କର୍ମ ନେଇ ଫଳ

ରମେଶ ଚନ୍ଦ୍ର ସାମଲ
ପିମ୍ପୁଡି ରୁଖା ଉପରକୁ ଉଠିଗଲେ ଭାବେ ତା’ ମୁଣ୍ଡ ସ୍ବର୍ଗରେ ଲାଗିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହା ଦେଖିବାକୁ ମିଳୁଛି। ଯିଏ ସଫଳତାର କିଛି ପାହାଚ ଆଗେଇ ଗଲା ସେ ଭାବୁଛି ସେ ସବୁ ଜାଣିବାର, ସବୁ ପାରିବାର। ଦୁନିଆରେ ତା’ଠୁଁ ବଳି କେହି ନାହାନ୍ତି। ଅନ୍ୟମାନଙ୍କୁ ସେ ନୀଚ ଦୃଷ୍ଟିରେ ଦେଖୁଛି। ଛୋଟ ପିଲାଟି ଭଲ ପଢି ଭଲ ଟିକେ କହିବୋଲି କିମ୍ବା ଖେଳିପାରିଲେ, ସେ ଅନ୍ୟ ସାଙ୍ଗଙ୍କ ପାଖରେ ଖାତିରି ଦେଖେଇ ହେଉଛି। ମଣିଷ ମନରେ ଗର୍ବଆସେ ଯେତେବେଳେ ସେ ଅନୁଭବ କରେ ଆଖି ଆଗରେ ଥିବା ଅନ୍ୟ ଲୋକଙ୍କଠାରୁ ସେ ଭଲ ସ୍ଥିତିରେ ଅଛି। ସେତେବେଳେ ସେ ଭୁଲିଯାଏ ତା’ଠାରୁ ଅନ୍ୟ କେହି ବହୁ ଧନଜନଗୋପଲକ୍ଷ୍ମୀସମ୍ପନ୍ନ ଲୋକ ଦୁନିଆରେ ଅଛନ୍ତି ବା ଥାଇପାରନ୍ତି। ସ୍ବର୍ଗର ନିର୍ଦ୍ଦିଷ୍ଟ ସୀମାରେଖା ନ ଥିବା ଭଳି ଏସବୁର ସୀମା କଳନା କରିବା ସମ୍ଭବ ନୁହେଁ।
ଧନଜନଗୋପଲକ୍ଷ୍ମୀ କ୍ଷଣିକ- ସ୍ବପ୍ନବତ୍‌। ଲକ୍ଷ୍ମୀଙ୍କୁ କୁହାଯାଏ ଚଞ୍ଚଳା। ସେ କେତେବେଳେ କେଉଁଠିକି ଆସନ୍ତି ପୁଣି ଚାଲିଯାନ୍ତି ତାହା ଭାବନା ଶକ୍ତିର ବାହାରେ। ଆଜି ଧନରତ୍ନରେ ଫାଟି ପଡୁଥିବା ରାଜା ପରି ଲୋକ କାଲି ଦାଣ୍ଡର ଭିକାରି ହୋଇପାରେ। ରାଜା ହରିଶ୍ଚନ୍ଦ୍ର ଶ୍ମଶାନରକ୍ଷକ ହୋଇଥିଲେ ଓ ନଳରାଜା ଘୋଡା ପାଇଁ ଘାସ କାଟିଥିଲେ। ବୁଦ୍ଧିବିଦ୍ୟା କ୍ଷେତ୍ରରେ ମଧ୍ୟ ସେୟା। କେହି କ’ଣ ଛାତିରେ ହାତରଖି କହିପାରେ ସେ ଦୁନିଆରେ ସବୁଠୁଁ ବଳି ବୁଦ୍ଧିମାନ୍‌, ବିଦ୍ୟାବାନ୍‌? ଦୁନିଆରେ ବହୁ ଗୁଣୀ ଜ୍ଞାନୀ ବୈଜ୍ଞାନିକ ଥିଲେ- ଆଜି ମଧ୍ୟ ଅଛନ୍ତି। ଏମାନଙ୍କ ଦ୍ୱାରା ପ୍ରମାଣିତ କେତେକ ତଥ୍ୟ ମଧ୍ୟ ପରପିଢିରେ ଭୁଲ୍‌ କିମ୍ବା ତ୍ରୁଟିପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରିଛି। ଆଗେ ବହୁ ଗୁଣୀ ଜ୍ଞାନୀ ଲୋକ କହିଥିଲେ, ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହାର ଚାରିପଟେ ଘୂରୁଛି। କିନ୍ତୁ ଏବେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ଆମେ ସମସ୍ତେ ଜାଣୁଛୁ ସୂର୍ଯ୍ୟ ଚାରିପଟେ ପୃଥିବୀ ଆଦି ନବଗ୍ରହ ଘୂରୁଛନ୍ତି।
ଏଣୁ ଧନ, ଗୁଣ ଓ ଜ୍ଞାନକୁ ନେଇ କେହି ଗର୍ବ କରିବା ଉଚିତ ନୁହେଁ। ଏସବୁ ସତ୍ତ୍ୱେ ମଣିଷ ମଣିଷ ଓ ଦେଶ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ବୁଦ୍ଧିଜ୍ଞାନ ବଳରେ ଦିନେ ଭରପୂର ଥିବା ସୋଭିଏଟ୍‌ ରୁଷ୍‌ ଏବେ ଚାଇନା ଓ ଆମେରିକାଠାରୁ ପଛରେ ପଡିଯାଇଛି। ଆମେରିକା, ଚାଇନା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ କେତେ ନୂଆ ଉଦ୍ଭାବନ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବ। ଏବେ ଭାରତ ମଧ୍ୟ ଗୋଟିଏ ନୂଆଶକ୍ତି ହୋଇ ଠିଆ ହେବାକୁ ଯାଉଛି। କବି, ଗାଳ୍ପିକ, ଔପନ୍ୟାସିକ ଓ ସଙ୍ଗୀତଜ୍ଞଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। କାହାକୁ ନୂ୍ୟନ କିମ୍ବା କାହାକୁ ଅଧିକ ବିଚାର କରିବା ଠିକ୍‌ ହେବନି। ଆଜି ଯାହା ଉନ୍ନତ ଓ ଶ୍ରେଷ୍ଠ ବୋଲି ଜନାଦୃତି ଲାଭ କରୁଛି କାଲି ତାହା ନିହାତି ମାମୁଲି ଓ ସାଧାରଣ ବିଚାର କରାଯାଇପାରେ, ଲୋକମାନଙ୍କ ରୁଚି ଆଧାରରେ ଏହାର ଭଲମନ୍ଦ ମୂଲ୍ୟାଙ୍କନରେ ପରିବର୍ତ୍ତନ ଘଟେ। ଦୁନିଆରେ ଏଭଳି ବହୁ ଉପନ୍ୟାସ ଅଛି ଯାହାକୁ ଦିନେ କେହି ଆଡ ଆଖିରେ ଚାହୁଁ ନ ଥିଲେ, ସମୟର ପରିବର୍ତ୍ତନ ଓ ଲୋକମାନଙ୍କ ରୁଚିକୁ ନେଇ ଆଜି ସେସବୁ ଖୁବ୍‌ ଜନାଦୃତ ହୋଇଛି। ସିନେମା, ଯାତ୍ରା ଜଗତରେ ଆଜି ଯାହା ବକ୍ସ ଅଫିସ ହିଟ୍‌ କରେ କାଲି ତାହା ସାଧାରଣ ହୋଇ ସେତେଟା ଜନାଦୃତ ହୋଇପାରେନା। କଥାରେ ଅଛି ”ନୂଆ ନୂଆ ଦିନା କେତେ ବହୁ ଆଦର, ନୂଆଟି ପୁରୁଣା ହେଲେ ତୁଠ ପଥର।“ ଏଣୁ ଏସବୁ କ୍ଷେତ୍ରରେ, ସାମୟିକ ସାଫଲ୍ୟ ପାଇଁ କେହି ଗର୍ବିତ ହେବା ଉଚିତ ନୁହେଁ କିମ୍ବା ଏହାର ନିମ୍ନ ମୂଲ୍ୟାୟନ ହେଲେ ହତୋତ୍ସାହ ହୋଇ ଭାଙ୍ଗିପଡିବା ଉଚିତ ନୁହେଁ। ଏସବୁ ଗତାନୁଗତିକ ବିଚାର କରିବା ବୁଦ୍ଧିମାନର କାମ।
ଆଗକାଳରେ ପୃଥିବୀରେ ଅଧିକାଂଶ ଦେଶରେ ରାଜରାଜୁଡା ଶାସନ ଥିଲା। ସମୟକ୍ରମେ ବହୁ ଗର୍ବୀ, ଉଦ୍ଧତ, ହିଂସ୍ର ରାଜା ଦୁନିଆକୁ ଆସିଛନ୍ତି। ନିଜ ଦେଶର ସୀମାବୃଦ୍ଧି ଓ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସେମାନେ ବହୁ ଅନ୍ୟାୟ ଅତ୍ୟାଚାର କରିଯାଇଛନ୍ତି। ଲୋକେ ସେମାନଙ୍କର ନିନ୍ଦା ଅପବାଦ କରୁଛନ୍ତି। ଉତ୍ତମ ପରୋପକାରୀ ରାଜାମାନେ ସୁଚାରୁରୂପେ ରାଜ୍ୟ ଶାସନ କରି ଲୋକଙ୍କର ବହୁ ଶ୍ରଦ୍ଧା ଓ ପ୍ରିୟଭାଜନ ହୋଇଛନ୍ତି। ଏମାନଙ୍କ ଶାସନକୁ ଲୋକେ ରାମରାଜ୍ୟ କହି ଝୁରି ହେଉଛନ୍ତି। ସଙ୍ଗରେ କେହି କିଛି ନେଇ ଯାଇନାହାନ୍ତି। କାହାର ଗର୍ବ ଔଦ୍ଧତ୍ୟ ରହିନି। ଦିଗ୍‌ବିଜୟୀ ଆଲେକ୍‌ଜାଣ୍ଡର ମରିବା ପୂର୍ବରୁ କହିଥିଲେ, ସେ ମରିଗଲେ ତାଙ୍କ ଶବାଧାର ତଳକୁ ହାତ ଝୁଲାଇ ଦେଇ ଶବ ସତ୍କାର କରିବାକୁ। ଏହାଦ୍ୱାରା ସମସ୍ତେ ଜାଣିବେ ଯେଉଁ ହାତରେ ବହୁ ଦେଶ ଜୟ କରିପାରିଥିଲେ, ମରିଗଲା ପରେ ସେ ହାତ କେତେ ଅସହାୟ। ସେ ନିଜକୁ ମୃତ୍ୟୁମୁଖରୁ ରକ୍ଷା କରି ପାରୁନାହାନ୍ତି। ଜୟ କରିଥିବା କୌଣସି ରାଜ୍ୟ ବା ଧନସମ୍ପଦ ସେ ସାଙ୍ଗରେ ନେଇ ଯାଇପାରୁନାହାନ୍ତି। ରାଜା ଔରଙ୍ଗଜେବ୍‌ ମଧ୍ୟ ମଲା ପୂର୍ବରୁ କହିଥିଲେ, ମୁଁ ଖାଲି ହାତରେ ଆସିଥିଲି, ଖାଲି ହାତରେ ଚାଲିଯାଉଛି। ଏବେ ଦେଶରେ ଗଣତନ୍ତ୍ର ଶାସନ ଚାଲିଛି। ବିଭିନ୍ନ ମନ୍ତ୍ରୀ ବିଭିନ୍ନ ବିଭାଗର ଦାୟିତ୍ୱ ନେଉଛନ୍ତି। ଏମାନେ ଦେଶର କର୍ଣ୍ଣାଧାର, ଶାସନ ଏମାନଙ୍କ ହାତରେ। ଭୋଟ ପୂର୍ବରୁ ଏମାନେ ଯାହା ପାଖକୁ ଭୋଟ ଭିକ୍ଷା ପାଇଁ ଯାଆନ୍ତି ତା’ର ଭଲମନ୍ଦ ପଚାରି ହାତ ଉଠେଇ ନମସ୍କାର କରନ୍ତି। ଲୋକଙ୍କ ଘରେ ଶାଗପଖାଳ ଖାଆନ୍ତି। ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। ଭୋଟ ପରେ ନିର୍ବାଚିତ ହୋଇ ଥରେ ଗାଦି ମଣ୍ଡନ କରିସାରିବା ପରେ କଥା ବଦଳିଯାଏ। ଯେଉଁ ନେତା ଭୋଟ ପୂର୍ବରୁ ଏତେ ଖାତିରି କରି ଘରେ ଶାଗପଖାଳ ଖାଇଥିଲେ ତାଙ୍କୁ ଦେଖା କରିବାକୁ ଲୋକଙ୍କୁ ଲାଇନ୍‌ ଦେବାକୁ ପଡେ। ସେମାନଙ୍କ ଛାତିକି ଲଙ୍ଗଳ ଦଉଡି ପାଏନି। ପାଞ୍ଚ ବର୍ଷ ସରିଗଲା ପରେ ପୁଣି ଲୋକଙ୍କ ଦୁଆରକୁ ଆସି ଭୋଟ ଭିକ୍ଷା କରନ୍ତି। ଶାସନରେ ଥିବା ବେଳେ ଭୁଲିଯାନ୍ତି-‘ଅଢ଼େଇ ଦିନକୁ ବଡ଼େଇ କାହିଁକି?’
ଭଗବାନ ସବୁ ସହନ୍ତି-ହେଲେ ସେ କାହାର ଗର୍ବ ସହନ୍ତିନି। ଆମେ ଭୁଲିଯାଉଛୁ ଯାହାଦ୍ୱାରା ଆମେ ଏତେ ଉଚ୍ଚାସୀନ ହୋଇପାରିଛେ, ସେ ଚାହିଁଲେ କ୍ଷଣକରେ ଆମର ସୁନାଲଙ୍କା ଚୂନା ହୋଇଯାଇପାରେ ଓ ଆମେ ପୁନର୍ମୂଷିକ ହୋଇଯାଇପାରୁ। ଏଣୁ ସାଧୁ ସାବଧାନ! ‘ବୁଝି ବିଚାରି କାମ କଲେ ବିପଦ ନ ପଡ଼ଇ ଭଲେ’। ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର ନ କରି ଯାହା ସମସ୍ତଙ୍କ ପାଇଁ ମଙ୍ଗଳକର ତାହା କରନ୍ତୁ। କଥାରେ ଅଛି-କର୍ମ ନେଇ ଫଳ, ତୁଠ ନେଇ ଜଳ।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ-୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri