ନିରପେକ୍ଷ ନିର୍ବାଚନର ବାସ୍ତବତା

ଯଦୁମଣି ପାଣିଗ୍ରାହୀ

ଭାରତ ଭଳି ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୀତି ଯେଭଳି କଳୁଷିତ ଅବସ୍ଥାକୁ ଗଲାଣି, ତାହା ପ୍ରାୟତଃ ସମସ୍ତଙ୍କୁ ଊଣାଅଧିକେ ଜଣା। ଏ ପରିସ୍ଥିତିରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାସ୍ତବତା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ ନୁହେଁ କି? ଏକ ଜନପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ଜନମତ ହେଉଛି ଶାସନର ମୂଳାଧାର। ଜନମତ ଆଧାରରେ ଜନପ୍ରତିନିଧିମାନେ ନିର୍ବାଚିତ ହୋଇ ଶାସନ କରିବାର ସାମର୍ଥ୍ୟ ହାସଲ କରିଥାଆନ୍ତି। ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ମତଦାନ ହେଉଛି ଏକ ରାଜନୈତିକ ଅଧିକାର। ତେଣୁ ଜଣେ ମତଦାତା ଏହି ଅଧିକାର ସାବ୍ୟସ୍ତ କଲାବେଳେ ସଂପୂର୍ଣ୍ଣ ଭାବେ ସ୍ବଚ୍ଛ, ନିରପେକ୍ଷ ଓ ବିବେକାନୁମୋଦିତ ନୀତି ଅନୁସରଣ କରିବା ଉଚିତ୍‌। ନିର୍ବାଚନ ବେଳେ କୌଣସି ପ୍ରକାର ଚାପ ବା ପ୍ରଲୋଭନରେ ବଶବର୍ତ୍ତୀ ହୋଇ ସେ ଯେତେବେଳେ ନିଜ ମତଦାନ ସାବ୍ୟସ୍ତ କରିବ; ସେତେବେଳେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାସ୍ତବତାକୁ ନେଇ ମନରେ ପ୍ରଶ୍ନଟିଏ ଉଙ୍କିମାରିବା ସ୍ବାଭାବିକ।
ସମ୍ପ୍ରତି ଆମ ଦେଶରେ ଯେଭଳି ବ୍ୟୟବହୁଳ ନିର୍ବାଚନ ଅନୁଷ୍ଠିତ ହେଉଛି ଓ ଜନମତକୁ ପ୍ରଭାବିତ କରାଯିବାର ଉଦ୍ୟମ କରାଯାଉଛି, ତାହା ଆମ ଗଣତନ୍ତ୍ରର ମର୍ଯ୍ୟାଦା ଓ ମୂଲ୍ୟବୋଧ ପ୍ରତି ଯେ ଚରମ କୁଠାରାଘାତ କରୁଛି ଏହା ନିଃସନ୍ଦେହ। ନିର୍ବାଚନରେ ଅର୍ଥବଳ ଓ ବାହୁବଳର ବ୍ୟାପକ ବ୍ୟବହାର ସହ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ ଓ ବେନିୟମ କାର୍ଯ୍ୟ ଯୋଗୁ ସମୁଦାୟ ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେଉଛି, ଏକ ସ୍ବଚ୍ଛ ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତି ବିପଦ ସୃଷ୍ଟି କରୁଛି। ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ନିର୍ବାଚନ ପରିଚାଳନା ଅଧିକାରୀଙ୍କ ଦାୟିତ୍ୱବଦ୍ଧତା, ସଚ୍ଚୋଟପଣିଆ ଏବଂ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ନିର୍ବାଚନରେ ଜଣେ ବିଜୟୀ ପ୍ରାର୍ଥୀଙ୍କୁ ଜାଣିଶୁଣି କିଭଳି ପରାଜିତ ଘୋଷଣା କରାଯାଇଥିଲା ତାହା ନଜରକୁ ଆସିଛି। ନିର୍ବାଚନ ଅଧିକାରୀଙ୍କ ଏଭଳି ପକ୍ଷପାତ ନିଷ୍ପତ୍ତିକୁ ନେଇ ପରାଜିତ ପ୍ରାର୍ଥୀ ଜଣଙ୍କ ପ୍ରଥମେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତେବେ ସେଠାରୁ କୌଣସି ଆଶ୍ୱସ୍ତି ନ ମିଳିବାରୁ ସେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ନିର୍ବାଚନରେ ହୋଇଥିବା ମତଦାନ କାଗଜକୁ ପୁନଃ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ଜଣାପଡ଼ିଲା ଯେ, ନିର୍ବାଚନ ଅଧିକାରୀ ଜଣଙ୍କ ପରାଜିତ ଘୋଷିତ ପ୍ରାର୍ଥୀଙ୍କର ୮ଟି ବୈଧ ଭୋଟ କାଗଜକୁ ନାକଚ କରିବା ସହିତ ତା’ ଉପରେ ଛକିଚିହ୍ନ ମାରି ଦେଇଥିଲେ। ଅଧିକାରୀ ଜଣଙ୍କ ଜାଣିଶୁଣି ଏଭଳି କରିଥିବା ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ ଦର୍ଶାଇବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଅନ୍ୟପକ୍ଷେ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଅଧିକାରୀ ଜଣଙ୍କ ଅଦାଲତଙ୍କୁ ଏ ସଂପର୍କିତ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି କରାଯାଇଛି। ନିର୍ବାଚନ ପରିଚାଳନା ବ୍ୟବସ୍ଥାରେ ଏଭଳି ବେଆଇନ ଓ ଅନିୟମିତତାକୁ ସୁଯୋଗ ଦିଆଗଲେ ତାହା ଆମ ରାଷ୍ଟ୍ରର ସମୁଦାୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ମୂଲ)ବୋଧ ସମ୍ପନ୍ନ ନୀତି ସମୂହ ପାଇଁ ବିଧ୍ୱଂସୀ ସାବ୍ୟସ୍ତ ହେବ ବୋଲି ସର୍ବୋଚ୍ଚ ନ୍ୟାୟାୟାଳୟଙ୍କ ପୀଠ ପ୍ରକାଶ କରିଛନ୍ତି। ଚଣ୍ଡିଗଡର ଏହି ଘଟଣାରୁ ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିୟୋଜିତ କିଛି ଅଧିକାରୀଙ୍କ ନୈତିକତା ଓ ନିରପେକ୍ଷ ଦାୟିତ୍ୱ ସମ୍ପନ୍ନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହା ବ୍ୟତୀତ ବର୍ତ୍ତମାନ ସମୟରେ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଧାନ୍ୟ ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି। ନିର୍ବାଚନରେ ଯେଉଁ ପ୍ରାର୍ଥୀ ଯେତେ ଅର୍ଥ ଖର୍ଚ୍ଚ କରିପାରିବ ଜନମତକୁ ସେ ସେତେ ମାତ୍ରାରେ ପ୍ରଭାବିତ କରିପାରିବ। ଏହି ଅର୍ଥ କେବେ ସିଧାସଳଖ ଭୋଟରଙ୍କ ପାଖକୁ ଯାଉଛି ତ କେବେ ବିଭିନ୍ନ ମାଗଣା ଯୋଜନା ଓ ଉପହାର ମାଧ୍ୟମରେ ଯାଉଛି। ସମ୍ପ୍ରତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାଧାରଣ ସରପଞ୍ଚ ପ୍ରାର୍ଥୀଟିଏ ଯଦି ଅଧକୋଟିଏ ଟଙ୍କା ଖର୍ଚ୍ଚ କରିପାରୁଛି, ତେବେ ବିଧାୟକ ଓ ସାଂସଦ ପ୍ରାର୍ଥୀଟିଏ କେତେ ଟଙ୍କା ଖର୍ଚ୍ଚ କରୁଥିବେ ତାହା ସମସ୍ତେ ଅନୁମାନ କରି ପାରୁଥିବେ। ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଭାବଶାଳୀ ଓ ବାହୁବଳୀ ନେତାଏ ନିର୍ବାଚନରେ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରିବା ସହ ହିଂସାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି। ଭୋଟରଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦିଆଯାଇ ଭୟଭୀତ କରାଯିବା,ସରକାରୀ ଯୋଜନାରୁ ନାଁ କାଟିଦେବାର ଭୟ ଦେଖାଯିବା ଏବଂ ବୁଥ୍‌ ଜବରଦଖଲ ଭଳି ବେଆଇନ କାର୍ଯ୍ୟ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ଶାସନରେ ଥିବା ଦଳ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାକୁ ପ୍ରଶାସନିକ କଳକୁ ନିୟୋଜିତ କରିବା ଘଟଣା। ଏ ପରିସ୍ଥିତିରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ଆଶା କରିବା ବୃଥା ନୁହେଁ କି? ଆଉ ମାତ୍ର କିଛି ଦିନର ବ୍ୟବଧାନ ପରେ ଦେଶରେ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଇତି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ରା୍ଯଯ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ତଦାରଖ, ସମୀକ୍ଷା ଓ ଆଲୋଚନା କରିବା ସହିତ ସମୁଦାୟ ପ୍ରକ୍ରିୟା ନିରପେକ୍ଷ ଏବଂ ଦାୟିତ୍ୱ ସମ୍ପନ୍ନ ଭାବରେ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ଆୟୋଗ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ଗୁଡିକ ସମେତ ୭୦% ଭାଗ ବୁଥ୍‌ରେ ଡ୍ରୋନ କ୍ୟାମେରା ଏବଂ ସିସିଟିଭି କ୍ୟାମେରା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାକୁ ଆମୂଳଚୂଳ ତଦାରଖ କରିବାର ବ୍ୟବସ୍ଥା କରାଯାଉଛି। ତେବେ ଏସବୁ ସତ୍ତ୍ୱେ ନିର୍ବାଚନର ସୁପରିଚଳନା ନିମନ୍ତେ ଆହୁରି ଅନେକ ସଂସ୍କାରମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏଥିପାଇଁ ନିର୍ବାଚନ ଆଇନର ପରିବର୍ତ୍ତନ କରାଯିବା ଜରୁରୀ। କୌଣସି ପରିସ୍ଥିତିରେ ଯେପରି ଜନମତ ପ୍ରଭାବିତ ନ ହୁଏ, ସେ ଦିଗରେ ମଧ୍ୟ ବ୍ୟାପକ ସଚେତନତା ସୃଷ୍ଟି ବର୍ତ୍ତମାନର ସମୟ ପାଇଁ ଏକ ଆହ୍ବାନ।
ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?