କଶ୍ମୀରରେ ବଞ୍ଚିତ ବାଲ୍ମୀକି ସମ୍ପ୍ରଦାୟ

ନାରାୟଣ ପଣ୍ଡା
ଭାରତ ତାଙ୍କର ମାତୃଭୂମି, ଏହି ମାଟିରେ ସେମାନେ ପୁରୁଷ ପୁରୁଷ ଧରି ବସବାସ କରିଆସୁଛନ୍ତି, କିନ୍ତୁ ନାଗରିକ ମର୍ଯ୍ୟାଦାରୁ ଏଠାରେ ବଞ୍ଚିତ ସେମାନେ। ଏମିତି ଘଟୁଛି ଜମ୍ମୁରେ ରହୁଥିବା ବାଲ୍ମୀକି ସମ୍ପ୍ରଦାୟର ଦଳିତ ପରିବାରଙ୍କ କ୍ଷେତ୍ରରେ। ମହମ୍ମଦ ଗୁଲାମ ବକ୍ସିଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଜମ୍ମୁ-କଶ୍ମୀର ମ୍ୟୁନିସିପାଲିଟିର ସଫେଇ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳପାଇଁ ଧର୍ମଘଟ ଘୋଷଣାକରି କାର୍ଯ୍ୟ ବନ୍ଦକଲେ। ସାରା ଉପତ୍ୟକା ଅଳିଆ ଆବର୍ଜନାରେ ପୂର୍ଣ୍ଣହେଲା, ପୂତିଗନ୍ଧମୟ ପରିବେଶରେ ଅଣନିଃଶ୍ୱାସୀ ହୋଇଉଠିଲେ ଲୋକେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ପଞ୍ଜାବର ଗୁରୁଦାସପୁର ଓ ଅମୃତସର ଅଞ୍ଚଳରୁ ୭୦ ପରିବାର କଶ୍ମୀର ଯାଇ ଆନ୍ଦୋଳନରତ କର୍ମଚାରୀଙ୍କ କାମରେ ନିଯୁକ୍ତି ପାଇଲେ। ସେମାନଙ୍କ ଯାତାୟାତର ଭାର ବହନକଲେ ସରକାର। ଜମ୍ମୁର ଗାନ୍ଧୀନଗର ଅଞ୍ଚଳରେ ସେମାନଙ୍କୁ ଘର ଯୋଗାଇ ଦିଆଗଲା। ଏହା ଥିଲା ୧୯୫୭ ମସିହାର ଘଟଣା। ଇତି ମଧ୍ୟରେ ୭୦ବର୍ଷ ଅତିକ୍ରାନ୍ତ ହେଲାଣି। ସେମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪୫୦ରୁ ୫୦୦ ପରିବାରରେ ପହଞ୍ଚିଛି। କିନ୍ତୁ କୌତୂହଳର ବିଷୟ, ଏମାନଙ୍କୁ ରାଜ୍ୟର ନାଗରିକ ମାନ୍ୟତା ଦିଆଯାଇନାହିଁ। ସ୍ଥାନୀୟ ସ୍ବାୟତ୍ତଶାସନ କିମ୍ବା ବିଧାନସଭା ନିର୍ବାଚନରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାର ଅଧିକାର ନାହିଁ। କେବଳ ଲୋକ ସଭା ନିର୍ବାଚନରେ ସେମାନେ ନିୟମିତ ଅଂଶଗ୍ରହଣ କରିଆସୁଛନ୍ତି। ତାଙ୍କର ସନ୍ତାନସନ୍ତତିମାନେ ଉଚ୍ଚଶିକ୍ଷା ଲାଭକଲେଣି, କିନ୍ତୁ ସବୁପ୍ରକାର ସରକାରୀ ନିଯୁକ୍ତିରୁ ବଞ୍ଚିତ ସେମାନେ। ସେମାନଙ୍କ ପାଇଁ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନର ସୁବିଧା କିମ୍ବା ସରକାରୀ ବୃତ୍ତିର ବ୍ୟବସ୍ଥା ମଧ୍ୟ ନାହିଁ। ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପାତ୍ରରେ ସଫେଇ କର୍ମଚାରୀ ଉଲ୍ଲେଖ କରାଯିବା ଦ୍ୱାରା ପିଢି ପରେ ପିଢି କେବଳ ପାଇଖାନା ଓ ନାଳନର୍ଦ୍ଦମା ସଫା କରିବା ସେମାନଙ୍କ ଭାଗ୍ୟରେ ଯେପରି ଲେଖାଯାଇଛି।
ଗାନ୍ଧୀନଗର ସମ୍ପ୍ରତି ଏକ ଅଭିଜାତ ଅଞ୍ଚଳରୂପେ ଗଢି ଉଠୁଥିବାରୁ ସେମାନଙ୍କ ଘରବାଡି ଉପରେ ଅନ୍ୟ ପ୍ରଭାବୀ ଗୋଷ୍ଠୀଙ୍କର ଲୋଲୁପ ଦୃଷ୍ଟି ପଡିଲାଣି, ଯେ କୌଣସି ସମୟରେ ସେମାନଙ୍କୁ ବାସଚ୍ୟୁତ କରାଯିବ, ଏଭଳି ସମ୍ଭାବନା ମଧ୍ୟ ରହିଛି। ପଞ୍ଜାବରେ ଥିବା ତାଙ୍କ ସମ୍ପ୍ରଦାୟର ଲୋକମାନେ ଅନୁସୂଚିତ ଜାତିର ସମସ୍ତ ସୁବିଧା ଉପଭୋଗ କରୁଥିବା ସମୟରେ ଏମାନେ କିନ୍ତୁ ଦେଶର ନାଗରିକ ହୋଇଥିଲେ ମଧ୍ୟ କଶ୍ମୀରରେ ଦ୍ୱିତୀୟଶ୍ରେଣୀର ନାଗରିକ ରୂପେ ପରିଗଣିତ ହୁଅନ୍ତି। ଉକ୍ତ ବୈଷମ୍ୟର ପ୍ରତିବାଦକରି ରାଜ୍ୟର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତ୍ୟାଖ୍ୟାତ ହୋଇଛି। ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ସେମାନେ ନ୍ୟାୟପ୍ରାର୍ଥୀ ହୋଇଛନ୍ତି।
ଅନୁରୂପଭାବେ ପ୍ରଥମ ଭାରତ-ପାକିସ୍ତାନ ଯୁଦ୍ଧ ୧୯୪୭ରେ ବର୍ତ୍ତମାନର ପାକିସ୍ତାନ ଶାସିତ ପଶ୍ଚିମ ପାକିସ୍ତାନରୁ ଲକ୍ଷାଧିକ ହିନ୍ଦୁ ଶରଣାର୍ଥୀ ମୁସଲମାନଙ୍କ ଅତ୍ୟାଚାରରେ ଅତିଷ୍ଠହୋଇ ଶରଣାର୍ଥୀରୂପେ କଶ୍ମୀର ଚାଲିଆସିଥିଲେ। ଏମାନଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚଲକ୍ଷରେ ପହଞ୍ଚିଛି। କିନ୍ତୁ ବିଡମ୍ବନାର ବିଷୟ, ଏହି ହିନ୍ଦୁ ଶରଣାର୍ଥୀମାନଙ୍କୁ ଗତ ୭୨ବର୍ଷ ଧରି ଜମ୍ମୁ-କଶ୍ମୀର ସରକାର ରାଜ୍ୟରେ ନାଗରିକ ଅଧିକାର ଦେଇନାହାନ୍ତି। ବିଭାଜନ ସମୟରେ ପାକିସ୍ତାନରୁ ପଳାଇ ଆସିଥିବା ମୁସଲମାନମାନେ ଭାରତରେ ସ୍ଥାୟୀ ନାଗରିକ ଅଧିକାର ପାଇଥିବା ବେଳେ କଶ୍ମୀରରେ ଏହାର ଘୋର ବ୍ୟତିକ୍ରମ ଘଟିଛି। ୧୯୪୭ ଅକ୍ଟୋବର ୨୭ରେ ଭାରତ ସହିତ ଜମ୍ମୁ-କଶ୍ମୀରର ଆନୁଷ୍ଠାନିକ ମିଶ୍ରଣ ଘଟି ଅନ୍ୟ ଦେଶୀୟ ରାଜ୍ୟଗୁଡ଼ିକ ପରି ମିଶ୍ରଣର ସର୍ତ୍ତ ଅନୁଯାୟୀ କେନ୍ଦ୍ରସରକାରଙ୍କୁ ରାଜ୍ୟର ପ୍ରତିରକ୍ଷା, ବୈଦେଶିକ ଓ ଯୋଗାଯୋଗ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ପଣ କରାଯାଇଛି। ଶାସନ ବ୍ୟବସ୍ଥାର ଅନ୍ୟ କ୍ଷମତାଗୁଡିକ ରାଜ୍ୟଗୁଡିକ ଅଧୀନରେ ରହିଛି। ପରବର୍ତ୍ତୀ ସମୟରେ କଶ୍ମୀର ଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି। ୧୯୫୨ରେ କଶ୍ମୀରର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ଅବ୍‌ଦୁଲା ଓ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମଧ୍ୟରେ କଶ୍ମୀର ଶାସନ ସଂକ୍ରାନ୍ତରେ ଦିଲ୍ଲୀ ରାଜିନାମା ନାମରେ ଏକ ବୁଝାମଣା ଦଲିଲ ସ୍ବାକ୍ଷରିତ ହୋଇ ଭାରତ ସମ୍ବିଧାନରେ ଯୋଡି ଦିଆଯାଇଛି। ବାସ୍ତବରେ ଉକ୍ତ ରାଜିନାମାରେ ଉଲ୍ଲିଖିତ ବିଷୟରାଜି ସମ୍ବିଧାନର ୩୬୮ ଧାରା ଅନୁଯାୟୀ ବିଧିସମ୍ମତ ଭାବରେ ପାର୍ଲାମେଣ୍ଟରେ ଆଲୋଚନା ଓ ଅନୁମୋଦନ ପାଇଁ ଉପସ୍ଥାପନ କରା ନ ଯାଇ ପଛଦ୍ୱାର ବାଟଦେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକରିଛି। ବିଧିପ୍ରଣୟନ ବ୍ୟବସ୍ଥା ରାଷ୍ଟ୍ରପତିଙ୍କର କ୍ଷମତା ପରିସରଭୁକ୍ତ ନ ଥିବା ସତ୍ତ୍ୱେ ଏବଂ ଉକ୍ତ ରାଜିନାମାର ଏକ ପରିଶିଷ୍ଟକୁ ଆଧାରକରି ସମ୍ବିଧାନର ଧାରା ୩୫(କ) ଗୃହୀତ ହୋଇ କିଭଳି କଶ୍ମୀରକୁ ଉକ୍ତ ସ୍ବତନ୍ତ୍ର କ୍ଷମତା ଦିଆଯାଇପାରିଲା, ତାହା ଆଜି ବି ବିତର୍କର ବିଷୟ। ୩୫(କ) ଧାରା ଅନୁସାରେ କଶ୍ମୀର ବିଧାନସଭାକୁ, ରାଷ୍ଟ୍ରପତିଙ୍କ ମେ ୧୪ ତାରିଖ ୧୯୫୪ର ବିଶେଷ ଆଦେଶ ଅନୁଯାୟୀ, ରାଜ୍ୟରେ ନାଗରିକ ଆଇନ ନିର୍ଦ୍ଧାରଣ କରିବା ପାଇଁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଗଲା। ଏହାର ଶିକାର ହେଲେ ପଶ୍ଚିମ ପାକିସ୍ତାନରୁ ଆଗତ ହିନ୍ଦୁ ଶରଣାର୍ଥୀ ଓ ବାଲ୍ମୀକି ସମ୍ପ୍ରଦାୟର ଲୋକମାନେ। ସେମାନଙ୍କୁ ନାଗରିକ ଅଧିକାର ଦେବାରେ ପ୍ରତିବନ୍ଧକ ସାଜିଛି ଏହି ଆଇନ। ନିଜ ଦେଶରେ ଜନ୍ମଗ୍ରହଣ କରି ପୁରୁଷ ପୁରୁଷ ଧରି ନାଗରିକ ଅଧିକାରରୁ ବଞ୍ଚିତହେବା କେବଳ ଭାରତର କଶ୍ମୀର ରାଜ୍ୟରେ ସମ୍ଭବ ହୋଇଥାଏ। ପ୍ରଚଳିତ ଆଇନ ଅନୁସାରେ କଶ୍ମୀର ବିଧାନସଭାର ଦୁଇତୃତୀୟାଂଶ ସଭ୍ୟଙ୍କର ଅନୁମୋଦନ ବ୍ୟତୀତ କୌଣସି ଆଇନ ତିଆରି କିମ୍ବା ସଂଶୋଧିତ ହୋଇପାରିବ ନାହିଁ। ଅସୀମିତ କାଳପାଇଁ ଏମାନଙ୍କୁ ନାଗରିକତ୍ୱ ଅଧିକାରରୁ ବଞ୍ଚିତ କରିରଖିବା ଏହି କଳା ଆଇନର ମୂଳଲକ୍ଷ୍ୟ।
ଅନ୍ୟ ଏକ ଚିନ୍ତାଉଦ୍ରେକକାରୀ ପ୍ରସଙ୍ଗ ହେଉଛି ଜମ୍ମୁ-କଶ୍ମୀର ବିଧାନସଭାର ୮୭ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୬% ଭୂଭାଗ ରହିଥିବା କଶ୍ମୀର ଉପତ୍ୟକାରୁ ୪୭ ସଦସ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ବେଳେ, ୫୮% ଭୂଭାଗ ଥିବା ଲଦାଖର ଶିୟା ମୁସଲମାନ ଓ ବୌଦ୍ଧ ଅଧ୍ୟୁଷିତ ଅଞ୍ଚଳ ଓ ୨୬% ଭୂଭାଗ ଥିବା ହିନ୍ଦୁବହୁଳ ଜମ୍ମୁରୁ ଯଥାକ୍ରମେ ୪ ଓ ୪୧ ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ବିଧାନ ସଭାରେ ଉକ୍ତ ୩ ଅଞ୍ଚଳରେ ଆସନ ସଂଖ୍ୟା ଏପରି ବଣ୍ଟନ କରାଯାଇଛି, ଯେପରି ସବୁ ସମୟରେ ମୁସଲମାନବହୁଳ କଶ୍ମୀର ଉପତ୍ୟକାରୁ ଜଣେ ନିର୍ବାଚିତ ପ୍ରତିନିଧି ମୁଖ୍ୟମନ୍ତ୍ରୀ ହେବେ ଏବଂ ତାଙ୍କର ଆଙ୍ଗୁଠି ଅଗରେ ସମଗ୍ର ଜମ୍ମୁ-କଶ୍ମୀର ଶାସିତ ହେଉଥିବ। ମୁସଲମାନ ଭିନ୍ନ ରାଜ୍ୟର ଅନ୍ୟ କୌଣସି ସମ୍ପ୍ରଦାୟଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଆବଶ୍ୟକତା ଅନୁଭୂତ ହେଲେ, ରାଜ୍ୟରେ ସମ୍ବିଧାନ ସଂଶୋଧନ ସହଜରେ ହୋଇପାରିବ ନାହିଁ। ସେହିପରି ସମ୍ବିଧାନର ୩୭୦ ଧାରାରେ କଶ୍ମୀରକୁ ସ୍ବୟଂଶାସିତ ରାଜ୍ୟରୂପେ ଅନେକ ସ୍ବତନ୍ତ୍ର କ୍ଷମତା ପ୍ରଦାନକରି ଏକ ପ୍ରକାର ସ୍ବାଧୀନ ଓ ସାର୍ବଭୌମ ପ୍ରଦେଶର ମାନ୍ୟତା ଦେବାକୁ ଚେଷ୍ଟା କରାଯାଇଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଜମ୍ମୁ-କଶ୍ମୀରକୁ ଭାରତ ସରକାର ଅଧିକ ଆଠଗୁଣ ସବ୍‌ସିଡି ପ୍ରଦାନ କରିଥାନ୍ତି। ରାଜ୍ୟର ରାଜସ୍ବ ଆୟ ସରକାରୀ କର୍ମଚାରୀଙ୍କ ବେତନକୁ ନିଅଣ୍ଟ ହୋଇଥାଏ, କେନ୍ଦ୍ର ସରକାରଙ୍କ ସବ୍‌ସିଡି ଏହାକୁ ଭରଣା କରେ। ରାଜ୍ୟ ପାଇଁ ସ୍ବତନ୍ତ୍ର ଜାତୀୟ ସଙ୍ଗୀତ ଓ ସ୍ବତନ୍ତ୍ର ଜାତୀୟ ପତାକାର ବ୍ୟବସ୍ଥା ରହିଛି, ଯାହା ଅନ୍ୟ ରାଜ୍ୟରେ ପରିଦୃଷ୍ଟ ହୁଏନାହିଁ। ଅନ୍ୟ ରାଜ୍ୟର ଅଧିବାସୀ, ଏପରି କି ଦେଶର ଅନ୍ୟ ପ୍ରାନ୍ତର ମୁସଲମାନ ମଧ୍ୟ ସ୍ଥାୟୀ ସମ୍ପତ୍ତି ଅର୍ଜନ କରିବା ଓ ରାଜ୍ୟରେ ସରକାରୀ ନିଯୁକ୍ତିରେ ପ୍ରବେଶ କରିବାକୁ ରାଜ୍ୟରେ ନିଷେଧ କରାଯାଇଛି। କଶ୍ମୀର ଅଧିବାସୀ ଦେଶର ଅନ୍ୟ ପ୍ରାନ୍ତରେ ନିଯୁକ୍ତି ପାଇବାରେ ବାଧା ନ ଥିବାବେଳେ ଅନ୍ୟ ରାଜ୍ୟର ଯୋଗ୍ୟପ୍ରାର୍ଥୀ ସେଠାରେ କାହିଁକି ନିଯୁକ୍ତିରୁ ବଞ୍ଚିତ ହେବେ, ଏକ ଅସମାହିତ ପ୍ରଶ୍ନ, ଯାହା ସାତ ଦଶନ୍ଧି ଧରି ଜନମାନସକୁ ଆନ୍ଦୋଳିତ କରିଆସୁଛି। କଶ୍ମୀରରେ ଅବଦୁଲ୍ଲା ପରିବାରକୁ ସବୁଦିନ ପାଇଁ ପ୍ରଥମ ପରିବାରରୂପେ ପ୍ରକଟିତ କରି ଯୁଗଯୁଗ ଧରି ରାଜ୍ୟର ସ୍ବାଧୀନ ପତାକା ଉଡେଇ ରଖିବା ନିମନ୍ତେ ସମ୍ବିଧାନରେ ବିଶେଷ ଧାରା ସଂଯୋଗ କରିବା ହୁଏତ ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହୋଇପାରେ। ଦୀର୍ଘବର୍ଷ ଧରି କଶ୍ମୀରବାସୀଙ୍କୁ ଅଧିକ ଆର୍ଥିକ ସହାୟତା ଅବଶିଷ୍ଟ ଭାରତର ନାଗରିକଙ୍କ ମନରେ ଅସନ୍ତୋଷ ସୃଷ୍ଟିକରିବା ସ୍ବାଭାବିକ। ତେଣୁ ନିହିତସ୍ବାର୍ଥ ନିମନ୍ତେ ଗଣତନ୍ତ୍ରର ସମସ୍ତ ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରି କଶ୍ମୀର ଉପତ୍ୟକାରେ ସ୍ମିତହାସ୍ୟ କରି ଆସୁଥିବା ସମ୍ବିଧାନର ୩୭୦ ଓ ୩୫(କ)କୁ ଉଚ୍ଛେଦ କିମ୍ବା ସଂଶୋଧନ କରିବା ଅତୀବ ଜରୁରୀ। ଭାରତ ଭିତରେ ଅନ୍ୟ ଏକ ପାକିସ୍ତାନ ସୃଷ୍ଟିକରିବା ମାନସିକତାକୁ ପଥରୋଧ ଓ ପାକିସ୍ତାନୀ ମଗଜଗୁଡିକର ସମୟୋପଯୋଗୀ ଅସ୍ତ୍ରୋପଚାର କରିବା ସମୟ ବର୍ତ୍ତମାନ ଉପସ୍ଥିତ ହୋଇଛି।
ନୂଆବନ୍ଧସାହି, ନବରଙ୍ଗପୁର, ମୋ-୯୪୩୭୧୧୮୯୬୨


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri