ଫ୍ଲାଟ୍‌ ମିଳୁନି, ଚିନ୍ତା ବଢ଼ାଇଛି ଋଣ ବୋଝ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜଧାନୀରେ ଜାଗାଟିଏ ପାଇବା, ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ। ଲୋକଙ୍କ ଏଭଳି ମାନସିକତାକୁ ନେଇ ଖେଳ ଖେଳୁଛନ୍ତି କେତେକ ରିୟଲ ଇଷ୍ଟେଟ୍‌ ସଂସ୍ଥା, ବିଲ୍ଡର ଓ ଦଲାଲ। ଲୋଭନୀୟ ସ୍କିମ୍‌ ମାଧ୍ୟମରେ ଜମି ବା ଘର ଯୋଗାଇ ଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି। ଇତିମଧ୍ୟରେ କିଏ ଧରାପଡ଼ି ଜେଲ୍‌ ଯାଉଛି ତ ଆଉ କିଏ ସଂସ୍ଥା ବନ୍ଦ କରି ଫେରାର ହେଉଛି। କିନ୍ତୁ ନିଜର କଷ୍ଟ ଉପାର୍ଜିତ ଟଙ୍କା ଦେଇ ଫସିଥିବା ଲୋକେ ଜୀବନସାରା ଦୁର୍ଦ୍ଦଶା ହିଁ ଭୋଗି ଚାଲିଛନ୍ତି। ଘର ପାଇବାର ସ୍ବପ୍ନ ଚୂର୍‌ମାର ହୋଇଥିବାବେଳେ ବ୍ୟାଙ୍କ ଋଣ ସେମାନଙ୍କ ଜୀବନକୁ ଦହଗଞ୍ଜ କରୁଛି। ଲ୍ୟାଣ୍ଡ୍‌ ଇଣ୍ଡିଆ ରିୟଲ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଟଙ୍କାଦେଇ ଏମିତି ସ୍ଥିତିର ସାମ୍ନା କରୁଛନ୍ତି ୮୦ରୁ ଊର୍ଦ୍ଧ୍ୱ ଜମାକାରୀ। ୨୦୧୨ରୁ ଚାହିଁ ରହିଥିଲେ ମଧ୍ୟ ଏଯାଏ ଘର ମିଳିପାରୁନି। ଏପଟେ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରୁ ଫେରିଥିବା ସଂସ୍ଥାର ନିର୍ଦ୍ଦେଶକ ମଧ୍ୟ ହାତ ଟେକିଦେଇଛନ୍ତି। ଏପରିସ୍ଥିତିରେ ଉପଭୋକ୍ତାମାନେ କିପରି ଫ୍ଲାଟ୍‌ ପାଇବେ ଓ ଋଣ ଶୁଝିବେ ସେହି ଚିନ୍ତାରେ ଦିନରାତି ଘାରି ହେଉଛନ୍ତି।
ମିଳିଥିବା ସୂଚନାନୁସାରେ, ଲ୍ୟାଣ୍ଡ୍‌ ଇଣ୍ଡିଆ ରିୟଲ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍‌ ଚନ୍ଦକା ଥାନା ଅନ୍ତର୍ଗତ ଘଙ୍ଗାପାଟଣା ମୌଜାରେ ଆପାର୍ଟମେଣ୍ଟ ପ୍ରୋଜେକ୍ଟ କରି ୨୦ଲକ୍ଷରେ ୨ବିଏଚ୍‌କେ ଫ୍ଲାଟ୍‌ ଦେବାକୁ ଲୋକଙ୍କଠାରୁ ଟଙ୍କା ନେଇଥିଲା। କେତେଜେଣ ସମ୍ପୂର୍ଣ୍ଣ କ୍ୟାଶ୍‌ ଦେଇଥିବାବେଳେ ଆଉ କେତେଜଣ କିଛି କ୍ୟାଶ୍‌ ଓ ଆଉ କିଛି ବ୍ୟାଙ୍କ୍‌ ଋଣ କରିଥିଲେ। ଶେଷଦେବ ପରିଡ଼ା ନାମକ ଜଣେ ଜମାକାରୀ କୁହନ୍ତି, ସଂସ୍ଥାର ନିର୍ଦ୍ଦେଶକ ବ୍ରଜସୁନ୍ଦର ମିଶ୍ର ତାଙ୍କ ସହ ଏକ ଏଗ୍ରିମେଣ୍ଟ କରିଥିଲେ। ଏଗ୍ରିମେଣ୍ଟ ମୁତାବକ ସେ ୨ଲକ୍ଷ ଟଙ୍କା ଅଗ୍ରୀମ ଦେବାପରେ ଅବଶିଷ୍ଟ ୧୮ଲକ୍ଷ ବ୍ୟାଙ୍କ୍‌ ଋଣ ମାଧ୍ୟମରେ ନେଇଥିଲା ସଂସ୍ଥା। ୨୦୧୬ରେ ଫ୍ଲାଟ୍‌ ହସ୍ତାନ୍ତର ହେବା କଥା। ମାତ୍ର ଘର ନିର୍ମାଣ ଅଳ୍ପ ଆରମ୍ଭ ହୋଇ ବର୍ତ୍ତମାନ ଯାଏ ପଡ଼ିରହିଛି। ବ୍ୟାଙ୍କକୁ ଋଣ କିସ୍ତି ଶୁଝିବା କଷ୍ଟକର ହେଉଛି। ବିଲ୍ଡର ଜେଲରୁ ଫେରିବା ପରେ ମଧ୍ୟ ପ୍ରୋଜେକ୍ଟ ଆରମ୍ଭ କରୁ ନାହାନ୍ତି। ବ୍ୟାଙ୍କ ମଧ୍ୟ ଆମ ସମସ୍ୟା ବୁଝୁନାହିଁ। ମୋ ଭଳି ଅନ୍ୟମାନଙ୍କ କଥା ମଧ୍ୟ ସରକାର ବୁଝନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ଅନ୍ୟଜଣେ ଜମାକାରୀ ମନୋଜ ମିଶ୍ର କୁହନ୍ତି, ଫ୍ଲାଟ୍‌ କିଣିବାକୁ ବ୍ୟାଙ୍କରୁ ୨୦୧୩ରେ ଋଣ କରି ସଂସ୍ଥାକୁ ଦେଇଥିଲେ। ୨୦୧୬ରେ ସଂସ୍ଥା ଆମକୁ ପ୍ଲାଟ ହସ୍ତାନ୍ତର କରିବାକୁ ଚୁକ୍ତି କରିଥିବାରୁ ସେବେଠାରୁ ବ୍ୟାଙ୍କ ଦେଇଥିବା ଟଙ୍କାର ସୁଧ ସହ କିସ୍ତି ଆଦାୟ କରୁଛି। ଅନ୍ୟପକ୍ଷରେ ବିଲ୍ଡର ଜଣକ ଜେଲ୍‌ ଯାଇଥିବା ଓ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ ହୋଇଥିବା ବାହାନା ଦେଖାଇ ନିଜେ ଅସହାୟତା ପ୍ରକାଶ କରୁଛନ୍ତି। କିନ୍ତୁ ଅନ୍ୟ କାହାକୁ ଉକ୍ତ ଘର ନିର୍ମାଣ ଦାୟିତ୍ୱ ଦେଉ ନ ଥିବାରୁ ଆମେ ଫ୍ଲାଟ୍‌ ପାଇପାରୁନୁ। ଏପଟେ ବ୍ୟାଙ୍କ୍‌ କିସ୍ତି ଶୁଝିବା ଆଉ ସମ୍ଭବ ହେଉନି। ଏହି ସମସ୍ୟା ଆମ ପାରିବାରିକ ଜୀବନକୁ କ୍ଷତିଗ୍ରସ୍ତ କରୁଛି। ତେଣୁ ଏଥିପ୍ରତି ବ୍ୟାଙ୍କ୍‌ ଓ ବିଲ୍ଡର ଚିନ୍ତା କରିବା ଆବଶ୍ୟକ।
ବ୍ୟାଙ୍କ ମ୍ୟାନେଜର କୁହନ୍ତି, ଉକ୍ତ ପ୍ରକଳ୍ପ ପାଇଁ ଆମ ପାଖରୁ ୬୮ଜଣ ଋଣ ନେଇଛନ୍ତି। ଫ୍ଲାଟ୍‌ ନ ପାଇ ବହୁ ଉପଭୋକ୍ତା କିସ୍ତି ଓ ସୁଧ ଦେବା ବନ୍ଦ କରି ଦେବାରୁ ଉକ୍ତ ଆକାଉଣ୍ଟଗୁଡିକୁ ଏନିପିଏ (ନନ୍‌ ପେମେଣ୍ଟ ଆକାଉଣ୍ଟ୍‌) କରିବାକୁ ମୁଖ୍ୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି॥ ତଥାପି ଆମେ ବିକଳ୍ପ ଚିନ୍ତା କରୁଛୁ। ବ୍ୟାଙ୍କ ତରଫରୁ ବିଲ୍ଡରଙ୍କ ସହ ଯୋଗାଯୋଗ ଚାଲିଛି।
ସଂସ୍ଥାର ନିର୍ଦ୍ଦେଶକ ତଥା ବିଲ୍ଡର ବ୍ରଜ ସୁନ୍ଦର ମିଶ୍ର କୁହନ୍ତି, ଚିଟ୍‌ଫଣ୍ଡ ସହ ଉକ୍ତ ପ୍ରୋଜେକ୍ଟର କୌଣସି ସମ୍ପର୍କ ନାହିଁ। ଲୋକମାନଙ୍କୁ ମୁଁ ଠକିବାକୁ ଚାହୁଁନି। ୨୦୧୬ରୁ ଜେଲ ଯାଇ ୨୦୧୯ ଦଶହରାରେ ଜାମିନରେ ଆସିଛି। ଏବେ ମୋ ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନାହିଁ। କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ମୋର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରିଦିଆଯାଇଛି। ଆକାଉଣ୍ଟ ଚଳାଇବାକୁ ହାଇକୋର୍ଟରେ ମୁଁ ପିଟିଶନ କରିଛି। ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କାଗଜପତ୍ର ଶୀଘ୍ର କୋର୍ଟରେ ପ୍ରଦାନ କରାଗଲେ ଓ ବ୍ୟାଙ୍କ ଆକାଉଣ୍ଟ ଚଳାଇବାକୁ ଅନୁମତି ମିଳିଗଲେ ତୁରନ୍ତ ଫ୍ଲାଟ୍‌ କାମ ସାରି ଲୋକଙ୍କୁ ହସ୍ତାନ୍ତର କରିବି। ପୁଣି ବର୍ତ୍ତମାନ ଦରଦାମ ବଢିଯାଇଥିବାରୁ ଉକ୍ତ ପ୍ରୋଜେକ୍ଟ ପାଇଁ ଅଧିକ ଅର୍ଥ ଆବଶ୍ୟକ। ଏ ନେଇ ଜମାକରୀ ଓ ବ୍ୟାଙ୍କ ସହ କଥାହୋଇ କାମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri