ପାତିବା ନାହିଁ ହାତ

ଶ୍ରୀ ସନ୍ନ୍ୟାସୀ

ଚାରିଆଡ଼େ ମରୁଡ଼ି। ସବୁଠି ହା ଅନ୍ନ ଚିତ୍କାର। ଗାଁଟିର ନାଁ ହେଉଛି ସିରେଇ। ସେଇଠି ଖୋଲା ହୋଇଛି ରିଲିଫ୍‌ କେନ୍ଦ୍ର। ଦାସେ ଆପଣେ ନିଜେ ଉପସ୍ଥିତ ରହି ଚୁଡା ଚାଉଳ ବାଣ୍ଟୁଛନ୍ତି। ଅନ୍ୟ ଗାଁର ଯୁବକ ବେଣୁଧର; ଏକଦା ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଥିଲା ସେ। ମରୁଡ଼ିର ପ୍ରକୋପରେ ତା’ ପରିବାର ବି ବାଦ୍‌ ଯାଇନି। ବେଣୁଧର ଗଲା ଦୁଇଦିନ ହେଲା ରିଲିଫ୍‌ କେନ୍ଦ୍ରକୁ ଯାଉଛି। କିଛି ଦୂରରେ ବସୁଛି। ଭାବ ରାଇଜରେ ତୀବ୍ର ଆଲୋଡ଼ନ। ମନ ଆଉ ବିବେକ ମଧ୍ୟରେ ସଂଘାତ। ଶେଷକୁ ଖାଲି ହାତରେ ଫେରୁଛି।
ତୃତୀୟ ଦିନ ନଜର ପଡିଗଲା ଦାସେ ଆପଣେଙ୍କର। ପଚାରିଲେ କ’ଣ ରିଲିଫ୍‌ ନେଲଣି? ଉତ୍ତର- ନା। ନେବ?। ନା। ଆପଣଙ୍କ ଘରେ ବୋଧହୁଏ ଖାଇବାକୁ ଅଛି? ନା, କିଛି ବି ନାହିଁ। ତିନିଦିନ ହେଲା ପୂରା ପରିବାର ଉପାସ। ଦାସେ ବିସ୍ମିତ ହେଲେ, ପଚାରିଲେ- ତେବେ କ’ଣ ପାଇଁ ରିଲିଫ୍‌ ନେବ ନାହିଁ ଭାଇ?
ଦାସେ ଆପଣେଙ୍କ ଗୋଡ଼ତଳେ ପଡିଯାଇ ବେଣୁଧର କଇଁକଇଁ ହୋଇ କାନ୍ଦି ଉଠି କହିଲା- ବନବିଦ୍ୟାଳୟର ଦୈନିକ ପ୍ରାର୍ଥନାରେ ଆପଣ ପରା ଆମକୁ ଶିଖାଇଥିଲେ-”ଜୀବନ ଥିଲେ ଭାଇ ପାତିବା ନାହିଁ ହାତ। ମଣିଷ ପରି ମଣିଷ ହୋଇବା ତ?“ ଅଶ୍ରୁବିଗଳିତ ନୟନରେ ଉତ୍କଳମଣି ସେଦିନ ବେଣୁଧରକୁ ଛାତିରେ କୁଣ୍ଢାଇ ଧରି ଭାବୁଥିଲେ- ହଁ, ଏ ଜାତି ଏବେ ମଧ୍ୟ ବଞ୍ଚତ୍ଛି।
ଏକଦା ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ‘ଏବେ ମଧ୍ୟ ବଞ୍ଚତ୍ଛି’ ଲେଖାଟିର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ମାଗଣା ଛତା, ଜୋତା, କମ୍ବଳ, ଆହାର, ଲାପ୍‌ଟପ୍‌, ଟଙ୍କିକିଆ ଚାଉଳ, ହରିଶ୍ଚନ୍ଦ୍ର, କାଳିଆ ଆଉ ପିଠା ଭଳି ଯୋଜନା ମଧ୍ୟରେ ବେଣୁଧରକୁ ଖୋଜା ଚାଲିଛି। ହେଲେ ବେଣୁଧରର ପତ୍ତା ମିଳୁନି। ଦିନେ ଯେଉଁ ଜାତିର ବିଜୟ ବୈଜୟନ୍ତୀରେ ପ୍ରଲୁବ୍ଧ ହେଉଥିଲା ଅବଶିଷ୍ଟ ବିଶ୍ୱ, ଯେଉଁ ଜାତିର ଇତିହାସରେ ଥିଲା ବୀରତ୍ୱର ଗାଥା, ଯେଉଁ ସଭ୍ୟତାରେ ନିନାଦିତ ହେଉଥିଲା ଉଚ୍ଚାଙ୍ଗ ସଂସ୍କୃତିର ସ୍ବର, ସେଇ ଜାତିଟା ଏତେ ଶୀଘ୍ର କାଙ୍ଗାଳ ହୋଇଗଲା କେମିତି? କେମିତି ବଦଳିଗଲା ତା’ର ଚର୍ଚ୍ଚିତ ଚରିତ୍ର? ମହନୀୟ ମାନସିକତାରେ ଘୁଣ ଲାଗିଗଲା କେବେଠୁ? କେଉଁମାନେ ତା’ର ଏପରି ଦଶା ପାଇଁ ଦାୟୀ? ଏହା ଆଜି କୋଟିଏ ଟଙ୍କାର ପ୍ରଶ୍ନବାଚୀ ସୃଷ୍ଟି କରୁଛି ମନରେ।
ସେଦିନ ବାସ୍ତବରେ ମରୁଡ଼ି ପଡିଥିଲା। ଚାରିଆଡେ ମାଳମାଳ କଙ୍କାଳପ୍ରାୟ ମଣିଷମାନଙ୍କ କ୍ଷୁଧାଜର୍ଜ୍ଜରିତ ମୁହଁ ଦେଖାଯାଉଥିଲା। ଏହା ସତ୍ତ୍ୱେ ଏ ଜାତିର ଅସ୍ମିତା ଟିକକ ବଞ୍ଚତ୍ ରହିଥିଲା। ଏପରି କି ନ’ଅଙ୍କ ଦୁର୍ଭିକ୍ଷ, ଯେତେବେଳେ ବିନା ଖାଦ୍ୟରେ ଲୋକେ ପୋକମାଛି ପରି ମରୁଥିଲେ, ସେତେବେଳେ ବି ଏ ଜାତିର ସ୍ବାଭିମାନ ଥିଲା। ରିଲିଫ୍‌ କେନ୍ଦ୍ରକୁ ‘ଛତର’ର ଆଖ୍ୟା ଦେଇ ସେଠାରେ ଖାଉଥିବା ବା ସାହାଯ୍ୟ ପାଇଁ ପହଞ୍ଚୁଥିବା ଲୋକମାନଙ୍କୁ ସମାଜ ‘ଛତରଖିଆ’ ବା ‘ଛତରା’ ଉପାଧିରେ ଭୂଷିତ କରୁଥିଲା। ତେବେ ସେଇ ଜାତିର ଦାୟାଦ ଏତେ ଶୀଘ୍ର ଦୁର୍ବଳ ଓ ହୀନମନା ହୋଇଗଲେ କେମିତି?
ବର୍ତ୍ତମାନ ଚାରିଆଡ଼େ ମାଗଣାଖିଆଙ୍କ ଭିଡ଼। ଏ ଭିଡ଼ ଦିନକୁ ଦିନ ବଢ଼ିଚାଲିଛି ଆଉ ବଢ଼ିବ ବୋଲି ଜଳ ଜଳ ହୋଇ ଦେଖାଯାଉଛି। କାରଣ ଏହା ପାଲଟିଛି ସରକାରଙ୍କ ଲୋକପ୍ରିୟତାର ମାପକାଠି ଏବଂ ଶାସନଗାଦିକୁ ଅକ୍ତିଆର କରିବା ପାଇଁ ବିରୋଧୀଙ୍କ ଅମୋଘ ଅସ୍ତ୍ର। ଖାସ୍‌ ଏଇଥିପାଇଁ ସରକାର ଯଦି ଚାଷୀମାନଙ୍କୁ ପାଞ୍ଚ ପାଞ୍ଚ ହଜାର ଟଙ୍କା ଦେଲେଣି, ସେପଟେ ଅନ୍ୟ ଦଳ କହୁଛନ୍ତି- ଆମେ ଋଣ ଛାଡ଼ କରିଦେବୁ, ଆହାର କେନ୍ଦ୍ର ଦିନ, ରାତି ଏପରି କି ସକାଳେ ବି ଖୋଲିବୁ। ଦରକାର ପଡିଲେ ଘରେ ନେଇ ଖାଇବା ପହଞ୍ଚାଇ ଦେବୁ। ଆମକୁ ଖାଲି ଗାଦିରେ ବସାଅ।
ବର୍ତ୍ତମାନ ସମୟରେ ବେଣୁଧରମାନଙ୍କୁ ଖୋଜି ପାଇବା ଅସମ୍ଭବ ହୋଇଗଲାଣି। ବେଣୁଧରମାନେ ଯେ ନାହାନ୍ତି, ସେ କଥା ନୁହେଁ, କିନ୍ତୁ ଅସରନ୍ତି ମାଗଣା ଉପହାରଗୁଡ଼ିକର ଆଖିଝଲସା ଔଜ୍ଜ୍ୱଲ୍ୟରେ ଏମାନଙ୍କର ଅଭାବୀ ମନ ବିବେକର ଶତ ତାଡ଼ନା ସତ୍ତ୍ୱେ ନିଜ ଅଜାଣତରେ ପ୍ରଲୁବ୍ଧ ହୋଇଯାଉଛି। ଏବେ ବେଣୁଧରର ଆଖି ସାମ୍ନାରେ ଯେତେବେଳେ ତିନିତାଲା କୋଠା ଥିବା ଲୋକଟି ଆବାସ ନେଇ ଯାଉଛି, ଲକ୍ଷପତି ଲୋକଟା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାଡିରେ ଠିଆହୋଇ ‘ମୋତେ ଟିକେ ଶୀଘ୍ର ଦେଇଦିଅ’ ବୋଲି ଆକୁଳ ପ୍ରାର୍ଥନା କରିପାରୁଛି, କାର୍‌ ଚଢ଼ୁଥିବା ଫଗୁ ଦାସ ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ରରେ ହାଜିରା ପକାଇ ପାରୁଛି, ସେତେବେଳେ ଅଭାବୀ ବେଣୁଧର ଭାବୁଛି- ମୁଁ ଏମାନଙ୍କ ଭିତରେ ସାମିଲ ନ ହେଲେ ମୋତେ କୋଉ ରାଷ୍ଟ୍ରପତି ପୁରସ୍କାରଟାଏ ମିଳିଯିବ ଯେ? ଥିଲାବାଲା ଲୋକେ ଯେତେେବେଳ ‘ମାଗନ୍ତା’ ତାଲିକାରେ ନାଁ ଦରଜ କରିବା ପାଇଁ ତତ୍ପର, ସେତେବେଳେ ମୁଁ ହାତ ପତେଇଦେଲେ, ବିବେକ ମୋତେ ବାଧା ଦେବ କିଆଁ?’
ହଜାର ହଜାର କୋଟି ଟଙ୍କା କରଜରେ ଥାଇ ବି କେବଳ ଗାଦିରକ୍ଷା ପାଇଁ ଆହୁରି ଋଣ କରାଚାଲିଛି। ଓଡ଼ିଶାର ବର୍ତ୍ତମାନ ମୁଣ୍ଡପିଛା ଋଣ ୨୩ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେଲାଣି, ତଥାପି ମାଗି ଖାଇବା ଆନନ୍ଦରେ ଆମେ ଏବେ ଉବୁଟୁବୁ। ଏତିକିବେଳେ ଶୁଣିଥିବା ଏହି ଗପଟି ହୁଏତ ଆମ ଅବକ୍ଷୟମୁଖୀ ଚେତନାକୁ ଊର୍ଦ୍ଧ୍ୱାୟିତ କରିପାରେ। ଦିନେ ମେଣ୍ଢାମାନଙ୍କର ଦଳପତି ଏକ ବୈଠକ ଡକାଇ ଉପସ୍ଥିତ ମେଣ୍ଢାମାନଙ୍କୁ କହିଲେ- ଏ ସନ ଶୀତ ଋତୁରେ ମାଲିକଙ୍କ ତରଫରୁ ତୁମ୍ଭମାନଙ୍କୁ ଗୋଟିଏ ଲେଖା କମ୍ବଳ ଉପହାର ମିଳିବ। ଘୋଷଣା ଶୁଣି ସଭିଏଁ କରତାଳି ସହ ନାଚି ଉଠିଲେ। ଅନ୍ୟ ମେଣ୍ଢାମାନଙ୍କର ଖୁସି ନାଚଗୀତକୁ ଦେଖି ଗୋଟିଏ ବୁଢ଼ା ମେଣ୍ଢା ପ୍ରଶ୍ନ କଲା- ଏତେ କମ୍ବଳ ପାଇଁ ଲୋମ ସବୁ କେଉଁଠୁ ଆସିବ?
ଏ ପ୍ରଶ୍ନରେ ସେଦିନ ବୈଠକରେ ଉପସ୍ଥିତ ଥିବା ମେଣ୍ଢାମାନଙ୍କର ଚୈତନ୍ୟ ଉଦୟ ହୋଇଥିବ କି ନାହିଁ କେଜାଣି କିନ୍ତୁ ଏହାକୁ ପଢ଼ି ବହୁଳ ପ୍ରଚାରିତ ଆମ ଓଡ଼ିଆ ମେଣ୍ଢାଙ୍କ ମଗଜ ଆଉ ଅସ୍ମିତାର ଅଭିବୃଦ୍ଧି ଘଟି ଯଦି ବେଣୁଧରମାନେ ସୃଷ୍ଟି ନ ହୁଅନ୍ତି ତେବେ ଭବିଷ୍ୟତରେ ଏ ଜାତିଟା ନିଶ୍ଚୟ ନିଜର ପରିଚୟ ହରାଇବ- ଏହା ନିଃସନ୍ଦେହ।
ଦିବ୍ୟାଲୋକ ସନ୍ଧାନେ, କଟକ,
ମୋ: ୯୪୩୮୦୫୨୬୧୧


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri