ଜଣଙ୍କୁ ଦେଖି ଆଉ ଜଣେ

ପ୍ରକାଶ ତ୍ରିପାଠୀ

ପ୍ରାୟତଃ ଦେଖାଯାଇଥାଏ ଯେ, ଜଣଙ୍କର ସଫଳତା ଅପେକ୍ଷା ବିଫଳତା ଅନେକଙ୍କୁ ଅଧିକ ପ୍ରଭାବିତ କରିଥାଏ। ଅମୁକ ଲୋକ ଦ୍ୱାରା ସେ କାମ ଯଦି ହୋଇପାରିଲା ନାହିଁ, ତେବେ ମୋ ଦ୍ୱାରା କେମିତି ସମ୍ଭବ ହେବ- ଏପରି ନକାରାତ୍ମକ ଭାବନାରେ ମଣିଷ ଏତେ ଆକ୍ରାନ୍ତ ହୋଇଯାଏ ଯେ, ତା’ ମନରେ ସେ କାମ ପ୍ରତି ଆଉ ଆଗ୍ରହ ସୃଷ୍ଟି ହୁଏ ନାହିଁ। ଅନାଗ୍ରହରେ କାର୍ଯ୍ୟ କରିବା ଯୋଗୁ ସଫଳତା ମଧ୍ୟ ହାସଲ ହୋଇପାରେ ନାହିଁ। କିନ୍ତୁ ଆଉ କିଛି ଲୋକ ଭାବିଥାନ୍ତି ଯେ, ଯଦି ସେ କାମ ଅମୁକ ଲୋକ କରିପାରିଲା, ତେବେ ମୁଁ କାହିଁକି ପାରିବି ନାହିଁ। ଏପରି ସକାରାତ୍ମକ ଭାବନାରେ ଉଦ୍‌ବୁଦ୍ଧ ହୋଇ ସେ କାର୍ଯ୍ୟ କରିଥାଏ ଓ ସଫଳତା ବି ପାଏ। ଏପରି ଏକ ସକାରାତ୍ମକ ଭାବନାକୁ ନେଇ ଆଜିର ଏହି ଆଲେଖ୍ୟଟିକୁ ପ୍ରସ୍ତୁତ କଲାବେଳେ ଦୁଇଜଣ ମହାନ୍‌ ସମାଜସେବୀ ଓ ଆମ ସମୟର ଦୁଇଜଣ ଦେବତୁଲ୍ୟ ମଣିଷଙ୍କ ନାମ ମନକୁ ଚାଲିଆସେ, ଯେଉଁମାନଙ୍କ ଉତ୍ସର୍ଗୀକୃତ ସେବାକୁ ଦେଖିଲେ ସମ୍ମାନରେ ମୁଣ୍ଡ ନଇଁଯାଏ। ଜଣଙ୍କ ନିଃସ୍ବାର୍ଥପର ସମାଜସେବାକୁ ଦେଖି ଅନ୍ୟ ଜଣେ କିପରି ବସ୍ତୁବାଦୀ ଦୁନିଆର ସମସ୍ତ ଆକର୍ଷଣକୁ ତୁଚ୍ଛକରି ଦୁଃଖୀଦରିଦ୍ରଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଚାଲିଛନ୍ତି, ତା’ର ନିଚ୍ଛକ ପ୍ରମାଣ ମିଳେ। ଏହି ଦୁଇଜଣ ଚର୍ଚ୍ଚିତ ଚେହେରା ହେଉଛନ୍ତି ମହାରାଷ୍ଟ୍ରର ବମ୍ବେନିବାସୀ ହରକଚାନ୍ଦ ସାଲ୍‌ଓ୍ବା ଓ ଅନ୍ୟ ଜଣେ ହେଉଛନ୍ତି ସିମ୍‌ଳାର ସରବ୍‌ଜିତ ସିଂ ବବି। ଉଭୟଙ୍କ ସମାଜସେବାର ଭାବନା ପ୍ରାୟତଃ ସମାନ। ସାଲ୍‌ଓ୍ବାଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା କଥାକୁ ସ୍ବୀକାର କରନ୍ତି ସରବ୍‌ଜିତ। କର୍କଟରୋଗୀ ଓ ସେମାନଙ୍କ ପରିବାରଙ୍କ ପ୍ରତି ଉତ୍ସର୍ଗୀକୃତ ହୋଇଛନ୍ତି ଉଭୟ ସମାଜସେବୀ।
ହରକଚାନ୍ଦଙ୍କ ମନରେ ଗରିବ, ଅସହାୟ ତଥା କର୍କଟରୋଗ ଭଳି ଏକ ମାରାତ୍ମକ ବ୍ୟାଧି ଦ୍ୱାରା ଆକ୍ରାନ୍ତ ରୋଗୀ ଓ ଏହି ରୋଗର ଚିକିତ୍ସା ପାଇଁ ସର୍ବସ୍ବ ହରାଉଥିବା ତାଙ୍କ ଆତ୍ମୀୟମାନଙ୍କ ପ୍ରତି କରୁଣା ସୃଷ୍ଟି ହୋଇଥିଲା ସ୍କୁଲରେ ପଢ଼ିବା ବେଳୁ। ଜଣେ ଅନ୍ତରଙ୍ଗ ସହପାଠୀଙ୍କ ବାପା କର୍କଟ ରୋଗରେ ଆକ୍ରାନ୍ତ ହେଲେ ଓ କିଛିଦିନର ବ୍ୟୟବହୁଳ ଚିକିତ୍ସା ପରେ ତାଙ୍କର ଦେହାନ୍ତ ହେଲା। ତାଙ୍କ ମୃତ୍ୟୁ ପରେ ଆର୍ଥିକ ଦୁରବସ୍ଥା ପାଇଁ ହରକଚାନ୍ଦଙ୍କ ସହପାଠୀଙ୍କର ସ୍କୁଲପଢ଼ା ବନ୍ଦ ହେଲା। ଏହା ଖୁବ୍‌ ଆଘାତ ଦେଇଥିଲା ହରକଚାନ୍ଦଙ୍କୁ। ତାଙ୍କ ଘରଠାରୁ ସ୍କୁଲର ଦୂରତା ଥିଲା ପ୍ରାୟ ପାଞ୍ଚ କି.ମି.। ଗାଡିରେ ଯିବା ଆସିବା ଓ ଟିଫିନ ପାଇଁ ଦୈନିକ ତାଙ୍କୁ ପଇସା ଘରୁ ମିଳେ। ସେ ଚାଲି ଚାଲି ସ୍କୁଲ ଯିବାଆସିବା କଲେ ଓ ଏ ବାବଦରେ ଯେଉଁ ଗାଡି ଖର୍ଚ୍ଚ ସଞ୍ଚୟ କଲେ, ସେହି ଅର୍ଥ ସେ ନିଜ ସହପାଠୀଙ୍କ ପଢାରେ ଖର୍ଚ୍ଚ କଲେ। ପିଲାଟିଦିନର ସେହି ଦୟା, କରୁଣା ଓ ପରୋପକାରର ବୀଜ ଆଜି ମହାଦ୍ରୁମ ପାଲଟିଛି ଓ ବମ୍ବେର ଟାଟା ମେମୋରିଆଲ ହସ୍ପିଟାଲକୁ ଆସୁଥିବା ଅନେକ ଗରିବ ଓ ଅସହାୟ ପରିବାରର ଅସୁସ୍ଥ ଏବଂ ସେମାନଙ୍କ ଆତ୍ମୀୟଙ୍କୁ ମାଗଣା ଖାଦ୍ୟ ପରଷି ଦେଉଛନ୍ତି। ଗତ ଦୁଇ ଦଶନ୍ଧି ନିରବଚ୍ଛିନ୍ନ ଭାବେ ହରକଚାନ୍ଦଙ୍କ ଦ୍ୱାରା ସ୍ଥାପିତ ଜୀବନଜ୍ୟୋତି ଫାଉଣ୍ଡେଶନ ସଂସ୍ଥା ମାଗଣା ଖାଦ୍ୟ ସହ ଔଷଧ ମଧ୍ୟ ଯୋଗାଇ ଦେଇଆସୁଛି। କର୍କଟ ରୋଗ ଭଳି ଏକ ବ୍ୟୟବହୁଳ ଚିକିତ୍ସାରେ ରୋଗୀ ଓ ରୋଗୀଙ୍କ ଆତ୍ମୀୟଙ୍କୁ ସେବା ପ୍ରଦାନ କରିଆସୁଥିବା ହରକଚାନ୍ଦଙ୍କ ବିଷୟରେ ଜାଣିବା ପରେ ସିମ୍‌ଳାର ସରବ୍‌ଜିତ ସିଂ ବବି ଅନୁପ୍ରାଣିତ ହୋଇଥିଲେ ଓ ଅନୁରୂପ ସେବା ପ୍ରଦାନ ପାଇଁ ସେ ଅଣ୍ଟା ଭିଡ଼ିଥିଲେ।
ସରବ୍‌ଜିତଙ୍କ ସମାଜସେବା ଆରମ୍ଭ ହୁଏ ରକ୍ତଦାନ ଅଭିଯାନରୁ। ସିମ୍‌ଳାର ଏକ ଗୁରୁଦ୍ୱାରା ଦ୍ୱାରା ନିୟମିତ ଭାବେ ଆୟୋଜିତ ରକ୍ତଦାନ ଶିବିରରେ ସାମିଲ ହେଲେ ସେ। ମାତ୍ର ସମୟକ୍ରମେ ଗୁରୁଦ୍ୱାରା ଏପରି କାର୍ଯ୍ୟକ୍ରମ ବନ୍ଦ କରିଦେଇଥିଲେ ହେଁ ଏହାକୁ ଅବ୍ୟାହତ ରଖିଥିଲେ ସରବ୍‌ଜିତ। ଏବେ ବି ନିୟମିତ ରକ୍ତଦାନ ଶିବିର ଆୟୋଜିତ ହେଉଛି ଓ ଗତ ଦଶବର୍ଷ ମଧ୍ୟରେ ସେ ତିରିଶ ହଜାର ୟୁନିଟ୍‌ରୁ ଅଧିକ ରକ୍ତ ସିମ୍‌ଳାର ଦୁଇ ପ୍ରମୁଖ ହସ୍ପିଟାଲକୁ ଯୋଗାଇ ସାରିଛନ୍ତି। ରକ୍ତ ଅଭାବରୁ ଯେପରି ହିମାଚଳପ୍ରଦେଶରେ ଜଣେ ବ୍ୟକ୍ତି ମୃତ୍ୟୁବରଣ ନ କରେ, ତାହା ହୋଇଯାଇଛି ସରବ୍‌ଜିତଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ। ରକ୍ତଦାନ ବ୍ୟତୀତ ସମାଜସେବାର ଆଉ ଏକ ସୋପାନ ହେଉଛି ଦେୟମୁକ୍ତ ଭାବେ ହସ୍ପିଟାଲରୁ ଶ୍ମଶାନଘାଟ ଅବା ରୋଗୀର ଘରକୁ ମୃତଦେହ ପରିବହନ ଓ ଶବଦାହ। ଯେତେବେଳେ ପାରିଶ୍ରମିକ ନେଇ ଡ୍ରାଇଭରଟିଏ ଅସମୟରେ ଓ ପ୍ରତିକୂଳ ପରିବେଶରେ ମୃତଦେହ ଗାଡିରେ ନେବାକୁ ମନା କରିଦେଇଥାଏ, ସେତେବେଳେ ଅନନ୍ୟୋପାୟ ହୋଇ ଖୋଜାପଡ଼ନ୍ତି ସରବ୍‌ଜିତ। ଦିନରାତି ଚବିଶ ଘଣ୍ଟା ପ୍ରସ୍ତୁତ ହୋଇ ରହିଥାନ୍ତି ସରବ୍‌ଜିତ ଲୋକଙ୍କ ଅନ୍ତିମ ଯାତ୍ରାରେ ନିଜକୁ ସାମିଲ କରିବା ପାଇଁ, ତାହା ପୁଣି ବିନା ମୂଲ୍ୟରେ। ଏପରି କି ଦାବିଦାର ନ ଥିବା ଅଚିହ୍ନା, ଅଜଣା ତଥା ପଚିଶଢ଼ି ଯାଇଥିବା ଶବକୁ ଡାକ୍ତରଖାନାରୁ ନିଜ ଗାଡିରେ ଶ୍ମଶାନଘାଟକୁ ନେଇ ତାକୁ ସସମ୍ମାନେ ଦାହ କରିବାରେ କେବେ ବି ଅନାଗ୍ରହ ଦେଖାଇ ନାହାନ୍ତି ସେ। ସିମ୍‌ଳାର ହସ୍ପିଟାଲଗୁଡିକଠାରୁ ଶ୍ମଶାନ ସ୍ଥାନ ଅନେକ ଦୂର ଓ ଏହି ରାସ୍ତା ଅନେକ ଘାଟିପୂର୍ଣ୍ଣ। ତେଣୁ ସା ପରେ ଅନେକ ଡ୍ରାଇଭର ସେଠାକୁ ଯିବା ପାଇଁ ରାଜି ହୋଇ ନ ଥାନ୍ତି। ହସ୍ପିଟାଲ ବା ମ୍ୟୁନିସିପାଲିଟି ତରଫରୁ ଲୋକଙ୍କୁ ଏ କ୍ଷେତ୍ରରେ ସହଯୋଗ କରିବାକୁ କୌଣସି ବ୍ୟବସ୍ଥା ନ ଥିବାରୁ ସରବ୍‌ଜିତ ହିଁ ଏହି ଦାୟିତ୍ୱ ସ୍ବେଚ୍ଛାକୃତ ଭାବେ ଆପଣେଇଛନ୍ତି। ଗତ ଦଶବର୍ଷ ଭିତରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶବ ପରିବହନ ଓ ଦାହ ସଂସ୍କାର କରିସାରିଥିବା ସରବ୍‌ଜିତ ନିଜକୁ ଏଥିପାଇଁ ଗୌରବାନ୍ବିତ ମନେକରନ୍ତି।
୨୦୧୪ରେ ସରବ୍‌ଜିତଙ୍କର ପ୍ରମୁଖ ତଥା ଉଲ୍ଲେଖନୀୟ ସମାଜସେବା ଆରମ୍ଭ ହୁଏ। ବମ୍ବେର ହରକଚାନ୍ଦଙ୍କ ସମାଜସେବାରେ ଅନୁପ୍ରାଣିତ ହୋଇ ସେ ସିମ୍‌ଳାସ୍ଥିତ କ୍ୟାନ୍‌ସର ହସ୍ପିଟାଲ ସମ୍ମୁଖରେ ଏକ ମାଗଣା ଚା-ବିସ୍କୁଟ କେନ୍ଦ୍ର ଖୋଲିବା ପାଇଁ ଜାଗାଟିଏ ନିମନ୍ତେ ସ୍ଥାନୀୟ ଜିଲାପାଳଙ୍କୁ ଦରଖାସ୍ତ କଲେ। ସେହି ଦରଖାସ୍ତରେ ସେ କ୍ୟାନ୍‌ସର ବନାନ ଭୁଲ କରିଥିବାରୁ ଜିଲାପାଳ ତାଚ୍ଛଲ୍ୟ କରି କହିଥିଲେ ଯେ, ତୁମକୁ କ୍ୟାନ୍‌ସର ବନାନ ଆସୁନାହିଁ। କ୍ୟାନ୍‌ସର ହସ୍ପିଟାଲ ପାଖରେ ସମାଜସେବା କ’ଣ କରିବ! ସରବ୍‌ଜିତ ସହଜ ଭାବେ ଉତ୍ତର ଦେଇଥିଲେ- ସାର୍‌, ଆପଣ ମୋ ବନାନକୁ ଦେଖନ୍ତୁ ନାହିଁ। ମୋ ଭାବନାକୁ ଟିକେ ବୁଝନ୍ତୁ। ଛଅମାସ ଲାଗିଥିଲା ଚା-ବିସ୍କୁଟ ଯୋଗାଇବାକୁ ଜାଗାଟିଏ ପାଇବା ପାଇଁ। ନବେ ବର୍ଗଫୁଟ ପରିମିତ ସ୍ଥାନରେ ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଷ୍ଟଲ୍‌ରେ ଏବେ ସକାଳ ସାତରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ୟାନ୍‌ସର ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ଆତ୍ମୀୟଙ୍କୁ ଚା-ବିସ୍କୁଟ ସହ ରୁଟି, ଡାଲି, ଭାତ, ଫଳ, ସୁପ୍‌ ଆଦି ନିରାପଦ ସ୍ବାସ୍ଥ୍ୟକର ଖାଦ୍ୟ ମାଗଣାରେ ମିଳୁଛି। ଦୈନିକ ଛଅ ଶହରୁ ସାତ ଶହ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ସରବ୍‌ଜିତଙ୍କ ଦ୍ୱାରା ପ୍ରତିଷ୍ଠିତ ଅଲ୍‌ମାଇଟି ବ୍ଲେସିଙ୍ଗ୍‌ ଦ୍ୱାରା ପରିଚାଳିତ ଏହି ଷ୍ଟଲ୍‌ରୁ। ଇତିମଧ୍ୟରେ ସରବ୍‌ଜିତ ସିମ୍‌ଳାରେ ଖୋଲିଛନ୍ତି ୨୩ଟି ରୁଟି ବ୍ୟାଙ୍କ। ସ୍କୁଲ-କଲେଜର ଛାତ୍ରୀଛାତ୍ର ସେମାନଙ୍କ ଟିଫିନ ବକ୍ସରୁ ଦୈନିକ ଗୋଟିଏ ଗୋଟିଏ ରୁଟି ଦାନ କରିଥାନ୍ତି ଏହି ରୁଟି ବ୍ୟାଙ୍କକୁ। ସାଧାରଣ ଜନତା ବି ଏପରି ମହତ୍‌ କାର୍ଯ୍ୟ ପାଇଁ ସ୍ବେଚ୍ଛାକୃତ ଭାବେ ରୁଟି ଦାନ କରିଥାନ୍ତି। ଏ ବାବଦରେ ଦୈନିକ ପ୍ରାୟ ପାଞ୍ଚ ହଜାରରୁ ଛଅ ହଜାର ରୁଟି ସଂଗ୍ରହ ହୋଇଯାଏ ରୁଟି ବ୍ୟାଙ୍କ ମାଧ୍ୟମରେ। ଏହା ବ୍ୟତୀତ ଜନ୍ମଦିନ, ବିବାହ ବାର୍ଷିକୀ ଓ ଅନ୍ୟାନ୍ୟ ପାରିବାରିକ ଉତ୍ସବାଦିରେ ସରବ୍‌ଜିତ ସଂଗ୍ରହ କରନ୍ତି ଖାଦ୍ୟସାମଗ୍ରୀ। ସେ କୁହନ୍ତି, ଧର୍ମୀୟ ସ୍ଥଳଗୁଡିକରେ ମାଗଣା ପ୍ରସାଦ ସେବା ସେହିମାନଙ୍କ ପାଇଁ ହୋଇଥାଏ, ଯେଉଁମାନଙ୍କ ପେଟ ପୂର୍ଣ୍ଣ ହୋଇଥାଏ। ମାତ୍ର ଅସଲ ଭୋକିଲା ମଣିଷ ମିଳନ୍ତି ସରକାରୀ ଡାକ୍ତରଖାନାଗୁଡିକରେ। ଔଷଧ କିଣିବା ପାଇଁ ପଇସା ନ ଥାଏ ଏମାନଙ୍କ ପାଖରେ, ଖାଇବା କଥା ପଚାରେ କିଏ? ସୋସିଆଲ ମିଡିଆରେ ପ୍ରଶଂସା କରୁଥିବା ବନ୍ଧୁମାନଙ୍କୁ ସରବ୍‌ଜିତଙ୍କ ଗୋଟିଏ ସନ୍ଦେଶ ହେଉଛି, ଯଦି ମୋ ସେବାକୁ ପସନ୍ଦ କରୁଛ ତେବେ ନିଜ ନିଜ ଅଞ୍ଚଳର ସରକାରୀ ଡାକ୍ତରଖାନାଗୁଡିକରେ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାହାଯ୍ୟ କର ଓ ସେମାନଙ୍କ ଆଡ଼କୁ ସହାୟତାର ହାତ ବଢ଼ାଅ।
ଆମର ଧର୍ମୀୟ ସ୍ଥଳଗୁଡିକରେ ଈଶ୍ୱରଙ୍କୁ ଯେତିକି ପ୍ରାର୍ଥନା କରାଯାଏ, ତା’ର କେଇ ଲକ୍ଷ ଅଧିକ ଗୁଣା ପ୍ରାର୍ଥନା ହସ୍ପିଟାଲଗୁଡିକରେ ହୁଏ। ଧର୍ମୀୟସ୍ଥଳକୁ ଦେଉଥିବା ଦାନ ହୁଏତ ଠିକ୍‌ ଭାବେ ବିନିଯୋଗ ହୋଇ ନ ପାରେ, ହେଲେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅସହାୟ ରୋଗୀଙ୍କୁ ଦାନ କଦାପି ଅପବ୍ୟୟ ହୁଏନାହିଁ। ହରକ୍‌ଚାନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇ ସରବ୍‌ଜିତ ଆଗକୁ ପାଦ ବଢ଼ାଇଛନ୍ତି ଓ ତାଙ୍କୁ ସହଯୋଗ କରୁଛନ୍ତି ଅନେକ ସମଭାବାପନ୍ନ ଦରଦୀ ମଣିଷ। ସମାଜସେବା କ୍ଷେତ୍ରରେ ଜଣଙ୍କୁ ଦେଖି ଆଉ ଜଣେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସହଯୋଗ କଲେ, ସରବ୍‌ଜିତଙ୍କ ଭଳି ଅନେକ ସରବ୍‌ଜିତ ସୃଷ୍ଟି ହୋଇପାରନ୍ତେ।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?