ଜରିଗୋଟାଳି

ସତ୍ୟବ୍ରତ ପାଣିଗ୍ରାହୀ

ଆବର୍ଜନାକୁ ଅଧିକାଂଶ ଅଦରକାରୀ ମନେକରନ୍ତି। କିନ୍ତୁ ଆବର୍ଜନାରେ ଯେ ଏକ ସର୍ଜନାର ବୀଜ ଲୁକ୍କାୟିତ ଥାଏ, ଏହାକୁ ଅନୁଭବ କରିବାର ବେଳ ଏବେ ଆସିଯାଇଛି। ରାସ୍ତାକଡ଼, ରେଳଷ୍ଟେଶନ ଓ ସହର ଉପକଣ୍ଠରେ କୁଢ଼କୁଢ଼ ଆବର୍ଜନା ଆଉ ବ୍ୟବହୃତ ପ୍ଲାଷ୍ଟିକକୁ କିଛି ଲୋକ ବୁଲି ବୁଲି ସଂଗ୍ରହ କରିବା ଦୃଶ୍ୟ ସମସ୍ତେ ଦେଖିଥିବେ। ସାଧାରଣରେ ଆବର୍ଜନା ସଂଗ୍ରହ କରୁଥିବା ଲୋକଟିକୁ ଜରିଗୋଟାଳି କିମ୍ବା କବାଡ଼ିବାଲାର ନାମ ଦିଆଯାଇଛି। କିନ୍ତୁ ଜରିଗୋଟାଳି ଯେ କେବଳ ଆବର୍ଜନା ସଂଗ୍ରହ କରୁନାହିଁ ବରଂ ଏକ ନୂଆ ଜଗତର ନିର୍ମାଣ କରୁଛି। ଆମ ପୁରାଣ ସାହିତ୍ୟକୁ ଗଭୀରତାର ସହ ଅବଲୋକନ କଲେ ଏକଥା ବୁଝାପଡ଼ିବ। ଆବର୍ଜନାରୁ ପୁଣି ନୂଆ ଜଗତର ନିର୍ମାଣ କିଭଳି ସମ୍ଭବପର। ସମ୍ଭବ ଏଇଥିପାଇଁ କାରଣ ଜରିଗୋଟାଳି ବୁଝିଛି ପ୍ରକୃତିର ନିୟମକୁ, ଜ୍ଞାତ ବା ଅଜ୍ଞାତରେ ଈଶ୍ବରଙ୍କ ପଦାଙ୍କ ଅନୁକରଣ କରିଛି ଆଉ ସୃଷ୍ଟିଚକ୍ରର ଗତିକୁ ହିଁ ମାନିଚାଲିଛି। ସୃଷ୍ଟିଚକ୍ରରେ ସାରା ଜଗତର ଉତ୍ପତ୍ତି, ସ୍ଥିତି, ପ୍ରଳୟ ଚକ୍ରାକାର ଗତିରେ ଚାଲିଆସିଛି। ଭାରତୀୟ ଦର୍ଶନ କହେ ସାରା ବ୍ରହ୍ମାଣ୍ଡର ଉତ୍ପତ୍ତି ଏକ ଯଜ୍ଞରୁ ହୋଇଛି। ସୃଷ୍ଟିରେ ପ୍ରତିଟି କୋଣରେ ଅହରହ ଯଜ୍ଞ ସମ୍ପାଦିତ ହେଉଛି। ସୃଷ୍ଟି ପୂର୍ବରୁ ଈଶ୍ବରଙ୍କ ଦ୍ୱାରା ହୋଇଥିବା ଏକ ବିରାଟ ଯଜ୍ଞରୁ ନିର୍ଗତ ତାପଶକ୍ତି ଦ୍ୱାରା ବିସ୍ଫୋରଣରୁ ଏହି ବିଶ୍ୱର ଉତ୍ପତ୍ତି। ଯଜ୍ଞ ଶେଷରେ ଯାହା କିଛି ବଳକା ବା ଅବଶିଷ୍ଟ ଆବର୍ଜନା ରହିଯାଏ, ତାକୁ ବୈଦିକ ସାହିତ୍ୟରେ ‘ଉଚ୍ଛିଷ୍ଟ’କୁହାଯାଏ। ପୁରାଣ ସାହିତ୍ୟ ଅନୁସାରେ ସେହି ଉଚ୍ଛିଷ୍ଟରୁ ହିଁ ଈଶ୍ୱର ସାରା ସୃଷ୍ଟିର ନିର୍ମାଣ କରିଛନ୍ତି। ପଞ୍ଚଭୂତର ସୃଷ୍ଟି ମଧ୍ୟ ଉଚ୍ଛିଷ୍ଟରୁ ହୋଇଛି। କିନ୍ତୁ ସର୍ବଶକ୍ତିମାନ ଈଶ୍ବର କାହିଁକି ଯଜ୍ଞର ଆବର୍ଜନାରୁ ସୃଷ୍ଟି ନିର୍ମାଣ କରିବା କଥା ଚିନ୍ତା କଲେ। ଏହା ପଛରେ ରହିଛି ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବାର୍ତ୍ତା। ରହିଛି ଏକ ବଳିଷ୍ଠ ଯୁକ୍ତି। ସ୍ବୟଂ ଈଶ୍ୱର ମଧ୍ୟ ଯଜ୍ଞ ଆବର୍ଜନା ବା ଉଚ୍ଛିଷ୍ଟକୁ ଅଦରକାରୀ ମନେକରି ନାହାନ୍ତି। ଆବର୍ଜନାକୁ ଏକ ନୂଆ ରୂପ ଦେଇ ଏହି ସୁନ୍ଦର ସୁସଜ୍ଜିତ ମଧୁମୟ ବିଶ୍ୱବ୍ରହ୍ମାଣ୍ଡ ଗଢିଛନ୍ତି। ଆବର୍ଜନାର ପୁନଃବ୍ୟବହାର କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ନଚେତ ସାରା ଜଗତ ଆବର୍ଜନାରେ ପୂର୍ଣ୍ଣ ହୋଇଯିବ। ଅଲୋଡ଼ା ହୋଇପଡିଥିବା ଅଳିଆ ଆବର୍ଜନାରେ ନୂତନ ସୃଷ୍ଟିର ସମ୍ଭାବନାକୁ ଦେଖିବାର କଳା ଈଶ୍ୱରଙ୍କ ସମେତ କେବଳ ଜରିଗୋଟାଳି ପାଖରେ ହିଁ ଅଛି। ଆବର୍ଜନାର ରିସାଇକ୍ଲିଂ କରି ସେଥିରୁ ପୁଣିଥରେ ବ୍ୟବହାର ଉପଯୋଗୀ ସାମଗ୍ରୀରେ ପରିଣତ କରିବାର ପ୍ରକ୍ରିୟା ଜରିଗୋଟାଳିର ଅଳିଆ ସଂଗ୍ରହରୁ ଆରମ୍ଭ ହୁଏ। ଯଦି ଜରିଗୋଟାଳି ଆବର୍ଜନା ସଂଗ୍ରହ କରିବ ନାହିଁ, କବାଡିବାଲା ତା’ ନିଜ ଜୀବିକାରୁ ଦୂରେଇ ଯିବ, ତା’ହେଲେ କ’ଣ ହେବ ଏ ପୃଥିବୀର ଅବସ୍ଥା। ରିସାଇକ୍ଲିଂ ନ ହୋଇ ଚାରିଆଡ଼େ ଅଳିଆ କୁଢ଼କୁଢ଼ ହୋଇ ଜମା ରହିବ ଏବଂ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବ। ପରିବେଶ ସୁରକ୍ଷା ପ୍ରତି ସାମାନ୍ୟ ସଚେତନ ଥିବା ଲୋକେ ଏକଥା ବୁଝିପାରିବେ। କିନ୍ତୁ ସେହି ଜରିଗୋଟାଳିଙ୍କ ଜୀବିକା ଏବଂ ରିସାଇକ୍ଲିଂ ଶିଳ୍ପର କର୍ମଚାରୀମାନେ ଅଣସଙ୍ଗଠିତ କର୍ମକ୍ଷେତ୍ରରେ ଅନ୍ତର୍ଭୁକ୍ତ। ଅର୍ଥାତ୍‌ ସେମାନଙ୍କ ଜୀବିକାକୁ ନେଇ ସ୍ବତନ୍ତ୍ର ସଙ୍ଗଠିତ ବ୍ୟବସ୍ଥା ନାହିଁ। ଆବର୍ଜନାରୁ ନୂତନ ଜଗତର ନିର୍ମାଣର ମୂଳଦୁଆ ସ୍ଥାପନ କରୁଥିବା ଏହି କର୍ମଚାରୀଙ୍କ ପାଇଁ ବାସ ଖଣ୍ଡିଏ ନ ଥାଏ। ବିଳାସପୂର୍ଣ୍ଣ ଆଭିଜାତ୍ୟମତ୍ତ ମେଟ୍ରୋ ସହରଗୁଡ଼ିକ ଭିତରେ ଥାଏ କିଛି ବସ୍ତି ଅଞ୍ଚଳ। ଦୁନିଆ ଯାକର ଅଳିଆକୁ ସଫା କରୁଥିବା ଅଧିକାଂଶ କର୍ମଚାରୀଙ୍କ ପାଇଁ ଏହି ବସ୍ତି ହିଁ ବାସସ୍ଥାନ ପାଲଟିଯାଏ। ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବାରୁ ସେମାନଙ୍କ ପାଖରେ ସାମାଜିକ ସୁରକ୍ଷା ନ ଥାଏ କି ପରିଚୟ ପତ୍ର ନ ଥାଏ। ସମାଜ ବୋଧେ ଭାବିନେଇଛି ଯେ ଈଶ୍ବରଙ୍କ ଭଳି ଏହି ମାନବ ଈଶ୍ୱରଙ୍କ ମଧ୍ୟ ପରିଚୟପତ୍ର କ’ଣ ଆବଶ୍ୟକ। ଅନେକ ସମୟରେ ଦେଖିବାକୁ ମିଳେ, ଏମାନେ ସମାଜରେ ଘୃଣାର ପାତ୍ର ହୁଅନ୍ତି ଯଦିଓ ସେମାନେ ମହାନ୍‌ କାର୍ଯ୍ୟ କରୁଛନ୍ତି। ଯଦି ସ୍ବୟଂ ଈଶ୍ୱର ଆବର୍ଜନାରୁ ସୃଷ୍ଟି ନିର୍ମାଣ କରିବା ପାଇଁ କୁଣ୍ଠାବୋଧ କରିନାହାନ୍ତି, ତେବେ ମଣିଷ ମଧ୍ୟ ସେଭଳି ଅଳିଆ ଆବର୍ଜନାର ରିସାଇକ୍ଲିଂ କରିବାରେ କିଛି ଅସୁବିଧା ନାହିଁ କିମ୍ବା ଜରିଗୋଟାଳିକୁ ନୀଚ ଦୃଷ୍ଟିରେ ଦେଖିବାର କିଛି କାରଣ ମଧ୍ୟ ନାହିଁ।
ତଥ୍ୟ ଏବଂ ପରିସଂଖ୍ୟାନ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତର ପ୍ଲାଷ୍ଟିକ ଅଳିଆର ରିସାଇକ୍ଲିଂ ଶିଳ୍ପ ୨୦୨୨ ସୁଦ୍ଧା ପାଖାପାଖି ୩୭୮୪ ମିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ୨୦୨୩ରୁ ୨୦୨୮ମଧ୍ୟରେ ଏହାର ଅଭିବୃଦ୍ଧି ହାର ରହିଛି ୫.୬ ପ୍ରତିଶତ। ସେହିଭଳି ବିଶ୍ବସ୍ତରରେ ମେଟାଲ ଆବର୍ଜନା ବା ରଦ୍ଦି ଜିନିଷର ବଜାର ମୂଲ୍ୟ ୫୦୦ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ସେଥିରେ ଭାରତର ଶେୟାର ମାତ୍ର ୧୧ ବିଲିୟନ ଡଲାର ଅର୍ଥାତ୍‌ ୨.୨ ପ୍ରତିଶତ। ଏଫ୍‌ଆଇସିସିଆଇ ସଂସ୍ଥାର ଗବେଷଣା କହୁଛି ଯେ ମେଟାଲ ଆବର୍ଜନାର ରିସାଇକ୍ଲିଂ କରିବା ଦ୍ୱାରା ଜଳବାୟୁ ପ୍ରଦୂଷଣକୁ ୭୬ରୁ ୮୬ ପ୍ରତିଶତ କମାଯାଇପାରିବ ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ହୋଇପାରିବ। ପ୍ଲାଷ୍ଟିକ ରିସାଇକ୍ଲିଂ କରିବା ଫଳରେ ମୃତ୍ତିକା ପ୍ରଦୂଷଣକୁ ରୋକାଯାଇପାରିବ। ନିକଟ ଅତୀତରେ ଓଡ଼ିଶା ସରକାର ଜରିଗୋଟାଳି ଏବଂ ରିସାଇକ୍ଲିଂ ଶିଳ୍ପରେ କାମ କରୁଥିବା ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ।
ଆବର୍ଜନାର ପୁନଃବ୍ୟବହାରର ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଗତବର୍ଷ ବଜେଟରେ ରିସାଇକ୍ଲିଂ ଇକୋନୋମି ସମ୍ପର୍କରେ ଉପସ୍ଥାପନା କରିଛନ୍ତି। ଧୀରେ ଧୀରେ ଏହି ଶିଳ୍ପ ଆଗକୁ ବଢୁଥିବା ବେଳେ ଆହୁରି ଅଧିକ ପ୍ରୋତ୍ସାହନ ଏବଂ ତାଲିମର ଆବଶ୍ୟକତା ରହିଛି। ଓଡ଼ିଶାର ବ୍ରହ୍ମପୁର ସହରର ଶିଳ୍ପ ତାଲିମ କେନ୍ଦ୍ର ଏହି କ୍ଷେତ୍ରରେ ଏକ ଉଦାହରଣ। ଏହି ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ଅଲୋଡା ହୋଇପଡିଥିବା ବସ୍ତୁରୁ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି। ଅତଏବ ରିସାଇକ୍ଲିଂ ଶିଳ୍ପ ମାଧ୍ୟମରେ ଅଧିକ ରୋଜଗାର ସୃଷ୍ଟି ହେବ। ଲୋକଙ୍କୁ ଜୀବନ ଜିଇବା ପାଇଁ ନୂଆ ଜୀବିକା ମିଳିବ। ଆଉ ସେହି ଜୀବିକା ମାଧ୍ୟମରେ କାରିଗର ଅଲୋଡ଼ା ହୋଇପଡ଼ିଥିବା ଆବର୍ଜନାରେ ଭରିଦେବ ନୂଆ ଜୀବନ। ଆବର୍ଜନାରୁ ହେବ ପୁଣି ନୂଆ ଏକ ସର୍ଜନା। ସେଥିପାଇଁ ତ ଜରିଗୋଟାଳି ହେଉ କିମ୍ବା କବାଡିବାଲା, ରିସାଇକ୍ଲିଂ ଶିଳ୍ପରେ କର୍ମରତ ପ୍ରତ୍ୟେକ ଜଣେ ଜଣେ ସ୍ରଷ୍ଟା, ଦ୍ୱିତୀୟ ବିଶ୍ୱକର୍ମା।
ମୋ: ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?