ଢୋକେ ପିଇ, ଦଣ୍ଡେ ଜିଇ

ସୌମ୍ୟା ପରିଡ଼ା

ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ ଥାଉ ପଛେ। ମାସେ ପାଇଁ ସିନା ମୁଁ ମୋ ଘରେ ସଉଦାପତ୍ର ସାଇତି ରଖିଛି। ହେଲେ ଏମିତି ଯଦି ଆଉ ଦି’ମାସ ଲାଗିରହିଲା! ତେଣୁ ବଜାରରୁ ମୁଁ ଏକା ସାଙ୍ଗେ ଆଉ ଚାରି ମାସର ରାଶନ କିଆଁ କିଣି ଘରେ ନ ସାଇତିବି! ଅତି ଦରକାର ନ ହେଲେ ସରକାର କହିଛନ୍ତି ଘରୁ ବାହାରକୁ ବାହାରିବନି। ହେଲେ ଘରୁ ଯଦି ସବୁଦିନ ସକାଳୁ ଘେରାଏ ବାହାରକୁ ନ ଯିବି ତା’ହେଲେ ତଟକା ପରିବା ପାଇବି କେମିତି! କିହୋ ଏ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେଉଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏତେ ନାଟ ସେଗୁଡ଼ାକ କ’ଣ ପାଇଁ। ସବୁଜାଗାରେ ପୋଲିସ ବାଲା, ବିଏମ୍‌ସି ବାଲା, ସିକ୍ୟୁରିଟି ଗାର୍ଡ, ଜରୁରିକାଳୀନ ସେବା ଯୋଗାଉଥିବା କର୍ମଚାରୀ, ଘଡ଼ିକିଘଡ଼ି ଖବର ଦେଉଥିବା ଏ ସାମ୍ବାଦିକମାନେ କ’ଣ ପାଇଁ। ସରକାର କହୁଛନ୍ତି କ’ଣ! ଥଣ୍ଡା-କାଶ-ଜର ହେଲେ ସଙ୍ଗେ ସଙ୍ଗେ ଜଣାଅ। ନିକଟରେ କୌଣସି ଜାଗାରୁ ଯାତ୍ରାକରି ଫେରିଥିବା ଘର ସଦସ୍ୟଙ୍କ ଖବର ଦିଅ। ଘରେ ରୁହ, ପରିବାର ସହ ରୁହ। ଅତି ଜରୁରୀ ନ ହେଲେ ପଦାକୁ ଗୋଡ଼ କାଢ଼ନି। କାରଣ ଏହା ହିଁ ହେଉଛି କରୋନାଠୁ ମୁକ୍ତିପାଇବାର ଏକମାତ୍ର ରାସ୍ତା।
ସରକାରଙ୍କ ହେଲ୍‌ପଲାଇନ୍‌କୁ ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା, ଗୁଜରାଟ, କର୍ନାଟକ ଆଦି ପରି ରାଜ୍ୟରୁ ବେଶି କଲ୍‌ ଆସୁଛି। ଏଇସବୁ ରାଜ୍ୟରେ ଆମ ରାଜ୍ୟର ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ପରି ଜିଲାର ବହୁ ଓଡ଼ିଆ ରହୁଛନ୍ତି। ସମସ୍ତେ ଯେ ଅସୁବିଧାରେ ଓ ଦିନମଜୁରିଆ ଶ୍ରେଣୀର ତାହା ନୁହେଁ, ହେଲେ ଏ କରୋନା ପରିସ୍ଥିତିରେ ସମସ୍ତେ ନିଜ ଭିଟାମାଟିକୁ ଫେରିବା ପାଇଁ ବ୍ୟଗ୍ର ଆଉ ଯାହା ସ୍ବାଭାବିକ ବି। ସେମିତି ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାମ ପାଇଁ ଯାଇଥିବା ଲୋକେ, ତୀର୍ଥଯାତ୍ରୀ, ଛାତ୍ରୀଛାତ୍ର, କ୍ୟାନ୍‌ସର ରୋଗୀ ଓ ସମ୍ପର୍କୀୟ ଫସି ରହିଛନ୍ତି। ଏଇଟି ବନ୍ୟା କି ବାତ୍ୟା ପରିସ୍ଥିତି ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ପାଖକୁ ଯିବା ମନା, କାହାକୁ ଛୁଇଁବା ମନା। ଲୋକଙ୍କଠୁ ଦୂରେଇ ରହିବାକୁ ପରାମର୍ଶ। କର୍ମସଂସ୍ଥାନ ବନ୍ଦ, ରାସ୍ତାଘାଟ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ଦୋକାନ ବଜାର ବନ୍ଦ। ଏଥିରେ ଆଗକୁ ବହୁ ଲୋକେ ପ୍ରଭାବିତ ହେବେ। ହେଲେ ଏଇକ୍ଷଣି ଦିନମଜୁରିଆ, ରାସ୍ତାକଡ଼ରେ ଆଶ୍ରୟ ନେଉଥିବା ଲୋକେ ଯାହାଙ୍କୁ ଅନ୍ତତଃ ମୁଠାଏ ଖାଇବାକୁ ମିଳିଯାଉଥିଲା ଓ ଆମ ବଳକା ଖାଇବା ଖାଇ ବଞ୍ଚୁଥିବା ପଶୁପକ୍ଷୀ ପ୍ରଭାବିତ ହେଉଛନ୍ତି।
ଏବେ ସମୟ ଆସିଛି ମାନବିକତାର। ଯାହା ପାଖେ ଖାଇବାକୁ ନାହିଁ ତାକୁ ବେଳାଏ ପେଟପୂରା ଖାଇବାକୁ ଦେବାର ବେଳ। ଆଉ ତା’ଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଣ୍ଡ ଉପରେ ଛାତ ଆଉ ଖାଇବାକୁ ଚୁଡ଼ା, ଚାଉଳ ଥିଲାବାଲା ଲୋକେ ନ ଥିଲାବାଲାଙ୍କ ଉପରେ ଭାଗ ନ ବସାଇବାର ବେଳ। କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଅନେକ ଯୋଜନା ଗରିବଙ୍କ ପାଇଁ କରୁଛନ୍ତି। ହେଲେ ତୃଣମୂଳ ସ୍ତରର ଦୁର୍ନୀତି ଯୋଗୁ ଏସବୁ ଠିକ୍‌ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ। ଗାଁ-ଗାଁରେ ବୟୋଜ୍ୟେଷ୍ଠ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗାଁକମିଟି ରହିବା ନିହାତି ଜରୁରୀ, ଯାହାଦ୍ୱାରା ନ ଥିଲାବାଲାର ହକ୍‌ ପାଇଁ ସେମାନେ ସ୍ବର ଉଠେଇପାରିବେ। ଯେଉଁଠି ଥିଲାବାଲାଟିଏ ତା’ର ହକ୍‌ ଉପରେ ନଜର ପକାଇବ, ସେତେବେଳେ ସେମାନେ ତାକୁ ତାଗିଦ୍‌ କରିପାରିବେ। ଆମ ଘର, ଆମ ଗାଁରୁ ଏସବୁ ଆରମ୍ଭ ହେଲେ ହିଁ ଆମ ଜିଲା, ଆମ ରାଜ୍ୟ, ଆମ ଦେଶର ଚିତ୍ର ଧୀରେ ଧୀରେ ବଦଳିପାରିବ। ଆମ ରାଜ୍ୟ କି କେନ୍ଦ୍ର ସରକାରଙ୍କର କ’ଣ ସବୁ ବହୁମୁଖୀ ଯୋଜନା ରହିଛି ସେ କଥା ଜାଣିବା ଅପେକ୍ଷା, କ’ଣ ନାହିଁ ଆମେ ବେଶି ତର୍ଜ୍ଜମା କରୁ। ଗରିବ କି ଅପାଠୁଆ ଲୋକଙ୍କ ପାଖେ ସେସବୁ କେମିତି ପହଞ୍ଚିବ ସେ କଥା ପ୍ରତି ଆମର ନଜର ନ ଥାଏ। କାରଣ ପ୍ରତିଟି କଥାରେ ସରକାର ଅଛନ୍ତି ଯେ! ଆମର ସବୁ ସୁଖସୁବିଧାର ଦାୟିତ୍ୱ ତାଙ୍କର। ଆଉ ଆମ କାମ ହେଲା ତୁ ସାନ-ମୁଁ ବଡ଼, ତୁ ମୂର୍ଖ-ମୁଁ ପଣ୍ଡିତ ଏସବୁ ସୋସିଆଲ୍‌ ମେଡ଼ିଆରେ କେବଳ ଚର୍ଚ୍ଚା କରିବା। ଆଉ ବାକି ଯାହା କାମ ହେଲାନି ସେଥିପାଇଁ ବି ସେଇ ସରକାର ହିଁ ଦାୟୀ। କେବଳ ରାଜ୍ୟ କି ଦେଶ ମୁଖିଆଙ୍କ ମୁଣ୍ଡରେ ଦୋଷ ଲଦିଦେଇ ବସିରହିଲେ ଆମର କିଛି ଉନ୍ନତି ହେବାର ନାହିଁ। ବରଂ ତା’ ପାଇଁ ଆମ ସମସ୍ତଙ୍କୁ ନିଜ କ୍ଷମତା ଅନୁସାରେ ଗୁଣ୍ଡୁଚି ମୂଷାଟିଏ ହେବାକୁ ପଡ଼ିବ।
”ସରକାର ଲୋକଙ୍କୁ ମାଗଣା ଖୁଏଇ ଖୁଏଇ କୁଢ଼ିଆା କରିଦେଲା। ଆଉ କ’ଣ ଗାଁକୁ ଗଲେ କାମେକା ସହଜରେ ମିଳୁଛନ୍ତି କି! ବିଲବାଡ଼ି ସବୁ ପଡ଼ିଆ ପଡ଼ିଲାଣି ପରା। ସବୁ ମେଟ୍ରୋ ସହରରେ କେତେ କ’ଣ ସୁବିଧା ହେଲାଣି। ହେଲେ ଆମେ ଯୋଉଠି ଥିଲୁ ସେଇଠି। ସେଥିପାଇଁ ପରା ପିଲାଏ ରାଜି ହେଉନାହାନ୍ତି ବେଶିଦିନ ଗାଁରେ ରହିବାକୁ।“ ଖାଲି କ’ଣ ଏତିକି, ଏମିତି କେତେ ମୁହଁରେ କେତେ କଥା। ଓଡ଼ିଶା ବାହାରେ ବହୁବର୍ଷ ହେଲା ରହଣି ଭିତରେ ଓଡ଼ିଶା ଗରିବ, ଓଡ଼ିଶା ଗରିବ ଏମିତି କେତେ ଶୁଣିଛି। ସତକଥା ହେଲା ଏମିତି ଶୁଣିଲେ ମନଟା ପିତା ହୋଇଯାଏ। ସମସ୍ତେ ନୁହେଁ ହେଲେ ଅନେକ ଓଡ଼ିଆ ଏମିତି ବି ଅଛନ୍ତି, ଯେଉଁମାନେ ନିଜର ଓଡ଼ିଆ ହେବାର ପରିଚୟଟାକୁ ଲୁଚାଇ ଆନନ୍ଦ ପାଆନ୍ତି। ନା ଘରେ ନା ବାହାରେ ଓଡ଼ିଆ ଭାଷାରେ କଥା ହୁଅନ୍ତି ନା ଓଡ଼ିଆ ଲୋକଙ୍କ ସହ ସେମିତି ମିଳାମିଶା କରିବାକୁ ଭଲପାଆନ୍ତି। ଆଉ କେଉଁଠି ଓଡ଼ିଶା ଗରିବ କଥା ଉଠିଲେ, ତା’ର ଐତିହ୍ୟ, ପରମ୍ପରା, ସଂସ୍କୃତି, ଏବର ଭିନ୍ନ ଚିତ୍ର କି ପରିସ୍ଥିତି କଥା ନ କହି ବରଂ ଓଡ଼ିଶାଠୁ ଆମେ ବହୁବର୍ଷ ହେବ ବାହାରେ ରହିଲୁଣି, ଆଉ କ’ଣ ସେମିତି ସମ୍ପର୍କ ଅଛି କଥା କହି ମୂଳ ପ୍ରସଙ୍ଗରୁ ହଟିଯାଆନ୍ତି।
ଅଧିକାଂଶ ସମୟରେ ଓଡ଼ିଶାର ନାଁ ଜାତୀୟ ଗଣମାଧ୍ୟମରେ ଆସେନାହିଁ। ଆମ ରାଜ୍ୟରେ ଆଦିବାସୀ, ଅନାହାର, ଗରିବ ଏମିତି କିଛି ଖବରରେ ନ ଥିଲେ ନିଅନ୍ତି ନାହିଁ। ତେଣୁ ଏସବୁ ଭିତରେ ଓଡ଼ିଶା କଥା ପଚାରେ ବା କିଏ। କିନ୍ତୁ ଆମ ରାଜ୍ୟ ସତରେ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଭିନ୍ନ । କାରଣ ପ୍ରତିବର୍ଷ ଆମ ରାଜ୍ୟରେ କିଛି ନା କିଛି ବଡ଼ ଧରଣର ବନ୍ୟା, ବାତ୍ୟା ହୁଏ । ପ୍ରତିବର୍ଷ ଏହାର ମୁକାବିଲା ପାଇଁ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଆମପରି ସାଧାରଣ ଲୋକଙ୍କୁ ଅଣ୍ଟା ଭିଡ଼ିବାକୁ ପଡ଼େ । ଏ ସବୁର ମୁକାବିଲା ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି ଅନେକ ଲୋକଙ୍କ ଧନଜୀବନ ବଞ୍ଚାଏ । କେନ୍ଦ୍ର ସରକାର ହୁଅନ୍ତୁ କି ବିଭିନ୍ନ ରାଜ୍ୟ ସରକାର ସମସ୍ତେ ଯେମିତି ଗୋଟେ ଅଲଗା ଯୁଦ୍ଧ ଲଢୁଛନ୍ତି ଏବର କରୋନାକୁ ନେଇ । ହେଲେ ସେମିତି ଯଦି ଦେଖିବା ତା’ହେଲେ ଅନ୍ୟମାନଙ୍କ ତୁଳନାରେ ଆମ ରାଜ୍ୟରେ ସମୟ ଥାଉ ଥାଉ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ତେଣୁ ଏବେ ବି କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପକୁ ନେଇ ସାରାଦେଶରେ ଆମ ରାଜ୍ୟର ଚର୍ଚ୍ଚା ହେଉଛି ।
ହେଲେ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ । ସରକାରଙ୍କ କଥା ଶୁଣିବାକୁ ପଡ଼ିବ। ତା’ହେଲେ ଯାଇ ଆମେ ବିଗତ ଦିନଗୁଡ଼ିକର ବାତ୍ୟା ଓ ବନ୍ୟା ପରିସ୍ଥିତି ପରି ଏଇ କରୋନାର ବି ମୁକାବିଲା କରିପାରିବା ।
ମୁମ୍ବାଇ
ମୋ-୯୩୩୮୫୬୬୫୮୭
Email: saumya.consultant@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?