଲକୁ ଗ୍ରାସ କରିଦିଏ। କାରଣ ସେ ସମୟରେ ଲଘୁଧାନ ପାଚି ଆସିଥାଏ। ଝଡ଼ ଧାନଗଛକୁ ଝାଡ଼ିଦିଏ ଓ କିଆରିରେ ପାଣିଜମି ଧାନକେନ୍ଦାକୁ ନଷ୍ଟ କରିଦିଏ। ସେ ସମୟରେ ଶାରଦ ଧାନ ଫସଲ ଫୁଲ ଉଡାଉଥାଏ ବା ହାଟ କରୁଥାଏ। ଧାନଗଛକୁ ଝଡ଼ ଝାଡ଼ିଦେଲେ ଧାନକେନ୍ଦା ଅଗାଡ଼ି ହୋଇଯାଏ। ଦୀପାବଳି ଅମାବାସ୍ୟା ପୂର୍ବରୁ ଯଦି ଉପକୂଳ ଚାଷୀଙ୍କୁ ତାଙ୍କ ଫସଲ କିପରି ହୋଇଛି ପଚରାଯାଏ, ତାଙ୍କ ପାଟିରୁ ହଠାତ୍‌ ଉତ୍ତର ଆସିବ-ପିମ୍ପେଇ ଅମାବାସ୍ୟା ଓ କାର୍ତ୍ତିକ ବୁଡ଼ି ପରା ଯାଇନି। ଦୀପାବଳି ଅମାବାସ୍ୟାକୁ ଉପକୂଳ ଅଞ୍ଚଳରେ କୁହନ୍ତି ପିମ୍ପେଇ ଅମାବାସ୍ୟା ଓ କାର୍ତ୍ତିକ ମାସ ବର୍ଷାରେ ଧାନ କିଆରି ବୁଡିଗଲେ ତାକୁ କହନ୍ତି କାର୍ତ୍ତିକ ବୁଡ଼ି। ସୁତରାଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝଡ଼ବାତ୍ୟାର ଭୟ ଥାଏ।
ଏଠି ମନରେ ପ୍ରଶ୍ନ ଉଙ୍କିମାରେ, ଅକ୍ଟୋବର ମାସରେ ସାମୁଦ୍ରିକ ଝଡ଼ ବା ବାତ୍ୟା ସୃଷ୍ଟି ହୁଏ କାହିଁକି। ସମୁଦ୍ର ବକ୍ଷରେ ଝଡ଼ ସୃଷ୍ଟି ପାଇଁ ସେଠାରେ କେତେଗୁଡିଏ ମେକାନିଜମ୍‌ ବା ପରିବେଶ ସୃଷ୍ଟି ହୁଏ। ସେଥିରୁ ଗୋଟିଏ ହେଲା ଯେତେବେଳେ ସ୍ଥଳଭାଗ ଅପେକ୍ଷା ଜଳଭାଗ ଅଧିକ ଉଷୁମ ଲାଗେ। ଆମେ ଅକ୍ଟୋବର ମାସରେ ଜଳାଶୟ ପାଖରେ ଠିଆ ହୋଇ ଗୋଡ଼କୁ ଜଳାଶୟରେ ବୁଡ଼ାଇଲେ ଅନୁଭବ କରିବା ସ୍ଥଳଭାଗ ଅପେକ୍ଷା ଜଳଭାଗ ଅଧିକ ଉଷୁମ ଲାଗୁଛି। ଶୀତ ଆରମ୍ଭ ହୁଏ ଅକ୍ଟୋବର ମାସରେ ଓ ଶେଷ ହୁଏ ମାର୍ଚ୍ଚ ମାସରେ। ତେଣୁ ଅକ୍ଟୋବର ଓ ମାର୍ଚ୍ଚରେ ଝଡ଼ ପାଇଁ ସମୁଦ୍ର ବକ୍ଷରେ ଅନୁକୂଳ ପରିବେଶ ସୃଷ୍ଟି ହୁଏ। ମାର୍ଚ୍ଚରେ ସମୁଦ୍ର ବକ୍ଷରେ ଯେଉଁ ଝଡ଼ ସୃଷ୍ଟି ହୁଏ, ତାକୁ ଗତିଶୀଳ କରି ପ୍ରବଳ ବେଗରେ ସ୍ଥଳଭାଗକୁ ନେବା ପାଇଁ ଅନ୍ୟ ମେକାନିଜମ୍‌ କ୍ୱଚିତ୍‌ ସୃଷ୍ଟି ହୁଏ। ଗତ ଶତାବ୍ଦୀରେ ବର୍ଷକୁ ହାରାହାରି ଗୋଟିଏରୁ କମ୍‌ ବାତ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ଗୋଟିଏ ଗୋଟିଏ ବର୍ଷରେ ୩ଟି ବାତ୍ୟା ସୃଷ୍ଟି ହେଲାଣି। ଏହାର କାରଣ ହେଲା ଦିନକୁ ଦିନ ଆମ ପରିବେଶ ପ୍ରଦୂଷଣ ବଢ଼ି ବଢ଼ି ବିଶ୍ୱ ତାପମାନକୁ ବୃଦ୍ଧି କରାଉଛି। ବାତ୍ୟା ଉତ୍ପନ୍ନରେ ଲଗାମ ଦେବାକୁ ଆମକୁ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେବ।
ପରିବେଶ ଇଞ୍ଜିନିୟରିଂ ବିଶେଷଜ୍ଞ, ଭୁବନେଶ୍ୱର, ମୋ-୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri