ଜୀବନ ପାତ୍ର ମୋ ଭରିଛ କେତେ ମତେ

ଡ. ଭାଗ୍ୟଲିପି ମଲ୍ଲ
‘ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ’ ଏଇ ମାତ୍ର ଧାଡ଼ିକ ଶୁଣିଦେଲେ, ଶେଷ ପର୍ଯ୍ୟନ୍ତ ନ ଶୁଣି ରହି ହୁଏନି। ଗୀତର ସ୍ରଷ୍ଟା ବୈକୁଣ୍ଠନାଥ ପଟ୍ଟନାୟକ। ଏ ଗୀତକୁ ସ୍ବର ଦେଇଛନ୍ତି ତାଙ୍କ କନ୍ୟା ସୁନନ୍ଦା ପଟ୍ଟନାୟକ, ଗାଇଛନ୍ତି ବି। ବେଳେବେଳେ ଭାବିବାକୁ ଇଚ୍ଛାହୁଏ, ଗୀତରେ ଏତେ ସମ୍ମୋହନ ସମ୍ଭବ ହେଲା କେମିତି? ପୂର୍ଣ୍ଣତାକୁ ଅନୁଭବ କରିବା ପାଇଁ ତାଙ୍କ ଆତ୍ମାପକ୍ଷୀ ଡେଣାମେଲି ଦେଉଛି ଆକାଶ ଛାତିରେ। କହୁଛି, ଯେତେ ଦୂରରେ ତୁ ଥା’, ମୁଁ ଉଡିଯିବି। ପାଣି, ପବନ, ପର୍ବତ, ସମୁଦ୍ର, ମାୟାମୟ ସଂସାର-କେହି ମୋର ଗତିକୁ ଆକଟ କରିପାରିବେ ନାହିଁ। ତୋର ଡାକ ଥରେ ଯାହା କାନରେ ବାଜିଛି, ସେ କ’ଣ ଥିର ହୋଇ ରହିପାରିବ? ପୂର୍ଣ୍ଣତମ ସହିତ ମିଳିତ ହେବା ପାଇଁ ବ୍ୟାକୁଳତା। ମୋ ଶୂନ୍ୟତାର ତୁ ତ ଏକମାତ୍ର ପୂର୍ଣ୍ଣତା। ମୋ ମୁକ୍ତ ରୂପ ଓ ଯାତ୍ରାକୁ ଆଉ କିଏ ବା ଆକଟ କରିପାରିବ?
ବୈକୁଣ୍ଠ ଓ ସୁନନ୍ଦା ଆମକୁ ଏମିତି ସମ୍ମୋହିତ କରିବାର କାରଣ କ’ଣ ବା ହୋଇପାରେ? କାରଣ, ସେମାନେ ଆମ ଭିତରେ। ସେମାନେ ଆମ ଚାରିପାଖର ସଂସାର ଭିତରେ ଥାଇ, ତଥାପି ଅସୀମ ଆକାଶରେ ଡେଣାମେଲି ଦେଇଥିବା ମୁକ୍ତ ଆତ୍ମାପକ୍ଷୀ।
ପରଂବ୍ରହ୍ମ ଆମକୁ ଜନ୍ମ ଦେଇଛନ୍ତି। ଆମ ଜୀବନ ବଞ୍ଚତ୍ବା ପାଇଁ ସକଳ ଆବଶ୍ୟକତା ଖଞ୍ଜିଦେଇଛନ୍ତି। ଗଛ, ଲତା ଦେଇଛନ୍ତି। ଫୁଲରେ ସୁଗନ୍ଧ, ଫଳରେ ଖାଦ୍ୟ। ପାଣି, ପବନ, ଆକାଶ, ମାଟି, ପଶୁ, ପକ୍ଷୀ, ସରୀସୃପ, କୀଟ, ପତଙ୍ଗ- ପ୍ରତ୍ୟେକ ଆମର ଆବଶ୍ୟକତା। ପ୍ରତ୍ୟେକଙ୍କର ବିଚିତ୍ର ରୂପ, ବିଚିତ୍ର ଆଚରଣ, ପ୍ରେମ। ଆମେ କିନ୍ତୁ ଏକଥା ଭୁଲିଯାଉ। କବି ବୈକୁଣ୍ଠନାଥ ‘ଜୀବନ’କୁ ଏକ ପାତ୍ର ବୋଲି କହିଛନ୍ତି ଓ ତାକୁ ନାନାମତେ ପୂର୍ଣ୍ଣ କରିଥିବାରୁ ପରମେଶ୍ୱରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଅବଶ୍ୟ ଜୀବନର ତରୀକୁ ଈଶ୍ୱରଙ୍କ ମହାପାରାବାରରେ ଲକ୍ଷ୍ୟହୀନ ଭାବରେ ଭସେଇ ଦେବାବେଳେ କୂଳର ଜନମାନଙ୍କ ସହ ବିଷୟାବିଷରେ ଛନ୍ଦି ହେବା, ପୁଣି ଅତିକ୍ରମ କରି ଅନନ୍ତରେ ଲୀନ ହୋଇଯିବା କଥା ମଧ୍ୟ କହିଛନ୍ତି।
ଅପ୍ରାପ୍ତିଜନିତ ଅସନ୍ତୋଷକୁ ସହଜରେ ସ୍ବୀକାର କରି ନ ପାରି ମଣିଷ ଦେବତା ପାଖକୁ ଯାଏ। ଆବଶ୍ୟକତା ପୂରଣ ପାଇଁ ସଂସାର ଯାକର ସମ୍ପଦ ମାଗେ। ଛୋଟରୁ ଆରମ୍ଭ। ପଦାର୍ଥର ସଂଖ୍ୟା, ଆକାର ଓ ପ୍ରକାର ବଢି ଚାଲେ। ଶେଷ ହୁଏନି। ନ ପାଇଲେ, ପାଇବାରେ ଡେରି ହେଲେ, କାନ୍ଦେ। ଲାଞ୍ଚଦିଏ। ଶେଷକୁ ରାଗରେ ଗାଳିଦିଏ। ଅନ୍ୟମାନଙ୍କୁ ଏତେକଥା ଦେଲ, ମୋତେ କାହିଁକି ଦଉନ ବୋଲି କଳିକରେ, ଅଭିମାନ ବି କରେ। ଜୀବନସାରା ଅନ୍ୟମାନଙ୍କ ଆଡକୁ ଚାହିଁ, ସେ ନିଜକୁ ଚାହିଁବାକୁ ଭୁଲିଯାଇଥାଏ। ଅନ୍ୟମାନଙ୍କ କଥା ଭାବିଭାବି, ନିଜ ଭାବନାର ଶକ୍ତିକୁ ହରେଇ ଦେଇଥାଏ। କ’ଣ ପାଇଁ ଏ ସୁନ୍ଦର ପୃଥିବୀରେ ପୁଣି ମଣିଷ ପରି ଏକ ଚମତ୍କାର ଜୀବନ ବଞ୍ଚତ୍ରହି ମଧ୍ୟ ସେ ନିଜକୁ ସନାକ୍ତ କରିପାରେ ନାହିଁ? ବୁଝିପାରେନାହିଁ? କାହିଁକି ଏକ ସୁନ୍ଦରତମ, ସୁଖତମ, ଆନନ୍ଦମୟ, ପ୍ରେମମୟ ପ୍ରାପ୍ତିକୁ ମଣିଷ ଖାରଜ କରିଦେଇ ମିଥ୍ୟା ଓ ପ୍ରହେଳିକା ପଛରେ ଧାଏଁ? କାହିଁକି ନିଜ ପାଖରେ ଥିବା କସ୍ତୂରୀର ସୁଗନ୍ଧରେ ସେ ବିମୋହିତ ନ ହୋଇ, କୃତ୍ରିମ ବାସ୍ନା ପଛରେ ଗୋଡ଼ାଏ? କ’ଣ ପାଇଁ ତା’ର ମାନସ-ହଂସ ଉଡିବାକୁ ଇଚ୍ଛା କରୁଥିବା ଦିଗକୁ ସେ ବୁଝି ପାରେନାହିଁ?
ଚରଣ ବନ୍ଦନା ପାଇଁ ଜୀବନର ବୀଣାରେ ମୂର୍ଚ୍ଛନା ଦେଇଛନ୍ତି ପରମେଶ୍ୱର। ଅନନ୍ତ ସୁଖର ପାରାବାର ଖଞ୍ଜିଛନ୍ତି ପାଖରେ। ପରାଣକୁଞ୍ଜରେ ଶୁଣାଉଛନ୍ତି ବଂଶୀର ନିତ୍ୟରାସ। ତଥାପି ବିଷୟାବିଷରେ ଆକ୍ରାନ୍ତ ମନ ସେଥିପ୍ରତି ଆକୃଷ୍ଟ ହୋଇପାରୁନାହିଁ। ଏହି ଅନନ୍ତ ଆନନ୍ଦପାଇଁ ମଣିଷକୁ ବନସ୍ତରେ ତପସ୍ୟା କରିବାକୁ ପଡିବ ନାହିଁ। ବନ୍ଧୁ, ସୋଦର, ଜ୍ଞାତି, ପରିଜନବେଷ୍ଟିତ ସଂସାର ଭିତରେ ହିଁ ତାକୁ ଏହି ଆନନ୍ଦ ଉତ୍ସର ସନ୍ଧାନ କରିବାକୁ ପଡିବ। ଜୀବନର ଆଲୋକରେ, ବିଜୟ ପଥରେ ନିତ୍ୟ ବୃନ୍ଦାବନ ଦେଖିବାର ଯେଉଁ କାବି୍ୟକ ଉଚ୍ଛ୍ବାସ କବି ବୈକୁଣ୍ଠନାଥ ପ୍ରଦର୍ଶିତ କରିଛନ୍ତି, ତାହା ସକଳ ମାନବ ଜାତି ପାଇଁ ମୁକ୍ତି ମଶାଲର ଅନିର୍ବାଣ ଆଲୋକ ଶିଖା ହୋଇ ସେମିତି ପ୍ରଜ୍ୱଳିତ ହୋଇ ରହିଥିବ ଅନନ୍ତକାଳ ଯାଏ। ତାଙ୍କର ଗୋଟିଏ ସନେଟ୍‌ରେ ସେ ଲେଖିଛନ୍ତି: ‘ତୁମରି ଆଲୋକେ ବିକାଶୁ ଜୀବନ ଶୁଭ୍ର କମଳସମ/ତୁମ ବିଶ୍ୱାସେ ଦୈନ୍ୟ ଦୁଃଖ ସହିବାରେ ହୁଏ କ୍ଷମ’। ବୈକୁଣ୍ଠନାଥ- ବ୍ୟକ୍ତି ଜୀବନର ଏହି ସତ୍ୟକୁ ଅନୁଭବ କରିଛନ୍ତି। ତାଙ୍କ ଦେହ ଦ୍ୱାରର କବାଟ, ଝରକା ଖୋଲି ଦେଇଛନ୍ତି। ଅନୁଭବ କରିଛନ୍ତି- ଏ ଦେହ ତାଙ୍କର ନୁହେଁ, ପରମର। ଏକ ଅଭାବହୀନ, ପରିପୂର୍ଣ୍ଣ ପାତ୍ର। ଏ ପାତ୍ର ମିଛ ନୁହେଁ, ନିଃସଙ୍ଗ ବି ନୁହେଁ। ପ୍ରତ୍ୟେକ ପଦାର୍ଥ ଓ ଅନୁଭବରେ ସେ ଅଛନ୍ତି। ତାଙ୍କ ଅଶ୍ରୁତସ୍ବର, ଅଶ୍ରାବ୍ୟ କଥା, ଅରୂପ ରୂପ- ସବୁକିଛି ସ୍ପଷ୍ଟ ହୋଇଯାଇଛି। ଯିଏ ପୂର୍ଣ୍ଣ, ସିଏ ପୁଣି ମାଗିବ କ’ଣ? ମଣିଷର ମାନସ-ହଂସଟି ବିଚାର ଭ୍ରମରେ ପଡି ଏହି ଚରମ ସତ୍ୟକୁ ବୁଝିପାରେ ନାହିଁ।
ଜୀବନ ଏକ ଯାତ୍ରା, ଯାହାପାଖରୁ ଆସିଥିଲା, ତା’ରି ପାଖକୁ; ଯାହା ଭିତରୁ ଆସିଥିଲା, ତା’ ସହିତ ଏକୀଭୂତ ହେବାକୁ। ଜୀବନ ଏକ ପୂର୍ଣ୍ଣ ଶୂନ୍ୟତା। ଜୀବନପାତ୍ର ତେଣୁ ଆଉ ପୂର୍ଣ୍ଣ ହୋଇପାରେନା। ଯେତେ ପୂର୍ଣ୍ଣ କଲେ ବି ସେମିତି ଅଧା ଲାଗେ। ବାପ ଓ ଝିଅ- ଦୁଇଜଣ, ଜଣେ ଶବ୍ଦରେ ଓ ଅନ୍ୟଜଣେ ସ୍ବରରେ ଏହା ହିଁ କହିଛନ୍ତି। ଏହା ଶବ୍ଦ କି ଗୀତ ନୁହେଁ! ଅନୁଭବ- ତେଣୁ ଏତେ ଅନ୍ତରଙ୍ଗ। ଏବେ ସୁନନ୍ଦା ନୀରବ। ମାତ୍ର ତାଙ୍କ ସ୍ବର ଯେମିତି କହି ଦେଉଛି, ମୁଁ ଅଛି ଏବଂ ମୁଁ ରହିଥିବି।
(ପ୍ରୟାତ ସୁନନ୍ଦା ପଟ୍ଟନାୟକ ସ୍ମରଣେ)
ମୋ- ୮୯୧୭୩୩୨୫୮୫


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?