ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ ରଘୁନାଥପୁର ଛକରୁ ଏକ କାର୍ ସହ ୪୦୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ପରିଡ଼ା, ଗଗନ ପ୍ରଧାନ ଓ ମନୋଜ ସେଠୀ। ଏହି ଘଟଣାରେ ରମ୍ଭା ଥାନା କେସ୍ ନଂ ୬୮୩/୨୬ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଥାନା ଆଇଆଇସି (IIC) କୁମାର ମୁଦୁଲି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଖଲ୍ଲିକୋଟ ଶାସକ ଅଞ୍ଚଳରୁ ଦେଶୀ ମଦ ନେଇ ପୁରୀ ଜିଲ୍ଲାର ରାମଲଙ୍କା ଓ କୃଷ୍ଣପ୍ରସାଦ ଅଞ୍ଚଳକୁ ଚାଲାଣ କରାଯାଉଥିଲା। ରାତି ପ୍ରାୟ ୧୧:୩୦ ସମୟରେ ରମ୍ଭା ଥାନା ଏଏସ୍ଆଇ (ASI) ବୈବସ୍ୱତ ପ୍ରଧାନ ପେଟ୍ରୋଲିଂ କରୁଥିବା ବେଳେ ରଘୁନାଥପୁର ଛକ ନିକଟରେ ଏହି ସନ୍ଦିଗ୍ଧ କାର୍ଟି ପୋଲିସ ହାବୁଡ଼ରେ ପଡ଼ିଥିଲା। ପୋଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଥିଲା। ଏହାପରେ ପୋଲିସ ଗାଡ଼ି ସହ ମଦ ଜବତ କରି ତିନିଜଣଙ୍କୁ ଗିରଫ କରିଛି।

