ନିର୍ବାଚନରେ ପ୍ରାର୍ଥୀ ଚୟନ

ଭାରତରେ ନିର୍ବାଚନ ଅନୁଷ୍ଠିତ ହେଲେ ଦେଖାଯାଏ ବହୁ ଗୁଣୀ, ଜ୍ଞାନୀ, ସମ୍ବିଧାନବିତ୍‌ ପରାଜିତ ହୁଅନ୍ତି, ଅଥଚ ଅନେକ ଅର୍ଦ୍ଧଶିକ୍ଷିତ, ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି, ଶାସନ ଅନଭିଜ୍ଞ ବ୍ୟକ୍ତି, ଅଭିନେତା, ଅଭିନେତ୍ରୀ, କ୍ରୀଡାବିତ୍‌ ଆଦି ଦଳୀୟ ସମର୍ଥନରେ ବହୁମତରେ ଜୟଲାଭ କରନ୍ତି। ଦେଶର ଶିକ୍ଷିତ, ଗୁଣୀ, ଜ୍ଞାନୀ ଲୋକମାନଙ୍କ ପାଇଁ ମଧ୍ୟ ସେମାନେ ଆଇନ ତିଆରି କରନ୍ତି। ଏହା କାହିଁକି ସମ୍ଭବ ହୁଏ? ଏହି ପ୍ରଶ୍ନ ଲେଖକକୁ ଚିନ୍ତିତ ଓ ଆନ୍ଦୋଳିତ କରେ। ଏହିପରି ଘଟଣା କେବଳ ଆଜିକାଲି ଘଟୁଛି କହିବା ମଧ୍ୟ ଠିକ୍‌ ନୁହେଁ। ୧୯୮୯ ମସିହାରେ ଅର୍ଥାତ୍‌ ପ୍ରାୟ ୩୫ ବର୍ଷ ତଳେ ଏଭଳି ଘଟଣା ଘଟୁଥିଲା। ସେତେବେଳେ ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କୁ ଏହି ପ୍ରଶ୍ନ ଆନ୍ଦୋଳିତ କରିଥିଲା। ସେ ତା’ର ଉତ୍ତର ପାଇଥିଲେ ରୁଷୀୟ ଲେଖକ ସର୍ଗେଲ ଚାଖୋତିନ୍‌ଙ୍କ ‘ଦି ରେପ୍‌ ଅଫ୍‌ ଦି ମାସେସ୍‌’ (୧୯୩୦) ବହିରୁ। ସେଥିରେ ଲେଖକ କହିଛନ୍ତି ଯିଏ ଗଣମାନସକୁ ଯେତେ ସଫଳ ଭାବରେ ବଳାତ୍କାର କରିପାରିଲା, ସିଏ ସେତେ ବେଶି ସଫଳ ଓ ଶକ୍ତିଶାଳୀ ରାଜନୀତିଜ୍ଞ ହେଲା। ଜଣେ ନେତା ଜନସମୂହର ଆଚରଣକୁ ତା’ର ଜ୍ଞାନ, ଅଭିଜ୍ଞତା, ଶିକ୍ଷା ଦ୍ୱାରା ନୁହେଁ, ଭାବାବେଗ ଦ୍ୱାରା ବେଶି ପ୍ରଭାବିତ କରିପାରେ। ମଣିଷ ଏକାକୀ ଥିବାବେଳେ ଯେପରି ଯୁକ୍ତିରେ ଚିନ୍ତାକରେ ଗୋଷ୍ଠୀର ଅଂଶ ହେଲେ ପ୍ରଚାର ଓ ଭାବାତ୍ମକ ପ୍ରତୀକ ତା’ର ଚିନ୍ତା ଓ ଆଚରଣକୁ ଅଧିକ ପ୍ରଭାବିତ କରେ। ଏହି ସୂତ୍ର ଅନୁସାରେ ହିଟ୍‌ଲର ଜର୍ମାନୀର ସର୍ବଶକ୍ତିମାନ ଶାସକ ହୋଇପାରିଥିଲେ। ଜନମାନସକୁ ପ୍ରଭାବିତ କରିବା ପାଇଁ ସେ ରେଡିଓ, ଖବରକାଗଜ, ପୋଷ୍ଟର ବିଶାଳ ସଭା ମାଧ୍ୟମରେ ଜାତୀୟତାବାଦକୁ ଉତ୍ତେଜିତ କଲେ। ଜର୍ମାନୀର ସମସ୍ୟା ପାଇଁ ଇହୁଦୀ ଓ କମ୍ୟୁନିଷ୍ଟମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଲୋକଙ୍କ କ୍ରୋଧକୁ ସହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆଡ଼କୁ ନିର୍ଦ୍ଦେଶ କଲେ। ନିର୍ଦ୍ଦିଷ୍ଟ ପୋଷାକ ଓ ପତାକା, ଭାଷଣ, ଶୋଭାଯାତ୍ରା ମାଧ୍ୟମରେ ସେ ନାଜି ଜାତୀୟତାବାଦ ସୃଷ୍ଟି କରି ଜର୍ମାନୀର ଶାସକ ହେଲେ।
ସୁରେନ୍ଦ୍ର ମହାନ୍ତି ୧୯୮୯ ମସିହାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଏକ ଚିତ୍ର ଦେଇଛନ୍ତି ତାଙ୍କ ରାଜନୀତିର ସଂଜ୍ଞା ଆଲେଖ୍ୟରେ। ଜଣେ ବର୍ଷୀୟାନ ନେତା ତାଙ୍କ ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଥମ ନିର୍ବାଚନୀ ସଭା କରିବାକୁ ଯାଇଥିଲେ। ତାଙ୍କ ଆଗମନ ଉପଲକ୍ଷେ ଏକ ବିରାଟ ମଞ୍ଚ ପ୍ରସ୍ତୁତ ହୋଇଥିଲା। ସେ ତାଙ୍କ ଦଳବଳ ଧରି ପହଞ୍ଚତ୍ ବିରାଟ ଜନ ସମାବେଶ ଦେଖି ଉଲ୍ଲସିତ ହେଲେ। ମଞ୍ଚଟି ଅତ୍ୟୁଚ୍ଚ ହୋଇଥିଲା ମାତ୍ର ଛାତ ଉପରକୁ ଚଢିବା ପାଇଁ କୌଣସି ପାହାଚ ବା ଶିଡ଼ିର ବ୍ୟବସ୍ଥା ହୋଇ ନ ଥିଲା। ନେତା ଚାହିଁଲେ ସେ ମଞ୍ଚ ଉପରକୁ ଉଠିବେ ଓ ସେହି ବିଶାଳ ଜନ ସମୁଦ୍ରକୁ ସେଠାରୁ ଭାଷଣ ଦେବେ। ଏଣୁ ସେ କର୍ମୀମାନଙ୍କୁ ଏକ ନିଶୁଣି ଆଣିବାକୁ ଆଦେଶ ଦେଲେ। ନିଶୁଣି ଆସିଲା। ନେତା ଜଣକ ଯୁବସୁଲଭ ଉତ୍ସାହରେ ନିଶୁଣିରେ ଛାତ ଉପରକୁ ଉଠି ଉଲ୍ଲାସରେ ଭାଷଣ ଦେଲେ। ସୁରେନ୍ଦ୍ର ମହାନ୍ତି ଏହି ଖବରଟି ଖବରକାଗଜରୁ ପଢୁଥିବା ବେଳେ ପହଞ୍ଚତ୍ଲେ ସେହି ଅଞ୍ଚଳର ଜଣେ ରାଜନୈତିକ ବ୍ୟକ୍ତି। ସୁରେନ୍ଦ୍ର ମହାନ୍ତିଙ୍କ ପାଖରୁ ଏହି ଖବରଟି ଶୁଣି ସେ କହିଲେ, ଆଜ୍ଞା! ଏହି କଥା ଆମ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ଦଳ କହୁଛନ୍ତି ଏହି ନେତା ୮ ଫୁଟ୍‌ ଉଚ୍ଚ ମଞ୍ଚକୁ ଉଠିଥିଲେ। ସେମାନେ ୧୦ ଫୁଟ୍‌ ଉଚ୍ଚର ମଞ୍ଚ ନିର୍ମାଣ କରିବେ। ତା’ ଉପରକୁ ଉଠି ତାଙ୍କ ନେତା ଭାଷଣ ଦେବେ। ସୁରେନ୍ଦ୍ର ବାବୁ ପଚାରିଲେ, ସେଠି ସେ ଅଧିକ କ’ଣ କରିବେ? ଭଦ୍ରଲୋକ ଉତ୍ତର ଦେଲେ ପୂର୍ବ ନେତା ରାଜକୀୟ ଠାଣିରେ ହାତ ହଲାଇଥିଲେ, ମାତ୍ର ସେମାନଙ୍କ ନେତା ହାତ ହଲାଇବେ ନାହିଁ। ମାଙ୍କଡଚିତ୍‌ ମାରିବେ। ଏହା ଶୁଣି ସୁରେନ୍ଦ୍ର ମହାନ୍ତି ଭାବିଲେ, ଆଜି ରାଜନୀତି କହିଲେ ବୁଝାଉଛି ସର୍କସ, ସେଥିରେ କିଛି ଜୋକରଗିରି ମିଶାଇ ଶ୍ରୋତାମାନଙ୍କୁ ହସାଇ ପାରିଲେ ତାହା ପୁଣି ଆହୁରି ଭଲ।
ସ୍ବାଧୀନତାର ୭୫ ବର୍ଷ ପରେ ଆଜି ମଧ୍ୟ ଆମ ଗଣତନ୍ତ୍ରରେ ଏହି ଧାରାର ଅବସାନ ହୋଇନାହିଁ। ନିର୍ବାଚନରେ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା, ନୃତ୍ୟ ଗୀତ ଆଦି ପ୍ରଚାର କାର୍ଯ୍ୟକ୍ରମର ମୁଖ୍ୟ ଅଙ୍ଗ। ଅଭିନେତ୍ରୀ, ଅଭିନେତା, କ୍ରୀଡାବିତ୍‌ ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ। ଥରେ ମୁମ୍ବାଇରେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଜଣେ ପୁରୁଖା ରାଜନୀତିବିତ୍‌ କର୍ମୀକୁ ବି ଜଣେ ସିନେମା ଅଭିନେତା ପରାଜିତ କରିଦେଲେ। ବିଶିଷ୍ଟ ଲେଖକ ମନୋଜ ଦାସ ଏହି ଘଟଣାରେ ବିସ୍ମୟ ପ୍ରକାଶ କରନ୍ତେ ଜଣେ ମୁମ୍ବାଇବାସୀ ବନ୍ଧୁ କହିଲେ, ଆପଣ ତ ସିନେମା ପ୍ରାୟ ଦେଖନ୍ତି ନାହିଁ। ସେହି ଯୁବକର ଅଭିନୟ ଦେଖିଛନ୍ତି? ମନୋଜ ବାବୁ ନା କହନ୍ତେ ସେ କହିଲେ ସେ ଯୁବକ ଯେତେ ତୀବ୍ର ଗତିରେ କଟିଦେଶ ସଞ୍ଚାଳନ କରି ନାଚିପାରେ ସେମିତି କେହି କରିପାରନ୍ତି ନାହିଁ। ମନୋଜ ବାବୁଙ୍କ ମନ୍ତବ୍ୟ ଥିଲା, କଟିଦେଶର ସେଭଳି ତୀବ୍ର ସଞ୍ଚାଳନ ନିଶ୍ଚିତ ଭାବରେ ଏକ ଦୁର୍ଲଭ ଗୁଣ, କିନ୍ତୁ ସେ ପର୍ଯ୍ୟାୟର ଗୁଣ ଜଣେ ରାଜନୈତିକ ଜନସେବକର ଗୁଣକୁ ବାତିଲ କରିଦେବାଟା ସ୍ବଭାବିକ ନୁହେଁ ନିଶ୍ଚୟ। ଏବେ ମଧ୍ୟ ବହୁ ଚିତ୍ରତାରକା ଓ କ୍ରୀଡାବିତ୍‌ ଅଭିଜ୍ଞତାସମ୍ପନ୍ନ ରାଜନୀତି ତତ୍ତ୍ୱବିତ୍‌ମାନଙ୍କୁ ନିର୍ବାଚନରେ ଧରାଶାୟୀ କରୁଛନ୍ତି। ଅବଶ୍ୟ ଜଣେ ଚିତ୍ରତାରକା ବା କ୍ରୀଡାବିତ୍‌ ମଧ୍ୟ ସଫଳ ରାଜନୀତିଜ୍ଞ ହେବା ଅସମ୍ଭବ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକ ସଫଳ ହୋଇଛନ୍ତି। ସେମାନଙ୍କ ରାଜନୈତିକ ଜ୍ଞାନ ଓ ଅଭିଜ୍ଞତା ପାଇଁ ନିର୍ବାଚନ ଜିତିଲେ ତାହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରିବ ନାହିଁ। ମାତ୍ର ସେମାନଙ୍କ କୌଶଳପୂର୍ଣ୍ଣ ସୁନ୍ଦର ଅଭିନୟ ଯଦି ନିର୍ବାଚନ ଜିତିବାର ମାନଦଣ୍ଡ ହୁଏ, ତାହା ହେବ ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ। ସେମାନଙ୍କ ପ୍ରତିନିଧିତ୍ୱ ପାଇଁ ରହିଛି ରାଜ୍ୟ ସଭା।
ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନ କଲାବେଳେ ଦଳ ଦେଖୁଛି ଭୋଟରମାନଙ୍କ ଉପରେ କାହାର ପ୍ରଭାବ ବେଶି। ପ୍ରାର୍ଥୀର ଅର୍ଥବଳ, ବାହୁବଳ, ଅନୁଗାମୀବଳ କେତେ ଅଛି ସେସବୁକୁ ବିଚାରକୁ ନିଆଯାଉଛି। ତାମିଲନାଡୁରେ ଚିତ୍ରତାରକାମାନଙ୍କ ପ୍ରଚଣ୍ଡ ପ୍ରଭାବ ରହିଛି। ଏଣୁ ସେମାନେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରୁଛନ୍ତି। ସମ୍ପ୍ରତି ଓଡ଼ିଶାରେ ମଧ୍ୟ ବହୁ ଅଭିନେତା ଅଭିନେତ୍ରୀ ରାଜନୀତି ପ୍ରତି ଆକର୍ଷିତ ହେଉଛନ୍ତି। ଦର୍ଶକମାନଙ୍କ ଉପରେ ସେମାନଙ୍କ ଅଭିନୟର ଅଖଣ୍ଡ ପ୍ରଭାବ ହେଉଛି ସେମାନଙ୍କ ପୁଞ୍ଜି। ଏହି ପ୍ରସଙ୍ଗରେ ଏକ ଲଘୁକଥା। ଚଣ୍ଡିଗଡ଼ର ଏକ ମହିଳା କଲେଜରେ ମୋବାଇଲ ଫୋନ୍‌ ନିଷିଦ୍ଧ କରାଗଲା। ଫଳରେ ଛାତ୍ରୀମାନେ କ୍ଷୁବ୍ଧ ହେଲେ ଓ ସେହି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କଲେ। ବହୁସଂଖ୍ୟକ ଛାତ୍ରୀ ଉତ୍‌କ୍ଷିପ୍ତ ହୋଇ କଲେଜ ପରିସରରେ ଥିବା ଫୁଲକୁଣ୍ଡ, ଚୌକି, ବିଭିନ୍ନ ପ୍ରକାର କାଚସାମଗ୍ରୀ ଭାଙ୍ଗୁଥାନ୍ତି। ସେହି ଦୃଶ୍ୟ ଟେଲିଭିଜନରେ ଦେଖୁଥାନ୍ତି ମୁମ୍ବାଇର ଜଣେ ସିନେମା ନିର୍ଦ୍ଦେଶକ। ସେହି ଛାତ୍ରୀମାନଙ୍କ ଭିତରୁ ଯିଏ ସବୁଠାରୁ ଉଗ୍ର ଦିଶୁଥିଲା ନିର୍ଦ୍ଦେଶକ ତାକୁ ଟେଲିଫୋନ୍‌ ଯୋଗେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ନାୟିକା ହେବାପାଇଁ ପ୍ରସ୍ତାବ ଦେଲେ, କାରଣ ତା’ର ଉଗ୍ରରୂପ ଓ ହିଂସାତ୍ମକ କାର୍ଯ୍ୟକଳାପ ତାଙ୍କୁ ପ୍ରଭାବିତ କଲା। ଝିଅଟି ମଧ୍ୟ ପ୍ରସ୍ତାବ ଗ୍ରହଣ କଲା। ଘଟଣାଟି ଏକ ଆଲେଖ୍ୟରେ ଉପସ୍ଥାପନ କରିଛନ୍ତି ମନୋଜ ଦାସ। କଲେଜର ଅଶାଳୀନ ଆଚରଣ କରିବାର ପୁରସ୍କାର ଜଣକୁ ନାୟିକା ଭାବରେ ଅବତୀର୍ଣ୍ଣ କରାଇପାରେ- ଏହା ନିଶ୍ଚୟ କୌତୂହଳପୂର୍ଣ୍ଣ। ସେହି ତରୁଣୀର ସଫଳତା ପଛରେ ଥିଲା ତା’ର ଅଭିନୟ। କାର୍ଯ୍ୟଟି ଭଲ ହେଉ ବା ମନ୍ଦ ସେଇଟା ପ୍ରାସଙ୍ଗିକ ନୁହେଁ। ଠିକ୍‌ ସମୟରେ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ଚୟନ ହୁଏ ଓ ସଫଳତା ମଧ୍ୟ ମିଳେ। ତାହା ଗଣତନ୍ତ୍ର ପାଇଁ କେତେଦୂର ମଙ୍ଗଳ ତାହା ଏକ ଭିନ୍ନ ପ୍ରଶ୍ନ।

ଡ. ଛାୟାକାନ୍ତ ଷଡ଼ଙ୍ଗୀ
-ଟିଟିଲାଗଡ଼, ମୋ:୭୦୦୮୩୬୯୯୨୦

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୧ ଘଣ୍ଟାରେ ୫,୭୦୦ କିମି ଉଡ଼ିଲା ଆମୁର୍‌ ଫାଲକନ

ନୂଆଦିଲ୍ଲୀ, ୨୩ା୧୧ ମଣିପୁରରୁ ସୋମାଲିଆ ପର୍ଯ୍ୟନ୍ତ ୫,୭୦୦ କିଲୋମିଟର ଦୀର୍ଘ ପଥ ମାତ୍ର ୧୦୧ ଘଣ୍ଟା ଅର୍ଥାତ୍‌ ପ୍ରାୟ ଚାରି ଦିନ ପାଞ୍ଚ ଘଣ୍ଟାରେ ବିନା ବିଶ୍ରାମରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ସରକାର ଏବଂ ବିଭିନ୍ନ ସଙ୍ଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବ୍ୟକ୍ତିଗତ ସ୍ତରରେ ଅନେକେ ପ୍ରଚେଷ୍ଟା କରୁଛନ୍ତି, ଯେଉଁମାନଙ୍କ…

କ୍ୟାରିୟର-କ୍ୟାରେକ୍ଟର

ବର୍ତ୍ତମାନ କ୍ୟାରିୟର ତିଆରି ଚାଲିଛି, କ୍ୟାରେକ୍ଟର ତିଆରି ହେଉନାହିଁ। ମାଆବାପା ନିଜ ପିଲାଙ୍କ ପୋଥିଗତ ପାଠ ଉପରେ ଯେତିକି ଗୁରୁତ୍ୱ ଦେଇଥାନ୍ତି, ପିଲାଙ୍କ କ୍ୟାରିୟର ଗଠନ ଦିଗରେ…

ଅନ୍ୟ ଉପରେ ଦୋଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି)ର ଶତାବ୍ଦୀ ସମାରୋହରେ ଯୋଗଦେଇ ଶିଳ୍ପଜଗତକୁ ଆତ୍ମସମୀକ୍ଷା କରିବା…

ମହଙ୍ଗା ତୈଳ ପାଇଁ ଆମଦାନୀ ବିଲ୍‌ ୬୦% ବୃଦ୍ଧି

ନୂଆଦିଲ୍ଲୀ,୨୩ା୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ଭାରତର ତୈଳ ଆମଦାନୀ ବିଲ ୬୦% ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି। ତୈଳ ମନ୍ତ୍ରଣାଳୟ…

ଡିସେମ୍ବରରେ ସ୍ବାକ୍ଷର ହେବ ଭାରତ-ୟୁରୋପୀୟ ସଂଘ ଏଫ୍‌ଟିଏ

ନୂଆଦିଲ୍ଲୀ,୨୩ା୧୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଖୁବ୍‌ଶୀଘ୍ର ବ୍ରସେଲ୍ସରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସ୍ବାକ୍ଷର ହେବ। ଏନେଇ ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘ ରାଷ୍ଟ୍ରଦୂତ…

ବଢ଼ିବ ଶୀତ: ୪ରୁ ୬ଡିଗ୍ରୀ ଖସିବ ପାରଦ, ସତର୍କ କରାଇ ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୨୩ା୧୧: ନଭେମ୍ବର ଶେଷ ଆଡ଼କୁ ଶୀତ ବଢ଼ିବ। ୪ରୁ ୬ଡିଗ୍ରୀ ପାରଦ ଖସିବା ସହିତ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଲୋକଙ୍କଠାରୁ ମହାପ୍ରଭୁଙ୍କ ଖାତାକୁ ଫେରିଲା ସମ୍ପତ୍ତି

ଭୁବନେଶ୍ୱର,୨୩ା୧୧(ରବିନାରାୟଣ ଜେନା): ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୧୯୯୭ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?