ଯୋଗଃ କର୍ମସୁ କୌଶଳମ୍‌: ଏକ ଭିନ୍ନ ଦୃଷ୍ଟି

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଭଗବଦ୍‌ଗୀତାରେ ଯୋଗର ବିଭିନ୍ନ ସଂଜ୍ଞା ମଧ୍ୟରେ ଗୋଟିଏ ବହୁଳ ଉଦ୍ଧୃତ ସଂଜ୍ଞା ହେଉଛି ”ଯୋଗଃ କର୍ମସୁ କୌଶଳମ୍‌।“ ଏହାକୁ ଅନ୍ବୟ କରାଗଲେ ଦୁଇଟି ଅର୍ଥ ପ୍ରକାଶ ପାଇବ। ପ୍ରଥମଟି ହେଲା କର୍ମରେ କୌଶଳ ହିଁ ଯୋଗ (କର୍ମସୁ କୌଶଳମ୍‌ ଯୋଗଃ) ଓ ଦ୍ୱିତୀୟଟି ହେଲା କର୍ମରେ ଯୋଗ ହିଁ କୌଶଳ (କର୍ମସୁ ଯୋଗଃ କୌଶଳମ୍‌) ଯଦି କର୍ମରେ କୌଶଳ ହିଁ ଯୋଗକୁ ଗ୍ରହଣ କରାଯାଏ, ଯିଏ କୁଶଳତା(ନିପୁଣତା) ସହ ଚୋରି କରେ ତା’ ପାଇଁ ଚୋରି କର୍ମ ମଧ୍ୟ ଯୋଗ ଭାବରେ ପରିଗଣିତ ହେବ। ମାତ୍ର ଭଗବଦ୍‌ଗୀତାରେ କର୍ମଯୋଗର ବ୍ୟାଖ୍ୟା କଲାବେଳେ କର୍ମ ଶବ୍ଦଟି କର୍ତ୍ତବ୍ୟ-କର୍ମ ଅର୍ଥରେ ବ୍ୟବହୃତ ହୋଇଛି। ଚୋରି କରିବା ଏକ କର୍ତ୍ତବ୍ୟ କର୍ମ ହୋଇ ନ ଥିବାରୁ କର୍ମରେ କୌଶଳ ହିଁ ଯୋଗ କହିବା ଠିକ୍‌ ହେବ ନାହିଁ। ପୁନଶ୍ଚ ଯୁଜ୍‌ ଧାତୁରୁ ଯୋଗ ଶବ୍ଦ ନିଷ୍ପନ୍ନ। ଯୁଜ୍‌ ଧାତୁ ତିନୋଟି ଅର୍ଥରେ ବ୍ୟବହୃତ ହୁଏ। ”ଯୁଜ୍‌ ସମାଧୌ“ ଅର୍ଥାତ୍‌ ଚିତ୍ତ ସ୍ଥିର କରିବା ଅର୍ଥରେ, ”ଯୁଜ୍‌ ସଂଯମନେ“ ଅର୍ଥାତ୍‌ ସଂଯମ ବା ବଶ କରିବା ଅର୍ଥରେ ଓ ”ଯୁଜ୍‌ ଯୋଗେ“ ଅର୍ଥାତ୍‌ ଯୋଡ଼ିବା ବା ଏକତ୍ର କରିବା ଅର୍ଥରେ। ଗୀତାରେ ଯୋଗ ଶବ୍ଦଟି ଏହି ତିନୋଟି ଅର୍ଥରେ ବିଭିନ୍ନ ସ୍ଥାନରେ ବ୍ୟବହୃତ ହୋଇଛି। ଏହି ଶ୍ଳୋକରେ ଏହା ଚିତ୍ତ ସ୍ଥିର କରିବା ଅର୍ଥରେ ବ୍ୟବହୃତ ହୋଇଛି ଓ ଅର୍ଥ ପ୍ରକାଶ କରିଛି ”କର୍ମରେ ଯୋଗ ହିଁ କୌଶଳ ଅର୍ଥାତ୍‌ କର୍ମରେ ଚିତ୍ତ ସ୍ଥିର କରିବା ହେଉଛି ପ୍ରକୃତ କୁଶଳତା। ଏହା ସପ୍ରସଙ୍ଗ ଆଲୋଚନାରୁ ସ୍ପଷ୍ଟ ହୁଏ।
କର୍ମଯୋଗ ସମ୍ପର୍କରେ ଆଲୋଚନା କଲାବେଳେ ସାଧାରଣତଃ ଯେଉଁ ଶ୍ଳୋକ ଉପରେ ପ୍ରାଧାନ୍ୟ ଦିଆଯାଏ, ତାହା ହେଲା ‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ/ମା କର୍ମଫଳ ହେତୁର୍ଭୁର୍ମାତେ ସଙ୍ଗୋଃସ୍ତ୍ବକର୍ମଣି(୨/୪୦), ଅର୍ଥାତ୍‌ କର୍ମ କରିବାରେ ତୁମର ଅଧିକାର ଅଛି, ଫଳରେ ତୁମର ଅଧିକାର ନାହିଁ। ଏଣୁ ତୁମେ କର୍ମଫଳର କାରଣ ହୁଅ ନାହିଁ ଓ କର୍ମ ନ କରିବା ପ୍ରତି ମଧ୍ୟ ଆସକ୍ତ ହୁଅ ନାହିଁ। ମାତ୍ର ଯଦି ଫଳରେ ଅଧିକାର ନାହିଁ କୁହାଯାଏ, ତାହେଲେ ହୁଏତ କେହି କର୍ମ କରିବେ ନାହିଁ। ପୁନଶ୍ଚ ଯଦି କର୍ମରେ ଅଧିକାର ଅଛି, ଫଳରେ ଅଧିକାର ରହିବ ନାହିଁ କାହିଁକି? ସନ୍ଥ ବିନୋବା ଭାବେ ଏହାର ଏକ ସୁନ୍ଦର ବ୍ୟାଖ୍ୟା ପ୍ରଦାନ କରିଛନ୍ତି। ତାଙ୍କ ମତରେ ଶ୍ଳୋକରେ ”ନ ଫଳେଷୁ“ ବ୍ୟବହୃତ ନ ହୋଇ ”ମା ଫଳେଷୁ“ ବ୍ୟବହୃତ ହୋଇଛି। ବ୍ୟାକରଣ ଅନୁସାରେ ଏହାର ‘ମା’ ପରେ ଅସ୍ତି ବା ଭବତି ଭଳି ବର୍ତ୍ତମାନ କାଳର କ୍ରିୟାପଦ ରହେନାହିଁ, ଅସ୍ତୁ ବା ଭବତୁ ଭଳି କ୍ରିୟାପଦ ବ୍ୟବହୃତ ହୁଏ। ସେହି ଅନୁସାରେ ଏହାର ପୂର୍ଣ୍ଣ ବାକ୍ୟ ହେବ କର୍ମଣି ଏବ ତେ ଅଧିକାରଃ ଅସ୍ତୁ, ଫଳେଷୁ ମା ଅସ୍ତୁ ”ଅର୍ଥାତ୍‌ ତୁମର କର୍ମରେ ଅଧିକାର ହେଉ, ଫଳରେ ନ ହେଉ। ଗୀତା କହିବାକୁ ଚାହେଁ, ତୁମର କର୍ମରେ ଅଧିକାର ଅଛି, ତେଣୁ ଫଳରେ ମଧ୍ୟ ଅଧିକାର ଅଛି। ମାତ୍ର ତୁମେ କର୍ମରେ ଅଧିକାର ରଖ, ଫଳରେ ଅଧିକାର ତ୍ୟାଗ କର।“
ପୁନଶ୍ଚ ଯୁକ୍ତି କରାଯାଇପାରେ, ଯଦି ଫଳରେ ଅଧିକାର ନାହିଁ, ତେବେ ଜଣେ କର୍ମ କରିବା ପାଇଁ ଆଗ୍ରହୀ ହେବ କାହିଁକି? ଗୀତା କହିବାକୁ ଚାହେଁ, କାମନା ଜାତ ହେଲେ ଅଭାବ ଅନୁଭୂତ ହୁଏ ଓ କର୍ମରେ ଈପ୍‌ସିତ ଫଳ ନ ମିଳିଲେ ମନରେ ଦୁଃଖ ଜାତ ହୁଏ। କର୍ମ ଫଳରେ ଆସକ୍ତି ନ ରହିଲେ କର୍ତ୍ତା ନିର୍ଲିପ୍ତ ହୋଇ କର୍ମ କରେ। କର୍ମ ଫଳଦାୟୀ ହେଉ ବା ନିଷ୍ଫଳ ହେଉ, ସେଥିରେ ପ୍ରଶଂସା ମିଳୁ ବା ନିନ୍ଦା ମିଳୁ, ସେଥିରେ ବ୍ୟତିବ୍ୟସ୍ତ ନ ହୋଇ ସମଭାବରେ ଅଟଳ ରହିବା ହେଉଛି ଯୋଗ। ତେଣୁ ଭଗବାନ କହିଛନ୍ତି ”ସିଦ୍ଧ୍ୟସିଦ୍ଧ୍ୟୋଃ ସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ। (୨/୪୮)। ଏହା କହିବା ପରେ ପରେ ସେ କହିଛନ୍ତି ”ଅର୍ଜୁନ, ତୁମେ ସମବୁଦ୍ଧିର ଆଶ୍ରୟ ନିଅ(ବୁଦ୍ଧୌ ଶରଣମନ୍ବିଚ୍ଛ)(୨/୪୯), କାରଣ ଫଳର ହେତୁ ହେଉଥିବା ମନୁଷ୍ୟ ଅତ୍ୟନ୍ତ ଦୀନ। ସମବୁଦ୍ଧି ସମ୍ପନ୍ନ ହେଲେ ମନୁଷ୍ୟ ଉଭୟ ସୁକୃତ ଓ ଦୁଷ୍କୃତରୁ ମୁକ୍ତ ହୁଏ। ଏଣୁ ତୁମେ ଯୋଗ(ସମତା) ପ୍ରାପ୍ତି ନିମନ୍ତେ ଯତ୍ନଶୀଳ ହୁଅ କାରଣ କର୍ମରେ ଯୋଗ ହିଁ କୁଶଳତା(ସଂପାଦନ ନିପୁଣତା)। ତସ୍କାତ୍‌ ଯୋଗାୟି ଯୁଜ୍ୟସ୍ବ ଯୋଗଃ କର୍ମସୁ କୌଶଳମ୍‌(୨/୫୦) ପର୍ବ ପ୍ରସଙ୍ଗ ଆଲୋଚନାରୁ ଏହା ହିଁ ଠିକ୍‌ ମର୍ମ ବୋଲି ଅନୁଭବ କରାଯାଏ। ଏହା ପ୍ରତିପାଦିତ ହୋଇଛି ପୁଣି ପରବର୍ତ୍ତୀ-୫୩ ନମ୍ବର ଶ୍ଳୋକରେ। ଭଗବାନ ସେଠି କହିଛନ୍ତି ”ସମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପସ୍ୟସି“। ଅର୍ଥାତ୍‌ ଯେତେବେଳେ ତୁମର ବୁଦ୍ଧି ସମାଧିରେ ନିଶ୍ଚଳ ହୋଇଯିବ ସେତେବେଳେ ତୁମେ ଯୋଗ ପ୍ରାପ୍ତ ହେବ। ଏହି ଯୋଗ (ସମତାଭାବ) ପ୍ରାପ୍ତ ହେବା ହେଉଛି ଯୋଗର ଲକ୍ଷ୍ୟ।
ଯେତେବେଳେ ଗୀତା କହେ ଫଳରେ ଆଶା ରଖ ନାହିଁ ତାହା ସଙ୍ଗେ ସଙ୍ଗେ ସେ ଜୋର୍‌ ଦେଇ କହେ ଯେ, କର୍ମକୁ ଉତ୍ତମ ରୂପେ ଓ ଦକ୍ଷତାର ସହ ସଂପାଦନ କର। ଫଳାସକ୍ତ ହେଲେ ଫଳ ସମ୍ବନ୍ଧୀୟ ଚିନ୍ତାରେ ସମୟ ଓ ଶକ୍ତି ବ୍ୟୟିତ ହେବ। ନିଷ୍କାମ ହେଲେ ଫଳ ଚିନ୍ତାରେ ମନ ବିଚଳିତ ହେବ ନାହିଁ। ଏହାଦ୍ୱାରା ମନରେ ସମତା ଭାବ ଆସିବ। ଫଳରୁ ଦୃଷ୍ଟିକୁ ଏଡ଼େଇ ଦେଲେ ତନ୍ମୟଣ ବଢ଼ିବ। ମନୁଷ୍ୟ କାମନା ତ୍ୟାଗ ପୂର୍ବକ ନିଃସୃହ, ମମତାହୀନ ଓ ନିରହଙ୍କାର ହେଲେ ଶାନ୍ତି ଲାଭ କରେ(୨/୭୧) ଓ ସେହି ତନ୍ମୟତା ଓ ସମତା ଭାବ ମଧ୍ୟରେ ବ୍ରାହ୍ମୀସ୍ଥିତି ଉପଲବ୍ଧି କରେ। ନିଷ୍କାମ କର୍ମ ସ୍ବୟଂ ଏକ ଫଳ ହୋଇଯାଏ। ସନ୍ଥ ଜ୍ଞାନଦେବ କହିଲେ ଗଛରେ ଫଳ ଫଳେ, କିନ୍ତୁ ଫଳରେ ଆଉ କି ଫଳ ଫଳିବ?“ ତେଣୁ କର୍ମରେ ଯୋଗସ୍ଥ ହୋଇପାରିବା ହେଉଛି କର୍ମର ସଂପାଦନ କୁଶଳତା ବା ନିପୁଣତା ମାତ୍ର ସମତା ବା ବ୍ରାହ୍ମୀସ୍ଥିତି ଉପଲବ୍ଧି କରିବା ପାଇଁ ଅନେକ ଶୃଙ୍ଖଳାର ଆବଶ୍ୟକତା ଅଛି। ଦୁଃଖରେ ଉଦ୍‌ବିଗ୍ନ ନ ହେଲେ ଓ ସୁଖରେ ମୁହ୍ୟମାନ ନ ହେଲେ, ଦ୍ୱେଷ ରହିତ ହେଲେ, ଇନ୍ଦ୍ରିୟ ସଂଯମ କଲେ, କାମନା ତ୍ୟାଗ କଲେ ନିରହଙ୍କାର ହେଲେ ବୁଦ୍ଧ ବା ପ୍ରଜ୍ଞା ସ୍ଥିର ହୁଏ। ଗୀତା ଅନୁସାରେ ଅନାସକ୍ତି ହିଁ ଯୋଗର ଭିତ୍ତି। ଅନାସକ୍ତି ଭାବ ଆସିଲେ ମନ ସ୍ଥିର ହୁଏ। ବାହାରର କୌଣସି ବସ୍ତୁ ତା’ ଉପରେ କୌଣସି ପ୍ରଭାବ ପକାଇ ପାରେ ନାହିଁ। ଫଳରେ କାମଟି ଉତ୍ତମ ରୂପେ ସମ୍ପାଦିତ ହୁଏ।
ମହର୍ଷି ବ୍ୟାସ ପୁତ୍ର ଶୁକଦେବଙ୍କୁ ତତ୍ତ୍ୱଜ୍ଞାନ ଦେଲେ। ଶିକ୍ଷା ପ୍ରଦାନର ଶେଷ ପର୍ଯ୍ୟାୟରେ ସେ ଶୁକଙ୍କୁ ରାଜର୍ଷି ଜନକଙ୍କ ନିକଟକୁ ପଠାଇଲେ। ଜନକ ବିଦେହ ଭାବରେ ପରିଚିତ ଥିଲେ। କାରଣ ତାଙ୍କର ଦେହବୋଧ ନ ଥିଲା। ସେ ନିଜକୁ ସର୍ବଦା ଆତ୍ମା ବୋଲି ଅନୁଭବ କରୁଥିଲେ। ଜନକ ଜାଣିଥିଲେ ବ୍ୟାସଙ୍କ ପୁତ୍ର ଶୁକ ତାଙ୍କ ପାଖକୁ ତତ୍ତ୍ୱଜ୍ଞାନ ଶିକ୍ଷା କରିବାକୁ ଆସୁଛନ୍ତି। ସୁତରାଂ ତା’ ପୂର୍ବରୁ ସେ କେତେଗୁଡ଼ିଏ ବ୍ୟବସ୍ଥା କରିଥିଲେ। ଯେତେବେଳେ ଏହି ବାଳକ ରାଜପ୍ରାସାଦର ଦ୍ୱାରଦେଶରେ ଉପସ୍ଥିତ ହେଲେ, ସେତେବେଳେ ପ୍ରହରୀଗଣ ତାଙ୍କର କୌଣସି ଯତ୍ନ ନେଲେ ନାହିଁ। ସେମାନେ କେବଳ ତାଙ୍କୁ ବସିବା ପାଇଁ ଗୋଟିଏ ଆସନ ଦେଲେ। ସେଠାରେ ସେ ତିନି ଦିନ ତିନି ରାତି ବସି ରହିଲେ। କେହି ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲେ ନାହିଁ। ଶୁକ ଥିଲେ ମହର୍ଷି ବ୍ୟାସଙ୍କ ପୁତ୍ର। ବ୍ୟାସ ଥିଲେ ସମଗ୍ର ଦେଶରେ ଜଣେ ସମ୍ମାନନୀୟ ବ୍ୟକ୍ତି। ତଥାପି ତାଙ୍କ ପୁତ୍ରକୁ ପ୍ରହରୀଗଣ ଭ୍ରୂକ୍ଷେପ କଲେ ନାହିଁ। ତିନି ଦିନ ପରେ ହଠାତ୍‌ ରାଜାଙ୍କ ମନ୍ତ୍ରୀ ଓ କର୍ମଚାରୀ ଆସି ତାଙ୍କୁ ଅତିଶୟ ସମ୍ମାନର ସହ ପାଛୋଟି ନେଲେ। ସେମାନେ ତାଙ୍କୁ ଏକ ସୁଶୋଭିତ ଗୃହକୁ ନେଲେ। ସୁଗନ୍ଧ ଜଳରେ ସ୍ନାନ କରାଇଲେ। ସୁଖାଦ୍ୟ ପରଷିଲେ। ଏହିପରି ଆଠ ଦିନ ପର୍ଯ୍ୟନ୍ତ ତାଙ୍କୁ ବିଳାସ ମଧ୍ୟରେ ରଖିଲେ। ମାତ୍ର ବ୍ୟବହାରର ପରିବର୍ତ୍ତନରେ ଶୁକଙ୍କ ଶାନ୍ତ ଗଭୀର ମୁଖମଣ୍ଡଳ ଟିକିଏ ମଧ୍ୟ ପରିବର୍ତ୍ତିତ ହେଲା ନାହିଁ। ଦ୍ୱାରଦେଶରେ ଅପେକ୍ଷା କରିଥିବା ସମୟରେ ସେ ଯେପରି ଥିଲେ, ସେହି ସକଳ ବିଳାସ ମଧ୍ୟରେ ବି ଠିକ୍‌ ସେପରି ଅଚଳ ରହିଲେ।
ତା’ପରେ ଶୁକଙ୍କୁ ରାଜା ଜନକଙ୍କ ନିକଟକୁ ନିଆଗଲା। ରାଜା ସିଂହାସନରେ ଉପବିଷ୍ଟ ଥାନ୍ତି। ନୃତ୍ୟ ଗୀତ ବାଦ୍ୟ ଓ ଅନ୍ୟାନ୍ୟ ଆମୋଦ ପ୍ରମୋଦର ବ୍ୟବସ୍ଥା ହୋଇଥାଏ। ରାଜା ତାଙ୍କୁ ଗୋଟିଏ ଦୁଗ୍ଧପୂର୍ଣ୍ଣ ପାତ୍ର ଦେଇ କହିଲେ, ”ଏହି ପାତ୍ରଟି ଧରି ସାତ ଥର ରାଜସଭା ପ୍ରଦକ୍ଷିଣ କରି ଆସ, ଯେପରି ଟୋପାଏ ହେଲେ ଦୁଗ୍ଧ ତଳେ ନ ପଡ଼େ।“ ଶୁକ ସେହି ପାତ୍ରଟି ଧରି ଗୀତବାଦ୍ୟ ଓ ସୁନ୍ଦରୀ ରମଣୀମାନଙ୍କ ମଧ୍ୟ ଦେଇ ସାତଥର ପ୍ରଦକ୍ଷିଣ କଲେ ଏବଂ ଟୋପାଏ ବି ଦୁଗ୍ଧ ତଳେ ପଡ଼ିଲା ନାହିଁ। ରାଜା ପ୍ରୀତ ହୋଇ କହିଲେ ”ଶୁକ! ପିତା ତୁମକୁ ଯାହା ଶିଖାଇଛନ୍ତି ଓ ତୁମେ ଯାହା ଶିକ୍ଷା କରିଛ, ମୁଁ କେବଳ ତା’ର ପୁନରାବୃତ୍ତି କରିପାରେ। ତୁମେ ତତ୍ତ୍ୱ ଉପଲବ୍ଧି କରିସାରିଛ। ଆଉ କୌଣସି ଶିକ୍ଷାର ଆବଶ୍ୟକତା ନାହିଁ। ବର୍ତ୍ତମାନ ପିତାଙ୍କ ନିକଟକୁ ଫେରିଯାଅ।“ ଶୁକ ଦୁଗ୍ଧପାତ୍ର ଧରି ପ୍ରଦକ୍ଷିଣ କଲାବେଳେ ଯୋଗସ୍ଥ ହେବାରୁ ବାହ୍ୟ ଆକର୍ଷଣ ତାଙ୍କୁ ପ୍ରଭାବିତ କରିପାରି ନ ଥିଲା ଓ ଫଳରେ ସେ କର୍ମଟିକୁ ଠିକ୍‌ ଭାବରେ ସମ୍ପାଦନ କଲେ। କର୍ମରେ ଏହି ଯୋଗ ହିଁ ଥିଲା ତାଙ୍କର କର୍ମକୁଶଳତା ବା କର୍ମନିପୁଣତା। ଏହା ସମାଧିର ସମଶ୍ରେଣୀୟ ଓ ଗୀତାର ଭାଷାରେ ବ୍ରାହ୍ମୀସ୍ଥିତି।

ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?