ଜଗନ୍ନାଥ ସଂସ୍କୃତିର ପ୍ରାଚୀନତା

ଅନିଲ କୁମାର ବିଶ୍ୱାଳ

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆ ଜାତିର ନୁହନ୍ତି ବରଂ ସମଗ୍ର ମାନବଜାତିର ଦେବତା। କେଉଁ ଅନାଦିକାଳରୁ ସେ ଓଡ଼ିଶାବାସୀଙ୍କର ବିଶ୍ୱାସର ଅସରନ୍ତି ଉତ୍ସ ହୋଇ ବିରାଜିଛନ୍ତି ଶ୍ରୀକ୍ଷେତ୍ରରେ। ପୁରାଣ, କିମ୍ବଦନ୍ତୀ, ଇତିହାସ, ପ୍ରତ୍ନତତ୍ତ୍ୱ ଓ ଲୋକଚଳଣିରେ ତାଙ୍କର ଅସୁମାରି ଗାଥା ପ୍ରଚାରିତ। ନୀଳଚକ୍ରର ବାନା ଫରଫର ଉଡି ମହାପ୍ରଭୁ ଏବଂ ଓଡିଶାର ଗୌରବମୟ ଇତିହାସର ଜୟଗାନ କରିଚାଲିଛି। ଜୈନ, ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ ସମସ୍ତେ ଜଗନ୍ନାଥଙ୍କୁ ନିଜର ଦେବତା ଭାବରେ ଗ୍ରହଣ କରିଛନ୍ତି। ଜଗନ୍ନାଥଙ୍କୁ ଲୋକଦେବତା, ରାଷ୍ଟ୍ରଦେବତା ଓ ବିଶ୍ୱଦେବତା ଭାବରେ ମାନ୍ୟତା ଦିଆଯାଇଛି।
ବର୍ତ୍ତମାନ ଆମେ ଦେଖୁଥିବା ଶ୍ରୀମନ୍ଦିରର ନିର୍ମାଣ ଚୋଡ଼ଗଙ୍ଗ ଦେବଙ୍କର ରାଜତ୍ୱ ସମୟରେ ଖ୍ରୀ.ଅ. ୧୧୧୨ରେ ଆରମ୍ଭ ହୋଇ ତାଙ୍କ ପୁତ୍ର ଅନଙ୍ଗଭୀମଙ୍କ ସମୟରେ ସମ୍ପୂର୍ଣ୍ଣ ହୋଇଛି। ହେଲେ ତା’ ପୂର୍ବରୁ ସେଠାରେ ମହାପ୍ରଭୁ ପୂଜା ପାଉଥିଲେ। ମାଦଳାପାଞ୍ଜି ଅନୁସାରେ ରାଜା ଶୋଭନଦେବଙ୍କ ସମୟରେ ରକ୍ତବାହୁ ଆକ୍ରମଣ କରିବା କାରଣରୁ ଶ୍ରୀବିଗ୍ରହଙ୍କୁ ପାତାଳି କରାଯାଇଥିଲା। ଏହାର ୧୪୪ ବର୍ଷ ପରେ ସୋନପୁରଠାରେ ପାତାଳି ହୋଇଥିବା ଜଗନ୍ନାଥଙ୍କୁ ଅଣାଇ ସୋମବଂଶୀ ରାଜା ଯଯାତିକେଶରୀ ୩୮ ହାତ ବିଶିଷ୍ଟ ଏକ ମନ୍ଦିର ନିର୍ମାଣ କରି ସ୍ଥାପନା କରାଇଥିଲେ। ଏହି ମନ୍ଦିର ୯୪୯ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ଚୋଡ଼ଗଙ୍ଗଦେବ ଆଜିର ଏହି ବୃହତ୍‌ ମନ୍ଦିର ନିର୍ମାଣ କରିବା ବେଳେ ସେହି ୩୮ ହାତ ମନ୍ଦିରରେ ମହାପ୍ରଭୁ ବିଦ୍ୟମାନ ଥିଲେ, ଯାହାକୁ ପୁରୁଷୋତ୍ତମ ନୃସିଂହ ମନ୍ଦିର ବୋଲି ମାଦଳାପାଞ୍ଜିରେ କୁହାଯାଇଛି। ସମ୍ଭବତଃ ସେହି ମନ୍ଦିରଟି ଆଜିର ନୃସିଂହ ମନ୍ଦିର ହୋଇପାରେ। କେଶରୀ ବଂଶର ରାଜତ୍ୱ ସମୟରୁ ହିଁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଐତିହାସିକ ଉଲ୍ଲେଖ ଦେଖାଯାଏ। ହେଲେ ପୌରାଣିକ ଉଲ୍ଲେଖ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ। ରାଜା ଇନ୍ଦ୍ରଦ୍ୟୁମ୍ନ କେବେ ଏହାର ପ୍ରତିଷ୍ଠା କରିଥିଲେ ତାହା ଏଯାଏ ଭିନ୍ନମତରେ ବିଭାଜିତ। ନାରଦ ପୁରାଣ, ବ୍ରହ୍ମ ପୁରାଣ, ସ୍କନ୍ଦ ପୁରାଣ ଓ ପଦ୍ମ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ପୁରୁଷୋତ୍ତମ କ୍ଷେତ୍ରରେ ସତ୍ୟଯୁଗରୁ ଅବସ୍ଥାପିତ ହୋଇଛନ୍ତିି। ପରବର୍ତ୍ତୀ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏଠାରେ ଜଗନ୍ନାଥଙ୍କ ବିଗ୍ରହ ଓ ମନ୍ଦିର ନିର୍ମାଣ କରିଥିଲେ। ସ୍କନ୍ଦ ପୁରାଣ, ଯେଉଁ ପୁରାଣରେ ସମସ୍ତ ତୀର୍ଥ କ୍ଷେତ୍ରର ଭୌଗୋଳିକ ଅବସ୍ଥିତି ଓ ମାହାତ୍ମ୍ୟ ବିଷୟରେ ବର୍ଣ୍ଣିତ ଅଛି, ସେହି ପୁରାଣ ଅନୁସାରେ ପୁରୀ ଏକ ଦକ୍ଷିଣାବର୍ତ୍ତୀ ଶଙ୍ଖ ଭଳି। ସେହି ଶଙ୍ଖକ୍ଷେତ୍ରର ନାଭିସ୍ଥଳରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ।
ସାରଳା ଦାସଙ୍କ ମହାଭାରତ ଅନୁସାରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦେହାବସାନ ପରେ ତାଙ୍କ ଶରୀରର ନାଭିମଣ୍ଡଳ ଅଧାପୋଡା ରହିଲା, ଯାହାକୁ ଅର୍ଜୁନ ଓ ଜାରା ଶବର ସମୁଦ୍ରରେ ଭସାଇ ଦେଇଥିଲେ। ତାହା ପରେ ନୀଳ ପଥର ମୂର୍ତ୍ତି ଧାରଣ କରିଥିଲେ, ଯାହାଙ୍କୁ ନୀଳମାଧବ ରୂପରେ ଶବର ରାଜା ଜାରା ଶବର ପୂଜା କରୁଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କର ମନ୍ତ୍ରୀ ବିଦ୍ୟାପତିଙ୍କ ଦ୍ୱାରା ତାଙ୍କୁ ଠାବ କରାଇଥିଲେ। ପରେ ଦାରୁ ବିଗ୍ରହ ନିର୍ମାଣ କରାଗଲା ପରେ ସେହି ଦାରୁ ବିଗ୍ରହରେ ବ୍ରହ୍ମ ସ୍ଥାନିତ ହୋଇ ପୂଜା ପାଇଲେ। ଯେତେବେଳେ ନୀଳମାଧବଙ୍କୁ ଆଣିବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶରେ ବିଦ୍ୟାପତି ଯାଇଥିଲେ ସେଠାରୁ ନୀଳମାଧବ ଉଭାନ ହୋଇଗଲେ ଓ ଶୂନ୍ୟବାଣୀ ହେଲା ଯେ, ମହୋଦଧିରେ ଏକ ଦାରୁ ଭାସିଆସିବ, ଯେଉଁ ଦାରୁରେ ନିର୍ମିତ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ, ବଳଭ୍ରଦ, ସୁଭଦ୍ରା ଓ ସୁଦର୍ଶନ ଭାବେ ପୂଜା ପାଇବେ। ଏ ସମସ୍ତ ପୌରାଣିକ ତଥ୍ୟ ଭିତରେ ଯାହା ପ୍ରାମାଣିକତା ଅଛି ତାହା ହେଲା କଣ୍ଟିଲୋଠାରେ ଯେଉଁ ନୀଳମାଧବ ମନ୍ଦିର ଅଛି ସେହି ପାଖାପାଖି ଅଞ୍ଚଳରେ ଅନେକ ଶବରପଲ୍ଲୀ ଅଛି। ନୀଳମାଧବ ଏକ ପର୍ବତ ଗୁମ୍ଫାରେ ପୂଜା ପାଉଥିଲେ। ଆଜିର ନୀଳମାଧବ ମନ୍ଦିରଟି ମଧ୍ୟ ଏକ ଉଚ୍ଚସ୍ଥାନରେ ବିଦ୍ୟମାନ। ସେହିପରି ଶ୍ରୀମନ୍ଦିର ସାଙ୍ଗରେ ଦଇତାପତି ସେବାୟତଙ୍କର ସଂଯୋଗ ପ୍ରମାଣ କରୁଛି ଯେ, ଶ୍ରୀଜଗନ୍ନାଥଙ୍କର ମୂଳ ସ୍ବରୂପ ହେଉଛନ୍ତି ଶବର ଠାକୁର ନୀଳମାଧବ। ନ ହେଲେ ଏପରି ପରମ୍ପରା କାହିଁକି ହୋଇଥାନ୍ତା? ଏହି ପୁରାଣଗୁଡ଼ିକରେ ଅଳ୍ପ ଭିନ୍ନତା ଅଛି କିନ୍ତୁ ଅଧିକ ସମାନତା ଅଛି। କିନ୍ତୁ ଏକ ଅସମାହିତ ପ୍ରଶ୍ନ ହେଉଛି ପୁରୀରେ ଶ୍ରୀଜଗନ୍ନାଥଙ୍କର ପୂଜା କେବେଠାରୁ ଆରମ୍ଭ ହୋଇଛି? ସ୍କନ୍ଦ ପୁରାଣ ଅନୁସାରେ ଏହା ହେଉଛି ସତ୍ୟଯୁଗ ବେଳର। କିନ୍ତୁ ଜାରା ଶବର କୃଷ୍ଣଙ୍କୁ ଶର ମାରିବାର ଯେଉଁ କଥାଟି ଅଛି ତାହା ତ ଦ୍ୱାପରର। କୃଷ୍ଣଙ୍କର ଯେଉଁଠି ଅନ୍ତ୍ୟେଷ୍ଟିକ୍ରିୟା ହୋଇଥିଲା ତାହା ପୁରୀ ଭଳି ସମୁଦ୍ରକୂଳରେ ଅବସ୍ଥିତ। ମହାଭାରତର ସମୟ କାଳ ବିଷୟରେ ଯଦିଓ ଭିନ୍ନ ମତ ରହିଛି ତଥାପି ଖ୍ରୀଷ୍ଟପୂର୍ବ ୩୨୦୦ରେ ମହାଭାରତ ଯୁଦ୍ଧ ହୋଇଥିଲା ବୋଲି ଅନେକ ଐତିହାସିକ ଏକମତ ହୋଇଛନ୍ତି। ତେଣୁ ଆମେ ଜଗନ୍ନାଥଙ୍କର ପୂଜା ପରମ୍ପରା ଖ୍ରୀଷ୍ଟପୂର୍ବ ୩୨୦୦ ପରେ ମାନେ ପାଖାପାଖି ୫୦୦୦ ବର୍ଷ ତଳର ବୋଲି କହିପାରିବା କି? ‘ଦେଉଳ ତୋଳା’ ଗ୍ରନ୍ଥରେ ବି ସେହି କଥା ହିଁ କୁହାଯାଇଛି କିନ୍ତୁ ସେଠି କାହାଣୀ ଟିକିଏ ଅଲଗା। ସେଠାରେ ଗାଲମାଧବ କଥା ଅଛି। ମୋଟାମୋଟି ଭାବରେ ଯେଉଁସବୁ କଥା ମହାପ୍ରଭୁଙ୍କର ଉପତ୍ତ୍ତିକୁ ନେଇ ଅଛି ସେ ସବୁଥିରେ କିଛି କିଛି ଭିନ୍ନତା ଅଛି କିନ୍ତୁ ଚରିତ୍ରଗୁଡ଼ିକ ସମାନ ଅଛି। ଇନ୍ଦ୍ରଦ୍ୟୁମ୍ନ, ବିଶ୍ୱାବସୁ, ବିଦ୍ୟାପତି, ଜାରା ଶବର, ନୀଳମାଧବ, ନୀଳପର୍ବତ ଆଦି ସବୁ ମତବାଦରେ ଅଛନ୍ତି।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏହି ତ୍ରିମୂର୍ତ୍ତି ବୌଦ୍ଧ ତ୍ରିରତ୍ନ, ଜୈନ ତ୍ରିରତ୍ନଙ୍କର ପ୍ରତୀକ ବୋଲି ମଧ୍ୟ ଅନେକ ଐତିହାସିକ ମତ ଦେଇଛନ୍ତି। ଦିନେ କଳିଙ୍ଗ ବିଶ୍ୱରେ ଉଭୟ ବୌଦ୍ଧ ଓ ଜୈନମାନଙ୍କର ଏକ ପ୍ରମୁଖ କେନ୍ଦ୍ର ଥିଲା। ଅନେକ ଶିଳାଲେଖ ଓ ସ୍ତୂପ ହେଉଛି ଏହାର ପ୍ରମାଣ। ବୌଦ୍ଧମତର ଆରମ୍ଭ ଖ୍ରୀଷ୍ଟପୂର୍ବ ୫୦୦ ଓ ଜୈନମତର ଆରମ୍ଭ ଖ୍ରୀଷ୍ଟପୂର୍ବ ୯୦୦ରେ ହୋଇଥିଲା। ଅନେକ ଐତିହାସିକ ଜଗନ୍ନାଥଙ୍କ ବିଗ୍ରହକୁ ତ୍ରିରତ୍ନରୁ ହିଁ ତ୍ରିମୂର୍ତ୍ତି ହୋଇଛନ୍ତି ବୋଲି ଦାବି କରନ୍ତି ଓ ଅନେକ ଯୁକ୍ତି ମଧ୍ୟ ଉପସ୍ଥାପନା କରିଛନ୍ତି। କିନ୍ତୁ ତ୍ରିରତ୍ନରୁ ହିଁ ତ୍ରିମୂର୍ତ୍ତି ନ ହୋଇପାରେ ବରଂ ଏହା ତ୍ରିମୂର୍ତ୍ତିରୁ ତ୍ରିରତ୍ନ ହୋଇପାରେ ବୋଲି ମୋର ମତ। ଯେହେତୁ ଶ୍ରୀଜଗନ୍ନାଥଙ୍କର ଉପସ୍ଥିତି ଏଠାରେ ପୁରୁଣା ଓ ପରବର୍ତ୍ତୀ ସମୟରେ ବୌଦ୍ଧ, ଜୈନ ରାଜାମାନେ ଏଠାରେ ଶାସନରେ ରହିଛନ୍ତି ତେଣୁ ତ୍ରିରତ୍ନର ଅବଧାରଣା ସେଠାରୁ ତିଆରି ହୋଇ ଥାଇପାରେ।
ବେବିଲୋନ ସଭ୍ୟତା ପ୍ରାରମ୍ଭରେ ଜଗନ୍ନାଥଙ୍କ ଅସ୍ତିତ୍ୱ ଥିଲା ବୋଲି ପଣ୍ଡିତ ନୀଳକଣ୍ଠ ଦାସ କହିଛନ୍ତି। ଯିଶୁଖ୍ରୀଷ୍ଟ ନିଜେ ପୁରୀ ଆସିଥିଲେ ଓ ପୁରୀରୁ ଧର୍ମଜ୍ଞାନ ନେଇଥିଲେ ବୋଲି ‘The Aquarian Gospel of Jesus the Christ’ ପୁସ୍ତକରେ ଲେଖାଯାଇଛି। ଏଥିରୁ ନିଶ୍ଚିତ ଯେ ଖ୍ରୀଷ୍ଟଧର୍ମ ଆରମ୍ଭ ହେଲାବେଳକୁ ଶ୍ରୀଜଗନ୍ନାଥଙ୍କର ମହିମା ସାରା ବିଶ୍ୱରେ ପ୍ରସିଦ୍ଧି ପାଇସାରିଥିଲା। ମିଶର, ଗ୍ରୀକ୍‌ ପ୍ରଭୃତି ପ୍ରାଚୀନ ସଭ୍ୟଦେଶର ଅବଲୁପ୍ତ ଧର୍ମପୀଠଗୁଡ଼ିକ ସହ ଶ୍ରୀମନ୍ଦିରର ଧାର୍ମିକ ତତ୍ତ୍ୱକୁ ତୁଳନାତ୍ମକ ଅଧ୍ୟୟନ କଲେ ଅନେକ ସାଦୃଶ୍ୟ ପରିଲକ୍ଷିତ ହୁଏ। ଏଥିରୁ ପ୍ରମାଣିତ ହୁଏ ଜଗନ୍ନାଥ ସଂସ୍କୃତିର ପ୍ରାଚୀନତା। ଖ୍ରୀଷ୍ଟ ଜନ୍ମ ଓ ବୁଦ୍ଧ ଜନ୍ମର ଅନେକ ବର୍ଷ ପୂର୍ବରୁ ପୁରୀ ଏକ ପ୍ରସିଦ୍ଧ ଧର୍ମପୀଠ ଥିଲା।
ଜୁଲିଆନ ଜେନସଙ୍କ ମତବାଦ ଅନୁସାରେ ପ୍ରାଚୀନ ସଭ୍ୟତାମାନଙ୍କରେ ବୃହତ୍‌ ଚକ୍ଷୁବିଶିଷ୍ଟ ଦେବତାଙ୍କ ଆରାଧନା ସଭ୍ୟତାର କ୍ରମବିକାଶ ଧାରା ଅନୁସାରେ ଖ୍ରୀଷ୍ଟପୂର୍ବ ୩୦୦୦ରୁ ୨୦୦୦ ବେଳର। ଆଖି ଦେବତାଙ୍କ ଚିତ୍ର ଶ୍ରୀଜଗନ୍ନାଥଙ୍କର ଚକାଡୋଳା ସହିତ ମେଳ ଖାଉଛି। ତେଣୁ ଶ୍ରୀଜଗନ୍ନାଥଙ୍କର ପୂଜା ଆରମ୍ଭ ଖ୍ରୀଷ୍ଟପୂର୍ବ ୩୦୦୦ ପାଖାପାଖି ବା ତା’ ପୂର୍ବରୁ। ମହାଭାରତର ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କର ପୂଜା ଆରମ୍ଭ ହୋଇଛି ବୋଲି ଯାହା କୁହାଯାଇଛି ତାହାର ସମୟ ସହିତ ଏହା ମେଳଖାଉଛି। ଆଜି ସେମାନଙ୍କର ସେ ସଭ୍ୟତା ଓ ସେହି ଆଖି ଦେବତା ସବୁ ମାଟିରେ ମିଶିଯାଇଛନ୍ତି ହେଲେ ଆମର ତାହା ଏବେ ବି ବଞ୍ଚି ରହିଛି ବରଂ ପିଢିପିଢି ପରେ ଆହୁରି ବିକଶିତ ହୋଇଛି। ଏବେ ବିଶ୍ୱରେ ଯେତେ ପ୍ରକାର ସଂସ୍କୃତି ଅଛି ସେସବୁ ଭିତରେ ଜଗନ୍ନାଥ ସଂସ୍କୃତି ସବୁଠୁ ପୁରୁଣା।
ମୋ- ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri