ତର୍କ ବିତର୍କ

ରମେଶ ଚନ୍ଦ୍ର ସାମଲ

ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ। ଉଭୟ ସପକ୍ଷ ଓ ବିପକ୍ଷବାଦୀମାନେ ତାଙ୍କ ଯୁକ୍ତି ମାଧ୍ୟମରେ ଜନମତକୁ ତାଙ୍କ ଆଡକୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି। ଏସବୁରୁ ଗୋଟିଏ ଲାଭ ହୁଏ- ସମସ୍ତେ ଆଲୋଚ୍ୟ ବିଷୟର ଭଲମନ୍ଦ ଉଭୟ ଜାଣିବାର ସୁଯୋଗ ପାଆନ୍ତି। ବିଷୟଟିର ପୂର୍ଣ୍ଣାଙ୍ଗ ବିବରଣୀ ଜାଣି ଯାହାକୁ ଯାହା ପସନ୍ଦ ସେ ତାହା ଗ୍ରହଣ କରନ୍ତି।
ଯେ କୌଣସି ବିଷୟରେ ତର୍କବିତର୍କରେ ଭାଗ ନେଉଥିବା ଲୋକର ସେ ବିଷୟରେ ଗଭୀର ଜ୍ଞାନ ଥିବା ଦରକାର। ଆଗକାଳରେ ହାତଗଣତି ଗୁଣୀ ଜ୍ଞାନୀ ଲୋକ ଥିଲେ। ସେମାନେ ଯାହା କହୁଥିଲେ ତାହା ସମସ୍ତେ ଗ୍ରହଣ କରି ନେଉଥିଲେ। ଏବେ ଯୁଗ ବଦଳିଛି। ଶିକ୍ଷାର ପ୍ରସାର ହେତୁ ବହୁ ଲୋକଙ୍କର ଜ୍ଞାନଗରିମାର ପ୍ରସାର ଘଟିଛି। ଏଣୁ ଯେ କୌଣସି ତର୍କବିତର୍କ ହେଲେ ଆଲୋଚନା ସରଗରମ ହେଉଛି। ଆଗକାଳରେ ମୁଖ୍ୟତଃ ରାଜସଭାମାନଙ୍କରେ ତର୍କବିତର୍କ ହେଉଥିଲା। ଯେଉଁ ଗୁଣୀଜ୍ଞାନୀ ଲୋକ ବିତର୍କରେ ଶ୍ରେଷ୍ଠ ପ୍ରମାଣିତ ହେଉଥିଲେ ସେମାନଙ୍କୁ ରାଜା ରାଜସଭାରେ ମର୍ଯ୍ୟାଦାପୂର୍ଣ୍ଣ ପଦବୀରେ ରଖୁଥିଲେ। ରାଜା ବିକ୍ରମାଦିତ୍ୟ ତାଙ୍କ ରାଜସଭାରେ ଏଭଳି ନଅଜଣ ପଣ୍ଡିତଙ୍କୁ ରଖିଥିଲେ, ସେମାନଙ୍କୁ ନବରତ୍ନ ବୋଲି କୁହାଯାଏ। ସେମାନେ ହେଲେ-
ଧନ୍ବନ୍ତରୀ କ୍ଷପଣାକାମରସିଂହ ଶଙ୍କୁଃ
ବେତାଳଭଟ୍ଟ ଘଟକର୍ପର କାଳିଦାସାଃ।
ଖ୍ୟାତୋ ବରାହମିହିରୋ ନୃପତେର୍ସଭାୟାଂ
ରତ୍ନାନି ବୈ ବରରୁଚିର୍ନବ ବିକ୍ରମସ୍ୟ।
ଏମାନଙ୍କର ବିଭିନ୍ନ ବିଷୟରେ ପାରଦର୍ଶିତା ଥିଲା। ନିଜର ଧୀଶକ୍ତି ବଳରେ ସେମାନେ ରାଜାଙ୍କୁ ରାଜ୍ୟର ସୁପରିଚାଳନା ପାଇଁ ପରାମର୍ଶ ଦେଉଥିଲେ।
ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜସଭାରେ ଚାଣକ୍ୟ ନାମରେ ଜଣେ ମନ୍ତ୍ରୀ ଥିଲେ। ତାଙ୍କର ଅସାଧାରଣ ବିଜ୍ଞତା ଓ ମୂଲ୍ୟବାନ ଉପଦେଶ ବଳରେ ସେ ନନ୍ଦବଂଶ ଧ୍ୱଂସ କରିବା ସହିତ ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ମୌର୍ଯ୍ୟବଂଶ ସ୍ଥାପନ କରିଥିଲେ। ସେ ଏକାଧାରରେ ଜଣେ ଅର୍ଥନୀତିଜ୍ଞ, କୂଟନୀତିଜ୍ଞ ଓ ଦାର୍ଶନିକ ଥିଲେ। ତାଙ୍କର ମୂଲ୍ୟବାନ ଉପଦେଶ ପାଇଁ ସେ ସବୁ ସମୟରେ ସ୍ମରଣୀୟ ହୋଇ ରହିଛନ୍ତି। ସମ୍ରାଟ ଆକବରଙ୍କ ରାଜସଭାରେ ତାନସେନ ଓ ବୀରବଲଙ୍କ ପରି ପଣ୍ଡିତ ଥିଲେ। ସେହିଭଳି ଆଉ ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଆର୍ଯ୍ୟଭଟ୍ଟ। ଗୁପ୍ତଯୁଗରେ ସେ ପାଟଳିପୁତ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଗଣିତ ବିଶାରଦ ଓ ଜ୍ୟୋତିର୍ବିଜ୍ଞାନୀ ହିସାବରେ ପ୍ରସିଦ୍ଧି ଲାଭ କରିଥିଲେ। ନିଜକୁ ପ୍ରତିଷ୍ଠା କରିବା ପାଇଁ ତାଙ୍କୁ କିଛି କମ୍‌ ତର୍କ ବିତର୍କ ଓ ସମାଲୋଚନାର ଶିକାର ହେବାକୁ ପଡି ନ ଥିଲା। ବହୁ ତର୍କବିତର୍କର ସମ୍ମୁଖୀନ ହୋଇ ପଠାଣି ସାମନ୍ତ ନିଜକୁ ଜଣେ ଜ୍ୟୋତିର୍ବିଜ୍ଞାନୀ ଓ କବି ଯଦୁମଣି ଜଣେ ବିଦୂଷକ ଭାବେ ପ୍ରତିଷ୍ଠା ଲାଭ କରିପାରିଥିଲେ। ବହୁ ବୈଜ୍ଞାନିକ ଯଥା- ସାର୍‌ ରୋନାଲ୍ଡ ରସ, ଆଇଜାକ ନିଉଟନ, ଆର୍କମେଡିସ ପ୍ରମୁଖଙ୍କୁ ପ୍ରାଥମିକ ସ୍ତରରେ ନିଜର ମତ ପାଇଁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।
କୁହାଯାଏ ନାନା ମୁନିଙ୍କର ନାନା ମତ। ଦୁଇଜଣ ବୁଦ୍ଧିମାନ ଲୋକ ଅନେକ ସମୟରେ ଏକମତ ହୋଇପାରନ୍ତିନି- Two wisemen never agree. ତର୍କବିତର୍କ ହେବା ଭଲ। କିନ୍ତୁ ଏହା ଗଠନମୂଳକ ହେବା ଉଚିତ। ବିତଣ୍ଡା ତର୍କର କିଛି ମାନେ ନ ଥାଏ। ଏହାଦ୍ୱାରା କୌଣସି ବିଷୟର ସମାଧାନ ହୋଇପାରେନା। ବରଂ ଏହା ଦୁଇପକ୍ଷ ମଧ୍ୟରେ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରେ। ତର୍କବିତର୍କର ପରିସର ଖୁବ୍‌ ବ୍ୟାପକ। କଥାରେ ଅଛି ‘ଯହିଁ ଅନେକ ଲୋକ ମିଳି, ଅବଶ୍ୟ ଉପୁଜଇ କଳି।’ ପରିବାରରେ ବିଭିନ୍ନ ପାରିବାରିକ ଘଟଣା, ଗ୍ରାମରେ ଗ୍ରାମର ଭଲମନ୍ଦ, ରାଷ୍ଟ୍ର ଓ ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ପକ୍ଷଭୁକ୍ତ ବାଦୀ ଓ ପ୍ରତିବାଦୀଙ୍କ ମଧ୍ୟରେ ଆଲୋଚନା ସମୟରେ ବହୁ ତର୍କବିତର୍କ ହୁଏ। ଏହା ନିଜ ମଧ୍ୟରେ ସମାଧାନ ହୋଇ ନ ପାରିଲେ ତୃତୀୟ ପକ୍ଷର ସାହାଯ୍ୟ ନିଆଯାଏ। ଏଥିରେ ସମାଧାନ ହୋଇ ନ ପାରିଲେ କୋର୍ଟକଚେରି ମାଧ୍ୟମରେ ସମାଧାନ ହୁଏ। ଅନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ପାରସ୍ପରିକ ବୁଝାମଣାରେ ସମସ୍ୟାର ସମାଧାନ ହୋଇ ନ ପାରିଲେ ତୃତୀୟ ରାଷ୍ଟ୍ରର ମଧ୍ୟସ୍ଥତାରେ କିମ୍ବା ଅନ୍ତର୍ଜାତୀୟ ବିଚାରାଳୟରେ ମାମଲାର ସମାଧାନ ହୁଏ।
ତର୍କବିତର୍କର ଉଭୟ ଭଲମନ୍ଦ ଦିଗ ଅଛି। ଦୁଧରୁ ଦହି ଓ ଦହିରୁ ଲହୁଣି ଓ ସେଥିରୁ ଘିଅ ବାହାର କଲା ଭଳି ଯେ କୌଣସି ବିଷୟକୁ ବିଭିନ୍ନ ଦିଗରୁ ତର୍ଜମା କଲେ ସମାଧାନର ପନ୍ଥା ବାହାରିବା ସମ୍ଭବ ହୁଏ। ତେଲରୁ ପିଡିଆ ବାହାରି ଅଲଗା ହୋଇଯାଏ। ସୁନାକୁ ପୋଡିଲେ ସେଥିରୁ ଖାଦ ବାହାରିଯାଇ ସୁନାର ଔଜ୍ଜ୍ୱଲ୍ୟ ବୃଦ୍ଧି ହୁଏ। ଏଥିପାଇଁ କିନ୍ତୁ ଖୋଲାମନ ନେଇ ଆଲୋଚନା କରିବା ଉଚିତ। ଉଦ୍ଦେଶ୍ୟପୂର୍ଣ୍ଣ ଆଲୋଚନାରୁ କୌଣସି ସୁଫଳ ମିଳେନାହିଁ କାରଣ ଏଥିରେ ନିଜ ମତଲବ ଆଧାରରେ ଲୋକେ ବିତଣ୍ଡା ଯୁକ୍ତି ଉପସ୍ଥାପନ କରନ୍ତି। ଏଣୁ ପ୍ରକୃତ ତଥ୍ୟ ପଦାକୁ ଆସିପାରେନା। ଏହା ଚଷୁ କୁଟିବା ସଙ୍ଗେ ସମାନ। ଆଲୋଚନାରେ ଉପଯୁକ୍ତ ସଂଯୋଜକ ଥିଲେ ଅଧିକାଂଶ କ୍ଷେତ୍ରରେ ଆଲୋଚ୍ୟ ବିଷୟରୁ ପ୍ରକୃତ ତଥ୍ୟ ବାହାର କରିବା ସହଜ ହୁଏ। ତର୍କବିତର୍କ ଦ୍ୱାରା ମଣିଷର ଜ୍ଞାନର ପରିସୀମା ବୃଦ୍ଧି ହୁଏ। ଏଥିପାଇଁ ସ୍କୁଲକଲେଜଗୁଡିକରେ ବିଭିନ୍ନ ବିଷୟକୁ ନେଇ ତର୍କ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଆଜିକାଲି ବହୁ ଟିଭି ଚାନେଲ ମାଧ୍ୟମରେ ଦେଶର ଅର୍ଥନୈତିକ, ସାମାଜିକ, ରାଜନୈତିକ ଆଦି ବିଭିନ୍ନ ବିଷୟକୁ ନେଇ ବିତର୍କ ହେଉଛି। ଏହାଦ୍ୱାରା ସାଧାରଣ ଲୋକେ ବହୁକିଛି ଜାଣି ପାରୁଛନ୍ତି। ରାଜ୍ୟ ଓ ଦେଶ ପରିଚାଳନା ପାଇଁ ଆବଶ୍ୟକ ନୀତିନିୟମ ଆଦି ରାଜ୍ୟର ବିଧାନସଭା ଓ ଦେଶର ପାର୍ଲାମେଣ୍ଟରେ ସଦସ୍ୟମାନଙ୍କ ଦ୍ୱାରା ବିସ୍ତୃତ ଭାବେ ଆଲୋଚନା ହୋଇ ବହୁମତ ଅନୁଯାୟୀ ନିୟମକାନୁନ୍‌ ତିଆରି ହେଉଛି। ତର୍କ ବିତର୍କ ଦ୍ୱାରା ବହୁ ଅଶୋଭନୀୟ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ଏହା ସତ୍ୟ ଅନୁସନ୍ଧାନରେ ବହୁ ଭାବରେ ସାହାଯ୍ୟ କରେ। ଏହାର ନିର୍ଯାସକୁ କାର୍ଯ୍ୟକାରୀ କରିପାରିଲେ ଏହା ସମସ୍ତଙ୍କ ପାଇଁ ମଙ୍ଗଳକର ହେବ।
ମୋ-୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri