କୃଷକଙ୍କ ଦାବି କେତେ ଯଥାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ରାଜଧାନୀ ଦିଲ୍ଲୀ ଏବେ ଦେଶର କୃଷକ ଆନ୍ଦୋଳନର ଘାଟିରେ ପରିଣତ ହୋଇଯାଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଗତ ତିନି ସପ୍ତାହରୁ ଅଧିକ ସମୟ ଧରି ପଞ୍ଜାବ, ହରିୟାଣା, ୟୁପି ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଲକ୍ଷ ଲକ୍ଷ କୃଷକ ଅବରୋଧ କରି ରାଜଧାନୀକୁ ଏକରକମ ଘେରି ରଖିଛନ୍ତି। ସେମାନେ ରାଜନୈତିକ ଦଳମାନଙ୍କ ପରି ତଥାକଥିତ ପ୍ରତିବାଦ ବା ଧାରଣାର ଦିନିକିଆ ଔପଚାରିକତା ପୂରଣ କରିବାକୁ ଆସିନାହାନ୍ତି। ବରଂ ନିଜ ନିଜର ଟ୍ରାକ୍ଟରର ଟ୍ରଲିକୁ ଏକ ତମ୍ବୁରେ ପରିଣତ କରିଦେଇ ସେଥିରେ ଆଗାମୀ ଛଅ ମାସର ରାଶନ ସହିତ ଏକ ଲମ୍ବା ଲଢ଼େଇର ପ୍ରସ୍ତୁତି ନେଇ ଦିଲ୍ଲୀ ଆସିଛନ୍ତି। ଏତେସଂଖ୍ୟକ କୃଷକ ସଂଗଠନ ଆନ୍ଦୋଳନ ପାଇଁ ଯେଉଁଭଳି ଏକତା ଓ ପ୍ରତିବଦ୍ଧତାର ପ୍ରଦର୍ଶନ କରିଛନ୍ତି ତାହା ସ୍ବାଧୀନ ଭାରତର ଇତିହାସରେ ଅଭୂତପୂର୍ବ ମନେହୁଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ଏହି ଲଢ଼େଇରେ ଏକା ନୁହନ୍ତି। ଏହି ଆନ୍ଦୋଳନ ପ୍ରତି ସମାଜର ବିଭିନ୍ନ ମହଲରୁ ଯେଉଁଭଳି ସମର୍ଥନ ଏବଂ ସହାନୁଭୂତି ମିଳୁଛି ତାହା ସରକାରଙ୍କୁ ଚକିତ କରିଦେଇଛି। କେବଳ ପଞ୍ଜାବ କିମ୍ବା ଭାରତରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବି ଏହି ଆନ୍ଦୋଳନ ପ୍ରତି ବ୍ୟାପକ ସମର୍ଥନ ମିଳିଛି। ବିଶ୍ୱର ଶତାଧିକ ଦେଶରେ ଭାରତୀୟମାନେ କୃଷକଙ୍କ ସମର୍ଥନରେ ରାସ୍ତାକୁ ଆସିବା ଦେଖାଯାଇଛି। ଆନ୍ଦୋଳନରତ ଚାଷୀଙ୍କ ପାଇଁ ଗୁରୁଦ୍ୱାରମାନେ ଲଙ୍ଗର ଜରିଆରେ ଖାଇବା ପିଇବାର ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ଆବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଛି। ପ୍ରତି ପରିବାରରୁ ଜଣେ ଦୁଇ ଜଣ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିଥିବା ବେଳେ ଅନ୍ୟମାନେ ଘରେ ରହି ଚାଷବାସ ଓ ଅନ୍ୟାନ୍ୟ କାର୍ଯ୍ୟକୁ ସମ୍ଭାଳିବା ଦେଖିବାକୁ ମିଳୁଛି।
କେବଳ ସେତିକି ନୁହେଁ, ଆନ୍ଦୋଳନର ସମର୍ଥନରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ନିଜର ମେଡ଼ାଲକୁ ସରକାରଙ୍କୁ ଫେରାଇଦେଇଥିବା ବେଳେ ଅନେକ କବି, ଲେଖକ, କଳାକାର ଏବଂ ବୈଜ୍ଞାନିକ ବି କୃଷି ଆଇନ ବିରୋଧରେ ଖୋଲାଖୋଲି ସ୍ବର ଉଠାଇଛନ୍ତି। ଏପରିକି ସେଠାକାର ପୂର୍ବତନ ସେନା ଅଧିକାରମାନେ କୃଷି ଆଇନ ପ୍ରତିବାଦରେ ନିଜର ମେଡ଼ାଲ ଫେରାଇବାକୁ ଘୋଷଣା କରିଛନ୍ତି। ତେବେ ପରିତାପର ବିଷୟ, ଦୀର୍ଘ ଏତେ ଦିନ ଧରି ଲକ୍ଷ ଲକ୍ଷ କୃଷକ ପ୍ରବଳ ଶୀତ କାକରରେ ଖୋଲା ଆକାଶ ତଳେ ପଡ଼ିରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଜିଦ୍‌ରୁ ଓହରିବା ଦେଖାଯାଉନି। ପ୍ରଥମରୁ ହିଁ କୃଷକମାନଙ୍କ ସହ ଆଲୋଚନା ବିନା ଏଭଳି କୃଷକ ବିରୋଧୀ ଆଇନକୁ ଆଣିଥିବା ସରକାର ସେମାନଙ୍କୁ ଦିଲ୍ଲୀ ଆସିବାକୁ ନ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ତେବେ ସମସ୍ତ ପ୍ରତିବନ୍ଧକକୁ ପାର କରି ଯେତେବେଳେ କୃଷକମାନେ ଦିଲ୍ଲୀ ସୀମାରେ ପହଞ୍ଚିଲେ, ସେତେବେଳେ ସରକାର ବାଧ୍ୟହୋଇ ସେମାନଙ୍କ ସହ ଆଲୋଚନାର ପ୍ରହସନ କରିବା ଦେଖିବାକୁ ମିଳିଲା।
ଆନ୍ଦୋଳନରତ କୃଷକଙ୍କ ଏକତାକୁ ଭାଙ୍ଗିବାକୁ ତଥା ଦେଶବାସୀଙ୍କ ଆଗରେ ସେମାନଙ୍କ ଆନ୍ଦୋଳନକୁ ବଦନାମ୍‌ କରିବା ପାଇଁ ସରକାର ଓ ଭାଜପା ଦଳର ନେତା ମନ୍ତ୍ରୀମାନେ ଅତ୍ୟନ୍ତ ସୁନିୟୋଜିତ ଭାବେ ପ୍ରଚାର କରିବା ଦେଖାଯାଇଛି। ଗୋଟିଏ ପଟେ ଭାଜପା ସରକାର ଆନ୍ଦୋଳନର ନେତାମାନଙ୍କ ସହ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସେମାନଙ୍କ ପ୍ରଚାରଯନ୍ତ୍ର କୃଷକମାନଙ୍କୁ ଖଲିସ୍ଥାନୀ, ଆତଙ୍କବାଦୀ, ପାକିସ୍ତାନ, ଚାଇନା ସମର୍ଥିତ, ଟୁକୁଡ଼ା ଟୁକୁଡ଼ା ଗ୍ୟାଙ୍ଗ୍‌, କୃଷକ ନୁହେଁ ଦଲାଲମାନଙ୍କ ଆନ୍ଦୋଳନ ଆଦି ବିଭିନ୍ନ ପ୍ରକାର ଲେବୁଲ ଲଗାଇବାର ଘୃଣ୍ୟ ଉଦ୍ୟମ କରିବା ଦେଖିବାକୁ ମିଳିଛି। କିଛି ତଥାକଥିତ କୃଷକ ନେତାଙ୍କୁ ଦିଲ୍ଲୀ ଡକାଇ କୃଷି ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି। ଯଦି ଆନ୍ଦୋଳନ କରୁଥିବା କୃଷକମାନେ ଆତଙ୍କବାଦୀ, ଖଲିସ୍ଥାନୀ, ତା’ହେଲେ ସରକାର ସେମାନଙ୍କ ସହ ଆଲୋଚନା କରୁଛନ୍ତି କାହିଁକି ?
ଏଠାରେ ପ୍ରଶ୍ନ ଉଠେ, ଯଦି ସରକାର ତିନୋଟି କୃଷି ଆଇନକୁ କୃଷକମାନଙ୍କ ସ୍ବାର୍ଥରେ ଆଣିଛନ୍ତି ବୋଲି କହୁଛନ୍ତି, ତାହେଲେ ତାକୁ ଆଣିବା ପାଇଁ ଦେଶର କୌଣସି କୃଷକ ସଙ୍ଗଠନ କେବେ ଦାବି ବା ଆନ୍ଦୋଳନ କରିଥିଲେ କି ? ଦିଲ୍ଲୀ ଆନ୍ଦୋଳନରେ ସାମିଲ ଦେଶର ତିନି ଶହରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନଙ୍କ କଥା ଛାଡ଼ନ୍ତୁ, ଖୋଦ୍‌ ସଂଘ ପରିବାରର ଅନ୍ତର୍ଭୁକ୍ତ ଭାରତୀୟ କିଷାନ୍‌ ସଂଘ ବି ସରକାରଙ୍କ ନୂଆ ଆଇନ ନେଇ ନିଜର ଅସହମତି ପ୍ରକାଶ କରିଛି। ଯଦି ପ୍ରକୃତରେ କୃଷକଙ୍କ ଲାଭ ପାଇଁ ଏହି ଆଇନ ଆଣିବାର ଥିଲା, ତା’ହେଲେ ସରକାର ଦେଶସାରା ଲକ୍‌ଡାଉନ୍‌ ସମୟରେ ଲୋକେ ଗୃହବନ୍ଦୀ ଥିବା ବେଳେ ଏତେ ତରବରିଆ ଭାବେ ଅଧ୍ୟାଦେଶ ଜରିଆରେ ତାକୁ ଆଣିଲେ କାହିଁକି? ଦେଶର ସତୁରି ଭାଗ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବାକୁ ଯାଉଥିବା ଏହି ଆଇନକୁ ଆଣିବା ପୂର୍ବରୁ ସେମାନଙ୍କ ମତାମତ ନେବାକୁ ସରକାର ଚାହିଁଲେ ନାହିଁ କାହିଁକି ? କେବଳ ସେତିକି ନୁହେଁ କୃଷି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବାକୁ ଉଚିତ ମନେ କଲେନି। ଏପରିକି ସଂସଦରେ କୌଣସି ଆଲୋଚନା ବିନା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ବାଚନିକ ଭୋଟରେ କୃଷି ବିଲ୍‌କୁ ପାସ୍‌ କରିଦେବାର ଉଦ୍ଦେଶ୍ୟଟି କ’ଣ ଥିଲା?
ଅସଲ କଥା ହେଲା, ଦେଶର କୃଷିକ୍ଷେତ୍ରକୁ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କ ଅବାଧ ପ୍ରବେଶ ପାଇଁ ଖୋଲିଦେବାକୁ ସରକାର ଉପରୋକ୍ତ ତିନୋଟି ଆଇନ ଆଣିଛନ୍ତି। କର୍ପୋରେଟ୍‌ମାନଙ୍କ ପ୍ରବେଶ ପାଇଁ ପୂର୍ବରୁ ଯାହା ଯାହା ସରକାରୀ କଟକଣା ରହିଥିଲା, ସେସବୁକୁ ନୂଆ ଆଇନ ଜରିଆରେ ସରକାର ଗୋଟିଏ ଝଟକାରେ ହଟେଇ ଦେଇଛନ୍ତି। ପ୍ରଥମ ଥର ପାଇଁ ଜମିରେ ଚାଷ କରିବାଠାରୁ ଆରମ୍ଭକରି କୃଷିଜାତ ଦ୍ରବ୍ୟର କିଣାବିକା, ଗୋଦାମରେ ଜମା କରିବା, ପ୍ରକ୍ରିୟାକରଣ ଓ ଖୁଚୁରା ବଜାରରେ ବିକ୍ରି, ଦର ନିର୍ଦ୍ଧାରଣ ପର୍ଯ୍ୟନ୍ତ କୃଷିର ସମସ୍ତ କ୍ଷେତ୍ରରେ କର୍ପୋରେଟ୍‌ମାନେ ପ୍ରବେଶ କରି ନିଜର ପୁଞ୍ଜିନିବେଶ କରିପାରିବାର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଦ୍ୱାରା ଆଇନଗତ ସୁରକ୍ଷା ପାଇ ଏଣିକି ବଡ଼ ବଡ଼ କମ୍ପାନୀମାନେ କୃଷିର ସମସ୍ତ କ୍ଷେତ୍ରରେ ପ୍ରବେଶ କରିବେ ଏବଂ ଆମର କୃଷକ ଏବଂ କୃଷିଜାତ ଦ୍ରବ୍ୟର ବ୍ୟବସାୟ କରୁଥିବା ବେପାରୀମାନେ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଭଳି ଏକ ଅସମାନ ପ୍ରତିଦ୍ୱନ୍ଦ୍ୱିତାରେ କିଏ ବିଜୟୀ ହେବ ଏବଂ କିଏ ଧ୍ୱଂସ ପାଇବ, ତାହା ଜାଣିବାରେ ବୋଧହୁଏ ଅସୁବିଧା ହେବନି।
ସରକାର କହୁଛନ୍ତି ଯେ, କୃଷିଜାତ ଦ୍ରବ୍ୟର କିଣାବିକାରେ ପୂର୍ବରୁ ରହିଥିବା ମଧ୍ୟବର୍ତ୍ତୀ ବ୍ୟବସାୟୀ ଏବଂ ଆଡ଼ତିଆଙ୍କ ଭୂମିକା ସମାପ୍ତ ହେବ। କ’ଣ ଏଥର ଖାଉଟି ବିନା ମଧ୍ୟସ୍ଥରେ ଚାଷୀଠାରୁ ସିଧାସଳଖ କୃଷିଜାତ ଦ୍ରବ୍ୟକୁ କିଣିବ ? ତା’ହେଲେ କର୍ପୋରେଟ୍‌ଙ୍କ ପ୍ରବେଶ କାହିଁକି ? ଅସଲ କଥା ହେଲା, ପୂର୍ବର ଆଡ଼ତିଆଙ୍କ ଜାଗାରେ ଦାନବକାୟ଼ କମ୍ପାନୀ ଏବଂ ସେମାନଙ୍କ ନିଯୁକ୍ତ ଏଜେଣ୍ଟମାନେ ଏବେ ନୂଆ ଦଲାଲ ହୋଇ ଉଭୟ କୃଷକ ଏବଂ ଖାଉଟିଙ୍କୁ ଶୋଷିବେ। ନିଜର ବିପୁଳ ପୁଞ୍ଜି ଏବଂ ପ୍ରଭାବ ବଳରେ ସେମାନେ କୃଷିର ଉପରୋକ୍ତ ସମସ୍ତ କ୍ଷେତ୍ରରୁ କୃଷକ ଏବଂ ଛୋଟ ବେପାରୀଙ୍କୁ ହଟାଇ ଖୁବ୍‌ଶୀଘ୍ର ନିଜର ଏକାଧିପତ୍ୟ ବିସ୍ତାର କରିବେ। ବରଂ ଏଭଳି ପରିସ୍ଥିତିରେ ସେମାନଙ୍କ ସହ ମୂଲଚାଲ କରିବାର କ୍ଷମତା ନା କୃଷକର ରହିବ ନା ଖାଉଟିର! ଦେଶର କୃଷି ଶ୍ରମଶକ୍ତିର ୮୬% ଭାବେ ପରିଚିତ କ୍ଷୁଦ୍ର ଓ ନାମମାତ୍ର କୃଷକ ସବୁଦିନ ପାଇଁ କୃଷିରୁ ହଟିବେ ଏବଂ ଖାଉଟି ଚଢ଼ାଦରରେ ବଜାରରୁ କୃଷିଜାତ ଦ୍ରବ୍ୟ କିଣିବାକୁ ବାଧ୍ୟ ହେବେ।
ତିନୋଟି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ବିରୋଧରେ ଭାରତୀୟ କୃଷକଙ୍କ ଐତିହାସିକ ଆନ୍ଦୋଳନ ଆଜି ମୋଦି ସରକାରଙ୍କ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ କାଠଗଡ଼ାରେ ଠିଆ କରିଛି। ପୂର୍ବରୁ ଶ୍ରମ ଆଇନର ଉଚ୍ଛେଦଠାରୁ ଆରମ୍ଭକରି ଲଗାତର ଭାବେ କର୍ପୋରେଟ୍‌ ସପକ୍ଷବାଦୀ ନୀତି ଗ୍ରହଣ କରିଆସିଥିବା ସରକାରଙ୍କ ଆର୍ଥିକ ସଂସ୍କାରର ରଥକୁ ଦେଶର କୃଷକ ଶ୍ରେଣୀ ସିଙ୍ଘୁ ସୀମାରେ ଅଟକାଇ ରଖିଛନ୍ତି। ଦେଶର ସତୁରି ଭାଗ ଲୋକଙ୍କୁ ରୋଜଗାର ଦେଉଥିବା କୃଷି ଆଜି କୃଷକଙ୍କ ହାତରେ ରହିବ ନା ୱାଲମାର୍ଟ, ରିଲାଏନ୍ସ୍‌, ଆଦାନୀ ପରି ହାତଗଣତି ଦେଶୀ ବିଦେଶୀ ବୃହତ୍‌ କର୍ପୋରେଟ୍‌ଙ୍କ ଚାରଣଭୂମିରେ ପରିଣତ ହେବ, ତାହା ଆଗାମୀ ଦିନରେ ସ୍ଥିର ହେବାକୁ ଯାଉଛି। ସରକାର ନିଜର ସଂଖ୍ୟାଗରିଷ୍ଠତାର ଆତ୍ମବଡ଼ିମାକୁ ଛାଡ଼ି ଦେଶର କୃଷକ ଶ୍ରେଣୀର ସ୍ବରକୁ ଅବିଳମ୍ବେ ଶୁଣିବା ଦରକାର।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri