ଜୀବନ ଜିଇବାର କଳା

ପ୍ରକାଶ ତ୍ରିପାଠୀ
ନାମ ଅସଲମ୍‌ ମଲ୍ଲିକ। ବୟସ ତିରିଶ ପାଖାପାଖି। ଘର କୋଲକାତା (ପଶ୍ଚିମବଙ୍ଗ)। ପେସା କାର୍ପେଣ୍ଟିଙ୍ଗ ଅର୍ଥାତ୍‌ ଇଣ୍ଟେରିୟର ଡିଜାଇନିଂ। ଅସଲମ୍‌ ସହ ମୋ ସମ୍ପର୍କ ମାତ୍ର ପନ୍ଦର ଦିନର। ଗତ ମାସରେ ଘରର କିଛି ଇଣ୍ଟେରିୟର କାମ ହେଉଥିଲା ବେଳେ ତା’ ସହିତ ମୋର କେଇ ମୁହୂର୍ତ୍ତର ମିଳାମିଶା ଓ ଭାବର ଆଦାନପ୍ରଦାନ। ସେଇ ସ୍ବଳ୍ପ ସମୟର ସମ୍ପର୍କ ଭିତରେ ମୁଁ ଯେମିତି ଆକର୍ଷିତ ହୋଇଯାଇଥିଲି ଏଇ ଅଳ୍ପବୟସ୍କ ମଣିଷର ବ୍ୟକ୍ତିତ୍ୱ ପ୍ରତି। ଏତେ ଅଳ୍ପ ବୟସର ହେଲେ ବି ଜଣେ ଅନୁଭବୀ ମଣିଷ ଭଳି କଥାବାର୍ତ୍ତା କରିଥିଲା ଅସଲମ୍‌। ତା’ର କର୍ମନିପୁଣତା, ସମୟାନୁବର୍ତ୍ତିତା, ନିଷ୍ଠାପରତା ଓ ସର୍ବୋପରି ସଚ୍ଚୋଟପଣିଆ ଯେ କୌଣସି ମଣିଷକୁ ପ୍ରଭାବିତ କରିବା ପାଇଁ ଯଥେଷ୍ଟ ଥିଲା। ଗୋଟିଏ ଛୁଟି ଦିନରେ ତା’ ସମ୍ପର୍କରେ ଜାଣିବା ପାଇଁ ମୋଠାରେ ସୃଷ୍ଟି ହୋଇଥିଲା ଅହେତୁକ ଆଗ୍ରହ ଓ ଯାହା ଜାଣିଲି ତାହା ହିଁ ଏହି ଆଲେଖ୍ୟର ବିଷୟବସ୍ତୁ।
କାର୍ପେଣ୍ଟିଙ୍ଗ କ୍ଷେତ୍ରରେ ଅସଲମ୍‌ ଦୀର୍ଘ ବାରବର୍ଷ ହେଲା କାମ କରିଆସୁଛି। ଅତି ଗରିବ ପରିବାରରେ ତା’ର ଜନ୍ମ। ଅଧିକ ପାଠ ନ ପଢ଼ି ରୋଜଗାର କରିବାକୁ ବାଧ୍ୟ ହୋଇଥିଲା ପିଲାଟି ଦିନରୁ। ନିଜର ଏକାଗ୍ରତା ଓ ନିଷ୍ଠାପରତା ଯୋଗୁ ଅଳ୍ପ କିଛି ଦିନରେ ସେ ଅନେକ କିଛି ଶିଖି ପାରିଥିଲା। ଉଚ୍ଚ ପାରିଶ୍ରମିକ ଓ ଉନ୍ନତ କାରିଗରି କୌଶଳ ଆୟତ୍ତ କରିବା ଲକ୍ଷ୍ୟରେ ଜଣେ ସମ୍ପର୍କୀୟଙ୍କ ପରାମର୍ଶରେ ଅସଲମ୍‌ ନିଜ ଜନ୍ମସ୍ଥାନ କୋଲକାତା ଛାଡ଼ି ସୁଦୂର ଚେନ୍ନାଇକୁ ବାଛିଥିଲା ନିଜ କର୍ମସ୍ଥଳୀ ଭାବେ। ଭାଷା, ଖାଦ୍ୟ ଓ ସାମାଜିକ ଚଳଣିରେ ଅନେକ ଫରକ ଥିବା ସତ୍ତ୍ୱେ ତା’ ସହ ଅସଲମ୍‌ ନିଜକୁ ଖାପ ଖୁଆଇଥିଲା। ସେ ଭଲଭାବେ ଜାଣିଥିଲା ଇଣ୍ଟେରିୟର ଡିଜାଇନିଂ କାମରେ ଦକ୍ଷତା ବୃଦ୍ଧି ହୁଏ ଭିନ୍ନ ଭିନ୍ନ ଡିଜାଇନରଙ୍କ ପାଖରେ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ଦ୍ୱାରା ଏବଂ ଏଥିରେ ସେ ସଫଳ ବି ହୋଇଥିଲା। ହୋଟେଲ, ବଙ୍ଗଳା, ବ୍ୟବସାୟିକ ଶୋ ରୁମ୍‌, ବ୍ୟାଙ୍କ ଆଦି ଭିନ୍ନ ଭିନ୍ନ ସ୍ଥାନରେ ଇଣ୍ଟେରିୟର କାମ କରି ଅନେକ ଅଭିଜ୍ଞତା ସେ ହାସଲ କଲା।
ପରିବାରଠାରୁ ବହୁ ଦୂରରେ ରହି ମଧ୍ୟ ଘରର ଋଣ ଭାର ହ୍ରାସ ତଥା ପରିବାରର ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ପାଇଁ ଅସଲମ୍‌ ଦିନରାତି ପରିଶ୍ରମ କରୁଥିଲା ଚେନ୍ନାଇରେ। ମାତ୍ର ଗୋଟିଏ ଘଟଣା ତାକୁ ବାଧ୍ୟ କରିଥିଲା ଚେନ୍ନାଇ ପରିତ୍ୟାଗ କରିବାକୁ। ସେ ଯେଉଁ କଣ୍ଟ୍ରାକ୍ଟର ଅଧୀନରେ କାମ କରୁଥିଲା ସେ ନିୟମିତ ତା’ ପ୍ରାପ୍ୟ ଦେଉ ନ ଥିଲା। ଏକ ଜରୁରୀ କାମରେ ଅସଲମ୍‌ ନିଜ ଘରକୁ ଆସିବାକୁ ଚାହିଁଲା ଓ ତା’ର ବକେୟା ପ୍ରାପ୍ୟ ଥିବା ପ୍ରାୟ ଏକ ଲକ୍ଷ ଟଙ୍କା ଦେବାକୁ କଣ୍ଟ୍ରାକ୍ଟରକୁ ଅନୁରୋଧ କଲା। ଆଜି ଦେବି, କାଲି ଦେବି କହି କଣ୍ଟ୍ରାକ୍ଟର ଦିନ ଗଡ଼ାଇଥିଲା। ଅସଲମ୍‌ ରହୁଥିବା ଭଡ଼ାଘରଠାରୁ କଣ୍ଟ୍ରାକ୍ଟରର ଅଫିସ୍‌ର ଦୂରତା ପ୍ରାୟ ଚାଳିଶ କିଲୋମିଟର। ଥରୁଟିଏ ଗଲେ ଅଟୋଭଡ଼ାରେ ଦେଢ଼ଶହ ଟଙ୍କା ଖର୍ଚ୍ଚହୁଏ। ଅନେକବାର ଦୌଡ଼ିବା ସତ୍ତ୍ୱେ କଣ୍ଟ୍ର୍‌ାକ୍ଟର ବକେୟା ପ୍ରାପ୍ୟ ଦେଇ ନ ଥିଲା। ଅସଲମ୍‌କୁ ଏ ପ୍ରସଙ୍ଗରେ ସାହାଯ୍ୟ କରିବାକୁ ଚେନ୍ନାଇରେ କେହି ନିଜର ଲୋକ ବି ନ ଥିଲେ। କଣ୍ଟ୍ରାକ୍ଟରର ଶଠତା ସ୍ପଷ୍ଟ ବାରି ହୋଇଯାଉଥିଲେ ବି ସରଳ ସ୍ବଭାବର ଅସଲମ୍‌ କଣ୍ଟ୍ରାକ୍ଟର ଉପରେ ନିଜର ପ୍ରାପ୍ୟ ପାଇଁ ଚାପ ପ୍ରୟୋଗ କରି ପାରୁ ନ ଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ ସବୁଦିନ ପାଇଁ ଚେନ୍ନାଇ ଛାଡ଼ିବାର ସିଦ୍ଧାନ୍ତ ନେଇଥିଲା ଅସଲମ୍‌। ଚେନ୍ନାଇ ପରିତ୍ୟାଗ ପରେ ଭୁବନେଶ୍ୱରକୁ ପରବର୍ତ୍ତୀ କର୍ମସ୍ଥଳ ଭାବେ ବାଛିଛି।
ତୁମର ସେହି ବକେୟା ପ୍ରାପ୍ୟ ଲକ୍ଷେ ଟଙ୍କାକୁ ନେଇ କେବେ ମନ ଦୁଃଖ ହୁଏନି? ମୋର ଏପରି ପ୍ରଶ୍ନରେ ସ୍ମିତ ହସଟିଏ ହସି ଜଣେ ଅଭିଜ୍ଞ ମଣିଷ ଭଳି ଉତ୍ତର ଦେଇଥିଲା ଅସଲମ୍‌- ”ମୁଁ ସେ ଟଙ୍କାର ସୁଧ ଓ ମୂଳ ପାଇ ସାରିଲିଣି।“ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, କେମିତି? ସେ ଆହୁରି ସହଜ ହୋଇ କହିଲା- ”ଆଜ୍ଞା! ମୁଁ ଚେନ୍ନାଇରେ ଥିଲା ବେଳେ ଦୁଇ ବା ତିନିମାସରେ ଥରେ ଘରକୁ ଆସୁଥିଲି। ସପ୍ତାହଟିଏ ଛୁଟି ନେଇ ଆସିଲେ ଚାରିଦିନ ଟ୍ରେନରେ ବିତିଯାଉଥିଲା। ନା ପରିବାର ପାଇଁ ଯଥେଷ୍ଟ ସମୟ ଦେଇପାରୁଥିଲି ନା ସାହିଭାଇରେ କାହା ସହ ମିଶି ପାରୁଥିଲି। ବହୁତ କଷ୍ଟ ଲାଗୁଥିଲା ମୋତେ। କେବଳ ଅର୍ଥ ଲାଳସାରେ ମୋତେ ଏସବୁରେ ବୁଝାମଣା କରିବାକୁ ପଡୁଥିଲା। ଆଲ୍ଲା ମୋ ଦୁଃଖ ବୁଝିପାରିଲେ। ଏବେ ମୁଁ ଭୁବନେଶ୍ୱରରେ ରହୁଛି। ରାତିରେ ଟ୍ରେନରେ ବସିଲେ ସକାଳେ ଘରେ ପହଞ୍ଚିଯାଉଛି। ଯେତେବେଳେ ଇଚ୍ଛା ସେତେବେଳେ ଯାଇ ଘର ଲୋକଙ୍କୁ ଦେଖିପାରୁଛି। ଘର ଲୋକଙ୍କ ସହ ମିଶିବା, ସେମାନଙ୍କ ପାଇଁ ସମୟ ଦେବାର ମୂଲ୍ୟ ଆଗରେ ସେ କଣ୍ଟ୍ରାକ୍ଟର ପାଖରେ ବୁଡ଼ିଯାଇଥିବା ଲକ୍ଷେ ଟଙ୍କାର ମୂଲ୍ୟ ତୁଚ୍ଛ।
ଜୀବନରେ ପଇସା ବଡ଼ ନୁହେଁ। ହସଖୁସିରେ ପରିବାର ସହ ସମୟ ବିତାଇବା ହିଁ ବଡ଼। ଯାହା ମୁଁ ଚେନ୍ନାଇରେ ପାଉ ନ ଥିଲି, ତାହା ମୁଁ ଆଜି ଭୁବନେଶ୍ୱରରେ ପାଉଛି। ଆଲ୍ଲାଙ୍କ କରୁଣାରୁ ଭୁବନେଶ୍ୱରରେ ବି କାମର ଅଭାବ ନାହିଁ। ଦୁଇ ସିଫ୍ଟରେ କାମ କରୁଛି। ଅଧିକ ରୋଜଗାର ବି ହେଉଛି। ପଶ୍ଚିମବଙ୍ଗ ଓ ଓଡ଼ିଶାର ଚାଲିଚଳଣ, ଖାଦ୍ୟପେୟ ଏପରି କି ଭାଷା ବି ପ୍ରାୟ ସମାନ। ନିଜ ଜନ୍ମସ୍ଥାନ ଭଳି ଲାଗୁଛି ଭୁବନେଶ୍ୱର। ଆପଣଙ୍କ ଭାଷାରେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯଦି ଚେନ୍ନାଇ କଣ୍ଟ୍ରାକ୍ଟର ମୋତେ ଠକି ନ ଥାନ୍ତା, ମୁଁ ହୁଏ ତ ଭୁବନେଶ୍ୱର ଆସି ନ ଥାନ୍ତି କି ଆଜିର ଦିନ ଭଳି ଏତେ ସୁବିଧାରେ ରହି ନ ଥାନ୍ତି।“ ପୁଣି ପଚାରିଲି ଅସଲମକୁ- ‘ଯେଉଁ କଣ୍ଟ୍ରାକ୍ଟର ତୁମର ଲକ୍ଷେ ଟଙ୍କା ଠକି ନେଲା, ତା’ ସମ୍ପର୍କରେ ତୁମର ପ୍ରତିକ୍ରିୟା କ’ଣ?’ ଅସଲମ୍‌ ମୋ ପ୍ରଶ୍ନ ଶୁଣି ପୁଣି ଥରେ ହସିଲା। ସେ ହସରେ ଟିକେ ବି କୃତ୍ରିମତା ମୁଁ ଲକ୍ଷ୍ୟ କରିପାରୁ ନ ଥିଲି। ହୃଦୟ ଭିତରୁ ସେ ହସୁଥିଲା। ହସି ହସି କହିଲା-”ସେ ମୋତେ ତ ସହଜରେ ଠକିଦେଲା, ହେଲେ ଉପରେ ଯିଏ ହିସାବ ରଖୁଛି ତା’ ପାଖରୁ ସେ ଖସିପାରିବ ନାହିଁ।“
ଅସଲମ୍‌ର କଥା ଶୁଣି ମୁଁ ପ୍ରକୃତିସ୍ଥ ହେଲି। ମନେ ପଡ଼ିଗଲା ପଢ଼ିଥିବା ଏକ କାହାଣୀ। ଜଣେ ବ୍ୟକ୍ତି ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଦିନମଜୁରିଆ ଭାବେ କାମ କରୁଥିଲେ। ଦିନେ ଏକ ସାଧାରଣ ଭୁଲ ପାଇଁ ତାଙ୍କ ଗାଲରେ ଠୋ କିନା ଚଟକଣିଟିଏ ବସାଇଦେଲେ ମାଲିକ। ଅନ୍ୟ ଲୋକଙ୍କ ଆଗରେ ଅପ୍ରତ୍ୟାଶିତ ଭାବେ ଚାପୁଡ଼ା ଖାଇ ଖୁବ୍‌ ଲଜ୍ଜିତ ହେଲେ ସେହି ଦିନମଜୁରିଆ। କ’ଣ ବା ସେ ଆଉ କରିପାରିବେ। ମାଲିକ ଅନ୍ନଦାତା। ତେଣୁ ଚୁପ୍‌ ରହିଲେ। ହେଲେ ମନ ଭିତରେ କ୍ରୋଧ ଜମି ରହିଥାଏ। ସାରେ ଘରକୁ ଫେରିଲେ। ରାତ୍ରିଭୋଜନ ସମୟରେ ତରକାରି ଲୁଣିଆ ହୋଇଯାଇଥିବାରୁ ରାଗିଯାଇ ଧର୍ମପତ୍ନୀଙ୍କୁ ଚାପୁଡ଼ାଟାଏ ମାରିଦେଲେ। ମାଲିକଙ୍କଠାରୁ ଖାଇଥିବା ଚାପୁଡ଼ାଜନିତ କ୍ରୋଧକୁ ଧର୍ମପତ୍ନୀଙ୍କ ପାଖରେ ପ୍ରଶମିତ କରିଦେଲେ। ସ୍ତ୍ରୀ ବି ଆଉ କ’ଣ କରିପାରିବେ? ସ୍ବାମୀଙ୍କୁ ତ ଆଉ ମାରିପାରିବେ ନାହିଁ। ପାଠ ନ ପଢ଼ି ଖେଳୁଥିବା ବଡ଼ପୁଅକୁ ଚଟକଣିଟିଏ ଲଗାଇଦେଲେ। ସ୍ବାମୀଙ୍କ ଉପରେ ଥିବା କ୍ରୋଧ ପୁଅ ପାଖରେ ସାରିଦେଲେ। ବଡ଼ପୁଅ ଆଶ୍ଚର୍ଯ୍ୟ ହେଲା। ମା’ ତ ଏମିତି କେବେ ମାରନ୍ତିନି। ମା’ଙ୍କୁ କିଛି ନ କହି ବଡ଼ପୁଅ ଗୁମ୍‌ ମାରି ବସିଲା। ମନ ଭିତରେ ରାଗ କୁହୁଳୁଥାଏ। ସାନଭାଇକି ପିଇବା ପାଣି ଗ୍ଲାସଟିଏ ଆଣିବାକୁ କହିଲା। ସାନଭାଇ ପାଣି ଆଣିବାରେ ବିଳମ୍ବ କରିବାରୁ ରାଗିଯାଇ ତାକୁ ଚଟକଣିଟିଏ ଲଗାଇଦେଲା ବଡ଼ଭାଇ। ବଡଭାଇର ରାଗ ଶାନ୍ତ ହୋଇଗଲା। ବିଚରା ସାନଭାଇ କରିବ କ’ଣ? ବଡ଼ଭାଇକୁ ତ ହାତ ଉଠାଇ ପାରିବନି। ଦାଣ୍ଡପିଣ୍ଡାରେ ଶୋଇଥିବା କୁକୁରକୁ ତଡ଼ାରେ ପାହାରେ ପକାଇ ନିଜ କ୍ରୋଧକୁ ସମ୍ବରଣ କଲା। କୁକୁରଟି ଅତର୍କିତ ପ୍ରହାର ଖାଇ ରଡ଼ି ଛାଡ଼ି ଦୌଡ଼ିବାକୁ ଲାଗିଲା ବେଳେ ତା’ ସମ୍ମୁଖକୁ ଆସିଯାଇଥିଲା ଜଣେ ଲୋକ। ସେହି ଲୋକଟିକୁ ପୁଳାଏ କାମୁଡ଼ି କୁକୁରଟି ତା’ କ୍ରୋଧକୁ ପ୍ରଶମିତ କଲା। କର୍ମର ବିଡମ୍ବନା ଯେ ଯେଉଁ ଲୋକକୁ କୁକୁର କାମୁଡ଼ିଲା, ସେହି ଲୋକଟି ଥିଲା ସେହି ଦିନମଜୁରିଆକୁ ଚଟକଣି ମାରିଥିବା ମାଲିକ। ସତ୍‌ କର୍ମର ସତ୍‌ ଫଳ ଓ ଅସତ୍‌ କର୍ମର ଅସତ୍‌ ଫଳ ସମ୍ପର୍କରେ ଅସଲମ୍‌ ତା’ ଅଙ୍ଗେ ନିଭା କଥା ବଖାଣି ମୋତେ ଜୀବନ ଜିଇବାର ସୁନ୍ଦର କଳାଟିଏ ଶିଖାଇଦେଲା।
ମୋ-୯୪୩୭୨୩୨୪୬୩, ଇମେଲ୍‌: prakas. tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri