ଡାକ୍ତର ରାଜନେତା

କରୋନା ମହାମାରୀକୁ ନେଇ ବିଶ୍ୱବାସୀ ହନ୍ତସନ୍ତ ହେଉଛନ୍ତି। ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ବିଭିନ୍ନ ସମୟରେ ନିୟମାବଳୀ ଜାରି କରୁଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ଉପରେ ଡବ୍ଲ୍ୟୁଏଚ୍‌ଓ ଗୁରୁତ୍ୱ ଦେଉଛି। ଅନ୍ତର୍ଜାତୀୟ ସ୍ତରରେ ସ୍ବାସ୍ଥ୍ୟ ସମ୍ପର୍କିତ ଦେଖାଦେଉଥିବା ସମସ୍ୟା ସମାଧାନ ଦିଗରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ସହଯୋଗ କରିଆସୁଛି। ଏହି ବୋର୍ଡରେ ବିଭିନ୍ନ ଦେଶରୁ ୩୪ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ସଦସ୍ୟ ଅଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକରୁ ନିର୍ବାଚିତ ହେଉଥିବା ବ୍ୟକ୍ତିଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଛି ଓ ଏମାନଙ୍କ ମଧ୍ୟରୁ ପାଳି କରି ଅଧ୍ୟକ୍ଷ ପଦ ଦିଆଯାଇଥାଏ। ଭାରତର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ୨୨ ମେ’ରେ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ସଙ୍କଟରୁ ରକ୍ଷାପାଇବା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ମଜଭୁତ କରିବା ଜରୁରୀ।
ହର୍ଷ ବର୍ଦ୍ଧନ ୧୩ ଡିସେମ୍ବର ୧୯୫୪ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଦରିଆଗଞ୍ଜସ୍ଥିତ ଆଙ୍ଗ୍ଲୋ ସାଂସ୍କ୍ରିଟ ଭିକ୍ଲୋରିଆ ଜୁବିଲି ସିନିୟର ସେକେଣ୍ଡାରୀ ସ୍କୁଲରୁ ସେ ୧୯୭୧ରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଜାକିର ହୁସେନ୍‌ ଦିଲ୍ଲୀ କଲେଜରୁ ଉତ୍ତୀର୍ଣ୍ଣ ହେବା ପରେ କାନ୍‌ପୁରସ୍ଥିତ ଗଣେଶ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ ମେଡିକାଲ କଲେଜରୁ ୧୯୭୯ରେ ଏମ୍‌ବିବିଏସ୍‌ ଡିଗ୍ରୀ ଅର୍ଜନ କରିଥିଲେ। ସେହି କଲେଜରୁ ୧୯୮୩ରେ ଶଲ୍ୟ ଚିକିତ୍ସାରେ ସ୍ନାତକୋତ୍ତର କରିବା ପରେ ବିଶେଷଜ୍ଞ ଡାକ୍ତର ହୋଇଥିଲେ। ହେଲେ ପିଲାଟି ବେଳୁ ଜନସେବା କରିବା ତାଙ୍କ ଉଦ୍ଦେଶ୍ୟ ଥିବାରୁ ସେ ସ୍କୁଲ ବଢ଼ିଲା ବେଳୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ। ତେବେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେବାକୁ ଯାଇ ୧୯୯୩ରେ ଦିଲ୍ଲୀ ବିଧାନସଭାକୁ କ୍ରିଷ୍ଣା ନଗରରୁ ନିର୍ବାଚିତ ହୋଇଥିଲେ। ଏହା ପରେ ତାଙ୍କୁ ଦିଲ୍ଲୀର ସ୍ବାସ୍ଥ୍ୟ ଓ ଆଇନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା। ୧୯୯୪ରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ହର୍ଷ ବର୍ଦ୍ଧନ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମକୁ ବ୍ୟାପକ କରି ୧୦ ଲକ୍ଷ ଶିଶୁଙ୍କୁ ଟିକା ଦେଇ ଏହାକୁ ଏକ ସ୍ବାସ୍ଥ୍ୟ ଆନ୍ଦୋଳନରେ ପରିଣତ କରିଦେଇଥିଲେ। ଫଳରେ ୧୯୯୫ରେ ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଶୁଭାରମ୍ଭ ହୋଇଥିଲା ଓ ୮ କୋଟି ୮୦ ଲକ୍ଷ ଶିଶୁଙ୍କୁ ଟିକା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯାନ ୨୮ ମାର୍ଚ୍ଚ ୨୦୧୪ରେ ଫଳବତୀ ହୋଇ ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ଭାରତ ପୋଲିଓ ମୁକ୍ତ ହୋଇଥିଲା।
ହର୍ଷ ବର୍ଦ୍ଧନ ୧୯୯୬ରେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ। ଲୋକଙ୍କ ସହ ଭଲ ଭାବେ ଜଡ଼ିତ ରହିଥିବାରୁ ସେ ୧୯୯୮, ୨୦୦୩, ୨୦୦୮ ଏବଂ ୨୦୧୩ରେ ସେହି ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଦିଲ୍ଲୀ ପ୍ରୋହିବିଶନ ଅଫ୍‌ ସ୍ମୋକିଂ ଆଣ୍ଡ୍‌ ନନ୍‌ ସ୍ମୋକର୍ସ ହେଲ୍‌ଥ ପ୍ରୋଟେକଶନ ଆଇନ ପ୍ରଣୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାଦ୍ୱାରା ଦିଲ୍ଲୀକୁ ଦେଶର ପ୍ରଥମ ରାଜ୍ୟ ଭାବେ ତମାଖୁ ବିରୋଧୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଇବାରେ ସେ ସଫଳ ହୋଇଥିଲେ। ଏହି ଆଇନ ଦ୍ୱାରା ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଭିତରେ କୌଣସି ତମାଖୁ ବିକ୍ରି ଉପରେ ନିଷେଧାଜ୍ଞା ଲାଗୁ କରାଯାଇଥିଲା। ହର୍ଷ ବର୍ଦ୍ଧନଙ୍କ ସଫଳତା ବରିଷ୍ଠ ଭାଜପା ନେତାଙ୍କୁ ପ୍ରଭାବିତ କରିଥିଲା। ସେଥିପାଇଁ ୨୩ ଅକ୍ଟୋବର ୨୦୧୩ରେ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ଉପସ୍ଥାପନ କରିଥିଲା। ୨୦୧୩ ନିର୍ବାଚନରେ ଭାଜପା ସମୁଦାୟ ୭୦ ଆସନରୁ ୩୧ଟି ଅକ୍ତିଆର କରି ଏକକ ବୃହତ୍‌ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନ ଥିବାରୁ ଭାଜପା ସରକାର ଗଠନ କରିପାରି ନ ଥିଲା। ଏହା ପରେ ହର୍ଷ ବର୍ଦ୍ଧନ କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଚାନ୍ଦିନୀ ଚୌକ ଆସନରୁ ସେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ଶିବଲଙ୍କୁ ହରାଇ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ୨୬ ମେ’ ୨୦୧୪ରେ ସେ ମୋଦି ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅନିଲ ମାଧବ ଡାଭେଙ୍କ ମୃତ୍ୟୁ ପରେ ମେ’ ୨୦୧୭ରେ ହର୍ଷ ବର୍ଦ୍ଧନଙ୍କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଭାଗ୍ୟଦେବୀ ତାଙ୍କୁ ସହାୟ ହୋଇଥିବାରୁ ସେ ପୁନଶ୍ଚ ୨୦୧୯ ସାଧାରଣ ନିର୍ବାଚନରେ ଚାନ୍ଦିନୀ ଚୌକରୁ ବିଜୟୀ ହୋଇଥିଲେ। ସେ ମୋଦି ସରକାରଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରୀ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି।
ହର୍ଷ ବର୍ଦ୍ଧନ ୨୦୧୮ରେ ୧୦୫ ଭାରତୀୟ ବିଜ୍ଞାନ କଂଗ୍ରେସରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିବାରୁ ତାଙ୍କୁ ଅଡ଼ୁଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ବ୍ରିଟିଶ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂଙ୍କ ମୃତ୍ୟୁ ପରେ ସେ ତାଙ୍କ ନାମରେ ଏକ ଭୁଲ ତଥ୍ୟ ଉପସ୍ଥାପନ କରିଥିଲେ। ଆଇନଷ୍ଟାଇନ୍‌ଙ୍କ ଥିଓରି ଅପେକ୍ଷା ବେଦରେ ଉଲ୍ଲେଖ ଥିବା ତତ୍ତ୍ୱ ଉତ୍କୃଷ୍ଟ ବୋଲି ହକିଂ କହିଥିବା ବିଷୟ ହର୍ଷ ବର୍ଦ୍ଧନ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏପରି କି ହକିଂଙ୍କ ଏଭଳି ବିବୃତି ସଂକ୍ରାନ୍ତ କୌଣସି ପ୍ରମାଣ ନ ଥିବା ଜଣାପଡ଼ିବା ପରେ ସେ ହଟହଟା ହୋଇଥିଲେ। ତଥାପି ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହର୍ଷ ବର୍ଦ୍ଧନଙ୍କୁ ଅନେକ ପୁରସ୍କାର ମିଳିଛି। ୧୯୯୪ରେ ଭାରତୀୟ ଭେଷଜ ସଂଘ, ପୋଲିଓ ଦୂରୀକରଣ ଦିଗରେ କାର୍ଯ୍ୟ ଲାଗି ୧୯୯୮ରେ ଡବ୍ଲ୍ୟୁଏଚ୍‌ଓ ସମ୍ମାନ, ୨୦୦୧ରେ ରୋଟାରୀ ଇଣ୍ଟରନ୍ୟାନଶାଲ ଆଓ୍ବାର୍ଡ ଏବଂ ୨୦୦୨ରେ ଆଇଏମ୍‌ଏ ପକ୍ଷରୁ ଡକ୍ଟର ଅଫ୍‌ ଦି ଲାଷ୍ଟ୍‌ ଡିକେଡ୍‌ (ସ୍ବାସ୍ଥ୍ୟ ରତ୍ନ) ସମ୍ମାନରେ ସେ ବିଭୂଷିତ ହୋଇଛନ୍ତି। ସହଧର୍ମିଣୀ ନୂତନ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ହର୍ଷଙ୍କ ସଂସାର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri