ନିରପେକ୍ଷ ନିର୍ବାଚନର ବାସ୍ତବତା

ଯଦୁମଣି ପାଣିଗ୍ରାହୀ

ଭାରତ ଭଳି ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୀତି ଯେଭଳି କଳୁଷିତ ଅବସ୍ଥାକୁ ଗଲାଣି, ତାହା ପ୍ରାୟତଃ ସମସ୍ତଙ୍କୁ ଊଣାଅଧିକେ ଜଣା। ଏ ପରିସ୍ଥିତିରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାସ୍ତବତା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ ନୁହେଁ କି? ଏକ ଜନପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ଜନମତ ହେଉଛି ଶାସନର ମୂଳାଧାର। ଜନମତ ଆଧାରରେ ଜନପ୍ରତିନିଧିମାନେ ନିର୍ବାଚିତ ହୋଇ ଶାସନ କରିବାର ସାମର୍ଥ୍ୟ ହାସଲ କରିଥାଆନ୍ତି। ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ମତଦାନ ହେଉଛି ଏକ ରାଜନୈତିକ ଅଧିକାର। ତେଣୁ ଜଣେ ମତଦାତା ଏହି ଅଧିକାର ସାବ୍ୟସ୍ତ କଲାବେଳେ ସଂପୂର୍ଣ୍ଣ ଭାବେ ସ୍ବଚ୍ଛ, ନିରପେକ୍ଷ ଓ ବିବେକାନୁମୋଦିତ ନୀତି ଅନୁସରଣ କରିବା ଉଚିତ୍‌। ନିର୍ବାଚନ ବେଳେ କୌଣସି ପ୍ରକାର ଚାପ ବା ପ୍ରଲୋଭନରେ ବଶବର୍ତ୍ତୀ ହୋଇ ସେ ଯେତେବେଳେ ନିଜ ମତଦାନ ସାବ୍ୟସ୍ତ କରିବ; ସେତେବେଳେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାସ୍ତବତାକୁ ନେଇ ମନରେ ପ୍ରଶ୍ନଟିଏ ଉଙ୍କିମାରିବା ସ୍ବାଭାବିକ।
ସମ୍ପ୍ରତି ଆମ ଦେଶରେ ଯେଭଳି ବ୍ୟୟବହୁଳ ନିର୍ବାଚନ ଅନୁଷ୍ଠିତ ହେଉଛି ଓ ଜନମତକୁ ପ୍ରଭାବିତ କରାଯିବାର ଉଦ୍ୟମ କରାଯାଉଛି, ତାହା ଆମ ଗଣତନ୍ତ୍ରର ମର୍ଯ୍ୟାଦା ଓ ମୂଲ୍ୟବୋଧ ପ୍ରତି ଯେ ଚରମ କୁଠାରାଘାତ କରୁଛି ଏହା ନିଃସନ୍ଦେହ। ନିର୍ବାଚନରେ ଅର୍ଥବଳ ଓ ବାହୁବଳର ବ୍ୟାପକ ବ୍ୟବହାର ସହ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ ଓ ବେନିୟମ କାର୍ଯ୍ୟ ଯୋଗୁ ସମୁଦାୟ ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେଉଛି, ଏକ ସ୍ବଚ୍ଛ ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତି ବିପଦ ସୃଷ୍ଟି କରୁଛି। ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ନିର୍ବାଚନ ପରିଚାଳନା ଅଧିକାରୀଙ୍କ ଦାୟିତ୍ୱବଦ୍ଧତା, ସଚ୍ଚୋଟପଣିଆ ଏବଂ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ନିର୍ବାଚନରେ ଜଣେ ବିଜୟୀ ପ୍ରାର୍ଥୀଙ୍କୁ ଜାଣିଶୁଣି କିଭଳି ପରାଜିତ ଘୋଷଣା କରାଯାଇଥିଲା ତାହା ନଜରକୁ ଆସିଛି। ନିର୍ବାଚନ ଅଧିକାରୀଙ୍କ ଏଭଳି ପକ୍ଷପାତ ନିଷ୍ପତ୍ତିକୁ ନେଇ ପରାଜିତ ପ୍ରାର୍ଥୀ ଜଣଙ୍କ ପ୍ରଥମେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତେବେ ସେଠାରୁ କୌଣସି ଆଶ୍ୱସ୍ତି ନ ମିଳିବାରୁ ସେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ନିର୍ବାଚନରେ ହୋଇଥିବା ମତଦାନ କାଗଜକୁ ପୁନଃ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ଜଣାପଡ଼ିଲା ଯେ, ନିର୍ବାଚନ ଅଧିକାରୀ ଜଣଙ୍କ ପରାଜିତ ଘୋଷିତ ପ୍ରାର୍ଥୀଙ୍କର ୮ଟି ବୈଧ ଭୋଟ କାଗଜକୁ ନାକଚ କରିବା ସହିତ ତା’ ଉପରେ ଛକିଚିହ୍ନ ମାରି ଦେଇଥିଲେ। ଅଧିକାରୀ ଜଣଙ୍କ ଜାଣିଶୁଣି ଏଭଳି କରିଥିବା ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ ଦର୍ଶାଇବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଅନ୍ୟପକ୍ଷେ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଅଧିକାରୀ ଜଣଙ୍କ ଅଦାଲତଙ୍କୁ ଏ ସଂପର୍କିତ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି କରାଯାଇଛି। ନିର୍ବାଚନ ପରିଚାଳନା ବ୍ୟବସ୍ଥାରେ ଏଭଳି ବେଆଇନ ଓ ଅନିୟମିତତାକୁ ସୁଯୋଗ ଦିଆଗଲେ ତାହା ଆମ ରାଷ୍ଟ୍ରର ସମୁଦାୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ମୂଲ)ବୋଧ ସମ୍ପନ୍ନ ନୀତି ସମୂହ ପାଇଁ ବିଧ୍ୱଂସୀ ସାବ୍ୟସ୍ତ ହେବ ବୋଲି ସର୍ବୋଚ୍ଚ ନ୍ୟାୟାୟାଳୟଙ୍କ ପୀଠ ପ୍ରକାଶ କରିଛନ୍ତି। ଚଣ୍ଡିଗଡର ଏହି ଘଟଣାରୁ ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିୟୋଜିତ କିଛି ଅଧିକାରୀଙ୍କ ନୈତିକତା ଓ ନିରପେକ୍ଷ ଦାୟିତ୍ୱ ସମ୍ପନ୍ନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହା ବ୍ୟତୀତ ବର୍ତ୍ତମାନ ସମୟରେ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଧାନ୍ୟ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି। ନିର୍ବାଚନରେ ଯେଉଁ ପ୍ରାର୍ଥୀ ଯେତେ ଅର୍ଥ ଖର୍ଚ୍ଚ କରିପାରିବ ଜନମତକୁ ସେ ସେତେ ମାତ୍ରାରେ ପ୍ରଭାବିତ କରିପାରିବ। ଏହି ଅର୍ଥ କେବେ ସିଧାସଳଖ ଭୋଟରଙ୍କ ପାଖକୁ ଯାଉଛି ତ କେବେ ବିଭିନ୍ନ ମାଗଣା ଯୋଜନା ଓ ଉପହାର ମାଧ୍ୟମରେ ଯାଉଛି। ସମ୍ପ୍ରତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାଧାରଣ ସରପଞ୍ଚ ପ୍ରାର୍ଥୀଟିଏ ଯଦି ଅଧକୋଟିଏ ଟଙ୍କା ଖର୍ଚ୍ଚ କରିପାରୁଛି, ତେବେ ବିଧାୟକ ଓ ସାଂସଦ ପ୍ରାର୍ଥୀଟିଏ କେତେ ଟଙ୍କା ଖର୍ଚ୍ଚ କରୁଥିବେ ତାହା ସମସ୍ତେ ଅନୁମାନ କରି ପାରୁଥିବେ। ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଭାବଶାଳୀ ଓ ବାହୁବଳୀ ନେତାଏ ନିର୍ବାଚନରେ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରିବା ସହ ହିଂସାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି। ଭୋଟରଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦିଆଯାଇ ଭୟଭୀତ କରାଯିବା,ସରକାରୀ ଯୋଜନାରୁ ନାଁ କାଟିଦେବାର ଭୟ ଦେଖାଯିବା ଏବଂ ବୁଥ୍‌ ଜବରଦଖଲ ଭଳି ବେଆଇନ କାର୍ଯ୍ୟ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ଶାସନରେ ଥିବା ଦଳ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାକୁ ପ୍ରଶାସନିକ କଳକୁ ନିୟୋଜିତ କରିବା ଘଟଣା। ଏ ପରିସ୍ଥିତିରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ଆଶା କରିବା ବୃଥା ନୁହେଁ କି? ଆଉ ମାତ୍ର କିଛି ଦିନର ବ୍ୟବଧାନ ପରେ ଦେଶରେ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଇତି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ରା୍ଯଯ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ତଦାରଖ, ସମୀକ୍ଷା ଓ ଆଲୋଚନା କରିବା ସହିତ ସମୁଦାୟ ପ୍ରକ୍ରିୟା ନିରପେକ୍ଷ ଏବଂ ଦାୟିତ୍ୱ ସମ୍ପନ୍ନ ଭାବରେ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ଆୟୋଗ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ଗୁଡିକ ସମେତ ୭୦% ଭାଗ ବୁଥ୍‌ରେ ଡ୍ରୋନ କ୍ୟାମେରା ଏବଂ ସିସିଟିଭି କ୍ୟାମେରା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାକୁ ଆମୂଳଚୂଳ ତଦାରଖ କରିବାର ବ୍ୟବସ୍ଥା କରାଯାଉଛି। ତେବେ ଏସବୁ ସତ୍ତ୍ୱେ ନିର୍ବାଚନର ସୁପରିଚଳନା ନିମନ୍ତେ ଆହୁରି ଅନେକ ସଂସ୍କାରମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏଥିପାଇଁ ନିର୍ବାଚନ ଆଇନର ପରିବର୍ତ୍ତନ କରାଯିବା ଜରୁରୀ। କୌଣସି ପରିସ୍ଥିତିରେ ଯେପରି ଜନମତ ପ୍ରଭାବିତ ନ ହୁଏ, ସେ ଦିଗରେ ମଧ୍ୟ ବ୍ୟାପକ ସଚେତନତା ସୃଷ୍ଟି ବର୍ତ୍ତମାନର ସମୟ ପାଇଁ ଏକ ଆହ୍ବାନ।
ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri