ପ୍ରେମ ପରୀକ୍ଷାର ଖେଳ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ
ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ ଜୀବନ, ପ୍ରେମରେ ହିଁ ମୋ ନିର୍ବାଣ। ଜଣେ ପ୍ରେୟସୀଙ୍କୁ ବହୁଦିନ ପ୍ରେମ କଲା ପରେ ଏ ପ୍ରେମୀ ପୁରୁଷ ଆଉ ଜଣଙ୍କୁ ପ୍ରେମ କରିବସିଲେ। ତାଙ୍କ ସହ ନିବିଡ଼ ଭାବେ ମିଶିଲେ, ମନ ଭରି ପ୍ରେମ କଲେ ଓ ସଚ୍ଚା ପ୍ରେମିକସୁଲଭ ପ୍ରତିଶ୍ରୁତି ଦେଇ କହିଲେ, ମୋତେ ତୁମେ ପ୍ରେମରେ ପୂର୍ଣ୍ଣ କରିଦିଅ। ଥରେ ପୂର୍ଣ୍ଣ ହୋଇଗଲେ ତୁମ ପାଖରେ ସବୁକିଛି ସମର୍ପଣ କରିଦେବି। ସଂସାରରେ ଏମିତି କିଛି ନାହିଁ ଯାହା ମୋ ପାଖରେ ତୁମ ପାଇଁ ଅପ୍ରାପ୍ୟ ହୋଇରହିବ। ତୁମକୁ ଅବସୋସର ସୁଯୋଗ ଦେବି ନାହିଁ। ଅଭିଯୋଗର ଅବସର ଦେବି ନାହିଁ। ଥରେ ପରୀକ୍ଷା କରି ଦେଖ। ତୁମର ପ୍ରେମାସ୍ପଦ ହେବା ପାଇଁ ତୁମ ଚାରିପଟରେ ବୁଲୁଥିବା ଅନ୍ୟମାନଙ୍କ ତୁଳନାରେ ମୋ ପ୍ରେମ କେତେ ନିବିଡ଼। ଅନ୍ୟ ପ୍ରେମିକଙ୍କ ତୁଳନାରେ ମୁଁ କେତେ ସମର୍ଥ।
ନୂଆ ପ୍ରେମିକା ଜଣକ ମୁଗ୍ଧ ହେଲେ ପ୍ରେମିକଙ୍କ ଏ ପ୍ରକାର ପ୍ରତିଶ୍ରୁତିରେ। ବହୁ ବର୍ଷ ଧରି ଏହାଙ୍କୁ ପୂର୍ଣ୍ଣପ୍ରାଣରେ ପ୍ରେମ କରୁଥିବା ତାଙ୍କ ପୁରୁଣା ପ୍ରେମିକାଙ୍କ ସମ୍ପର୍କରେ ଜାଣି ମଧ୍ୟ ସେ ବହୁବିଧ ଲୋଭନୀୟ ଉପହାରର ଲୋଭ ସମ୍ବରଣ କରି ନ ପାରି ୟାଙ୍କ ପ୍ରେମରେ ପଡ଼ିଗଲେ। ନିଜ ଚାରିପଟେ ଘୂରି ବୁଲୁଥିବା ଅନ୍ୟ ପ୍ରେମିକମାନଙ୍କୁ ହତାଦର କରି ସେ ଏହାଙ୍କୁ ହୃଦୟ ଦେଇ ବସିଲେ। ପ୍ରେମ ରାଇଜରେ ଆତଯାତ ହେଉଥିବା ସବୁ ପ୍ରେମିକଙ୍କ ମଧ୍ୟରେ ବେଶ୍‌ ଶକ୍ତିଶାଳୀ, ଧନଶାଳୀ ଓ ପ୍ରଭାବଶାଳୀ ଏ ପ୍ରେମିକଙ୍କ ପ୍ରେମ ଲାଭ କରିବା ତ ଶତ ସାଧନାର ଫଳ। ସୁତରାଂ, ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଲେ ସେ।
ଏଣେ ପ୍ରଥମ ତଥା କେଇବର୍ଷର ପୁରୁଣା ପ୍ରେମିକା ବିମୁଖ ହେଲେ ପ୍ରେମିକଙ୍କ ଉପରେ। କହିଲେ ମୋ ପ୍ରେମ ଉପରେ ତୁମର କ’ଣ ଏତେ ଅନାସ୍ଥା ଯେ ଆଉ ଜଣଙ୍କ ପ୍ରେମ ଲୋଡ଼ା ପଡ଼ିଲା। ମୋ ସଙ୍ଗ କାମନା କରୁଥିବା ଅନ୍ୟ ପ୍ରେମ ପ୍ରତ୍ୟାଶୀମାନଙ୍କୁ ପ୍ରତ୍ୟାଖ୍ୟାନ କରି ବର୍ଷ ବର୍ଷ ଧରି ତୁମ ପ୍ରେମରେ ପାଗଳିନୀ ହେଲି। ଅଥଚ ମୋତେ ପର କରି କେଉଁ ଅଜଣା ପ୍ରିୟାର ସଖ୍ୟ ଲୋଡୁଛ। ପ୍ରେମିକାର ଆସ୍ଥାଭାଜନ ହେବା ପାଇଁ ଯେଉଁଠି ପ୍ରେମ ପ୍ରାର୍ଥୀମାନଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଖରା ବର୍ଷାକୁ ଖାତିର ନ କରି ମାଟି କାଦୁଅର ବାଟ ପାଦରେ ଚାଲିବାକୁ ପଡୁଛି। ହାତୀ ଦେବି, ଘୋଡ଼ା ଦେବି କହି ମନ କିଣିବାର ପ୍ରୟାସ କରାଯାଉଛି। ସେଠି ନିଜ ପ୍ରେମଭାଜନ ହେବାକୁ ପ୍ରେମିକାର ଅଭିମାନ ଦେଖି ନିଜ ପ୍ରେମିକ ପଣକୁ ନିଜେ ତାରିଫ କଲେ ପ୍ରେମିକ ପ୍ରବର। କହିଲେ, ତୁମେ ଚିନ୍ତା କରନା ପ୍ରିୟେ! ମୋ ପ୍ରେମର ପରିସର ଯେମିତି ପ୍ରଶସ୍ତ, ସେମିତି ବିଶାଳ ମୋର ବହୁମୁଖୀ ବ୍ୟକ୍ତିତ୍ୱ। କେବଳ ଏ ମାଟିର ନିୟମ ଯଦି ବାଧକ ହେଉ ନ ଥାନ୍ତା ତେବେ କେବଳ ଦୁଇଜଣ କାହିଁକି, ଏକ ସଙ୍ଗେ ବହୁ ନାୟିକାଙ୍କ ନାୟକ ହେବାର ଶକ୍ତି ସାମର୍ଥ୍ୟ ମୋର ଅଛି। ତୁମେ ମୋତେ ପ୍ରେମରେ ପରିପୂର୍ଣ୍ଣ କରିଯାଅ। ମୋର ସେଇ ଦ୍ୱିତୀୟାଟିକୁ ଈର୍ଷା କରନା। ମୁଁ କଥା ଦେଉଛି, ତୁମ ଦୁହିଁଙ୍କ ମଧ୍ୟରେ ଯିଏ ମୋତେ ବେଶି ପ୍ରେମ କରିବ ତା’ର ପାଣି ଗ୍ରହଣ କରି ମୁଁ ଅନ୍ୟ ଜଣଙ୍କୁ ପରିତ୍ୟାଗ କରିବି।
ପ୍ରେମପଥରୁ ଜଣଙ୍କର ଅପସାରଣ ନିଶ୍ଚିତ ଜାଣି ଦୁଇ ପ୍ରେମିକା ଜଣେ ପ୍ରେମିକଙ୍କୁ ଆପଣାର କରିବା ପାଇଁ ପରସ୍ପର ପ୍ରତିଦ୍ୱନ୍ଦ୍ୱିତାରେ ଲାଗିପଡିଲେ। ସର୍ବଶେଷରେ ପ୍ରେମ ପରୀକ୍ଷାର ସେଇ ବିଶେଷ ବେଳା ଉପନୀତ ହେଲା। ସେଦିନର ସେଇ ପରୀକ୍ଷାରେ ପ୍ରେମର ଜୟ ପରାଜୟ ନିର୍ଦ୍ଧାରିତ ହୋଇଗଲା। ପ୍ରେମିକ ପୁଙ୍ଗବ ଦୁହିଁଙ୍କର ହୃଦୟ ଜିଣିବାର ସନନ୍ଦ ପ୍ରାପ୍ତ ହେଲା ପରେ ମାଟିର ନିୟମ ଅନୁସାରେ ଜଣଙ୍କୁ ପରିତ୍ୟାଗ କରି ଅନ୍ୟ ଜଣଙ୍କର ପାଣି ଗ୍ରହଣ କରିବାକୁ ବାଧ୍ୟ ହେଲେ। ପହିଲି ପ୍ରେମର ମାଧୁର୍ଯ୍ୟରେ ମୋହଗ୍ରସ୍ତ ପ୍ରେମିକ ପ୍ରଥମାଙ୍କୁ ସ୍ବୀକାର କରି ଦ୍ୱିତୀୟାଙ୍କୁ ପରିତ୍ୟାଗ କଲେ। ବିଚାରୀ ପରିତ୍ୟକ୍ତା ପ୍ରେମିକା। ତାଙ୍କୁ ନିଜର କରିବାକୁ ଚାହୁଁଥିବା ବହୁ ପ୍ରତ୍ୟାଶୀଙ୍କୁ ଏଡ଼ାଇ ଦେଇ ଯାହାଙ୍କ ପ୍ରେମରେ ଦୃଢ଼ ଆସ୍ଥା ସ୍ଥାପନ କରିଥିଲେ ସେ ତାଙ୍କୁ ଅସ୍ବୀକାର କରି ନୀରବରେ ଅନ୍ତର୍ହିତ ହୋଇଗଲେ। ପ୍ରତାରିତା ପ୍ରେମିକା ପଡିରହିଲେ ଆଉ କେଉଁ ଅବାଞ୍ଛିତ ପ୍ରେମିକର ବାଧ୍ୟ ବିଶ୍ୱାସ ହାସଲ କରିବା ପାଇଁ।
ଏ ଜଗତରେ ପ୍ରେମ ପ୍ରସଙ୍ଗର ଇତିବୃତ୍ତ ଯେତିକି ପ୍ରାଚୀନ, ସେତିକି ପୁରାତନ ମଧ୍ୟ ପ୍ରତାରଣାର ଇତିହାସ। ପ୍ରେମ ସହିତ ପ୍ରତାରଣା, ଆସ୍ଥା ସହ ଅନାସ୍ଥା ବା ବିଶ୍ୱାସ ସହ ଅବିଶ୍ୱାସ ଯେତେବେଳେ ଏକ ବ୍ୟକ୍ତିଗତ ଅନୁଭବ ହୁଏ, ସେତେବେଳେ ମୁଣ୍ଡ ଉପରେ ଅଜାଡି ହୋଇପଡ଼େ ଦୁଃଖ ଓ ହତାଶାର ପାହାଡ଼। ମାତ୍ର ଯେତେବେଳେ ଏହା ଜଣଙ୍କ ସହ ଜଣଙ୍କର ଅନୁଭବ ନ ହୋଇ ଜଣ ଓ ଗଣଙ୍କ ମଧ୍ୟରେ ସଂଘଟିତ ହୁଏ, ସେତେବେଳେ ଏକ ବୃହତ୍ତର ପରିସରରେ ବିଶ୍ୱାସର ଅପମୃତ୍ୟୁ ହୁଏ, ଆଶା ଓ ଆସ୍ଥା ନିର୍ବାସନରେ ଚାଲିଯାଏ, କେଉଁଠି ଗୁଜରାଟର ବଡ଼ୋଦରା ପରି ତ ଅନ୍ୟ କେଉଁଠି ଓଡ଼ିଶାର ବିଜେପୁର ପରି।
ଭାରତ ବଳି ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ପ୍ରଚଳିତ ନିର୍ବାଚନ ବ୍ୟବସ୍ଥାକୁ ଲକ୍ଷ୍ୟ କରାଯାଉ। ବ୍ୟକ୍ତି ସ୍ବାଧୀନତା ଅବା ରାଜନୈତିକ ବାଧ୍ୟବାଧକତାକୁ ସମ୍ମାନ ଜଣାଇ ଏଠାରେ ଜଣେ ପ୍ରାର୍ଥୀ ଏକାଧିକ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲୋଡିପାରନ୍ତି। ଏହା ଦ୍ୱାରା ରାଷ୍ଟ୍ରର କି କଲ୍ୟାଣ ସାଧିତ ହୁଏ, ତାହା ବୁଝାପଡୁ ନ ଥିଲେ ବି ସ୍ପଷ୍ଟଭାବେ ବୁଝି ହୁଏ ଏପରି ନିର୍ବାଚନ ଲୋଡୁଥିବା ପ୍ରାର୍ଥୀଙ୍କର ମାନସିକତା। ଏକାଧିକ ସ୍ଥାନରୁ ନିଜ ପ୍ରାର୍ଥିତ୍ୱ ଉପସ୍ଥାପିତ କରୁଥିବା ନେତାମାନେ ନିଜ ବିଜୟର ଆଶା ହରାଇ ବସିଥାନ୍ତି ଅବା ସେମାନଙ୍କ ସମର୍ଥ ନେତୃତ୍ୱର ପ୍ରମାଣ ଦେବାପାଇଁ ଏହାକୁ ଏକ ପରୀକ୍ଷା କ୍ଷେତ୍ର ବୋଲି ବିଚାରନ୍ତି। ଏକାଧିକ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଆସ୍ଥା ଜିତିବା ପାଇଁ ସମସ୍ତଙ୍କୁ ସେଇ ଏକା କଥା କହନ୍ତି ମୋତେ ଭୋଟ ଦିଅ, ତୁମର ସର୍ବବିଧ ଉନ୍ନତି ପାଇଁ ମୁଁ ଉତ୍ତରଦାୟୀ ରହିବି। ଗଣତନ୍ତ୍ରର ପ୍ରହସନରେ ଯେତେ ଉପେକ୍ଷିତ ହେଲେ ବି ସରଳ ଭୋଟରଟିଏ ଏକଥାକୁ ବିଶ୍ୱାସ କରେ। ବିଶ୍ୱାସ ପ୍ରେମରେ ପରିଣତ ହୁଏ, ପ୍ରେମର ରୂପ ନିଏ ଭୋଟ। ଦୁଇଟି ଜାଗାରେ ପ୍ରେମ ପ୍ରାର୍ଥୀ ପ୍ରେମିକଙ୍କ ପାଖରେ ପ୍ରତାରଣାର ଯେ ସ୍ପଷ୍ଟ ସଙ୍କେତଟିଏ ଥାଏ, ଏ କଥା ଭୋଟର ଦେଖିପାରେ ନାହିଁ। ଅବଶ୍ୟ ଏଥିପାଇଁ ତା’ ଆସ୍ଥା ବା ବିଶ୍ୱାସ ଅପେକ୍ଷା ବେଶି ଥାଏ ସାମୟିକ ଲାଭର ପ୍ରଲୋଭନ।
ନିଜ ସମ୍ମୋହନ ଶକ୍ତି ଓ ସାମର୍ଥ୍ୟରେ ଯେତେ ପ୍ରେମ କରୁଛ କରିପାର, ମାତ୍ର ବିବାହ କେବଳ ଜଣଙ୍କ ସହ- ଶାସ୍ତ୍ର ଓ ସମାଜର ଏ ସଂହିତା ଭଳି ଆମ ସମ୍ବିଧାନ ମଧ୍ୟ ପ୍ରାର୍ଥୀମାନଙ୍କ ପାଇଁ ଲକ୍ଷ୍ମଣଗାରଟିଏ ଟାଣିଦେଇ କହିଛି, ପ୍ରାର୍ଥିତ୍ୱ ଯେତେ ସ୍ଥାନରୁ ହେଉଛି ହେଉ। ମାତ୍ର ପ୍ରତିନିଧିତ୍ୱ କେବଳ ଗୋଟିକରୁ। ସୁତରାଂ ଦୁଇଟି ମଣ୍ଡଳୀର ଆସ୍ଥା ଜୟକରି ବିଜୟୀ ବୀରର ଗୌରବମୁକୁଟ ପିନ୍ଧୁ ପିନ୍ଧୁ ନିଷ୍ପତ୍ତି ନେବାର ବେଳ ପହଞ୍ଚିଯାଇଥାଏ। ବେଶ୍‌ କେଇଦିନର ସରଗରମ ନିର୍ବାଚନୀ ବାତାବରଣ, ଢେର କେଇଟି ବିନିଦ୍ର ରଜନୀ, ମାଇକ୍ରୋଫୋନ ଆଗରେ ଗଳାଫଟାଇ ଜନସମାବେଶକୁ ସମ୍ବୋଧନ, ସ୍ବପକ୍ଷ ସମର୍ଥନ ସାଙ୍ଗକୁ ଶତ୍ରୁପକ୍ଷର ନିନ୍ଦାଗାନ, ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଓ ଅପବ୍ୟୟ ମଧ୍ୟରେ ଶହ ଶହ ଛେଳିକୁକୁଡ଼ାଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ବଳିଦାନ ଓ ଅବିଚାରିତ ମଦ୍ୟପାନ। ପୁଣି ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ବିଜୟ ଉତ୍ସବ ପାଳନ ମଧ୍ୟରେ ଯେତେ ଯାହା ଭୋଜିଭାତର ଆପ୍ୟାୟନ। ଅଥଚ କଲମମୁନର ଗୋଟିଏ ଧାଡିରେ ସବୁ ଶେଷ- ବଡ଼ୋଦରାକୁ ପରିତ୍ୟାଗ କରି ବାରାଣସୀର ପାଣି ଗ୍ରହଣ କଲି ବା ହିଞ୍ଜିଳିକୁ ରଖି ବିଜେପୁରକୁ ଛାଡିଲି।
ବାସ୍‌, ତା’ ପରେ ବାଜିଉଠେ ପରିତ୍ୟକ୍ତ ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନର ବିଗୁଲ। ସାଧାରଣ ନିର୍ବାଚନଠାରୁ ଅଧିକ ତେଜୀୟାନ ହୋଇ ଜଳିଉଠେ ପ୍ରଚାର ଓ ଅପପ୍ରଚାରର ବଦୁବିଧ ଆଲୋକମାଳା। ପ୍ରେମିକାଟିକୁ ଲାଭ କରିବାକୁ ପୁଣି ଆରମ୍ଭ ହୋଇଯାଏ ପାଗଳ ପ୍ରତିଯୋଗିତା। ହିସାବ ଅନ୍ତର୍ଗତ ଲକ୍ଷ ଲକ୍ଷ ଟଙ୍କା ଓ ହିସାବ ବହିର୍ଭୂତ କୋଟି କୋଟି ଟଙ୍କାର ପସରା ମେଲିଯାଏ ବିଭିନ୍ନ ରୂପରେ। ଶୁଖି ଆସୁଥିବା ଘା’ରୁ ବହିଚାଲେ ପୁଣି ମିଥ୍ୟା ପ୍ରତିଶ୍ରୁତିର ରକ୍ତଧାର। ସାଧାରଣ ଜନତାଙ୍କ କରଦେୟରେ ସମୃଦ୍ଧ ରାଜକୋଷରୁ ପୁଣି ଖର୍ଚ୍ଚ ହୁଏ କେଇ କୋଟି ଟଙ୍କା।
ଆଉ କେଇଦିନ ପରେ ଆମ ରାଜ୍ୟର ବିଜେପୁର ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଛି ସେମିତି ଏକ ଉପନିର୍ବାଚନ। କେବଳ ଏଇ ଗୋଟିଏ ନୁହେଁ, ସମଗ୍ର ଦେଶରେ ଅନ୍ୟ କେତୋଟି ମଣ୍ଡଳୀରେ ଉପନିର୍ବାଚନ ହେଉଛି, କେବଳ ଏଥିପାଇଁ ଯେ ସେଠାକାର ବିଜୟୀ ପ୍ରତିନିଧି ଦୁଇଟି ଆସନରୁ ଜିତିଥିବାରୁ ଗୋଟିକୁ ରଖି ଅନ୍ୟଟିକୁ ଛାଡିଛନ୍ତି। ଯେଉଁଠି ନେତା ହେବା ପାଇଁ ପ୍ରଚଣ୍ଡ ପ୍ରବଣତା, ପାଗଳ ପ୍ରତିଯୋଗିତା ସେଠି ଅଭିଳାଷୀମାନଙ୍କର କ’ଣ ଏତେ ଅଭାବ ଯେ ଜଣେ ନେତା ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ! ଗଣତନ୍ତ୍ରରେ ନିର୍ବାଚନ ଯଦି ପ୍ରତିନିଧି ବାଛିବାର ଏକ ସ୍ବଚ୍ଛ ପ୍ରକ୍ରିୟା, ତେବେ ଏହି ବ୍ୟବସ୍ଥାଟିକୁ ଏକ ସ୍ବଚ୍ଛ ବ୍ୟବସ୍ଥା ବୋଲି କୁହାଯାଇ ପାରିବ କି? ପ୍ରତ୍ୟେକ ନିର୍ବାଚନ ଦେଶର କଲ୍ୟାଣ ପାଇଁ ଅଭିପ୍ରେତ। ମାତ୍ର ନିଜ ନିଜର ଲୋକପ୍ରିୟତାର ପ୍ରମାଣ ଦେବାପାଇଁ ଏକାଧିକ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ପୁଣି ଏକ ଉପନିର୍ବାଚନ କରିବାରେ ଦେଶର କି କଲ୍ୟାଣ ସାଧିତ ହେଉଛି, ତାହା ଆମ ଗଣତନ୍ତ୍ରର ନିୟାମକମାନେ ଚିନ୍ତାକରିବା ଉଚିତ।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri