ଜନ୍ମଦିନ ପାଳନ: ସେଦିନ ଓ ଆଜି

ଡ.ଛାୟାକାନ୍ତ ଷଡ଼ଙ୍ଗୀ

ଏହି ଲେଖକ ଭଳି ଅଧିକାଂଶ ବରିଷ୍ଠ ନାଗରିକ ସେମାନଙ୍କ ଜନ୍ମଦିବସ ପାଳନ କରୁ ନ ଥିବେ ବୋଲି ବିଶ୍ୱାସ। ଆମ ମା’ବାପାମାନେ ଏ ବିଷୟରେ ବିଶେଷ ସଚେତନ ନ ଥିଲେ। କେହି କେହି ସଚେତନ ପିତାମାତା ପୁଅ ଝିଅର ଜନ୍ମ ଦିନରେ ନିଜେ ବିଶ୍ୱାସ କରୁଥିବା ଦେବଦେବୀଙ୍କ ନିକଟରେ ଦୀପଟିଏ ଜାଳି ପ୍ରାର୍ଥନା କରି ସେମାନଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରୁଥିଲେ। ଦେଶୀୟ ପିଠାପଣା କରି ଠାକୁରଙ୍କ ପାଖରେ ଭୋଗ ଲଗାଉଥିଲେ ଓ ପ୍ରସାଦ ବଣ୍ଟନ କରୁଥିଲେ। ଏହା ସବୁ ପରିବାରରେ ପାଳିତ ହେଉ ନ ଥିଲା। ମାତ୍ର ଆଜି ସହରରୁ ଗାଁ ପର୍ଯ୍ୟନ୍ତ ସର୍ବତ୍ର ସମସ୍ତେ ବ୍ୟୟବହୁଳ ଜନ୍ମଦିବସ ପାଳନ କରି ଏହାକୁ ଏକ ଉତ୍ସବରେ ପରିଣତ କରିଦେଇଛନ୍ତି। ଠାକୁରଙ୍କ ପାଖରେ ଏବେ ଆଉ ଦୀପ ଜଳା ହେଉନାହିଁ। ତା’ ବଦଳରେ ଜଳୁଥିବା ମହମବତିକୁ ଫୁଙ୍କି ଦେଇ ଲିଭାଇ ଦିଆଯାଉଛି ଓ କେକ୍‌ଟିଏ କାଟି ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି। ଆଲୋକ ହେଉଛି ଜ୍ଞାନର ପ୍ରତୀକ ଓ ଅନ୍ଧକାର ହେଉଛି ଅଜ୍ଞାନର ପ୍ରତୀକ। ବୈଦିକ ଋଷିମାନେ ଅଜ୍ଞାନରୁ ମୁକ୍ତ ହୋଇ ଜ୍ଞାନପ୍ରାପ୍ତ ହେବାପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ ”ତମସୋ ମା ଜ୍ୟୋତିର୍ଗମୟ।“ ମାତ୍ର ଆଜି ବାପାମାଆମାନେ ଜଳୁଥିବା ମହମବତିକୁ ଲିଭାଇ ଦେଇ ସତେ ଯେପରି କହୁଛନ୍ତି ”ଆମର ଆଲୋକ ଦରକାର ନାହିଁ, ଆମେ ଚାହୁଁ ଅନ୍ଧକାର।“ ଏହିସବୁ ଘଟୁଛି ପାଶ୍ଚାତ୍ୟ ପ୍ରଭାବରୁ। ପୁରାତନ ଯୁଗରେ ଗ୍ରୀକ୍‌ମାନେ ଆର୍ଟିମିସ୍‌ (ଚନ୍ଦ୍ର) ଦେବତାଙ୍କୁ ସମ୍ମାନ ଜଣାଇବା ପାଇଁ ଗୋଲାକାର କେକ୍‌ (ଗୋଲ ଚନ୍ଦ୍ରର ପ୍ରତୀକ) ଉପରେ ମହମବତି ଜାଳୁଥିଲେ। ଜନ୍ମ ଦିବସରେ ସେମାନେ ଜଳୁଥିବା ମହମବତିକୁ ଲିଭାଉଥିଲେ । କାରଣ ସେମାନଙ୍କ ବିଶ୍ୱାସ ଥିଲା ମହମବତି ଲିଭିଗଲା ପରେ ଯେଉଁ ଧୂଆଁ ନିର୍ଗତ ହେଉଥିଲା ତାହା ଦୁଷ୍ଟଶକ୍ତିଗୁଡ଼ିକୁ ଘଉଡ଼ାଇ ଦେଉଥିଲା। ପୁନଶ୍ଚ ରୋମବାସୀ ବିଶ୍ୱାସ କରୁଥିଲେ ସେହି ଧୂଆଁ ପିଲାର କାମନା ବା ଇଚ୍ଛାକୁ ଦେବଦେବୀଙ୍କ ପାଖରେ ପହଞ୍ଚାଇଦିଏ। ଗୋଟିଏ ନିଃଶ୍ୱାସରେ ମହମବତି ଲିଭିଲେ ତା’ର ଇଚ୍ଛା ପୂର୍ଣ୍ଣ ହେଲାବୋଲି ଗ୍ରହଣ କରିନିଆଯାଏ। କେତେକ ପାଶ୍ଚାତ୍ୟ ଦେଶରେ ପିଲାଟି ଯେତିକି ବର୍ଷ ଅତିକ୍ରମ କରିଥାଏ, ସେତିକି ସଂଖ୍ୟକ ଜଳୁଥିବା ମହମବତିକୁ ଲିଭାଇ ଦିଆଯାଏ। ଆମ ଦେଶରେ ଯେଉଁମାନେ କେକ୍‌ କାଟିବା ସହ ମହମବତି ଲିଭାଇ ଜନ୍ମଦିବସ ପାଳନ କରନ୍ତି ତା’ ପଛରେ ଥିବା ଏହି ବିଶ୍ୱାସ ସମ୍ପର୍କରେ କିଛି ଜାଣି ନ ଥାନ୍ତି। କେବଳ ଅନ୍ଧଭାବରେ ପାଶ୍ଚାତ୍ୟ ପ୍ରଥାକୁ ଅନୁସରଣ କରନ୍ତି।
ପାଶ୍ଚାତ୍ୟ ପ୍ରଥାକୁ ନିକୃଷ୍ଟ କହିବା ଏହି ଲେଖକର ଉଦ୍ଦେଶ୍ୟ ନୁହେଁ। ସମଗ୍ର ପୃଥିବୀରେ ଗୋଟିଏ ପ୍ରଥା ଆଶା କରିବା ଅସମ୍ଭବ। ଦେଶକୁ ଦେଶ ପ୍ରଥା ଓ ପରମ୍ପରାରେ ଭିନ୍ନତା ରହିବା ସ୍ବାଭାବିକ। ମାତ୍ର ଆମ ଦେଶରେ ଦୀପ ଜାଳି ‘ତମସୋ ମା ଜ୍ୟୋତିର୍ଗମୟ’ ପ୍ରାର୍ଥନା କରିବା କାହିଁକି ବର୍ଜନୀୟ ତା ପଛରେ ଯଦି କୌଣସି ଗ୍ରହଣୀୟ ଯୁକ୍ତି ଅଛି ତା’ହେଲେ ପାଶ୍ଚାତ୍ୟ ପରମ୍ପରାକୁ ଗ୍ରହଣ କରିବାରେ କୌଣସି ଆପତ୍ତି ରହିବ ନାହିଁ। ଯଦି ଆମ ପ୍ରଥା ଭୁଲ ନୁହେଁ, ଆମେ କାହିଁକି ଆମ ପ୍ରଥାକୁ ଅନୁସରଣ ନ କରି ପାଶ୍ଚାତ୍ୟ ପ୍ରଥାକୁ ଅନୁସରଣ କରିବା ତାହା ବିଚାରର ବିଷୟ। ଆଜିକାଲି ମାତାପିତା କହୁଛନ୍ତି ପିଲାମାନଙ୍କ ଖୁସି ପାଇଁ ସେମାନେ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶ୍ନ ହେଉଛି ଆମ ପରମ୍ପରାରେ କ’ଣ ସେହି ଖୁସି ଦେଇ ହେବ ନାହିଁ କି? ପୁନଶ୍ଚ ଏବେ ସାଙ୍ଗସାଥୀ ଓ ବନ୍ଧୁବର୍ଗ ମୂଲ୍ୟବାନ ଉପହାର ଧରି ଅଭିନନ୍ଦନ ଜଣାଇବାକୁ ପହଞ୍ଚନ୍ତି। ଏହି ଉପହାର ଦେବା ଓ ଗ୍ରହଣ କରିବା ପ୍ରଥାକୁ ଅଭିଭାବକମାନେ ପ୍ରଚଳନ କରିଛନ୍ତି। ଫଳରେ ଜଣେ ଆର୍ଥିକ ଅସ୍ବଚ୍ଛଳ ମାତାପିତାଙ୍କ ସନ୍ତାନ ପାଇଁ ଏକ ଉପହାର କିଣି ଜନ୍ମଦିନରେ ଯୋଗଦେବା ଏକ କଷ୍ଟକର ବ୍ୟାପାର ହେଉଛି। ଜଣେ ଗରିବ ଘରର ସନ୍ତାନ ଧନୀଘରର ସନ୍ତାନର ବ୍ୟୟବହୁଳ ଜନ୍ମଦିନ ପାଳନ ଦେଖି ନିଜ ଜନ୍ମଦିନକୁ ସେଭଳି ପାଳନ କରି ନ ପାରି ବିଷାଦଗ୍ରସ୍ତ ହେଉଛି। ଜନ୍ମଦିନ ପାଳନ ଆଜି ଆଭିଜାତ୍ୟ ଓ ଆଡ଼ମ୍ବର ପ୍ରଦର୍ଶନ କରିବାର ଏକ ଅବସର ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଜନ୍ମଦିନ ପାଳନର ଉଦ୍ଦେଶ୍ୟ ହେଉଛି ଅତୀତକୁ ସ୍ମରଣ କରି ଏକ ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନା କରିବା ଏବଂ ବିଭୁଙ୍କ ଆଶିଷ ଲୋଡ଼ି ତା’ର ସଫଳ କ୍ରିୟାନ୍ବୟନ ପାଇଁ ସଂକଳ୍ପ କରିବା। ଏହି ଦିନଟି ମଜାମଜଲିସ୍‌ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଜନ୍ମଦିନ ପାଳନ ମଣିଷର ବ୍ୟକ୍ତିତ୍ୱର ବିକାଶକୁ ସୂଚାଇବା ସଙ୍ଗେ ସଙ୍ଗେ ଜୀବନର ସୀମିତ ଅବଧି ସମ୍ପର୍କରେ ମଧ୍ୟ ସଚେତନ କରାଏ। ପ୍ରତ୍ୟେକ ମୁହୂର୍ତ୍ତରେ ଆମର ବିକାଶ ପ୍ରକ୍ରିୟା ଚାଲିଥାଏ। ଏହା ନିଶ୍ଚୟ ଆନନ୍ଦର ବିଷୟ। ମାତ୍ର ସମୟ ଏକଥା ମଧ୍ୟ ଆମକୁ ସୂଚାଇଦିଏ ଯେ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଆମର ଆୟୁଷ ହରାଇଥାଉ। ଅର୍ଥାତ୍‌ ଆଜି ପର୍ଯ୍ୟନ୍ତ ଆମେ ଯେତେ ସମୟ ଅତିବାହିତ କରିସାରିଛୁ ସେହି ସମୟ ଆମର ସମ୍ପୂର୍ଣ୍ଣ ଆୟୁଷରୁ କଟିଗଲା। ଏଣୁ ‘ଶିବାପରାଧକ୍ଷମାପନସ୍ତୋତ୍ରମ’ରେ କୁହାଯାଇଛି ”ଆୟୁର୍ନଶ୍ୟତି ପଶ୍ୟତାଂ ପ୍ରତିଦିନଂ ଯାତି କ୍ଷୟଂ ଯୌବନଂ/ପ୍ରତ୍ୟାୟାନ୍ତି ଗତାଃ ପୁନର୍ନଦିବସାଃ କାଳୋ ଜଗତ୍‌ଭକ୍ଷକଃ।“ ଅର୍ଥାତ୍‌ ପ୍ରତ୍ୟେକଦିନ ଆୟୁ ନଷ୍ଟ ହେଉଛି। ଯୌବନ କ୍ଷୟ ହେଉଛି। ଯେଉଁ ଦିବସଗୁଡ଼ିକ ଚାଲିଯାଏ, ତାହା ଆଉ ଫେରେ ନାହିଁ। କାଳ ହେଉଛି ସର୍ବଗ୍ରାସୀ। ସମୟ ଯେତିକି ଅଗ୍ରସର ହେଉଛି ଆମ ଜୀବନର ଅବଧି ସେତିକି କମି କମି ଆସୁଛି। ମହାକାଳ ଆମକୁ ଚେତାବନୀ ଦେଉଛି ଯେ ”ଜୀବନ ଅବଧି ସରି ଆସୁଛି । ଏଣୁ ଏହି ସୀମିତ ଅବଧିର ସଦୁପଯୋଗ କରିବା ପାଇଁ ସଂକଳ୍ପ କର।“ ଜନ୍ମଦିନ ପାଳନ ଆମକୁ ଏହି ବାସ୍ତବତା ସମ୍ପର୍କରେ ସଚେତନ କରାଏ। ମାତ୍ର ବିଡ଼ମ୍ବନାର ବିଷୟ ଯେ ଜନ୍ମଦିନ ପାଳନ କରୁଥିବା କୌଣସି ବ୍ୟକ୍ତି ଏ ସମ୍ପର୍କରେ ସଚେତନ ନ ଥାନ୍ତି ଓ ବ୍ୟୟବହୁଳ ଭୋଜିର ଆୟୋଜନ କରି ମଉଜମଜଲିସ୍‌ରେ ଦିନଟି କାଟନ୍ତି।
ଭାରତୀୟ ବିଶ୍ୱାସ ଅନୁସାରେ ଜଣେ ମଣିଷର ହାରାହାରି ଆୟୁଷ ଶହେ ବର୍ଷ। ଏଣୁ ସମସ୍ତେ ଚାହାନ୍ତି ଅନ୍ତତଃ ଏକଶତ ବର୍ଷ ବଞ୍ଚତ୍ବେ। ଏଣୁ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ପ୍ରାର୍ଥନା କରାଯାଇଛି ”ହେ ତ୍ରିକାଳର ଚକ୍ଷୁସ୍ବରୂପ ପରମାମତ୍ା! ଫୁଟି କାକୁଡ଼ି ଯେପରି ପରିପକ୍ୱ ହୋଇ ସୁଗନ୍ଧ ବିତରଣ କରିବା ପରେ ସ୍ବତଃ ବୃନ୍ତର ବନ୍ଧନରୁ ମୁକ୍ତ ହୁଏ ଆମକୁ ଆପଣ ଅକାଳ ମୃତ୍ୟୁରୁ ମୁକ୍ତ କରନ୍ତୁ।“ ଏହି ମନ୍ତ୍ରରେ ସୁକର୍ମ କରି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ପରିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ପ୍ରାର୍ଥନା କରାଯାଇଛି। ଏଣୁ ଜନ୍ମ ଦିବସରେ ବୈଦିକ ଋଷିମାନେ ଯେଉଁ ମନ୍ତ୍ରୋଚ୍ଚାରଣ କରୁଥିଲେ ତାହା ହେଲା ‘ଜୀବେମ ଶରଦଃ ଶତମ୍‌’ ଅର୍ଥାତ୍‌ ତୁମେ ଶହେଟି ଶରତ ଋତୁ ପର୍ଯ୍ୟନ୍ତ ବଞ୍ଚ। ଏହା ହେଉଛି ଭାରତୀୟ ପରମ୍ପରାରେ ଜନ୍ମଦିନର କାମନା। ପାଶ୍ଚାତ୍ୟ ପରମ୍ପରାରେ ବନ୍ଧୁମାନଙ୍କ ପାଖରୁ ଶୁଭେଚ୍ଛା କାମନା (ହାପି ବାର୍ଥଡେ ଟୁ ୟୁ) କରାଯାଉଥିବା ବେଳେ ଭାରତୀୟ ପରମ୍ପରାରେ ଈଶ୍ୱରଙ୍କଠାରୁ ଆଶିଷ ଲୋଡ଼ାଯାଏ। ଏହି ପରିପ୍ରେକ୍ଷୀରେ ଆମେ କେଉଁ ଦୃ୍‌ଷ୍ଟିରୁ ନିଜର ଏହି ମହତ୍‌ ପରମ୍ପରାକୁ ତ୍ୟାଗ କରି ଏକ ପାଶ୍ଚାତ୍ୟ ପରମ୍ପରାକୁ ଅନୁସରଣ କରିବା ତାହା ବିଚାର୍ଯ୍ୟ। ଏବେ କିଛି ସଂସ୍କୃତିପ୍ରେମୀ ବ୍ୟକ୍ତି ଅନାଥାଶ୍ରମ ବା ବୃଦ୍ଧାଶ୍ରମକୁ ଯାଇ ସେମାନଙ୍କୁ କିଛି ସାହାଯ୍ୟ କରି ସେମାନଙ୍କ ସଙ୍ଗେ କିଛି ସମୟ ଅତିବାହିତ କରି ଓ ଆଉ କେହିକେହି ଗଛ ଲଗାଇବା, ଅନାଥମାନଙ୍କୁ ସାହାଯ୍ୟ କରିବା ଭଳି କିଛି ଜନହିତକର କାର୍ଯ୍ୟକରି ନିଜର ଜନ୍ମଦିନ ପାଳନ କରୁଥିବା ସ୍ବାଗତ୍ୟଯୋଗ୍ୟ। ଯେଉଁମାନେ ବିନା କାରଣରେ ନିଜର ମହତ୍‌ ପରମ୍ପରାକୁ ତ୍ୟାଗ କରି ଏକ ପାଶ୍ଚାତ୍ୟ ପରମ୍ପରାକୁ ଅନ୍ଧଭାବରେ ଅନୁସରଣ କରୁଛନ୍ତି ସେମାନଙ୍କୁ ଭଗବଦ୍‌ ଗୀତାର ବାଣୀ ମନେପକାଇ ଦିଆଯାଇପାରେ- ‘ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।’
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri