ପ୍ରାଣୀଙ୍କ ଲିଙ୍ଗ ପରିବର୍ତ୍ତନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆଣ୍ଠିଆ ହେଉଛନ୍ତି ପ୍ରବାଳପ୍ରାଚୀରକୁ ଆଶ୍ରୟ କରି ବଞ୍ଚୁଥିବା ଓ ବଢ଼ୁଥିବା ଆଳଙ୍କାରିକ ମାଛ ବିଶେଷ। କମଳା, ପାଟଳ, ନୀଳଲୋହିତ, ହଳଦିଆ ପ୍ରଭୃତି ବିଭିନ୍ନ ରଙ୍ଗରେ ଏମାନେ ଦଳ ଦଳ ହୋଇ ବାସ କରନ୍ତି। ପ୍ରତି ଦଳରେ ଅଧିକ ମାଈ ଓ କମ୍‌ ଅଣ୍ଡିରା ଥାନ୍ତି। ଏହି ମାଛମାନଙ୍କର ଏକ ସ୍ବତନ୍ତ୍ର ପ୍ରକାର ଅଭିଯୋଜନ ଶକ୍ତି ରହିଛି। ସେମାନେ ହେଉଛନ୍ତି ଅନୁକ୍ରମିକ ଲିଙ୍ଗପରିବର୍ତ୍ତନକାରୀ (ହର୍ମୋଫ୍ରୋଡାଇଟ୍‌)। ଏମାନେ ଗୋଟିଏ ଲିଙ୍ଗ ନେଇ ଜନ୍ମ ହୋଇଥାନ୍ତି ଏବଂ ପରେ ଅନ୍ୟ ଲିଙ୍ଗକୁ ବଦଳିଯାଇପାରନ୍ତି। ଆଣ୍ଠିଆମାନେ ସମସ୍ତେ ମାଈ ରୂପେ ଜନ୍ମ ହୋଇଥାନ୍ତି। ଯେତେବେଳେ ଗୋଟିଏ ପୁରୁଷର ମୃତ୍ୟୁ ଘଟେ, ସେତେବେଳେ ମାଈମାନଙ୍କ ଭିତରୁ ଯିଏ ଆକାରରେ ସବୁଠୁ ବଡ଼ ସେ ଅଣ୍ଡିରାକୁ ବଦଳିଯାଏ। ଏହି ପରିବର୍ତ୍ତନ ପାଇଁ ପ୍ରାୟ ଦୁଇସପ୍ତାହ ସମୟ ଲାଗେ। ଏହି ପରିବର୍ତ୍ତନ ଭିତରେ ରହିଛି ନୂତନ ପ୍ରଜନନ ବ୍ୟବସ୍ଥା ବା ଜନନାଙ୍ଗ, ଆକାର, ଆକୃତି ଓ ରଙ୍ଗରେ ପରିବର୍ତ୍ତନ। ତେବେ ଯଦି ଆଣ୍ଠିଆଙ୍କର ଗୋଟିଏ ବଡ଼ ଦଳ ଗଠିତ ହୁଏ, ଯେଉଁଥିରେ ଅଣ୍ଡିରାଙ୍କ ସଂଖ୍ୟା ବହୁତ ଅଧିକ ହୋଇଥାଏ, ତା’ହେଲେ ପୁରୁଷ ଆଣ୍ଠିଆମାନେ ପୁଣି ଲିଙ୍ଗ ବଦଳାଇ ମାଈ ହୋଇଯାନ୍ତି।
ଅନ୍ତଃପୁରରୁ ପ୍ରମୁଖ ଅଣ୍ଡିରା ହଟିବା ପରେ ପରବର୍ତ୍ତୀ ପ୍ରଭାବଶାଳୀ ମାଈ ନିଜର ଲିଙ୍ଗ ବଦଳାଇ ଅଣ୍ଡିରା ହୋଇଯାନ୍ତି। କିନ୍ତୁ ଏକ ଘରୋଇ ଆକ୍ୱାରିୟମ୍‌ରେ ଏହି ଲିଙ୍ଗ ପରିବର୍ତ୍ତନ ଅନେକ ସମୟରେ ପୂର୍ଣ୍ଣ ହୁଏ ନାହିଁ। ସମୁଦ୍ରରେ ପ୍ରମୁଖ ପୁରୁଷ ଆଣ୍ଠିଆର ଏକ ଅନ୍ତଃପୁର ଥାଏ ଯେଉଁଥିରେ ଅନେକ ମାଈ ତା’ ନିୟନ୍ତ୍ରଣରେ ଥାନ୍ତି। ଆକ୍ୱାରିୟମ୍‌ରେ ଏହିସବୁ ପ୍ରକ୍ରିୟା ସହଜ ହୋଇ ନ ଥାଏ। ଅନେକ ସମୟରେ ମାଈଟିଏ ପୁରୁଷ ହେଉ ହେଉ ଅଧାବାଟରେ ଲଟକି ରହିଯାଏ- ନା ହୁଏ ଏ କୁଳର ନା ସେ କୁଳର।
ଆପଣ କେବେ ଭିନ୍ନ ଲିଙ୍ଗର ସଦସ୍ୟ ହେବା ପାଇଁ ଇଚ୍ଛା କରି ନାହାନ୍ତି? ବର୍ତ୍ତମାନ ଆମ ସାମାଜିକ ଚିନ୍ତାଧାରା ଅଧିକ ସ୍ଥିତିସ୍ଥାପକ ବା ନମନୀୟ ହେଉଥିବା ବେଳେ ଅନେକ ଲୋକ ଭିନ୍ନ ଲିଙ୍ଗର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମଣିଷର ଲିଙ୍ଗ ପରିବର୍ତ୍ତନ କରିବାକୁ ବର୍ତ୍ତମାନ ହଜାର ହଜାର ପ୍ଲାଷ୍ଟିକ୍‌ ସର୍ଜନ ବ୍ୟବସାୟ ଭାବେ ଗ୍ରହଣ କରିନେଇଛନ୍ତି। ଏଥିପାଇଁ ଅନେକ ଡଜନ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ। କିନ୍ତୁ ପ୍ରାଣୀ ଓ ଉଦ୍ଭିଦ କ୍ଷେତ୍ରରେ ଏହା ଅତି ସହଜ। ତାଙ୍କ ସମାଜର ପ୍ରଭାବ କାରଣରୁ ବା ପ୍ରାଣୀଟି ନିର୍ଦ୍ଦିଷ୍ଟ ବୟସ ବା ଆକାରବିଶିଷ୍ଟ ହେବା ପରେ ଏହି ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନ ବିଭିନ୍ନ ପ୍ରକାର ଯଥା ମାଈରୁ ଅଣ୍ଡିରା ହେବା (protogyny), ଅଣ୍ଡିରାରୁ ମାଈ ହେବା (protandry) କିମ୍ବା ମାଈ ବା ଅଣ୍ଡିରାରୁ ଉଭୟଲିଙ୍ଗୀ (hermaphrodite) ହେବା।
ଅନେକ ମାଛ, ଶାମୁକା ଓ ସନ୍ଧିପଦ ଅଣ୍ଡିରାରୁ ମାଈ ହୋଇଥାନ୍ତି। କ୍ଲାଉନ୍‌ଫିଶ୍‌ ଏପରି ସମାଜରେ ବାସ କରନ୍ତି ଯେଉଁଠି ପ୍ରଜନନ ଯୋଡ଼ି ସି ଆନିମୋନ (ସାଗର କୁସୁମ)ରେ ବାସ କରନ୍ତି। ମାଈ ହେଉଛି ସବୁଠାରୁ ବଡ଼ ଏବଂ ଅଣ୍ଡିରା ତା’ଠାରୁ ଟିକିଏ ଛୋଟ। ଅନ୍ୟମାନେ ଆକାରରେ ଆହୁରି ଛୋଟ ଯେଉଁମାନଙ୍କର କୌଣସି ଜନନାଙ୍ଗ ନ ଥାଏ। ଯଦି ଦଳର ମାଈଟି ମରିଯାଏ, ତେବେ ଅଣ୍ଡିରାଟି ନିଜର ଆକାର ବୃଦ୍ଧି କରି ମାଈ ହୋଇଯାଏ। ତା’ପରେ ସବୁଠାରୁ ବୃହଦାକାର ଅଲିଙ୍ଗୀ କ୍ଲାଉନ୍‌ଫିଶ୍‌ ସେହି ଦଳ ପାଇଁ ଅଣ୍ଡିରାରେ ପରିଣତ ହୁଏ। ପ୍ରୋଟାଣ୍ଡ୍ରସ୍‌ ହର୍ମାଫ୍ରୋଡାଇଟ୍‌ମାନେ ଅଣ୍ଡିରାରୁ ଜୀବନ ଆରମ୍ଭ କରନ୍ତି ଏବଂ ସାମାଜିକ ଚାପରେ ସେମାନେ ଲିଙ୍ଗ ପରିବର୍ତ୍ତନ କରି ମାଈ ହୋଇପାରନ୍ତି।
ଅନ୍ୟ ପ୍ରୋଟାଣ୍ଡ୍ରସ୍‌ ପ୍ରାଣୀମାନଙ୍କ ଭିତରେ ଅଛନ୍ତି କମ୍ବ ଜେଲି, ଚଟକା କୃମି, ମର୍ମନ ଫ୍ରିଟିଲାରୀ ବଟର୍‌ଫ୍ଲାଇ ପ୍ରଭୃତି। ଲେଭାପେକ୍ସ ଫସ୍କସ୍‌ ହେଉଛି ଏକ ଛୋଟ ମଧୁରଜଳ ବାୟୁସେବୀ ଲିମ୍ଫେଟ୍‌ (ଏକ ପ୍ରକାର ଶାମୁକାଜାତୀୟ ପ୍ରାଣୀ ଯିଏ ପଥର ଦେହରେ ଲାଖି ରହିଥାଏ)। ପ୍ରଥମେ ଅଣ୍ଡିରାମାନେ ଶୁକ୍ରାଣୁ ଉତ୍ପନ୍ନ କରନ୍ତି। ତା’ପରେ କେତେକ ମାଈରେ ପରିଣତ ହୋଇ ଅଣ୍ଡିରାଙ୍କ ସହ ସଙ୍ଗମ କରନ୍ତି। ତା’ପରେ ଡିମ୍ବଗୁଡ଼ିକ ପରିପକ୍ୱ ହୁଅନ୍ତି। ସେଥିରୁ ସେମାନଙ୍କ ଛୁଆ ଜନ୍ମ ହୁଅନ୍ତି। ମେରାଇନ୍‌ ସି ଷ୍ଟାର ପ୍ରଜାତିର ମାଛମାନେ ପ୍ରଥମ ତିନିବର୍ଷ ଅଣ୍ଡିରା ଓ ତା’ପର ତିନିବର୍ଷ ମାଈ ହୁଅନ୍ତି। ଶରୀରର ଆକାର ପରିବର୍ତ୍ତନ ଯୋଗୁ ଏହି ଲିଙ୍ଗପରିବର୍ତ୍ତନ ଘଟେ। ଡିମ୍ବଗୁଡ଼ିକ ଶୁକ୍ରାଣୁଠାରୁ ଆକାରରେ ବଡ଼। ତେଣୁ ବଡ଼ ଆକାରର ମାଛମାନେ ଅଧିକ ଡିମ୍ବ ସୃଷ୍ଟି କରିପାରନ୍ତି। ତେଣୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆକାରରେ ବୃଦ୍ଧି ଘଟୁଥିବାରୁ ସେମାନେ ଅଣ୍ଡିରାରୁ ମାଈ ହୋଇଥାନ୍ତି। ପ୍ରୋଟୋଜିନସ୍‌ ପ୍ରାଣୀମାନେ ମାଈ ହୋଇ ଜନ୍ମିଥାନ୍ତି। ଜୀବନର ଏକ ନିର୍ଦ୍ଦିଷ୍ଟ ବୟସ ଓ ଅବସ୍ଥାରେ ସେମାନେ ଅଣ୍ଡିରା ହୋଇଯାନ୍ତି। ସମସ୍ତ ପ୍ରୋଟୋଜିନସ୍‌ ପ୍ରଜାତିର ଉଭୟ ଲିଙ୍ଗର ଜନନାଙ୍ଗ ପାଇଁ ଜର୍ମ ସେଲ୍‌ ଥାଏ। ଯେତେବେଳେ ସାମାଜିକ ଆହ୍ବାନର ସମ୍ମୁଖୀନ ହୁଅନ୍ତି, ସେମାନେ ଅଣ୍ଡିରା ଅଙ୍ଗପ୍ରତ୍ୟଙ୍ଗର ବିକାଶ କରିଥାନ୍ତି। ବୟସ ଓ ଶରୀର ବଢ଼ିଲେ ସେମାନେ ଅଣ୍ଡିରାକୁ ପରିବର୍ତ୍ତିତ ହୁଅନ୍ତି।
ପ୍ୟାରଟ୍‌ ଫିଶ୍‌ ମାଈ ରୂପରେ ଜନ୍ମ ହୋଇଥାଏ, କିନ୍ତୁ ଏହା ପରେ ଜୀବନର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଲିଙ୍ଗ ପରିବର୍ତ୍ତନ କରିଥାଏ। ପରିବର୍ତ୍ତନ ପରେ କେତେକ ସୁପର-ମେଲ୍‌ରେ ପରିଣତ ହୁଅନ୍ତି, ଯେଉଁମାନେ ଅନ୍ୟ ଅଣ୍ଡିରାଙ୍କଠାରୁ ଆକାରରେ ବଡ଼। ରାସ୍‌ (ସାମୁଦ୍ରିକ ରଙ୍ଗିନ ମାଛ ବିଶେଷ) ହେଉଛି ପ୍ରବାଳପ୍ରାଚୀର ମାଛ ପରିବାରର। କାଲିଫର୍ନିଆ ଶିପ୍‌ହେଡ୍‌ ରାସ୍‌ ବୟସ ଅନୁସାରେ ଲିଙ୍ଗ ପରିବର୍ତ୍ତନ କରିଥାଏ। ସବୁ ଶିପ୍‌ହେଡ୍‌ ମାଈରୂପେ ଜନ୍ମ ହୋଇଥାନ୍ତି। ଚାରିରୁ ଛଅବର୍ଷ ପର୍ଯ୍ୟନ୍ତ ସେମାନେ ମାଈ ହୋଇ ରହିବା ପରେ ଲିଙ୍ଗ ପରିବର୍ତ୍ତନ କରନ୍ତି। ଅନ୍ୟ ଯେଉଁମାଛମାନଙ୍କ କ୍ଷେତ୍ରରେ ଏପରି ଘଟେ ସେମାନେ ହେଉଛନ୍ତି- ଗ୍ରୁପର, ପୋର୍ଜି, ଆଙ୍ଗଲ୍‌ଫିଶ୍‌, ଗୋବି, ଏମ୍ପରର୍‌ ଓ ସ୍ବାମ୍ପ ଇଲ୍‌। ରାସ୍‌ମାନେ ଅଣ୍ଡିରା ଓ ମାଈରୂପେ ଜନ୍ମ ହୋଇ ପରେ ଲିଙ୍ଗ ପରିବର୍ତ୍ତନ କରନ୍ତି। କିନ୍ତୁ ଆଙ୍ଗଲ୍‌ଫିଶ୍‌ ମାଛ ମାଈରୁ ଅଣ୍ଡିରା ହୋଇଥାନ୍ତି। ଅର୍ଥାତ୍‌ ଜନ୍ମରୁ କେହି ଅଣ୍ଡିରା ନ ଥାନ୍ତି।
ବେଳେବେଳେ ରାଣା ଟେମ୍ପୋରାରିଆ ବେଙ୍ଗଙ୍କ କ୍ଷେତ୍ରରେ ବୁଢ଼ୀ ମାଈମାନେ ଅଣ୍ଡିରାକୁ ରୂପାନ୍ତରିତ ହୁଅନ୍ତି। ଅଧିକ ବୟସରେ ଲିଙ୍ଗ ପରିବର୍ତ୍ତନର ଗୋଟିଏ କାରଣ ବୋଧହୁଏ ହେଉଛି, ଏପରି ନ ହେଲେ ଅନ୍ତଃପ୍ରଜନନର ଆଶଙ୍କା ରହିବ ଯାହା ପ୍ରକୃତିବିରୋଧୀ। କେତେକ ଦଳ ଏକା ସମୟରେ ଲିଙ୍ଗ ପରିବର୍ତ୍ତନ କରନ୍ତି। ଯଦି ଗୋଟିଏ ମାଆର ସନ୍ତାନମାନେ ଏକା ବୟସର ହୋଇଥାନ୍ତି ଏବଂ ସେମାନେ ସମସ୍ତେ ଗୋଟିଏ ଲିଙ୍ଗରୁ ଜୀବନ ଆରମ୍ଭ କରିଥାନ୍ତି ଏବଂ ପରେ ଏକା ବୟସରେ ସମସ୍ତେ ଲିଙ୍ଗ ପରିବର୍ତ୍ତନ କରନ୍ତି, ତେବେ ଯେକୌଣସି ସମୟ ଖଣ୍ଡରେ ସେମାନେ ଗୋଟିଏ ଲିଙ୍ଗର ହିଁ ହୋଇଥିବେ। ଫଳରେ ଅନ୍ତଃପ୍ରଜନନର ଭୟ ରହିବ ନାହିଁ। ତାଙ୍କୁ ପ୍ରଜନନ ପାଇଁ ଅନ୍ୟ ଦଳରୁ ସାଥୀ ଖୋଜିବାକୁ ପଡ଼ିବ। ପୁଣି ଭିନ୍ନ ଲିଙ୍ଗର ଯଦି କେହି ନ ମିଳନ୍ତି ତେବେ ଲିଙ୍ଗ ପରିବର୍ତ୍ତନ ଦ୍ୱାରା କେତେକ ପ୍ରାଣୀ ବଂଶବୃଦ୍ଧି କରିବାର ସୁଯୋଗ ପାଆନ୍ତି।
ବିୟରହେଡ୍‌ ଡ୍ରାଗନ୍‌ ହେଉଛି ଏକ ସରୀସୃପ ଯେଉଁମାନେ ଡିମ୍ବ ଅବସ୍ଥାରେ ଥିବା ବେଳେ ହିଁ ଲିଙ୍ଗ ପରିବର୍ତ୍ତନ କରିପାରନ୍ତି। ଅଣ୍ଡିରା କଟ୍‌ଲଫିଶ୍‌ ସାଥୀକୁ ନିଜର କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଦିଅନ୍ତି। ଅନ୍ୟ ଅଣ୍ଡିରାଙ୍କ ସହ ମୁହାଁମୁହିଁ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ ସେମାନେ ନିଜର ଶରୀରର ଗୋଟିଏ ପଟକୁ ଏପରି ବଦଳାଇ ଦିଅନ୍ତି ଯାହା ମାଈ ପରି ଦେଖାଯାଏ। ପାଖରେ ଥିବା ତା’ର ସାଥୀ ଜାଣେ ଯେ ସେ ଅଣ୍ଡିରା ଏବଂ ଅଳ୍ପ ଦୂରରେ ଥିବା ଅନ୍ୟ ଅଣ୍ଡିରା ଜାଣେ ଯେ ସେ ମାଈ। ପ୍ରତିଦ୍ୱନ୍ଦ୍ୱୀ ଅଣ୍ଡିରାଟି ଦେଖେ ଯେ ତା’ ଆଗରେ ଦୁଇଟି ମାଈ କଟଲ୍‌ଫିଶ୍‌ ଅଛନ୍ତି ଏବଂ ତା’ ସମ୍ମୁଖରେ କ’ଣ ଘଟୁଛି ସେ ଜାଣିପାରେ ନାହିଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri