ଗୋଟିଏ ଡଙ୍ଗାରେ ସମସ୍ତେ

ସମସ୍ତ ବିଶ୍ୱବାସୀ ବର୍ତ୍ତମାନ ଗୋଟିଏ ଡଙ୍ଗାରେ ବସିଛନ୍ତି। ନଦୀର ଅଥଳ ପାଣି, ପ୍ରଖର ସ୍ରୋତକୁ ପାରିକରି ନାଆ ସୁରୁଖୁରୁରେ କୂଳରେ ଲାଗିଲେ ସମସ୍ତେ ନିରାପଦରେ ଓହ୍ଲାଇବେ। ସ୍ରୋତରେ ଥିବା ନାଆର ଯାତ୍ରା ଭୀତତସ୍ତ ହୋଇ ଏପଟସେପଟ ହେଲେ ଡଙ୍ଗା ବୁଡ଼ିଯିବାର ଭୟ ଅଛି। ଏହି ନୌକାକୁ ଚଳାଉଥିବା ନାଉରୀ ଖୁବ୍‌ ସତର୍କତାର ସହିତ ଜୀବନକୁ ବାଜି ଲଗାଇ ଚଳାଉଛନ୍ତି। ଏମାନେ ହେଲେ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ସାମାଜିକ କର୍ମୀ। ଡଙ୍ଗାର ଲଙ୍ଗର ଧରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କରୋନା ବା କୋଭିଡ୍‌-୧୯ ଭାଇରସ୍‌ ପ୍ରଥମେ ଚାଇନାରେ ଉତ୍ପତ୍ତି ବୋଲି ଜଣାପଡ଼ିଥିଲା। ସେମାନେ ଯଦିଓ ସେତେବେଳେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ପରିଚାଳନା କରିଥାନ୍ତେ, ଏହା ମହାମାରୀର ଭୟାବହ ରୂପ ଧାରଣ କରି ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ନ ଥା’ନ୍ତା। ଏବେ ଚାଇନା ଓ ଆମେରିକା ପରସ୍ପର କାଦୁଅ ଫିଙ୍ଗାରେ ବ୍ୟସ୍ତ। ଚାଇନା କହେ ଆମେରିକାରେ ଏହାର ଉତ୍ପତ୍ତିସ୍ଥଳୀ। ଅତୀତରେ ଯେତେସବୁ ମାରାତ୍ମକ ଭୂତାଣୁ ଜୀବନହାନି ଘଟାଇଛି ସେସବୁ ବାହାର ଦେଶରୁ ସୃଷ୍ଟି ହୋଇଛି। ୨୦୦୩ରେ ଏସ୍‌ଏଆର୍‌ଏସ୍‌ ଭୂତାଣୁ, ୨୦୦୯ରେ ସ୍ବାଇନ୍‌ ଫ୍ଲୁ ଭୂତାଣୁ, ୨୦୦୪ରେ ଇବୋଲାରୁ ବର୍ତ୍ତମାନର କରୋନା ଭୂତାଣୁ ଅଧିକ ଆତଙ୍କ ସୃଷ୍ଟି କରିଛି। କାରଣ ସମଗ୍ର ବିଶ୍ୱରେ ଏହା କାୟା ବିସ୍ତାର କରିଛି ଓ ଏହାର ପ୍ରତିଷେଧକ ଟିକା କିମ୍ବା ଔଷଧ ବାହାରି ନାହିଁ। ତଥାପି ଡାକ୍ତରଙ୍କ ଚେଷ୍ଟା ଫଳରେ ୯୦ ହଜାରରୁ ଊର୍ଦ୍ଧ୍ୱ ଆରୋଗ୍ୟଲାଭ କଲେଣି। ଇଟାଲୀ ଚାଇନାକୁ ଟପିଗଲାଣି। ୨୦ ତାରିଖ ସୁଦ୍ଧା ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୦୦ ଟପିଥିଲା ବେଳେ ମୃତ୍ୟୁସଂଖ୍ୟା ୩୪୦୫, ଚାଇନାରେ ମୃତ୍ୟୁ ସଂଖ୍ୟା ୩୨୪୫। ଏହାବ୍ୟତୀତ ଇରାନ, ସ୍ପେନ୍‌, ଜର୍ମାନୀରେ ସ୍ଥିତି ସଙ୍ଗିନ। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୭,୭୬୪ ଥିବା ବେଳେ ମୃତ୍ୟୁ ସଂଖ୍ୟା ୯୮୩୪ । ଦୁଇଟି ବିଶ୍ୱଯୁଦ୍ଧଠାରୁ ଅଧିକ ଭୟଙ୍କର।
ଆଶ୍ୱସ୍ତିକର ବିଷୟ ଭାରତ ଅଳ୍ପ ବିଳମ୍ବରେ ହେଉ ପଛେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ସଂକ୍ରମଣ ରୋକିବାରେ ଲାଗିଛି। ସମସ୍ତ ରାଜ୍ୟ ମଧ୍ୟରେ ଓଡ଼ିଶା ସର୍ବାଗ୍ରେ। ବର୍ତ୍ତମାନ ଭାରତରେ ଏହା ଦ୍ୱିତୀୟ ଷ୍ଟେଜ୍‌ରେ ଅଛି। ୨୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କଲେଣି। ଏଠାରେ ପ୍ରଶ୍ନଉଠେ ଔଷଧ, ଟିକା ବାହାରି ନ ଥିବା ବେଳେ ଏମାନେ ଆରୋଗ୍ୟଲାଭ କଲେ କେମିତି? ଏହା ବିଷୟରେ ଏକ ରୋଚକ ତଥ୍ୟ ଆସିଛି ସବାଇ ମାନସିଂ ହସ୍ପିଟାଲର ଡାକ୍ତରଙ୍କ ନିକଟରୁ। ସେଠାରେ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତ ରୋଗୀ ୩ ଦିନ ଓ ୫ ଦିନରେ ଆରୋଗ୍ୟ ହୋଇଛନ୍ତି। ଏଥିପାଇଁ ସେମାନେ ଏଚ୍‌ଆଇଭି, ସ୍ବାଇନ୍‌ ଫ୍ଲୁ ଓ ମ୍ୟାଲେରିଆ ବଟିକା ରୋଗୀଙ୍କୁ ଦେଇଥିଲେ। ଆଶ୍ୱସ୍ତିର ବିଷୟ ଏହି କି ଏକ ସର୍ଭେରୁ ଜଣାପଡ଼ିଛି ଭାରତରେ ସମୂହ ସଂକ୍ରମଣ ହୋଇନାହିଁ। ବର୍ତ୍ତମାନ ଏହି ଘଡ଼ିସନ୍ଧି ସମୟରେ ନିଜେ ବଞ୍ଚତ୍ବା ଓ ଅନ୍ୟକୁ ବଞ୍ଚାଇବା ପ୍ରଥମ କାମ। ସଚେତନ ରହିଲେ ଆମେ ନିରାପଦ ରହିପାରିବା। ବରିଷ୍ଠ ନାଗରିକ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ଶିଶୁ ୧୦ ବର୍ଷରୁ କମ୍‌ ଏମାନଙ୍କ ଶରୀରରେ ଇମ୍ୟୁନିଟ୍‌ ଶକ୍ତି କମ୍‌ ଥିବାରୁ ଆକ୍ରାନ୍ତ ହେବାର ଅଧିକ ଦେଖାଯାଉଛି। ଏମାନଙ୍କୁ ସର୍ବଦା ନିରାପଦସ୍ଥଳୀରେ ରଖାଯିବା ଉଚିତ। ଯେଉଁ ବ୍ୟାଧି ପାଇଁ ଔଷଧ ନାହିଁ, ସେଠାରେ ଆତ୍ମବିଶ୍ୱାସ କାର୍ଯ୍ୟକରେ। ସକାରାତ୍ମକ ମନୋଭାବ ମଣିଷକୁ ମଜଭୁତ କରେ। ସତର୍କତା ଅବଲମ୍ବନ ସର୍ବାଦୌ ଆମ ସମସ୍ତଙ୍କର କର୍ତ୍ତବ୍ୟ। ସଂକ୍ରମିତ ରୋଗୀ ସହିତ ମିଳାମିଶା କଲେ, ଶରୀର ସ୍ପର୍ଶ କଲେ, ଦୂରତା ରକ୍ଷା ନ କଲେ, ଏକତ୍ର ଭୋଜନ, ଶୟନ କଲେ, ରୋଗୀର ସାମଗ୍ରୀକୁ ଛୁଇବା କିମ୍ବା ବ୍ୟବହାର କଲେ ଏହା ସଂକ୍ରମିତ ହୋଇଥାଏ। ମୁହଁରେ ମାସ୍କ ଲଗାଇ ବାହାରକୁ ଯିବା, ହାତକୁ ବାରମ୍ବାର ସାବୁନ୍‌ରେ ୨୦ ସେକେଣ୍ଡ ଯାଏ ସଫା କରିବା ଉଚିତ। ଗୁଜବକୁ ଆଦୌ ବିଶ୍ୱାସ କରିବା ଉଚିତ ନୁହେଁ।
ପିଲାଙ୍କୁ ହାଡ଼ଫୁଟି ହେଲେ, ମା’ମାନେ ତାଙ୍କୁ ୧୪ ଦିନ ପାଇଁ ଅଲଗା ରଖନ୍ତି। କାହା ସହିତ ମିଳାମିଶା ବାରଣ କରାଯାଏ। ସ୍ନାନପୂର୍ଣ୍ଣିମାରେ ପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନପରେ ଜରରେ ପଡ଼ନ୍ତି। ୧୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଅଣସରରେ ରଖି ଗୁପ୍ତ ଚିକିତ୍ସା କରାଯାଏ। ସେହିପରି ଯେଉଁମାନେ ନିକଟରେ ବିଦେଶରୁ ଫେରିଛନ୍ତି ସେମାନେ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରହିବେ। ଭାରତରେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ଓ ଓଡ଼ିଶାରେ ୨୬୨୬ରୁ ଊର୍ଦ୍ଧ୍ୱ। ଏମାନଙ୍କ ରହିବା ପାଇଁ ୬୩୨ଟି କୋଠାଘରକୁ ଚିହ୍ନଟ କରାଯାଇଛି। ସହରାଞ୍ଚଳରେ ୨୬୧ଟି କୋଠାଘର ଚିହ୍ନଟ ହୋଇଛି। ଏହାଛଡ଼ା ଭୁବନେଶ୍ୱରରେ ତିନିଟି ହୋଟେଲରେ ସୁବିଧା ଉପଲବ୍ଧ। ଆମେରିକାରୁ ଫେରି ଗଜପତି ମହାରାଜା, ମହାରାଣୀ ଓ ପରିବାରବର୍ଗ ସଂଗରୋଧରେ ରହିଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବିଦେଶରୁ ଫେରିଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ୨୨ ତାରିଖରେ ‘ଜନତା କର୍ଫୁ’ ସଫଳ ହୋଇଛି। ଆର୍ଥିକ ମାନଦଣ୍ଡ ଦୋହଲିଲାଣି। ସ୍କୁଲ, କଲେଜ, ଯାତ୍ରା, କ୍ରୀଡ଼ା, ମଲ, ସିନେମା ହଲ୍‌ ସମସ୍ତ ଜନଗହଳି ଉପରେ ରୋକ୍‌। ଦିନମଜୁରିଆ, ଶ୍ରମିକମାନେ ପ୍ରମାଦ ଗଣିଲେଣି।
ମଣିଷ ସମାଜ ପାଇଁ ନାନା ସଙ୍କଟ ତଥା ଦୈବଦୁର୍ପିପାକ ଲାଗିରହିଛି। ଏହାର ମୁକାବିଲା କରି ମଣିଷ ତିଷ୍ଠି ଆସିଛି। ଚାଇନାର ଉତ୍ପତ୍ତିସ୍ଥଳ ଉହାନ ଏବେ ଏକ ପ୍ରକାର ବିପଦମୁକ୍ତ। ତେଣୁ ସରକାରଙ୍କ ନିୟମ ତଥା ସଚେତନତାରେ ରହି ଓ ଅନ୍ୟମାନଙ୍କୁ ସଚେତନ କରାଇ ଏଭଳି କଠିନ ସମୟର ମୁକାବିଲା କରିବା।

ଅଭିମନ୍ୟୁ ଧଳ
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri