ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ ଦିଲ୍ଲୀରେ ଆୟୋଜିତ ଏକ ସେମିନାରରେ ଯୋଗଦେଇ କନ୍ଧମାଳ ହଳଦୀର ପାରମ୍ପରିକତା, ଗୁଣବତ୍ତା ଓ ବିଶେଷତ୍ୱକୁ ଉପସ୍ଥାପନ କରିଛନ୍ତି।
୩୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଏକ ପ୍ରଡ୍ୟୁସର ଗ୍ରୁପ୍ର ପ୍ରତିନିଧି ଭାବେ ଝରଣା ସାହୁ ଦିଲ୍ଲୀରେ ଆୟୋଜିତ ‘ଫ୍ରେମୱାର୍କ ଫର୍ ହେରିଟେଜ ପ୍ରଡ୍ୟୁସ ଅଫ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ କନ୍ଧମାଳର ପାରମ୍ପରିକ ହଳଦୀ ଚାଷ, ପ୍ରସ୍ତୁତି ପ୍ରଣାଳୀ, ବ୍ରାଣ୍ଡିଂ ଓ ପ୍ୟାକେଜିଂ ସମ୍ପର୍କରେ ଆଲୋଚନା କରିଥିଲେ।
କନ୍ଧମାଳ ହଳଦୀ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବାରୁ ଏହାର ଗୁଣବତ୍ତାକୁ ଆହୁରି ବୃଦ୍ଧି କରିବା ସହ ଦେଶ ତଥା ବିଦେଶର ବଜାରରେ ଏହାକୁ ପହଞ୍ଚାଇବା ଉପରେ ଝରଣା ଗୁରୁତ୍ୱାରୋପ କରିଥିଲେ। କନ୍ଧମାଳ ହଳଦୀର ଉତ୍ପାଦନ, ପାରମ୍ପରିକତା ଓ ଗୁଣବତ୍ତାକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇ ପାରିଲେ ଏହାର ଚାହିଦା ଆହୁରି ବଢ଼ିବ ବୋଲି ସେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ଝରଣା ସାହୁ କନ୍ଧମାଳର ହଳଦୀ ଚାଷ ଓ ଏହା ସହ ଜଡ଼ିତ ଚାଷୀଙ୍କ ସମ୍ପର୍କରେ ମଧ୍ୟ ନିଜ ମତ ରଖିଥିଲେ। ଜୈବିକ ଚାଷ ପଦ୍ଧତି, ପାରମ୍ପରିକତା ଓ ଉତ୍ପାଦର ବିଶେଷତ୍ୱକୁ ଉପସ୍ଥାପନ କରି ସେ କନ୍ଧମାଳ ହଳଦୀକୁ ଜାତୀୟ ମଞ୍ଚରେ ପରିଚିତ କରାଇବାରେ ଭୂମିକା ନେଇଛନ୍ତି।
ଝରଣା ସାହୁ କନ୍ଧମାଳର ଗୌରବକୁ ଜାତୀୟସ୍ତରରେ ପହଞ୍ଚାଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି। ବିଶେଷକରି ହଳଦୀ ଚାଷୀମାନେ ମଧ୍ୟ ତାଙ୍କ ଉଦ୍ୟମକୁ ସୱାଗତ କରିଛନ୍ତି।
ସୂଚନାଯୋଗ୍ୟ, ଏସିଆ ଏବଂ ବ୍ରିହି ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କନ୍ଧମାଳ ଓରମାସ (ଓଡ଼ିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି)ର ସହଯୋଗରେ ଝରଣା ସାହୁ ଦିଲ୍ଲୀ ଯାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Dharitri – Odisha’s No.1 Odia Daily

