କରୋନା ସାମ୍ନାରେ ବ୍ୟକ୍ତିସ୍ବାଧୀନତାର ବଳି

ସହଦେବ ସାହୁ

ମଣିଷ ନିଜେ ଏକ ପ୍ରାଣୀ, କିନ୍ତୁ ନିଜକୁ ଛାଡି ଅନ୍ୟ ପ୍ରାଣୀମାନଙ୍କୁ ପଶୁ କହେ, ସେମାନଙ୍କ ଆଚରଣକୁ ପାଶବିକ ଅର୍ଥାତ୍‌ ମୌଳିକତାବିହୀନ କହିଥାଏ। ପଶୁଙ୍କ ଗୋଠକୁ ଆମେ ସମାଜ କହୁନା। ମଣିଷର ଗୋଠ ହିଁ ସମାଜ। ପଶୁ-ଜଗତରେ ‘ଜୋର୍‌ ଯାହାର ଇଲାକା ତାହାର’, ପ୍ରାଣୀତତ୍ତ୍ୱବିଦ୍‌ମାନେ ଗୋଠର ନେତାକୁ ଆଲ୍ଫା ମେଲ୍‌ (ନେତ୍ରୀକୁ ଆଲ୍ଫା ଫିମେଲ୍‌) କହନ୍ତି (ଗ୍ରୀକ୍‌ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ହେଉଛି ଆଲ୍ଫା)। ପ୍ରଥମେ ପ୍ରଥମେ ମଣିଷ ବି ସେମିତି ଥିଲା। ପ୍ରକୃତି କୋଳରେ ମଣିଷ ସ୍ବଭାବ ଭଲ ଥିଲା, ଛୋଟ ଛୋଟ ହୋଇଥିଲେ ବି ଗୋଠ ଥିଲା। ସଂଖ୍ୟା ବଢିବାରୁ ସମସ୍ତେ ମିଳିମିଶି ଚଳିବାର ନିୟମ କଲେ। ଫରାସୀ ଦାର୍ଶନିକ ଜାଁ ଜାକ୍‌ ରୁଷୋ (୧୭୧୨-୧୭୭୮)ଙ୍କ ମତରେ ଏହା ଏକ ସୋସିଆଲ୍‌ କଣ୍ଟ୍ରାକ୍ଟ। ବଳ ବା ଶକ୍ତି ବ୍ୟକ୍ତିଗତ ଅଧିକାରର ଉତ୍ସ ନ ଥିଲା, ପ୍ରତ୍ୟେକ ତା’ର କିଛି କିଛି ଅଧିକାର ତ୍ୟାଗ କରି ସମପରିମାଣର ଦାୟିତ୍ୱ ବହନ କଲା। ତାହା ହେଲା ଶାସନର ନିୟମ। ନିୟମଗୁଡିକ କାର୍ଯ୍ୟକାରୀ ହେଉଛି କି ନାହିଁ ଦେଖୁଥିବା ଶାସକ କାଳକ୍ରମେ ନିୟମଗୁଡିକୁ ତାହାର ଶକ୍ତିର ପରାକାଷ୍ଠା ଧରିନେଲା ତ ଶାସକମାନେ ଭୁଲିଗଲେ ଯେ ସୋସିଆଲ କଣ୍ଟ୍ରାକ୍ଟ ସରକାର ବା ଶାସନର ମୂଳଭିିତ୍ତି ଥିଲା। ନିୟମ ଦୌରାତ୍ମ୍ୟର ଉତ୍ସ ହୋଇଗଲା, ଫରାସୀ ବିପ୍ଳବ ତାହାର ପ୍ରତିକ୍ରିୟା ବୋଲି ରୁଷୋ କହିଲେ। ସୋସିଆଲ କଣ୍ଟ୍ରାକ୍ଟକୁ ହେଜାଇ ଦେଇ ରୁଷୋ ଲେଖିଲେ ଲୋକଙ୍କର ସମ୍ମତିରେ ଶାସକ ସମାଜକୁ ଚଳାଉ। ଫ୍ରାନ୍ସରେ ଗଣତନ୍ତ୍ର ଆନ୍ଦୋଳନକୁ ତାଙ୍କ ଥିଓରି ଇନ୍ଧନ ଯୋଗାଇଲା ଏବଂ ଦୁନିଆଯାକ ଗଣତନ୍ତ୍ରର ହାୱା ବୁହାଇଦେଲା। ‘ସୋସିଆଲ୍‌ କଣ୍ଟ୍ରାକ୍ଟ’ରେ ବ୍ୟକ୍ତିସ୍ବାଧୀନତା ଉପରେ ଏକ ନୂଆ ଧାରା ଯୋଡ଼ିବାକୁ ଆମକୁ ବାଧ୍ୟ କରୁଛି, ତାହା ହେଲା ସୋସିଆଲ ଡିଷ୍ଟାନ୍ସିଂ। ସବୁ ଆଇନରେ ପ୍ରୋଭାଇଜୋ (ନିୟମ ନ ଲାଗିବାର ସର୍ତ୍ତ) ଥିଲା ଭଳି, ନାଗରିକର ଫ୍ରିଡମ୍‌ ଉପରେ ସର୍ତ୍ତ ରହିଲାଣି: ଘରୁ ବାହାରିଲେ ବାହାରର ଲୋକ ସହିତ ମିଶିଲା ବେଳେ ପ୍ରତ୍ୟେକ ଲୋକଠାରୁ ଏକରୁ ଦୁଇ ମିଟର ଯାଏ ଦୂରତା ରଖିବ। କେବଳ ଆମ ଛେପ ଖଙ୍କାର କାଶ ଛିଙ୍କ ବାଟେ ନୁହେଁ, କଥା କହୁଥିବା ବେଳେ ପାଟିରୁ ବାହାରୁଥିବା ପବନ ସହ ଯେଉଁ ଜଳକଣା (ଡ୍ରପ୍‌ଲେଟ୍‌) ଛିଟିକି ଯାଏ ତା’ ଭିତରେ ବି ମେଞ୍ଚାଏ ଭୂତାଣୁ ଯାଇପାରେ। କଥା କହିଲା ବେଳେ ଅତି କ୍ଷୁଦ୍ର ଡ୍ରପ୍‌ଲେଟ୍‌ରେ ବି ଭୂତାଣୁ ଯାଇପାରେ।
ବାହାରର କାହାକୁ ଛୁଇଁବା ମନା। ଅଭିନନ୍ଦନ ସୂଚକ କରମର୍ଦ୍ଦନ ବନ୍ଦ। ଶରୀରକୁ ଶରୀର ଲଗାଇ ବା ପାଦ ଛୁଇଁ ସମ୍ମାନ ଜଣାଇବାର ‘ଅଧିକାର’ ତ୍ୟାଗ କର, ସାମାଜିକ ଦୂରତା ରକ୍ଷାର ‘ଦାୟିତ୍ୱ’ ଗ୍ରହଣ କର। ଏ ରାଜନୀତିକ ଚାଲ୍‌ବାଜି ନୁହେଁ, ଏହା ଏକ ବୈଜ୍ଞାନିକ ଆବଶ୍ୟକତା। ପରିମଳ (ପବ୍ଲିକ୍‌ ହେଲ୍‌ଥ) ବ୍ୟବସ୍ଥା ଅସନା ଥିଲେ ସେ ସ୍ଥାନରୁ ବି ଦୂରତା ଦରକାର। କେବଳ ମଣିଷ ନୁହେଁ କୌଣସି ସ୍ଥାନ ବି ଛୁଇଁବା ମନା, ଯଦି ଛୁଉଁଛ ତେବେ ନିଜ ମୁହଁ, ନାକ, ଆଖି ଛୁଇଁବା ପୂର୍ବରୁ ହାତକୁ ଓ ହାତପାପୁଲିର ଅନ୍ଦିକନ୍ଦିକୁ ସାବୁନରେ ଅତି କମ୍‌ରେ କୋଡିଏ ସେକେଣ୍ଡ ଧୂଅ। ଅତୀତର ଫ୍ଲୁ ଭାଇରସ୍‌, ଇବୋଲା ଓ ଏଡ୍‌ସ ଭାଇରସ୍‌ ମହାମାରୀ ସମୟରେ ସାମାଜିକ ସମ୍ପର୍କରେ ଦୂରତା ରକ୍ଷା ଏକ ସଂକ୍ରମଣ-ପ୍ରତିହତକାରୀ ଅସ୍ତ୍ର ହୋଇଥିଲା। ଭବିଷ୍ୟତରେ ସଂକ୍ରମଣକାରୀ ଭୂତାଣୁ କିଛି ଆସିଲେ ସୋସିଆଲି ଡିଷ୍ଟାନ୍ସିଂ ଆମ ଅଭ୍ୟାସରେ ପଡିଯାଇଥିବ।
ବ୍ୟକ୍ତି ସ୍ବାଧୀନତାର ମୁଖ୍ୟ ପରିପ୍ରକାଶ ହେଉଛି ମଣିଷର ନିଜତ୍ୱ ବା ପ୍ରାଇଭେସି, ଯାହା ଏକାନ୍ତତାରେ ରହିଥାଏ। ପରସ୍ପର-ସମ୍ପର୍କ ବା କଣ୍ଟାକ୍ଟ କେହି ନ ଜାଣନ୍ତୁ ତାହା ପ୍ରାଇଭେସିର ଚିହ୍ନ। ଅଥଚ ସଂକ୍ରମଣ ବ୍ୟାପିବାଟା କଣ୍ଟାକ୍ଟ ଉପରେ ହିଁ ନିର୍ଭର କରେ। କରୋନା ଭାଇରସ ମଣିଷ ଦେହରେ ଲୁଚିରହିପାରେ ଅନ୍ତତଃ ୧୪ ଦିନ ପାଇଁ, କିଛି ଲକ୍ଷଣ ନ ଦିଶିପାରେ। ତେଣୁ କେହି ସଂକ୍ରମିତ ବୋଲି ଚିହ୍ନଟ ହେବା କ୍ଷଣି ପୂର୍ବ ୧୪ ଦିନ ଯାକର ତାହାର କଣ୍ଟାକ୍ଟ ଖୋଜିବାକୁ ପଡିବ, ସେମାନଙ୍କୁ ଅତି କମ୍‌ରେ ୧୪ ଦିନ କ୍ୱାରାଣ୍ଟାଇନ (ଆକ୍ଷରିକ ଅର୍ଥ ୪୦ ଦିନିଆ) ରଖିବାକୁ ପଡିବ, ଜାଣିବା ପାଇଁ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ। ଯଦି କେହି ପ୍ରବାସରୁ ଆସୁଛି ତାକୁ ଏକଘରିକିଆ (ଆଇସୋଲେଶନ) କରି ରଖିବାକୁ ପଡିବ। ସେ ଏକଲା ରହୁଛି କି ନାହିଁ ତହିଁ ପ୍ରତି ନଜର ରଖିବାକୁ ପଡିବ। ଏହାର ମାନେ ସେ ଲୋକର ପ୍ରାଇଭେସି ରହିବ ନାହିଁ।
ରୁଷୋଙ୍କ ସୋସିଆଲ୍‌ କଣ୍ଟ୍ରାକ୍ଟ ଥିଓରିର ମୂଳ ଲକ୍ଷ୍ୟ ଥିଲା ଲୋକଙ୍କ ଭିତରେ (ଲୋକପ୍ରତିନିଧିମାନଙ୍କ ଭିତରେ ବି) ଆଇନ ଓ ଶୃଙ୍ଖଳା ଆଣିବା, ବେଆଇନ ଓ ବିଶୃଙ୍ଖଳ କାମକୁ ନିୟମ ଦ୍ୱାରା ଦମନ କରିବା, କିଛି ଅଧିକାର ତ୍ୟାଗ କରିବା ଓ କିଛି ନୂଆ ଦାୟିତ୍ୱ ନେବା। ସାଧାରଣତଃ ବେଆଇନ ଓ ବିଶୃଙ୍ଖଳ କାମପାଇଁ ଆସାମୀକୁ ଦଣ୍ଡ ଦେବା ବ୍ୟବସ୍ଥା ଅଛି, କିନ୍ତୁ ଦୋଷ ପ୍ରମାଣ କରିବାକୁ ସାକ୍ଷୀ ଦରକାର। ପ୍ରମାଣ ନ ରଖି ଅର୍ଥାତ୍‌ ଲୋକଚକ୍ଷୁର ଉହାଡ଼ରେ ବହୁତ ଗର୍ହିତ କାର୍ଯ୍ୟ ଚାଲେ, ସରକାର ଦଣ୍ଡ ଦେଇପାରନ୍ତି ନାହିଁ। ସେ ଅଭାବ ପୂରଣ କରିବା ଲାଗି ଧର୍ମାବତାରମାନେ ପ୍ରଚାର କରନ୍ତି ଯେ ଭଗବାନ ସବୁ ଦେଖୁଛନ୍ତି, ମୃତ୍ୟୁବେଳେ ସେ ବିଚାର କରି ଦଣ୍ଡ (ଯଥା ନର୍କରେ ପକାଇବା) ଦେବେ। ଅବଶ୍ୟ କାଳକ୍ରମେ ‘ଧର୍ମ’ ଏକ ଅନୁଷ୍ଠାନ ହୋଇଗଲା ଓ କଳ୍ପିତ ଦଣ୍ଡକୁ ଏଡାଇବା ପାଇଁ ପ୍ରାୟଶ୍ଚିତ୍ତ ଅର୍ଥାତ୍‌ ପଇସାପତ୍ରରେ ପାପକୁ ପୂଜାରୀଠାରେ ବିକିଦେଲା, ଆସାମୀ ଭାବିନେଲା ତାହାର ଦୋଷ କଟିଗଲା। ଆଉ ଗୋଟିଏ ଭୁଲ୍‌ ହେଲା ଯେ ଧର୍ମ ନାଁରେ ଆମେ ଝଗଡା କରିବା ଆରମ୍ଭ କଲୁ, ବସୁଧୈବକୁଟୁମ୍ବକମ୍‌ ଭାବନା ଛାଡି ଦେଲୁ। ଏବେ କରୋନାଭୂତାଣୁ ଭୟ ସେ ଭାବନା ଆଣିଦେଇଛି। ସ୍ମାର୍ଟଫୋନ୍‌ ସମସ୍ତଙ୍କୁ ଡିଜିଟାଲ୍‌ ଭିଡିଓରେ ମୁହାଁମୁହିଁ କଥା ହେବାର ସୁବିଧା ଦେଉଛି। ପରିବାର ଓ ସମ୍ପର୍କୀୟଙ୍କ ଭିତରେ ଦୂରତା ନାହିଁ।
ଏହାର ଖରାପ ଦିଗ ବି ଅଛି। ଯଦି ଶାସକ ଏକଚ୍ଛତ୍ରବାଦୀ ହୋଇଥାଏ ସେ ଖଳ କରି କଣ୍ଟାକ୍ଟ-ଟ୍ରେସିଂରୁ ନାଗରିକମାନଙ୍କ ଦୋଷତ୍ରୁଟି ଜାଣି ସେମାନଙ୍କୁ ନିଜ ବଶରେ ରଖିପାରିବ, ପାଟିକଲାବାଲାଙ୍କୁ ଜେଲରେ ରଖିପାରିବ ବା ଦୁନିଆରୁ ପାର୍‌ କରିଦେବ। ରୁଷୋ ତାଙ୍କ ସୋସିଆଲ କଣ୍ଟ୍ରାକ୍ଟ ଥିଓରି ବାଢ଼ିିଲା ବେଳେ କଣ୍ଟାକ୍ଟ ଟ୍ରେସିଂ କୌଶଳ ଜଣା ନ ଥିଲା, ତେଣୁ ସେ ନାଗରିକର ପ୍ରାଇଭେସି କ୍ଷୂଣ୍ଣ କଥା ଭାବି ନ ଥିଲେ।
ଏବେ ଆମେ ଜାଣିଲୁଣି, କରୋନା ଭାଇରସ୍‌ ଯାଞ୍ଚର ଉପାୟ ରୂପେ ଯେଉଁ କଣ୍ଟାକ୍ଟ-ଟ୍ରେସିଂ ହେଉଛି ତାହା ଦିନେ ବ୍ୟକ୍ତି-ସ୍ବାଧୀନତାକୁ ନଷ୍ଟ କରିଦେବ। ତେଣୁ ଆଇନରେ ଏମିତି କିଛି ପ୍ରାବଧାନ ରଖିବାକୁ ହେବ ଯେପରି ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ କଣ୍ଟାକ୍ଟ ଟ୍ରେସିଂ ଭଳି ଆପ୍‌ ବ୍ୟବହାର ହେବ ନାହିଁ। ଯେହେତୁ ମହାମାରୀ-ବିଶେଷଜ୍ଞମାନେ କହୁଛନ୍ତି ଯେ, ଆମେ ପୂର୍ବରୁ ଯେଉଁ ପରିମାଣରେ ମିଳିମିଶି ଚଳୁଥିଲୁ ସେ ମିଳାମିଶା ପରିମାଣ ଯଦି ୬୫ ପ୍ରତିଶତ କମାଇ ଦେବା ତେବେ ମହାମାରୀ ବ୍ୟାପିବ ନାହିଁ। ଲୋକେ କାମକୁ ଫେରନ୍ତୁ, ସ୍କୁଲ କଲେଜ ଚାଲୁ, ଦେଶର ଅର୍ଥନୀତି (ଇକନମି) ତାହା ବାଟରେ କାମ କରୁ, ସ୍ବାସ୍ଥ୍ୟ ଓ ପରିମଳରେ ପର୍ଯ୍ୟାପ୍ତ ଖର୍ଚ୍ଚ ହେଉ; କିନ୍ତୁ ପାରସ୍ପରିକ ଦୂରତା ବଜାୟ ରଖିବା ଆମର ଏକ ବୈଧାନିକ କର୍ତ୍ତବ୍ୟ ବୋଲି ଧରାଯାଉ। ଆମକୁ ଲାଗିପାରେ, ସରକାର ଅଥରିଟାରିଆନ୍‌ ହେଉଛନ୍ତି, ବ୍ୟକ୍ତି ସ୍ବାଧୀନତାର ହତ୍ୟା କରାଯାଉଛି। ଟିକା ନ ବାହାରିଲା ଯାଏ ସଂସାରଟା ଏକ ବିପଦସଂକୁଳ ହୁଲିଡଙ୍ଗା ଭଳି ଲାଗୁଥିବ!
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri