ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ
ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହେଲେ ଭଗବାନ ମହାବୀର। ବୈଶାଳୀ ରାଜକନ୍ୟା ତ୍ରିଶଳା ଏବଂ ରାଜା ସିଦ୍ଧାର୍ଥଙ୍କର ଦ୍ୱିତୀୟ ସନ୍ତାନ। ଏକଦା ସୁପ୍ତ ନିଶିଥିନୀର ବିଳମ୍ବିତ ପ୍ରହରରେ ମହାରାଣୀ ତ୍ରିଶଳା ସ୍ବପ୍ନବିଭୋରା। ସ୍ବପ୍ନରେ ଦେଖୁଛନ୍ତି ଏକ ଶ୍ୱେତହସ୍ତୀ, ଏକ ବିଶାଳ ବୃଷଭ ଏବଂ ପରେ ପରେ ଏକ ବିରାଟକାୟ ସିଂହ। ପଦ୍ମପରିଶୋଭିତ ସମଗ୍ର ପରିମଣ୍ଡଳ। ପଦ୍ମାସୀନା ଲକ୍ଷ୍ମୀଦେବୀ ହସ୍ତୀମାନଙ୍କଦ୍ୱାରା ଅଭିଷିକ୍ତା। ବରଦ-ମୁଦ୍ରାରେ ଦେବୀ। ଠିକ୍‌ ଏତିକିବେଳେ ଅନ୍ତଃସତ୍ତ୍ୱା ହେବାର ଅନୁଭବରେ ପୁଲକିତା ତ୍ରିଶଳା। ମହାବୀର ସେହି ଅମୃତ ଅନୁଭବର ଫଳ। ତାଙ୍କର ଜନ୍ମ ହୁଏ ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ। ପୃଥିବୀର କଲ୍ୟାଣ ପାଇଁ ତାଙ୍କର ଆବିର୍ଭାବ। ମାନବସେବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ। ତେଣୁ ବୋଧହୁଏ ଜୈନଧର୍ମୀ, କୌଣସି ଦେବଦେବୀଙ୍କୁ ପୂଜା କରନ୍ତି ନାହିଁ। ଜୈନଧର୍ମର ମୂଳମନ୍ତ୍ର- ଆତ୍ମାର ମୁକ୍ତି, ବନ୍ଧନରୁ ମୁକ୍ତି। ତେଣୁ ଜୈନଧର୍ମରେ ମଣିଷମାନେ ହିଁ ପାଲଟି ଯାଇଛନ୍ତି ଦେବତା।
ସେହି ମଣିଷ-ଦେବତାମାନେ ହେଉଛନ୍ତି ଚବିଶ ତୀର୍ଥଙ୍କର। ପ୍ରତ୍ୟେକେ ଜଣେଜଣେ ପରିବ୍ରାଜକ। ପ୍ରତ୍ୟେକଙ୍କ କଣ୍ଠରେ ମୁକ୍ତିବୋଧର କଥା। ଅହିଂସାର କଥା। ଜୈନଧର୍ମକୁ ପୃଥିବୀରେ ପ୍ରତିଷ୍ଠା କରାଇବାରେ ଏଇମାନେ ପ୍ରମୁଖ ବ୍ୟକ୍ତିତ୍ୱ। ଏମାନଙ୍କ ମଧ୍ୟରେ ଋଷଭନାଥ ପ୍ରଥମ ତୀର୍ଥଙ୍କର ଏବଂ ମହାବୀର ସର୍ବଶେଷ। ୨୪ ତୀର୍ଥଙ୍କର ହେଲେ ଋଷଭନାଥ, ଅଜିତନାଥ, ସମ୍ଭବନାଥ, ଅଭିନନ୍ଦନ, ସୁମତି, ପଦ୍ମପ୍ରଭ, ସୁପାର୍ଶ୍ୱ, ଚନ୍ଦ୍ରପ୍ରଭ, ପୁଷ୍ପଦନ୍ତ, ଶୀତଳ, ଶ୍ରେୟାଂଶ, ବାସୁପୂଜ୍ୟ, ବିମଳ, ଅନନ୍ତ, ଧର୍ମ, ଶାନ୍ତିନାଥ, କୁନ୍ଥୁ, ଅର, ମଲ୍ଲିନାଥ, ମୁନିସୁବ୍ରତ, ନିମି, ଅରିଷ୍ଟନେମି, ପାର୍ଶ୍ୱନାଥ ଏବଂ ମହାବୀର। ବେଳେବେଳେ ମନରେ ପ୍ରଶ୍ନ ଆସେ ସବୁ ମୂର୍ତ୍ତି ତ ପ୍ରାୟ ଏକାଭଳି, ତେବେ କେଉଁ ମୂର୍ତ୍ତି କିଏ, କିପରି ଜାଣିବା? ଜାଣିବା- ଶାସ୍ତ୍ରରେ ବର୍ଣ୍ଣିତ ଏଗୁଡ଼ିକର ରୂପ ଓ ସ୍ବରୂପ ବା ଆଇକନୋଗ୍ରାଫିର ସୂଚନା ମାଧ୍ୟମରେ। ଏହି ଆଇକନୋଗ୍ରାଫିରୁ ହିଁ ଜଣାପଡ଼ିଯାଏ କିଏ ଋଷଭନାଥ, କିଏ ପାର୍ଶ୍ୱନାଥ, କିଏ ଅଜିତନାଥ ବା କିଏ ମହାବୀର ଇତ୍ୟାଦି।
ଜୈନଧର୍ମର ମୂଳରେ ଅଛି ‘ଜୀନ’। ‘ଜୀନ’ ମାନେ ବିଜେତା ବା ଯିଏ ଜୟକରେ। ପ୍ରଶ୍ନ ଉଠେ, ଜଣେ କାହାକୁ ଜୟ କରିବ? ସେ କାମନା ବା ବାସନା ଉପରେ ଜୟଲାଭ କରିବ। ପୃଥିବୀର ପ୍ରାଚୀନ ଧର୍ମଗୁଡ଼ିକ ମଧ୍ୟରେ ଜୈନଧର୍ମ ଅନ୍ୟତମ। ଏହା ବ୍ରାହ୍ମଣ୍ୟବାଦର ବିରୋଧୀ। ଆଦର୍ଶ- ଦୟା ଓ କ୍ଷମା। ଅନ୍ୟକୁ ଦୟା, କ୍ଷମା କରିବାଦ୍ୱାରା ଜଣେ ଉଚ୍ଚତ୍ତର ଜୀବନର ଅଧିକାରୀ ହୋଇପାରେ ଏବଂ ପ୍ରଚଣ୍ଡ ଇଚ୍ଛାଶକ୍ତି ବଳରେ ହିଁ କାମନାକୁ ଦମନ କରିପାରେ- ଏହା ଜୈନଧର୍ମର ମୂଳ ବିଶ୍ୱାସ। ସୁତରାଂ, ଜୈନଧର୍ମରେ ତ୍ରିରତ୍ନ ଆଦର୍ଶ- ଯଥାର୍ଥ ଭକ୍ତି, ଯଥାର୍ଥ ଜ୍ଞାନ, ଯଥାର୍ଥ କର୍ମକୁ ଗୁରୁତ୍ୱ ଦିଆଯାଇଛି। ପ୍ରଚଣ୍ଡ ଇଚ୍ଛାଶକ୍ତି ବା ଆତ୍ମଶକ୍ତିକୁ ଏହି ତିନୋଟି ମାର୍ଗଦ୍ୱାରା ଆୟତ୍ତ କରାଯାଇପାରିବ। ଏହି ପ୍ରାଚୀନ ଧର୍ମର ବାସ୍ତବ ସ୍ଥପତି ଅବଶ୍ୟ ମହାବୀର। ଚବିଶ ତୀର୍ଥଙ୍କରଙ୍କ ମଧ୍ୟରୁ ସର୍ବକନିଷ୍ଠ ଓ ସର୍ବଶେଷ। ସେ ଧର୍ମର ବ୍ୟାଖ୍ୟାକାର, ପରିବ୍ରାଜକ ଓ ନିଷ୍ପାଦକ। ମହାବୀରଙ୍କ ଆବିର୍ଭାବ ପୂର୍ବରୁ ପାର୍ଶ୍ୱନାଥ ଅହିଂସା ଓ ସଂଯମର ବାର୍ତ୍ତା ପ୍ରଚାର କରିଛନ୍ତି ସତ, ମାତ୍ର ଏହାର ବାସ୍ତବ ପ୍ରସ୍ଫୁଟନ କରିଛନ୍ତି ମହାବୀର।
ତୀର୍ଥଙ୍କରମାନଙ୍କର ମୁହଁ ଉଭୟପାର୍ଶ୍ୱିକ ଓ ପୂର୍ଣ୍ଣ-ପ୍ରକାଶିତ। ବହୁ ଭାବରେ ଗୋଲାକାର। ଚକ୍ଷୁ ଯେପରି ଧ୍ୟାନମୁଦ୍ରାରେ ସମାହିତ। ମଥାରେ କେଉଁଠି ପଗଡ଼ି, କେଉଁଠି ସୁଗ୍ରଥିତ ଜଟା। ପ୍ରତ୍ୟେକ ସାଧକ ଏକ ପୀଠିକାରେ ଆସୀନ ଏବଂ ପଛପଟ କାରୁକାର୍ଯ୍ୟସମ୍ପନ୍ନ। ଅଧିକ ସଂଖ୍ୟକ ମୂର୍ତ୍ତିଙ୍କ ମଥା ଉପରେ ଛତ୍ରପରି ରହିଛନ୍ତି ଏକ ଅଥବା ଏକାଧିକ ଫଣାଯୁକ୍ତ ସାପ। କେତେକ ପଶୁପକ୍ଷୀଙ୍କ ପାର୍ଶ୍ୱିକ ପ୍ରତିମା ଦେଖିଲେ ଲାଗେ ସେମାନେ ଯେପରି ପଶୁ କି ପକ୍ଷୀ ନୁହନ୍ତି, ସେମାନଙ୍କ ଭିତରେ ଜୀବନ୍ତ ରହିଛି ମାନବୀୟ ଅହଂମୁକ୍ତ ସତ୍ତା। ଅକ୍ରୋଧ ଓ କରୁଣାର ପ୍ରତୀକ। ପରବର୍ତ୍ତୀ ଗୁପ୍ତ ଶାସନକାଳ (ଚତୁର୍ଥ ଶତାବ୍ଦୀ)ରେ ସ୍ଥାପତ୍ୟ ଓ ମୂର୍ତ୍ତି ଗଠନ ଶୈଳୀରେ ପୁଣି ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ସନାତନ ଧର୍ମ ବ୍ୟବସ୍ଥାରେ ଏହା ଜ୍ଞାନମାର୍ଗ ଓ ନୀତିମାର୍ଗ ପ୍ରାବଲ୍ୟର କାଳ। ମନୁଷ୍ୟର ପରମ ଲକ୍ଷ୍ୟ ହେଉଛି ଈଶ୍ୱରପ୍ରାପ୍ତି। ମୂର୍ତ୍ତି ଓ ମନ୍ଦିରଗୁଡ଼ିକ ସମଭାବାଦର୍ଶକୁ ଆଧାର କରି ଗଢ଼ିଉଠିଛନ୍ତି। ବୁଦ୍ଧ ଓ ତୀର୍ଥଙ୍କରମାନଙ୍କ ସହିତ ମିଶି ଯାଇଛନ୍ତି ଶିବ, ପାର୍ବତୀ, ଗଣେଶ, ବିଷ୍ଣୁ ଓ ଅନ୍ୟମାନେ। ବିଶ୍ୱାସଗତ ଦ୍ୱନ୍ଦ୍ୱ ଓ ସହାବସ୍ଥାନର ଏକ ଅଦ୍ଭୁତ ପରିମଣ୍ଡଳ ସମକାଳର ଭାରତବର୍ଷ। ଆମ ଭୂମି ମଧ୍ୟ ସମଭାବାଦର୍ଶରୁ ମୁକ୍ତ ହୋଇନାହିଁ।
ଜୈନ ଦର୍ଶନ ସମ୍ୟକ୍‌ ଦର୍ଶନ, ସମ୍ୟକ୍‌ ଜ୍ଞାନ ଓ ସମ୍ୟକ୍‌ ଚରିତ୍ରକୁ ବିଶ୍ୱାସ କରେ। ମାନସିକ ଓ ଶାରୀରିକ କର୍ମର ସମ୍ବନ୍ଧ ପ୍ରତିପାଦନ କରେ। ଏମାନେ କୌଣସି କାଳରେ ଭାଗ୍ୟବାଦୀ ନୁହନ୍ତି। କର୍ମରୁ ଉପଜାତ ଏବଂ କର୍ମଦ୍ୱାରା ଭାଗ୍ୟର ନିୟନ୍ତ୍ରଣ ହୁଏ ବୋଲି ବିଶ୍ୱାସ କରନ୍ତି। ମହାବୀରଙ୍କର ଦୁଇଶହ ପଚାଶ ବର୍ଷ ପୂର୍ବରୁ ଭଗବାନ ପାର୍ଶ୍ୱନାଥଙ୍କର ବାରାଣସୀରେ ଜନ୍ମ। ତାଙ୍କ ସମୟରେ ଭାରତର ବିଭିନ୍ନ ସ୍ଥାନରେ ଜୈନଧର୍ମ ବହୁଳ ପ୍ରସାରଲାଭ କରିଛି। ତାଙ୍କ ପ୍ରଣୀତ ଚାରୋଟି ବ୍ରତ- ଅହିଂସା, ସତ୍ୟ, ଅଚୌର୍ଯ୍ୟ ଓ ଅପରିଗ୍ରହ ଲୋକଙ୍କଦ୍ୱାରା ଆଦୃତ ହୋଇଛି। ପାର୍ଶ୍ୱନାଥଙ୍କ ପରେ ମହାବୀର ଜୈନଧର୍ମକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେଇଛନ୍ତି। ପରେ ଜୈନଧର୍ମ ଦୁଇଭାଗରେ ବିଭକ୍ତ ହୋଇଛି- ଶ୍ୱେତାମ୍ବର ଓ ଦିଗମ୍ବର। ଶ୍ୱେତାମ୍ବର ଜୈନମାନେ ଶ୍ୱେତବସ୍ତ୍ର ପରିଧାନ କରନ୍ତି। ଏହି ଶୁଭ୍ରବସ୍ତ୍ର ସେମାନଙ୍କର ପବିତ୍ରତାର ପ୍ରତୀକ। ସେମାନେ ନରମପନ୍ଥୀ। ଦିଗମ୍ବର ମାନେ ଆକାଶ ଯାହାର ବସ୍ତ୍ର, ଅର୍ଥାତ୍‌ ନଗ୍ନ। ଏମାନେ ଉଲଗ୍ନ ରହି ସବୁ କାମନା ଓ ବାସନାକୁ ଜୟ କରିଥାନ୍ତି।
ଖାରବେଳ ଥିଲେ ଜୈନ-ଅନୁରାଗୀ। ସେଥିପାଇଁ ଖଣ୍ଡଗିରି-ଉଦୟଗିରିର ସ୍ଥାପତ୍ୟ ଓ ମୂର୍ତ୍ତିକଳାରେ ଜୈନ ତୀର୍ଥଙ୍କରମାନଙ୍କର ମୂର୍ତ୍ତି ବର୍ତ୍ତମାନ। ମୂର୍ତ୍ତି କହିଲେ କେବଳ ପଥର ଦେହରେ ଉତ୍କୀର୍ଣ୍ଣ ବସ୍ତୁ ବା ଜୀବର ସ୍ଥୂଳ ରୂପ ମାତ୍ର ନୁହେଁ ଜୀବନର ଭାବ, ଅନୁଭବ ଓ ବିଚାରର ଅଭିବ୍ୟକ୍ତି। ଜୈନଧର୍ମ ମୂର୍ତ୍ତିପୂଜାକୁ ବିଶ୍ୱାସ କରେନାହିଁ। ମାତ୍ର ଜୈନ ବିଚାର ସହିତ ମୂର୍ତ୍ତିକଳାର ସମ୍ପର୍କ କେଉଁଠୁ ଯୋଡ଼ି ହୋଇଗଲା ତାହା ହିଁ ଚର୍ଚ୍ଚାର ପ୍ରସଙ୍ଗ।
(ମହାବୀର ଜୟନ୍ତୀ ଉପଲକ୍ଷେ)
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?