ପୁନଶ୍ଚ ଗାନ୍ଧିଜୀ

ହରିହର ଶତପଥୀ
ଆଜିକାଲି ପୂର୍ବାପେକ୍ଷା ଗାନ୍ଧିଜୀଙ୍କ ଚର୍ଚ୍ଚା ବେଶି ହେଉଥିବା ସମସ୍ତେ ଜାଣନ୍ତି। ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗାନ୍ଧୀ କିଡ୍‌ସ ଓ ରାଜସ୍ଥାନ ସରକାରଙ୍କ ଗାନ୍ଧୀ ବିଭାଗ ଖୋଲିବା ପ୍ରସ୍ତାବ ପରେ ଏହା ଆହୁରି ଜୋର ଧରିଛି। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ତ ଆଉପାଦେ ଆଗେଇ ଯାଇ ସମ୍ବିଧାନରେ ଗାନ୍ଧିଜୀଙ୍କ ଅହିଂସାକୁ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗଣମାଧ୍ୟମରେ ବହୁ ଲେଖା ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଛି। ଏଇ କେତେଦିନ ତଳେ ଭୁବନେଶ୍ୱରବାସୀ ଗାନ୍ଧିଜୀଙ୍କ ବାର୍ତ୍ତା ଶୁଣି ସୋସିଆଲ ମିଡ଼ିଆରେ ଆଲୋଚନା କରି ଗଦ୍‌ଗଦ ହୋଇଥିବା ଦେଖିବାକୁ ମିଳିଥିଲା। ଏସବୁ ଦେଖି ବେଳେ ବେଳେ ମନକୁ ପ୍ରଶ୍ନ ଆସୁଛି ସତରେ କ’ଣ ଇତିହାସ କଡ଼ ଲେଉଟାଇବ? ଗାନ୍ଧୀ ଯୁଗ ପୁଣି ଫେରିଆସିବ?
ମୋହନଦାସ କରମଚାନ୍ଦ ଗାନ୍ଧୀ ନାମକ ଯେଉଁ ସନ୍ଥ ଜଣକ ସାବରମତି ଆଶ୍ରମରେ, ଦିଲ୍ଲୀର ବିରଳାଭବନଠାରେ ଅଥବା ବ୍ରିଟିଶ ସରକାରଙ୍କ ଜେଲ୍‌ କୋଠରିରେ ରହି ଦେଶର ମଙ୍ଗଳ ପାଇଁ ତପସ୍ୟାରତ ଥିଲେ ସେହି ସମୟରେ ତାଙ୍କ ପୁଣ୍ୟ ପ୍ରତାପରୁ ଭାରତର ହଜାର ହଜାର ଗ୍ରାମରେ ଗୋଟିଏ ଗୋଟିଏ ଜୀବନ୍ତ ଗାନ୍ଧିଜୀଙ୍କର ଅବତରଣ ହୋଇଥିଲା। ସେହି ଗଁା ଗାନ୍ଧୀମାନେ ନିଜ ଗଁା ସହିତ ପାଖ ଗଁାଗୁଡ଼ିକରେ କିପରି ଶିକ୍ଷା, ସ୍ବାସ୍ଥ୍ୟର ଉନ୍ନତି ହେବ ତାହାର ଚିନ୍ତା କରୁଥିଲେ। ଘର ସାମ୍‌ନାରେ ପଡ଼ିଥିବା ରାସ୍ତାଠାରୁ ପୋଖରୀ ପର୍ଯ୍ୟନ୍ତ ସଫା କରିବା ପାଇଁ ସାଧାରଣ ଲୋକଙ୍କ ସହ ମିଶି ଶ୍ରମଦାନ କରୁଥିଲେ। ସରକାରଙ୍କୁ ତାଙ୍କର ଅପେକ୍ଷା କି ଉପେକ୍ଷା ନ ଥିଲା। ସମାଜରେ ଛୁଅଁା ଅଛୁଅଁା ଦୂର କରିବାରେ ତାଙ୍କର ଆନ୍ତରିକ ଉଦ୍ୟମରେ ଲେଶମାତ୍ର ଛନ୍ଦକପଟ ନ ଥିଲା।
ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ଏହି ଗଁା ଗାନ୍ଧୀମାନଙ୍କର କ୍ରମେ କ୍ରମେ ଅସ୍ତ ହେବାକୁ ଲାଗିଲା। ନୂତନ ପିଢ଼ି ଆଉ ମାହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ କିଛି ଜାଣିପାରିଲେନି। ସ୍କୁଲ କଲେଜରେ ତାଙ୍କ ଦର୍ଶନ ଧୀରେ ଧୀରେ ସଙ୍କୁଚିତ ହେବାକୁ ଲାଗିଲା। ପିଲାମାନେ ଅଧ୍ୟୟନ ବେଳେ ‘ଆଲୁଅ ଲିଭିଗଲା’ ଭଳି କେତେକ ଶବ୍ଦ ଆଉ ଭାବ ବ୍ୟତିରେକେ ବିଶେଷ କିଛି ଜାଣିପାରିଲେ ନାହିଁ। ଆହୁରି ଦୁଃଖଦାୟକ ଘଟଣା ହେଲା ଯେଉଁମାନେ ଆଲୁଅ ଲିଭିଗଲା ବୋଲି ଚିତ୍କାର କରୁଥିଲେ ସେମାନେ ପରବର୍ତ୍ତୀ ସମୟରେ ପୁଣି ଯେପରି ଆଲୁଅ ନ ଜଳିବ ତା’ର ବ୍ୟବସ୍ଥା କରିବାକୁ ଲାଗିଲେ ଓ ସେଥିରେ ସଫଳ ମଧ୍ୟ ହେଲେ। ଭାରତୀୟ ଜନତା ମହାଭାରତ ଯୁଗରୁ ଶିଖିଛନ୍ତି ଗୋଟିଏ କଥା ସେଇଟା ହେଲା- ମହାଜନୋ ଯେନ ଗତଃ ସ ପନ୍ଥାଃ। ମହାତ୍ମାଙ୍କ ପରେ ସମାଜରେ ଯେଉଁମାନେ ବଡ଼ ଦେଖାଗଲେ ସେମାନଙ୍କୁ ଅନୁସରଣ କରିବା ସାର ହେଲା। ଫଳତଃ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଭବିଷ୍ୟବାଣୀ ସତ ହେଲା। ସେ ଗାନ୍ଧିଜୀଙ୍କ ଉପରେ ମତବ୍ୟକ୍ତ କରିବାକୁ ଯାଇ କହିଥିଲେ ଯେ, ସମୟ ଆସିବ ଯେତେବେଳେ ଲୋକମାନେ ପ୍ରଶ୍ନ କରିବେ- ଗାନ୍ଧିଜୀଙ୍କ ପରି ସତରେ କ’ଣ ଜଣେ ରକ୍ତମାଂସର ଦେହଧାରୀ ମଣିଷ ଥିଲେ? ସତକୁ ସତ କାଳକ୍ରମେ ମାହାତ୍ମା ଗାନ୍ଧୀ କିଛି ଲୋକଙ୍କ ପାଇଁ ସତ ହୋଇ ରହିଲେନି, ସେ ହୋଇଗଲେ ‘ମିଛ ମହାତ୍ମା’। ଏପରି ସମୟରେ ଗାନ୍ଧୀଙ୍କ ବିଷୟରେ ବିଶେଷ ଆଲୋଚନା ହେବା ନିଶ୍ଚୟ କିଛିଟା ଆଶାର ସଞ୍ଚାର କରୁଛି।
ଆଶା ସହିତ ଆଶଙ୍କା ମଧ୍ୟ ମନକୁ ଆସୁଛି। କାରଣ ଆଜି ଯେଉଁମାନେ ଜୋର୍‌ରେ ଗାନ୍ଧୀ, ଗାନ୍ଧୀ ବୋଲି ଚିତ୍କାର କରୁଛନ୍ତି ସେମାନଙ୍କ ମଧ୍ୟରୁ ବହୁଲୋକ ଅଛନ୍ତି ଯେଉଁମାନେ ଅତୀତରେ ଗାନ୍ଧିଜୀଙ୍କୁ ଘୃଣା କରୁଥିଲେ। ସେହି ଭିତରେ ଅନେକେ ଅଛନ୍ତି ଯେଉଁମାନେ ମାହାତ୍ମା ଗାନ୍ଧୀ ନୁହେଁ ଅନ୍ୟ କେଉଁ ଗାନ୍ଧୀଙ୍କ ସମର୍ଥକ। ମୁଷ୍ଟିମେୟ କେତେ ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ। ସେମାନେ ନିଃସଙ୍ଗ, ‘ଏକ୍‌ଲା ଚଲୋ’ର ପଥିକ। ନାମ ଓ ଯଶ ପ୍ରାପ୍ତିର ବହୁ ଦୂରରେ ଥାଇ ସେମାନେ ନୀରବ ସାଧନା କରୁଛନ୍ତି।
ମହାତ୍ମା ଗାନ୍ଧୀ କଂଗ୍ରେସ ଦଳର ପୃଷ୍ଠପୋଷକ, ପାଳକ ଥିଲେ। କିନ୍ତୁ ରାଜନୀତିର ଗଣ୍ଡି ମଧ୍ୟରେ ସୀମିତ ନ ଥିଲେ। ସମାଜର ବହୁବିଧ ସମସ୍ୟା ପ୍ରତି ସଚେତନ ଥିଲେ ଓ ତଦନୁଯାୟୀ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଏବେ ଯେଉଁମାନେ ଗାନ୍ଧିଜୀଙ୍କ ଭକ୍ତ ବୋଲି ନିଜକୁ ଦର୍ଶାଉଛନ୍ତି ତନ୍ମଧ୍ୟରୁ ଶତକଡ଼ା ନବେଭାଗ କେବଳ ଗାନ୍ଧିଜୀଙ୍କ ରାଜନୈତିକ ଦିଗ ଉପରେ ଆଲୋଚନା ଆଉ କାର୍ଯ୍ୟ କରୁଛନ୍ତି। ଏକ ନକାରାତ୍ମକ ଚିନ୍ତାଧାରା, ପ୍ରତିକ୍ରିୟାର ଫଳସ୍ବରୂପ ସେମାନେ ଗାନ୍ଧୀଙ୍କ ପ୍ରତି ଆନ୍ତରିକତା ଦେଖାଉଛନ୍ତି। ଦେଶ ଭିତରେ ହିନ୍ଦୁତ୍ୱର ସମର୍ଥକ ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରିବାକୁ ହେଲେ ଗାନ୍ଧିଜୀଙ୍କୁ ଅସ୍ତ୍ର ରୂପେ ପ୍ରୟୋଗ କରିବା ହିଁ ହେଉଛି ଏକମାତ୍ର ପନ୍ଥା ବୋଲି ଏମାନେ ବିଚାର କରନ୍ତି।
ଅବଶ୍ୟ ଗତ କେତେବର୍ଷ ହେଲା ବିଶେଷତଃ ମହାରାଷ୍ଟ୍ରରେ ‘ଗାନ୍ଧୀ ବଧ’ ନାଟକ ଅଭିନୀତ ହେବା ପ୍ରସଙ୍ଗରେ କିଛି ଲୋକ ନାଥୁରାମ ଗଡ୍‌ସେଙ୍କ ମହତ୍ତ୍ୱ ପ୍ରତିପାଦନ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ନାଥୁରାମ କେବଳ ଏକ ହତ୍ୟାକାରୀ ଥିଲେ। ସେ କୌଣସି ବିଚାର ଓ ଦର୍ଶନର ପ୍ରବର୍ତ୍ତକ ନ ଥିଲେ। ତେଣୁ ଭାରତୀୟ ସମାଜରେ ସେ ଗ୍ରହଣୀୟ ହୋଇନାହାନ୍ତି। ଏମିତି ଦେଖିବାକୁ ଗଲେ ରାମାୟଣରେ ରାବଣର ବୈଶିଷ୍ଟ୍ୟ ମଧ୍ୟ ବର୍ଣ୍ଣନା କରାଯାଇଛି। ରାବଣଠାରୁ ନାଥୁରାମଙ୍କ ପର୍ଯ୍ୟନ୍ତ ସମସ୍ତ ଚରିତ୍ର ଦେଶ, ସମାଜ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇସାରିଛନ୍ତି। ତେଣୁ ପୁନଶ୍ଚ ଗାନ୍ଧୀଙ୍କ ବିଷୟରେ ଆଲୋଚନା ହେଉ, କିନ୍ତୁ ସକାରାତ୍ମକ ଭାବରେ। ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଥିଲା, ଆଜି ଅଛି ଓ ଆଗକୁ ବି ରହିବ। ତେଣୁ ଗାନ୍ଧୀ ଦର୍ଶନ କେବଳ ଆମ ଭାଷଣର ବିଷୟ ନ ହୋଇ ଆଚରଣର ବିଷୟ ହେଉ।
ମଣ୍ଡଳ, ବଲାଙ୍ଗୀର, ମୋ- ୮୬୩୭୨୨୪୯୨୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri