କୃଷକଙ୍କ ଦାବି କେତେ ଯଥାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ରାଜଧାନୀ ଦିଲ୍ଲୀ ଏବେ ଦେଶର କୃଷକ ଆନ୍ଦୋଳନର ଘାଟିରେ ପରିଣତ ହୋଇଯାଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଗତ ତିନି ସପ୍ତାହରୁ ଅଧିକ ସମୟ ଧରି ପଞ୍ଜାବ, ହରିୟାଣା, ୟୁପି ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଲକ୍ଷ ଲକ୍ଷ କୃଷକ ଅବରୋଧ କରି ରାଜଧାନୀକୁ ଏକରକମ ଘେରି ରଖିଛନ୍ତି। ସେମାନେ ରାଜନୈତିକ ଦଳମାନଙ୍କ ପରି ତଥାକଥିତ ପ୍ରତିବାଦ ବା ଧାରଣାର ଦିନିକିଆ ଔପଚାରିକତା ପୂରଣ କରିବାକୁ ଆସିନାହାନ୍ତି। ବରଂ ନିଜ ନିଜର ଟ୍ରାକ୍ଟରର ଟ୍ରଲିକୁ ଏକ ତମ୍ବୁରେ ପରିଣତ କରିଦେଇ ସେଥିରେ ଆଗାମୀ ଛଅ ମାସର ରାଶନ ସହିତ ଏକ ଲମ୍ବା ଲଢ଼େଇର ପ୍ରସ୍ତୁତି ନେଇ ଦିଲ୍ଲୀ ଆସିଛନ୍ତି। ଏତେସଂଖ୍ୟକ କୃଷକ ସଂଗଠନ ଆନ୍ଦୋଳନ ପାଇଁ ଯେଉଁଭଳି ଏକତା ଓ ପ୍ରତିବଦ୍ଧତାର ପ୍ରଦର୍ଶନ କରିଛନ୍ତି ତାହା ସ୍ବାଧୀନ ଭାରତର ଇତିହାସରେ ଅଭୂତପୂର୍ବ ମନେହୁଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ଏହି ଲଢ଼େଇରେ ଏକା ନୁହନ୍ତି। ଏହି ଆନ୍ଦୋଳନ ପ୍ରତି ସମାଜର ବିଭିନ୍ନ ମହଲରୁ ଯେଉଁଭଳି ସମର୍ଥନ ଏବଂ ସହାନୁଭୂତି ମିଳୁଛି ତାହା ସରକାରଙ୍କୁ ଚକିତ କରିଦେଇଛି। କେବଳ ପଞ୍ଜାବ କିମ୍ବା ଭାରତରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବି ଏହି ଆନ୍ଦୋଳନ ପ୍ରତି ବ୍ୟାପକ ସମର୍ଥନ ମିଳିଛି। ବିଶ୍ୱର ଶତାଧିକ ଦେଶରେ ଭାରତୀୟମାନେ କୃଷକଙ୍କ ସମର୍ଥନରେ ରାସ୍ତାକୁ ଆସିବା ଦେଖାଯାଇଛି। ଆନ୍ଦୋଳନରତ ଚାଷୀଙ୍କ ପାଇଁ ଗୁରୁଦ୍ୱାରମାନେ ଲଙ୍ଗର ଜରିଆରେ ଖାଇବା ପିଇବାର ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ଆବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଛି। ପ୍ରତି ପରିବାରରୁ ଜଣେ ଦୁଇ ଜଣ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିଥିବା ବେଳେ ଅନ୍ୟମାନେ ଘରେ ରହି ଚାଷବାସ ଓ ଅନ୍ୟାନ୍ୟ କାର୍ଯ୍ୟକୁ ସମ୍ଭାଳିବା ଦେଖିବାକୁ ମିଳୁଛି।
କେବଳ ସେତିକି ନୁହେଁ, ଆନ୍ଦୋଳନର ସମର୍ଥନରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ନିଜର ମେଡ଼ାଲକୁ ସରକାରଙ୍କୁ ଫେରାଇଦେଇଥିବା ବେଳେ ଅନେକ କବି, ଲେଖକ, କଳାକାର ଏବଂ ବୈଜ୍ଞାନିକ ବି କୃଷି ଆଇନ ବିରୋଧରେ ଖୋଲାଖୋଲି ସ୍ବର ଉଠାଇଛନ୍ତି। ଏପରିକି ସେଠାକାର ପୂର୍ବତନ ସେନା ଅଧିକାରମାନେ କୃଷି ଆଇନ ପ୍ରତିବାଦରେ ନିଜର ମେଡ଼ାଲ ଫେରାଇବାକୁ ଘୋଷଣା କରିଛନ୍ତି। ତେବେ ପରିତାପର ବିଷୟ, ଦୀର୍ଘ ଏତେ ଦିନ ଧରି ଲକ୍ଷ ଲକ୍ଷ କୃଷକ ପ୍ରବଳ ଶୀତ କାକରରେ ଖୋଲା ଆକାଶ ତଳେ ପଡ଼ିରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଜିଦ୍‌ରୁ ଓହରିବା ଦେଖାଯାଉନି। ପ୍ରଥମରୁ ହିଁ କୃଷକମାନଙ୍କ ସହ ଆଲୋଚନା ବିନା ଏଭଳି କୃଷକ ବିରୋଧୀ ଆଇନକୁ ଆଣିଥିବା ସରକାର ସେମାନଙ୍କୁ ଦିଲ୍ଲୀ ଆସିବାକୁ ନ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ତେବେ ସମସ୍ତ ପ୍ରତିବନ୍ଧକକୁ ପାର କରି ଯେତେବେଳେ କୃଷକମାନେ ଦିଲ୍ଲୀ ସୀମାରେ ପହଞ୍ଚିଲେ, ସେତେବେଳେ ସରକାର ବାଧ୍ୟହୋଇ ସେମାନଙ୍କ ସହ ଆଲୋଚନାର ପ୍ରହସନ କରିବା ଦେଖିବାକୁ ମିଳିଲା।
ଆନ୍ଦୋଳନରତ କୃଷକଙ୍କ ଏକତାକୁ ଭାଙ୍ଗିବାକୁ ତଥା ଦେଶବାସୀଙ୍କ ଆଗରେ ସେମାନଙ୍କ ଆନ୍ଦୋଳନକୁ ବଦନାମ୍‌ କରିବା ପାଇଁ ସରକାର ଓ ଭାଜପା ଦଳର ନେତା ମନ୍ତ୍ରୀମାନେ ଅତ୍ୟନ୍ତ ସୁନିୟୋଜିତ ଭାବେ ପ୍ରଚାର କରିବା ଦେଖାଯାଇଛି। ଗୋଟିଏ ପଟେ ଭାଜପା ସରକାର ଆନ୍ଦୋଳନର ନେତାମାନଙ୍କ ସହ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସେମାନଙ୍କ ପ୍ରଚାରଯନ୍ତ୍ର କୃଷକମାନଙ୍କୁ ଖଲିସ୍ଥାନୀ, ଆତଙ୍କବାଦୀ, ପାକିସ୍ତାନ, ଚାଇନା ସମର୍ଥିତ, ଟୁକୁଡ଼ା ଟୁକୁଡ଼ା ଗ୍ୟାଙ୍ଗ୍‌, କୃଷକ ନୁହେଁ ଦଲାଲମାନଙ୍କ ଆନ୍ଦୋଳନ ଆଦି ବିଭିନ୍ନ ପ୍ରକାର ଲେବୁଲ ଲଗାଇବାର ଘୃଣ୍ୟ ଉଦ୍ୟମ କରିବା ଦେଖିବାକୁ ମିଳିଛି। କିଛି ତଥାକଥିତ କୃଷକ ନେତାଙ୍କୁ ଦିଲ୍ଲୀ ଡକାଇ କୃଷି ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି। ଯଦି ଆନ୍ଦୋଳନ କରୁଥିବା କୃଷକମାନେ ଆତଙ୍କବାଦୀ, ଖଲିସ୍ଥାନୀ, ତା’ହେଲେ ସରକାର ସେମାନଙ୍କ ସହ ଆଲୋଚନା କରୁଛନ୍ତି କାହିଁକି ?
ଏଠାରେ ପ୍ରଶ୍ନ ଉଠେ, ଯଦି ସରକାର ତିନୋଟି କୃଷି ଆଇନକୁ କୃଷକମାନଙ୍କ ସ୍ବାର୍ଥରେ ଆଣିଛନ୍ତି ବୋଲି କହୁଛନ୍ତି, ତାହେଲେ ତାକୁ ଆଣିବା ପାଇଁ ଦେଶର କୌଣସି କୃଷକ ସଙ୍ଗଠନ କେବେ ଦାବି ବା ଆନ୍ଦୋଳନ କରିଥିଲେ କି ? ଦିଲ୍ଲୀ ଆନ୍ଦୋଳନରେ ସାମିଲ ଦେଶର ତିନି ଶହରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନଙ୍କ କଥା ଛାଡ଼ନ୍ତୁ, ଖୋଦ୍‌ ସଂଘ ପରିବାରର ଅନ୍ତର୍ଭୁକ୍ତ ଭାରତୀୟ କିଷାନ୍‌ ସଂଘ ବି ସରକାରଙ୍କ ନୂଆ ଆଇନ ନେଇ ନିଜର ଅସହମତି ପ୍ରକାଶ କରିଛି। ଯଦି ପ୍ରକୃତରେ କୃଷକଙ୍କ ଲାଭ ପାଇଁ ଏହି ଆଇନ ଆଣିବାର ଥିଲା, ତା’ହେଲେ ସରକାର ଦେଶସାରା ଲକ୍‌ଡାଉନ୍‌ ସମୟରେ ଲୋକେ ଗୃହବନ୍ଦୀ ଥିବା ବେଳେ ଏତେ ତରବରିଆ ଭାବେ ଅଧ୍ୟାଦେଶ ଜରିଆରେ ତାକୁ ଆଣିଲେ କାହିଁକି? ଦେଶର ସତୁରି ଭାଗ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବାକୁ ଯାଉଥିବା ଏହି ଆଇନକୁ ଆଣିବା ପୂର୍ବରୁ ସେମାନଙ୍କ ମତାମତ ନେବାକୁ ସରକାର ଚାହିଁଲେ ନାହିଁ କାହିଁକି ? କେବଳ ସେତିକି ନୁହେଁ କୃଷି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବାକୁ ଉଚିତ ମନେ କଲେନି। ଏପରିକି ସଂସଦରେ କୌଣସି ଆଲୋଚନା ବିନା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ବାଚନିକ ଭୋଟରେ କୃଷି ବିଲ୍‌କୁ ପାସ୍‌ କରିଦେବାର ଉଦ୍ଦେଶ୍ୟଟି କ’ଣ ଥିଲା?
ଅସଲ କଥା ହେଲା, ଦେଶର କୃଷିକ୍ଷେତ୍ରକୁ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କ ଅବାଧ ପ୍ରବେଶ ପାଇଁ ଖୋଲିଦେବାକୁ ସରକାର ଉପରୋକ୍ତ ତିନୋଟି ଆଇନ ଆଣିଛନ୍ତି। କର୍ପୋରେଟ୍‌ମାନଙ୍କ ପ୍ରବେଶ ପାଇଁ ପୂର୍ବରୁ ଯାହା ଯାହା ସରକାରୀ କଟକଣା ରହିଥିଲା, ସେସବୁକୁ ନୂଆ ଆଇନ ଜରିଆରେ ସରକାର ଗୋଟିଏ ଝଟକାରେ ହଟେଇ ଦେଇଛନ୍ତି। ପ୍ରଥମ ଥର ପାଇଁ ଜମିରେ ଚାଷ କରିବାଠାରୁ ଆରମ୍ଭକରି କୃଷିଜାତ ଦ୍ରବ୍ୟର କିଣାବିକା, ଗୋଦାମରେ ଜମା କରିବା, ପ୍ରକ୍ରିୟାକରଣ ଓ ଖୁଚୁରା ବଜାରରେ ବିକ୍ରି, ଦର ନିର୍ଦ୍ଧାରଣ ପର୍ଯ୍ୟନ୍ତ କୃଷିର ସମସ୍ତ କ୍ଷେତ୍ରରେ କର୍ପୋରେଟ୍‌ମାନେ ପ୍ରବେଶ କରି ନିଜର ପୁଞ୍ଜିନିବେଶ କରିପାରିବାର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଦ୍ୱାରା ଆଇନଗତ ସୁରକ୍ଷା ପାଇ ଏଣିକି ବଡ଼ ବଡ଼ କମ୍ପାନୀମାନେ କୃଷିର ସମସ୍ତ କ୍ଷେତ୍ରରେ ପ୍ରବେଶ କରିବେ ଏବଂ ଆମର କୃଷକ ଏବଂ କୃଷିଜାତ ଦ୍ରବ୍ୟର ବ୍ୟବସାୟ କରୁଥିବା ବେପାରୀମାନେ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଭଳି ଏକ ଅସମାନ ପ୍ରତିଦ୍ୱନ୍ଦ୍ୱିତାରେ କିଏ ବିଜୟୀ ହେବ ଏବଂ କିଏ ଧ୍ୱଂସ ପାଇବ, ତାହା ଜାଣିବାରେ ବୋଧହୁଏ ଅସୁବିଧା ହେବନି।
ସରକାର କହୁଛନ୍ତି ଯେ, କୃଷିଜାତ ଦ୍ରବ୍ୟର କିଣାବିକାରେ ପୂର୍ବରୁ ରହିଥିବା ମଧ୍ୟବର୍ତ୍ତୀ ବ୍ୟବସାୟୀ ଏବଂ ଆଡ଼ତିଆଙ୍କ ଭୂମିକା ସମାପ୍ତ ହେବ। କ’ଣ ଏଥର ଖାଉଟି ବିନା ମଧ୍ୟସ୍ଥରେ ଚାଷୀଠାରୁ ସିଧାସଳଖ କୃଷିଜାତ ଦ୍ରବ୍ୟକୁ କିଣିବ ? ତା’ହେଲେ କର୍ପୋରେଟ୍‌ଙ୍କ ପ୍ରବେଶ କାହିଁକି ? ଅସଲ କଥା ହେଲା, ପୂର୍ବର ଆଡ଼ତିଆଙ୍କ ଜାଗାରେ ଦାନବକାୟ଼ କମ୍ପାନୀ ଏବଂ ସେମାନଙ୍କ ନିଯୁକ୍ତ ଏଜେଣ୍ଟମାନେ ଏବେ ନୂଆ ଦଲାଲ ହୋଇ ଉଭୟ କୃଷକ ଏବଂ ଖାଉଟିଙ୍କୁ ଶୋଷିବେ। ନିଜର ବିପୁଳ ପୁଞ୍ଜି ଏବଂ ପ୍ରଭାବ ବଳରେ ସେମାନେ କୃଷିର ଉପରୋକ୍ତ ସମସ୍ତ କ୍ଷେତ୍ରରୁ କୃଷକ ଏବଂ ଛୋଟ ବେପାରୀଙ୍କୁ ହଟାଇ ଖୁବ୍‌ଶୀଘ୍ର ନିଜର ଏକାଧିପତ୍ୟ ବିସ୍ତାର କରିବେ। ବରଂ ଏଭଳି ପରିସ୍ଥିତିରେ ସେମାନଙ୍କ ସହ ମୂଲଚାଲ କରିବାର କ୍ଷମତା ନା କୃଷକର ରହିବ ନା ଖାଉଟିର! ଦେଶର କୃଷି ଶ୍ରମଶକ୍ତିର ୮୬% ଭାବେ ପରିଚିତ କ୍ଷୁଦ୍ର ଓ ନାମମାତ୍ର କୃଷକ ସବୁଦିନ ପାଇଁ କୃଷିରୁ ହଟିବେ ଏବଂ ଖାଉଟି ଚଢ଼ାଦରରେ ବଜାରରୁ କୃଷିଜାତ ଦ୍ରବ୍ୟ କିଣିବାକୁ ବାଧ୍ୟ ହେବେ।
ତିନୋଟି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ବିରୋଧରେ ଭାରତୀୟ କୃଷକଙ୍କ ଐତିହାସିକ ଆନ୍ଦୋଳନ ଆଜି ମୋଦି ସରକାରଙ୍କ କର୍ପୋରେଟ୍‌ ସପକ୍ଷବାଦୀ ନୀତିକୁ କାଠଗଡ଼ାରେ ଠିଆ କରିଛି। ପୂର୍ବରୁ ଶ୍ରମ ଆଇନର ଉଚ୍ଛେଦଠାରୁ ଆରମ୍ଭକରି ଲଗାତର ଭାବେ କର୍ପୋରେଟ୍‌ ସପକ୍ଷବାଦୀ ନୀତି ଗ୍ରହଣ କରିଆସିଥିବା ସରକାରଙ୍କ ଆର୍ଥିକ ସଂସ୍କାରର ରଥକୁ ଦେଶର କୃଷକ ଶ୍ରେଣୀ ସିଙ୍ଘୁ ସୀମାରେ ଅଟକାଇ ରଖିଛନ୍ତି। ଦେଶର ସତୁରି ଭାଗ ଲୋକଙ୍କୁ ରୋଜଗାର ଦେଉଥିବା କୃଷି ଆଜି କୃଷକଙ୍କ ହାତରେ ରହିବ ନା ୱାଲମାର୍ଟ, ରିଲାଏନ୍ସ୍‌, ଆଦାନୀ ପରି ହାତଗଣତି ଦେଶୀ ବିଦେଶୀ ବୃହତ୍‌ କର୍ପୋରେଟ୍‌ଙ୍କ ଚାରଣଭୂମିରେ ପରିଣତ ହେବ, ତାହା ଆଗାମୀ ଦିନରେ ସ୍ଥିର ହେବାକୁ ଯାଉଛି। ସରକାର ନିଜର ସଂଖ୍ୟାଗରିଷ୍ଠତାର ଆତ୍ମବଡ଼ିମାକୁ ଛାଡ଼ି ଦେଶର କୃଷକ ଶ୍ରେଣୀର ସ୍ବରକୁ ଅବିଳମ୍ବେ ଶୁଣିବା ଦରକାର।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?