ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି:୧୫ ମାସ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାମଧ୍ୟରେ ୧୫ ମାସ ବିତିଗଲାଣି। ହେଲେ ଘଟଣାର ତଦନ୍ତ ସରୁନି। ଭିଜିଲାନ୍ସ ଓ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଜାରି ରହିଥିବା କୁହାଯାଉଛି। ପ୍ରଶାସନିକ ଅଧିକାରୀମାନେ ତଦନ୍ତ ଆଳରେ ଦିନ ଗଡ଼ାଇ ଚାଲିଥିବାରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁର୍ନୀତିକୁ ଚାପି ଦେବା ଲାଗି ଉଦ୍ୟମ କରାଯାଉଥିବା ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
ପ୍ରକାା ଯେ, ଏହି ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେତେବେଳେ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। କେବଳ ସଦର ବ୍ଲକ ନୁହେଁ, ଜିଲାର ଅନ୍ୟ ବ୍ଲକରେ ମଧ୍ୟ ଏହି ଯୋଜନାରେ ବହୁ ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା। ଏପରିକି ପାଇଖାନା ତିଆରି ନ କରି ସରକାରୀ ଅନୁଦାନ ବାବଦକୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। କେତେକ ଅସାଧୁ କର୍ମଚାରୀ ସେମାନଙ୍କ ସମ୍ପର୍କୀୟ, ଭାଇ, ବନ୍ଧୁ ଓ ପଡ଼ୋଶୀଙ୍କୁ ହିତାଧିକାରୀ ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ୟାମ୍ପରିଂ କରି ଟଙ୍କା ଚଳୁ କରୁଥିବାର ପ୍ରମାଣ ମିଳିସାରିଛି। କେତେ ପରିମାଣର ଟଙ୍କା କେତେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ସେ ନେଇ ତନାଘନା କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଜିଲାପାଳ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ଡିଆର୍‌ଡିଏର ଦୁଇ ଅଧିକାରୀ ଥରୁଟିଏ ଦୈସିଂ ଅଞ୍ଚଳକୁ ଯାଇ ଫେରି ଆସିଥିଲେ। ଦୈସିଂ ପଞ୍ଚାୟତର କୁସୁନ ନଗର ଓ ଏହା ଆଖପାଖ ଗଁାରେ ରାତାରାତି ପାଇଖାନା ନିର୍ମାଣ କରାଯାଇଛି। ଗୋଟିଏ ପାଇଖାନାରେ ୨ ରୁ ୩ ଥର ବିଭିନ୍ନ ରଙ୍ଗ ଦେଇ ହିତାଧିକାରୀଙ୍କ ଭିନ୍ନ ଭିନ୍ନ ନଁା ଦର୍ଶାଇ ଟଙ୍କା ଲୁଟ୍‌ କରାଯାଇଥିବା ଜଣାପଡ଼ିଥିଲା। ସେଠାରେ ଜଣେ ମୋଟିଭେଟର ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟକୁ ୭ରୁ ୮ ଥର ଟଙ୍କା ଟ୍ରାନ୍ସଫର କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ପଦାକୁ ଆସିଥିଲା। ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ନକଲ ହାସଲ କରି ଭିଜିଲାନ୍ସ ଓ ପ୍ରଶାସନିକ ଅଧିକାରୀ ତଦନ୍ତ କରୁଥିବା ସୂଚନା ମିଳିଥିଲା। ସେଠାକାର ପ୍ରାୟ ୧୬ ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ୟାମ୍ପରିଂ କରାଯାଇ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏହି ଦୁର୍ନୀତିରେ ତଳସ୍ତରରୁ ଉପର ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଶାସନ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି। ଉଲ୍ଲେଖନୀୟ ଯେ, ଦୈସିଂର ଅଜୟ କୁମାର ମହାନ୍ତି ସୂଚନା ଅଧିକାର ଆଇନ ବଳରେ ଏ ସମ୍ପର୍କରେ କେତେକ ତଥ୍ୟ ପଦାକୁ ଆଣି ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ବଚ୍ଛ ଭାରତ ମିଶନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଚାରିବାରୁ କହିଛନ୍ତି, ତଦନ୍ତ ସରି ରିପୋର୍ଟ ଆସିସାରିଛି। ନିର୍ବାଚନ ଆଚରଣ ବିଧି ଥିବାରୁ ପଦକ୍ଷେପ ନିଆଯାଇ ନ ଥିଲା। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri