କୃଷି ବଜେଟରେ ନବଉନ୍ମେଷ କାହିଁ

ନଟବର ଖୁଣ୍ଟିଆ
ଫେବୃୟାରୀ ୧୮ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି। ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ସାଧାରଣ ବଜେଟ ସହ ଏକ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରି ଆସୁଛନ୍ତି। ଏ ବର୍ଷର କୃଷି ବଜେଟ ଦେଶରେ ମାନ୍ଦାବସ୍ଥା ଜାରି ଥିବା ବେଳେ ଉପସ୍ଥାପନ ହୋଇଛି। ଯଦିଓ ଦେଶର ଜିଡିପିରେ କୃଷିର ଭାଗ ହ୍ରାସ ପାଇବାରେ ଲାଗିଛି, କିନ୍ତୁ ସେହି ତୁଳନାରେ କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ଅନୁପାତ ହ୍ରାସ ପାଉ ନାହିଁ। ଏବେ ବି ପ୍ରାୟ ଦୁଇ ତୃତୀୟାଂଶ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷରେ କୃଷି ଉପରେ ନିର୍ଭରଶୀଳ। ସୁତରାଂ କୃଷି ବିକାଶ ତ୍ୱରାନ୍ବିତ ହେଲେ ଦେଶ ଓ ରାଜ୍ୟର ଅର୍ଥନୀତି ଚଳଚଞ୍ଚଳ ହେବ, ମାନ୍ଦାବସ୍ଥା ଦୂର ହେବ। ଏହି ପୃଷ୍ଠଭୂମିରେ ରାଜ୍ୟ ଅର୍ଥମନ୍ତ୍ରୀ ରାଜ୍ୟର କୃଷି ବିକାଶ ପାଇଁ କି କି ପଦକ୍ଷେପ ନେବାକୁ ବଜେଟରେ ପ୍ରସ୍ତାବ ରଖିଛନ୍ତି, ଆସନ୍ତୁ ତାହାର ଏକ ସମୀକ୍ଷା କରିବା।
ଏକ ସର୍ଭେରୁ ଜଣାଯାଇଛି, ଗ୍ରାମାଞ୍ଚଳବାସୀଙ୍କ କ୍ରୟଶକ୍ତି ହ୍ରାସ ପାଉଥିବାରୁ ଗାଁ ଲୋକେ ପୂର୍ବାପେକ୍ଷା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କମ୍‌ କିଣୁଛନ୍ତି। ପାଞ୍ଚବର୍ଷିଆ କୃଷି ଗଣନା ରିପୋର୍ଟ ୨୦୧୦-୧୧ ପରେ ୨୦୧୫-୧୬ ବର୍ଷର ରିପୋର୍ଟ ପ୍ରକାଶ ପାଇଛି ଏବଂ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ ଉପସ୍ଥାପିତ ହୋଇସାରିଛି, ଯେଉଁଥିରେ ୨୦୨୨ ସୁଦ୍ଧା କୃଷକର ଆୟ ଦୁଇଗୁଣ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସୁତରାଂ ଏହା ଆଶା କରିବା ସ୍ବାଭାବିକ ଯେ, ଏସବୁ ସ୍ଥିତିକୁ ବିଚାରକୁ ନେଇ ରାଜ୍ୟ କୃଷି ବଜେଟ ପ୍ରସ୍ତୁତ ହେବା କଥା। କୃଷି ବଜେଟରେ ନବଉନ୍ମେଷ ଆଣି କୃଷି ପ୍ରଗତିକୁ ଓଡିଶାରେ ତ୍ୱରାନ୍ବିତ କରିବା ପାଇଁ ବିଭିନ୍ନ ପ୍ରକାର ରଣକୌଶଳ ଆପଣେଇବା ଉଚିତ। କିନ୍ତୁ କୃଷି ବଜେଟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।
୨୦୧୫-୧୬ କୃଷି ଗଣନା ରିପୋର୍ଟରେ କୁହାଯାଇଛି ଯେ, ଓଡିଶାରେ ଚାଷ ହେଉଥିବା ଫସଲର ମାତ୍ର ୨୭.୨୭ ଭାଗକୁ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ଏଣେ କୃଷି ବଜେଟରେ ମୋଟ ବ୍ୟୟ ବରାଦର ୬୦ ପ୍ରତିଶତ ଅର୍ଥ ଜଳସମ୍ପଦ ବିଭାଗ ପାଇଁ ବରାଦ ହୋଇ ଆସୁଛି। ଏ ବର୍ଷ ବଜେଟରେ ମୋଟ କୃଷି ବଜେଟ ପାଇଁ ବ୍ୟୟବରାଦ ହୋଇଛି ୧୯,୪୦୮ କୋଟି ଟଙ୍କା, ସେଥିରୁ ଜଳସମ୍ପଦ ବିଭାଗ ପାଇଁ ବରାଦ ହୋଇଛି ୯,୩୭୪.୪୬ କୋଟି ଟଙ୍କା। ମୋଟ କୃଷି ବଜେଟର ଏହା ହେଉଛି ୪୮.୩୦ ପ୍ରତିଶତ। କିନ୍ତୁ ଆମେ ଯଦି କାଳିଆ ଯୋଜନା ପାଇଁ ବ୍ୟୟବରାଦକୁ ବାଦ ଦେବା ତେବେ ମୋଟ କୃଷି ବଜେଟର ଜଳସେଚନ ପାଇଁ ବ୍ୟୟବରାଦ ହେବ ୫୮ ପ୍ରତିଶତ। ଏତେ ପରିମାଣରେ ଅର୍ଥ ବରାଦ ହେଉଥିଲେ ବି ପ୍ରକୃତ ଜଳସେଚିତ ଜମିର ପରିମାଣ ସେହି ଅନୁପାତରେ ବୃଦ୍ଧି ପାଉନାହିଁ। ଯଦିଓ ଅର୍ଥମନ୍ତ୍ରୀ ବଜେଟ ଭାଷଣରେ ଦାବି କରୁଛନ୍ତି ଜଳସେଚନ ପାଇଁ ଉତ୍ସ ସୃଷ୍ଟି କରାଯାଉଛି। ଉତ୍ସ ସୃଷ୍ଟି କଲେ ଲାଭ କ’ଣ? ଉତ୍ସରୁ ଜଳ ଯାଇ ଚାଷଜମିକୁ ଜଳସେଚନ କରିବା ଉଚିତ। ଦାବି ହେଉଥିଲା ଯେ ତେଲଙ୍ଗାନା ରାଜ୍ୟ ପରି ପାରମ୍ପରିକ କୋଠ ଜଳାଶୟକୁ ମରାମତି ଓ ସଂପ୍ରସାରଣ କରି ବର୍ଷା ଜଳକୁ ସଂଗ୍ରହ କରି ଜଳସେଚନ କରିବାକୁ ଗୁରୁତ୍ୱ ଦିଆଯାଉ ଏବଂ ଚାଷୀଙ୍କ ଜମିରେ ସେଚ ପୋଖରୀ ଖୋଳି ବର୍ଷା ଜଳକୁ ସଂଗ୍ରହ କରି ଜଳସେଚନ କରିବାର ବ୍ୟବସ୍ଥା ହେଉ। ଏକ ସ୍ବାଗତଯୋଗ୍ୟ କଥା ଯେ, ୨୦୨୦-୨୧ କୃଷି ବଜେଟରେ ପାରମ୍ପରିକ କୋଠ ଜଳାଶୟର ନବୀକରଣ କରିବା ପାଇଁ ୧୦୯୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ଫଳରେ ୧୦ ହଜାର କୋଠ ପୋଖରୀର ନବୀକରଣ ହେବ। କିନ୍ତୁ ଚାଷୀଙ୍କ ଜମିରେ ସେଚ ପୋଖରୀ ଖୋଳିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥାନ୍ତା।
ଓଡିଶାରେ ଛ’ ଗୋଟି ଜିଲାରେ ଜଳସେଚନର ସ୍ଥିତି ଅତି ସଙ୍କଟଜନକ। ବଲାଙ୍ଗୀର, ମାଲକାନଗିରି, ସୁନ୍ଦରଗଡ଼, ନବରଙ୍ଗପୁର, ଝାରସୁଗୁଡ଼ା ଓ କନ୍ଧମାଳ ଜିଲାରେ ଯଥାକ୍ରମେ ମାତ୍ର ୧.୬୬%, ୧.୮୦%, ୩.୩୩%, ୩.୬୭%, ୫.୬୪% ଓ ୭.୨୫% ଚାଷଜମିକୁ ଜଳସେଚନର ବ୍ୟବସ୍ଥା ଅଛି। କେନ୍ଦ୍ର ବଜେଟରେ ଦେଶର ୧୦୦ ଜଳକଷ୍ଟ ଜିଲାରେ ସ୍ବତନ୍ତ୍ର ଯୋଜନା କରି ଫସଲ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟଧାର୍ଯ୍ୟ ହେଲା ବେଳେ ଆଶା କରାଯାଉଥିଲା ଅନ୍ତତଃ ଓଡିଶାର ଏହି ଛଅଟି ଜଳକଷ୍ଟ ଜିଲାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ କୃଷି ବଜେଟରେ ସୂଚନା ଦିଆଯିବ- ତାହା ଦେଖିବାକୁ ମିଳିଲା ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେଉଁ ରାଜ୍ୟ କେନ୍ଦ୍ର ପ୍ରସ୍ତୁତ କରିଥିବା ତିନିଗୋଟି ଆଦର୍ଶ କୃଷି ବିକାଶ ସମ୍ବନ୍ଧୀୟ ବିଲ୍‌ ନିଜ ନିଜ ରାଜ୍ୟରେ ପାରିତ କରିବେ ସେହି ରାଜ୍ୟଗୁଡିକୁ ଅଗ୍ରାଧିକାର ଭିତ୍ତିରେ କୃଷି ବିକାଶ ପାଇଁ ସାହାଯ୍ୟ ଯୋଗାଇ ଦିଆଯିବ। ସେହି ଆଦର୍ଶ ବିଲ୍‌ଗୁଡିକ ହେଲା ଭାଗଚାଷୀ ଆଇନ, ଠିକାଚାଷ ଆଇନ ଓ କୃଷିଜାତ ଦ୍ରବ୍ୟ ବିପଣନ ଆଇନ। କିନ୍ତୁ ରାଜ୍ୟ କୃଷି ବଜେଟରେ ସେହିସବୁ ଆଇନ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ଆଉ ଏକ ବଡ଼ ଘୋଷଣା କରାଯାଇଥିଲା କେନ୍ଦ୍ର ବଜେଟରେ ଯେ, ବ୍ଲକ୍‌ସ୍ତରରେ ଖାଦ୍ୟଶସ୍ୟ ଗୋଦାମ ପାଇଁ ଅଗ୍ରାଧିକାର ଦିଆଯିବ ଏବଂ ସେହି ଖାଦ୍ୟଶସ୍ୟ ଗୋଦାମକୁ ପଣ୍ୟାଗାରର ମାନ୍ୟତା ଦିଆଯିବ। ଏହା ଦ୍ୱାରା ଯେଉଁ ଚାଷୀମାନେ ଗୋଦାମରେ ଖାଦ୍ୟଶସ୍ୟ ସାଇତି ରଖିବେ ବଜାରରେ ଚାହିଦା ଅନୁସାରେ ଧୀରେ ଧୀରେ ବାହାର କରି ବଜାରକୁ ଛାଡିବେ। ଏହାଛଡା ସେହି ରସିଦକୁ ବ୍ୟାଙ୍କରେ ବନ୍ଧକ ଦେଇ ଖାଦ୍ୟଶସ୍ୟ ସାଇତା ଋଣ ମଧ୍ୟ ନେଇପାରିବେ। ଓଡିଶାରେ ଗୋଦାମ ଅଭାବରୁ ଚାଷୀମାନେ କିପରି ମଣ୍ଡିରେ ଧାନ ବିକ୍ରି କରି ପାରୁନାହାନ୍ତି, ସେ ବିଷୟରେ ପ୍ରତିଦିନ ଖବରକାଗଜରେ ଖବର ପ୍ରକାଶ ପାଉଛି। ସରକାର ମିିଲ୍‌ ମାଲିକ ଉପରେ ନିର୍ଭର କରୁଛନ୍ତି। ଆଶା କରାଯାଉଥିଲା ବ୍ଲକ୍‌ସ୍ତରରେ ଏହି ଗୋଦାମ ନିର୍ମାଣ ସମ୍ବନ୍ଧରେ ବଜେଟରେ ବ୍ୟୟବରାଦ ହେବ-ତାହା କିନ୍ତୁ ହୋଇନାହିଁ। ସେହିପରି କେନ୍ଦ୍ର ବଜେଟରେ ଗ୍ରାମମାନଙ୍କରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ଖାଦ୍ୟଶସ୍ୟ ଗୋଦାମ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ରାଜ୍ୟ କୃଷି ବଜେଟରେ ସୂଚନା ନାହିଁ। କେନ୍ଦ୍ର ବଜେଟରେ ଶୂନ୍ୟ କୃଷି ବଜେଟିଂ କଥା କୁହାଯାଇଛି। ଏହା ହେଉଛି ଜୈବିକ ପଦ୍ଧତିରେ ଚାଷ। ଯଦିଓ ରାଜ୍ୟ ବଜେଟରେ ଜୈବିକ କୃଷିକୁ ପ୍ରୋତ୍ସାହନ ପାଇଁ ୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି କିନ୍ତୁ ବିକ୍ଷିପ୍ତ ଭାବରେ ଏହି ଜୈବିକ ଚାଷ ପାଇଁ ପ୍ରୋତ୍ସାହନ ଦେଲେ ଲକ୍ଷ୍ୟ ଠିକ୍‌ ଭାବରେ ହାସଲ ହେଉନାହିଁ। ଗୁରୁତ୍ୱର ସହିତ ଜୈବିକ ଚାଷକୁ କେହି ଆଦରିବେ ନାହିଁ। ତେଣୁ ଅନେକେ ପ୍ରସ୍ତାବ ଦିଅନ୍ତି ଯେ ରାଜ୍ୟ ସରକାର କନ୍ଧମାଳ ଜିଲାକୁ ଜୈବିକ ଚାଷ ପାଇଁ ନିର୍ବାଚନ କରି ସିକିମ୍‌ରେ ଯେପରି ଜୈବିକ ଚାଷ ସଫଳ ହୋଇଛି, ସେହିପରି କନ୍ଧମାଳରେ ସଫଳତା ଆସିଲେ ରାଜ୍ୟର ଅନ୍ୟ ଜିଲାକୁ ପ୍ରସାରିତ କରାଯାଆନ୍ତା।
କେନ୍ଦ୍ର ବଜେଟରେ ଗୋଟିଏ ଗୋଟିଏ ଅଞ୍ଚଳକୁ ନେଇ ସଘନ ଫଳଚାଷ କରିବାକୁ ପ୍ରସ୍ତାବ ଆସିଛି। ଏହା ହେଲେ ଫଳଚାଷ ଗୋଟିଏ ଅଞ୍ଚଳରେ ସଘନ ଭାବରେ ହେବ। ସେସବୁର ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିପଣନ, ରପ୍ତାନି ଆଦି ସହଜରେ ହେବ। ଆମର ମାଳ ଅଞ୍ଚଳରେ ଏହି ସୁଯୋଗ ଅଛି। କିନ୍ତୁ ବଜେଟରେ ସେସବୁର ଉଲ୍ଲେଖ ନାହିଁ। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ବିପଣନ ପାଇଁ ସେପରି କିଛି ଖାସ୍‌ କାର୍ଯ୍ୟକ୍ରମ ଘୋଷଣା କରାଯାଇନାହିଁ। ମାଛଚାଷ ଓ ପଶୁପାଳନ ପାଇଁ ଅଧିକ ଅର୍ଥର ବ୍ୟୟବରାଦ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ। ଏହି ଆନୁଷଙ୍ଗିକ ବୃତ୍ତି ଚାଷୀର ଆୟ ବଢାଇବାରେ ସହାୟକ ହେବ।
କୃଷକର ଆୟ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ପାଇଁ ୨୦୨୦-୨୧ କୃଷି ବଜେଟରେ ଯେପରି ଭାବରେ କୃଷି ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ସହିତ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି, ଉତ୍ପାଦିକାଶକ୍ତି ବୃଦ୍ଧି ଏବଂ କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ଉଦ୍ୟମ ହେବା କଥା ତାହା ହୋଇନାହିଁ। ଏହା ଅଳ୍ପ ବହୁତେ ଏକ ଗତାନୁଗତିକ ପରିସଂଖ୍ୟାନଭିତ୍ତିକ ବଜେଟ ହୋଇଛି। ଏହି ବଜେଟରେ ଥିବା ପ୍ରସ୍ତାବ ଚାଷୀର ଆୟକୁ ଦୁଇଗୁଣ କରିପାରିବ ବୋଲି ସନ୍ଦେହ ଜାତ ହେଉଛି।
ଏ୫୦୨, ମୋତି ବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri