ପ୍ରଶଂସାର ମୂଲ୍ୟ

ଅର୍ଥନୈତିକ ଉନ୍ନତି ଆଧାରରେ ବିକଶିତ, ବିକାଶଶୀଳ ଓ ଅବିକଶିତ ରାଷ୍ଟ୍ରଗୁଡ଼ିକର ବର୍ଗୀକରଣ କରାଯାଇଛି। କୌଣସି ଦେଶର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି), ମୁଣ୍ଡପିଛା ଆୟ, ଶିଳ୍ପ ଅଭିବୃଦ୍ଧିର ସ୍ତର, ବଜାର ସ୍ଥିତି ଏବଂ ଲୋକଙ୍କ ଜୀବନଧାରଣ ମାନକୁ ମାନଦଣ୍ଡ ଭାବେ ନିଆଯାଇ ରାଷ୍ଟ୍ରଗୁଡ଼ିକୁ ସ୍ଥିର କରାଯାଇଥାଏ। ସେହି ଦୃଷ୍ଟିରୁ ଦେଖିଲେ ଭାରତ ବିକାଶଶୀଳ ଦେଶ ପର୍ଯ୍ୟାୟଭୁକ୍ତ। ହେଲେ କିଛି ବର୍ଷ ହେବ ଭାରତ ବିକଶିତ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଆସୁଛି। ଦେଶର ନେତୃତ୍ୱ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରଗତି ବିଷୟରେ ତଥ୍ୟ ଉପସ୍ଥାପନ କରୁଛନ୍ତି। ତଥାପି ସେହି ସ୍ବପ୍ନ ପୂରଣ ହୋଇପାରୁ ନାହିଁ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୪ ଫେବୃୟାରୀରେ ଭାରତ ଗସ୍ତ କରିବା ପୂର୍ବରୁ ଏହି ଆକାଂକ୍ଷିତ ଲକ୍ଷ୍ୟ ଏବଂ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଆମେରିକା ବାଣିଜ୍ୟ ପ୍ରତିିନିଧି କାର୍ଯ୍ୟାଳୟ ପକ୍ଷରୁ ଏବେ ଏକ ନୋଟିସ୍‌ ଜରିଆରେ ଜଣାଇ ଦିଆଯାଇଛି ଯେ, ଭାରତ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବାରୁ ଏହା ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ୍‌ ପଡ଼ିଲା। ଅର୍ଥାତ୍‌ ଏଣିକି ଭାରତ ଏକ ବିକଶିତ ରାଷ୍ଟ୍ର ଭାବେ ଆମେରିକା ସହ ବାଣିଜି୍ୟକ କାରବାର କରିବ। ଭାରତ ଜି-୨୦ ରାଷ୍ଟ୍ରସମୂହର ସଦସ୍ୟ ରହିଛି ଏବଂ ବିଶ୍ୱ ବାଣିଜ୍ୟର ୦.୫ ପ୍ରତିଶତ ଅଂଶ ଅକ୍ତିଆର କରିଛି। ସେହି ଯୋଗୁ ଟ୍ରମ୍ପ୍‌ଙ୍କ ଘୋଷଣା ଦ୍ୱାରା ଭାରତକୁ ମିଳି ଆସୁଥିବା ଆର୍ଥିକ ସହାୟତା ଓ ବାଣିଜି୍ୟକ ରିହାତି ବନ୍ଦ ହେବା ନିଶ୍ଚିତ ହୋଇଯାଇଛି।
ଟ୍ରମ୍ପ୍‌ ଭାରତ ପ୍ରତି ହଠାତ୍‌ କାହିଁକି ଏଭଳି ଆଭିମୁଖ୍ୟ ଗ୍ରହଣ କଲେ, ତାହା ଏଠାରେ ବୁଝିବା କଷ୍ଟକର ନୁହେଁ। ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୬ରେ ନିର୍ବାଚନ ଜିତିବା ପରେ ଟ୍ରମ୍ପ୍‌ ‘ଆଗ ଆମେରିକା’ ବା ‘ଆମେରିକା ଫାଷ୍ଟ୍‌’ ନୀତି ଆପଣାଇ ଆସୁଛନ୍ତି। ୨୦୧୭ରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେବା ବେଳେ ଆମେରିକାର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଯଦିଓ ସେତେବେଳେ ସେ ଭାରତର ନାମ ନେଇ ନ ଥିଲେ, କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ଏବେ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେବା ସ୍ବାଭାବିକ। ସମସ୍ତେ ଜାଣନ୍ତି, ଟ୍ରମ୍ପ୍‌ ଜଣେ ଏକଜିଦିଆ ରାଜନେତା ଓ ସେ ନିଜର ସ୍ବାର୍ଥ ପାଇଁ କୌଣସି ମୁହୂର୍ତ୍ତରେ କିଛି ବି ନିଷ୍ପତ୍ତି ନେଇପାରନ୍ତି। ଭାରତକୁ ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବିକଶିତ ଦେଶକୁ ଉନ୍ନୀତ କରିବା ଅନେକ ଭାରତୀୟଙ୍କୁ ଖୁସି ଆଣିଦେଇପାରେ। କିନ୍ତୁ ଏହାର ନିଷ୍ଠୁର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବା ଥୟ। ବିଶ୍ୱବ୍ୟାପୀ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ଭାରତ ସଙ୍କଟ ମଧ୍ୟରେ ରହିଛି। ୨୦୧୮-୧୯ରେ ଭାରତର ଜିଡିପି ୬.୧ ପ୍ରତିଶତ ଥିବା ବେଳେ ୨୦୧୯-୨୦ରେ ହ୍ରାସ ପାଇ ୫ ପ୍ରତିଶତରେ ଅଛି। ଯେତେବେଳେ ଏକ ଦେଶର ଜିଡିପି କମିଆସୁଛି, ସେତେବେଳେ ଏହାର ଆର୍ଥିକ ଅଭିବୃଦ୍ଧି ଘଟୁଛି ବୋଲି ଆଖ୍ୟା ଦିଆଯାଇ ତାହାକୁ ବିକଶିତ ରାଷ୍ଟ୍ର ମାନ୍ୟତା ଦିଆଯିବା ପଛରେ ଟ୍ରମ୍ପ୍‌ଙ୍କ କପଟତା ସ୍ପଷ୍ଟ ବୁଝାପଡ଼ିଯାଉଛି। ଆମେରିକାବାସୀଙ୍କୁ ଖୁସି କରିବା ଲାଗି ସେ ଭାରତର ବୃହତ୍‌ କ୍ଷତି କରିବାକୁ ଯାଉଛନ୍ତି।
ଓଡ଼ିଆରେ ଢଗ ଅଛି- ‘ହାତରେ ନ ମାରି ଭାତରେ ମାରିବା’। ଭାରତକୁ ବିକଶିତ ଦେଶ ଭାବେ ପ୍ରଶଂସା କରି ତା’ର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବାକୁ ଯାଉଥିବା ଟ୍ରମ୍ପ୍‌ଙ୍କୁ କିନ୍ତୁ କିଛି ଦିନ ପରେ ଗୁଜରାଟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅହମଦାବାଦର ମୋଟେରାଠାରେ ବିଶ୍ୱର ସର୍ବାଧିକ ଦର୍ଶକ ଦେଖିପାରିବା ଭଳି ସର୍ଦ୍ଦାର ପଟେଲ କ୍ରିକେଟ ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ମୋଦି ପ୍ରେସିଡେଣ୍ଟ ଟ୍ରମ୍ପ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି। ପରିତାପର ବିଷୟ, ଟ୍ରମ୍ପ୍‌ଙ୍କ ଏହି ୩ ଘଣ୍ଟିଆ କାର୍ଯ୍ୟକ୍ରମ ପାଇଁ ଗୁଜରାଟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ସବୁଠାରୁ କୌତୂହଳର ବିଷୟ ଯେ, ନିକଟରେ ଟ୍ରମ୍ପ୍‌ କହିଥିଲେ ଅହମଦାବାଦ ବିମାନବନ୍ଦରରୁ ଉକ୍ତ ଷ୍ଟାଡିୟମ ଯାଏ ୫୦ ଲକ୍ଷରୁ ୭୦ ଲକ୍ଷ ଲୋକ ରହି ତାଙ୍କୁ ସ୍ବାଗତ କରିବେ। ମୋଦି ଏ ନେଇ ପ୍ରତିଜ୍ଞା କରିଥିବା ଟ୍ରମ୍ପ୍‌ କହିବା ପରେ ଭାରତ ଲଜ୍ଜିତ ହେବା କଥା । ଏଠାରେ ମନେପଡ଼େ, ଗତବର୍ଷ ସେପ୍ଟେମ୍ବରରେ ହ୍ୟୁଷ୍ଟନ୍‌ଠାରେ ହାଉଡି ମୋଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ୫୦,୦୦୦ ଭାରତୀୟ-ଆମେରିକୀୟ ଯୋଗଦେଇଥିଲେ। ସେମାନେ ମୁଖ୍ୟତଃ ଗୁଜରାଟୀ ଥିଲେ। ସେତେବେଳେ ମୋଦିଙ୍କୁ ଟ୍ରମ୍ପ୍‌ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ଭବତଃ ପ୍ରତିବଦଳରେ ଟ୍ରମ୍ପ୍‌ଙ୍କୁ ଦେଖେଇ ଦେଲା ଭଳି ୫୦ ଲକ୍ଷରୁ ୭୦ ଲକ୍ଷ ଲୋକଙ୍କୁ ରୁଣ୍ଡ କରିବାରେ ମୋଦି ଲକ୍ଷ୍ୟ ରଖିଛନ୍ତି ବୋଲି ଆମେରିକା ରାଷ୍ଟ୍ରପତିଙ୍କ କଥାରୁ ବୁଝାପଡ଼ିଯାଉଛି। ଏଠାରେ କୁହାଯାଇପାରେ ଯେ, ନିର୍ବାଚନ ଜିତିବା ଲାଗି ଭାରତୀୟ-ଆମେରିକୀୟ ଭୋଟରଙ୍କୁୁ ଆଖି ଆଗରେ ରଖି ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ନେଇଥିଲେ। ଏଥିରେ ମୋଦିଙ୍କୁ ବିଶ୍ୱନେତା ଓ ଭାରତକୁ ଗୁରୁତ୍ୱ ଦେବା ଭଳି କୌଣସି ଉଦ୍ଦେଶ୍ୟ ରହି ନ ଥିଲା ବୋଲି ମନେହେଉଛି। କାରଣ ବର୍ତ୍ତମାନ ଭାରତକୁ ଆମେରିକା ମିଛିମିଛିକା ବିକଶିତ ରାଷ୍ଟ୍ର ତାଲିକାରେ ଯୋଡ଼ିବାରୁ ମୋଦିଙ୍କ ଓଜନ ତଉଲି ହୋଇଗଲା। ଅନ୍ୟପକ୍ଷରେ ଷ୍ଟାଡିୟମ ଉଦ୍‌ଘାଟନ କରିବା ଲାଗି ଟ୍ରମ୍ପ୍‌ଙ୍କୁ ନିମନ୍ତ୍ରଣ କରିବାରେ ଭାରତର କେଉଁ ପ୍ରକାର ସ୍ବାର୍ଥ ସାଧନ ହେବ ତାହା ଅସ୍ପଷ୍ଟ ରହୁଛି। କେବଳ ଏତିକି ହୋଇପାରେ ଯେ, ଟ୍ରମ୍ପ୍‌ଙ୍କୁ ମୋଦି ଦେଖାଇ ଦେବାକୁ ଚାହାନ୍ତି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାରତ ଆତିଥ୍ୟ ପ୍ରଦାନ କରିବା ଲାଗି ଲୋକଙ୍କୁ ରାସ୍ତାରେ ଛିଡ଼ା କରାଇ ଦେଇପାରେ। ଏହା ବ୍ୟତୀତ ନିକଟ ଅତୀତରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପାର ବିଭିନ୍ନ ରାଜ୍ୟ ନିର୍ବାଚନରେ ବିପୁଳ ପରାଜୟ ଏବଂ ବିଶେଷକରି ଦିଲ୍ଲୀ ଫଳାଫଳ ପରେ ଟ୍ରମ୍ପ୍‌ଙ୍କ ଗସ୍ତ ଭାରତୀୟଙ୍କ ଦୃଷ୍ଟି ଭିନ୍ନ ଆଡ଼େ ନେଇଯାଇପାରେ ବୋଲି ପ୍ରଧାନମନ୍ତ୍ରୀ ଆଶା କରିପାରନ୍ତି। କିନ୍ତୁ ପେଟକୁ ଲାତ ମାରୁଥିବା ଟ୍ରମ୍ପ୍‌ଙ୍କ ଭଳି ବ୍ୟକ୍ତିଙ୍କୁ କୌଣସି ଭାରତୀୟ ହୃଦୟରୁ ସମ୍ମାନ ଦେବା ଉଚିତ ନୁହେଁ । କାରଣ ମିଛ ପ୍ରଶଂସାରେ ପେଟ ପୂରେ ନାହିଁ। ଏହାଛଡ଼ା ଆମେରିକା ସରକାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇସାରିଛି ଯେ, ଆମେରିକାର କୌଣସି ବୃହତ୍‌ ଶିଳ୍ପପତି ଟ୍ରମ୍ପ୍‌ଙ୍କ ସହିତ ଏହି ଗସ୍ତରେ ଆସୁ ନାହାନ୍ତି। ଏଥିରୁ ବୁଝାପଡ଼ୁଛି, ପୂର୍ବରୁ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହିତ ମୋଦିଙ୍କ ଚେନ୍ନାଇର ମହାବଳିପୁରମ୍‌ ଭେଟ ପରେ ଯେଭଳି କୌଣସି ଅର୍ଥନୈତିକ ଘୋଷଣାନାମା କରାଗଲା ନାହିଁ, ଠିକ୍‌ ସେହିଭଳି ଟ୍ରମ୍ପ୍‌ ଆସି ଫେରିଯିବେ, କିନ୍ତୁ ଭାରତର ଅନେକ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳିବ ନାହିଁ। ଗତ ୩୦ ଦିନ ମଧ୍ୟରେ ଗୁଜରାଟର ରାଜକୋଟ ଓ ଅହମଦାବାଦର ସରକାରୀ ହସ୍‌ପିଟାଲରେ ୧୩୪ ନବଜାତକଙ୍କ ମୃତ୍ୟୁ ହୋଇସାରିଲାଣି। ଏହାର ମୁଖ୍ୟ କାରଣ ଭାବେ ସରକାରୀ ଡାକ୍ତରଖାନାରେ ଔଷଧ ଓ ଯନ୍ତ୍ରପାତିର ଅଭାବ ଦର୍ଶାଯାଇଛି। ସେଗୁଡ଼ିକ ପୂରଣ କରିବା ପରିବର୍ତ୍ତେ ଟ୍ରମ୍ପ୍‌ଙ୍କ ପାଇଁ ୧୦୦ କୋଟି ଟଙ୍କା ମାତ୍ର ୩ ଘଣ୍ଟାରେ ଗସ୍ତ ପାଇଁ ଖର୍ଚ୍ଚ କରାଯାଉଛି। ଏହା ହେଉଛି ଗୁଜରାଟ ମଡେଲ। ଏହି ରାଜ୍ୟରେ ମୋଦି ୧୨ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ଦୀର୍ଘ ୬ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ରହିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri