କଂଗ୍ରେସ ପ୍ରତ୍ୟାଖ୍ୟାତ କାହିଁକି

ନେତାଜୀ ଅଭିନନ୍ଦନ
ସପ୍ତଦଶ ଲୋକ ସଭା ନିର୍ବାଚନରେ କଂଗ୍ରେସର ଦୁର୍ଦ୍ଦଶା ନେଇ ଚର୍ଚ୍ଚା ଓ ବିତର୍କର ଅନ୍ତ ନାହିଁ। କଂଗ୍ରେସର ଦୟନୀୟ ସ୍ଥିତି ପାଇଁ ଅନେକେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଦାୟୀ କରୁଥିବାବେଳେ ଆଉ କେତେକେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ସାଙ୍ଗଠନିକ ଦୁର୍ବଳତାକୁ ଦୋଷ ଦେଉଛନ୍ତି। ଦଳର ଶକ୍ତି ଓ ସାମର୍ଥ୍ୟ ସମୟକ୍ରମେ ବଢ଼ିପାରେ ବା କମିପାରେ, ହେଲେ ଦଳ ଯଦି ଅପାଂକ୍ତେୟ ହୋଇପଡ଼େ, ଏକ ପ୍ରକାର ନିଜର ‘ଅସ୍ତିତ୍ୱ’ ହରେଇବସେ, ତା’ହେଲେ ତାହା ନା ଦଳ ପାଇଁ ଶୁଭଙ୍କର ହେବ ନା ଦେଶ ପାଇଁ।
ନିର୍ବାଚନରେ ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀକରି ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ପଦରୁ ଇସ୍ତଫା ଦେଲେ। ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ସର୍ବସମ୍ମତିକ୍ରମେ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କଲେ। ସୋନିଆ ପୁଅ ରାହୁଲଙ୍କ ଦକ୍ଷ ଓ ସାହସିକ ନେତୃତ୍ୱକୁ ପ୍ରଶଂସା କରିବା ସହ ତାଙ୍କୁ ନିରଙ୍କୁଶ କ୍ଷମତା ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ, ଯାହା ବେଶ୍‌ ଉତ୍ସାହର ସହ ଗୃହୀତ ହୋଇଥିଲା। ବୈଠକ ପରେ ରାହୁଲ କ୍ଷୋଭ ପ୍ରକାଶ କଲେ ଯେ, ଦଳର କିଛି ବରିଷ୍ଠ ନେତା ଓ ମୁଖ୍ୟମନ୍ତ୍ରୀ ଦଳ ଉପରେ ଚାପ ପ୍ରୟୋଗ କରି ସେମାନଙ୍କ ପୁଅମାନଙ୍କୁ ଟିକେଟ ଦେବାରୁ ଦଳ ଏପରି ଦୁର୍ଦ୍ଦଶା ଭୋଗିଲା। ତାଙ୍କର ଏ କ୍ଷୋଭ ଯେତିକି ଆଶ୍ଚର୍ଯ୍ୟଜନକ ଥିଲା, ସେତିକି ମଧ୍ୟ ଆମୋଦଦାୟକ ଥିଲା। କାରଣ ଏଭଳି କ୍ଷୋଭ ପ୍ରକାଶ କଲାବେଳେ ରାହୁଲ ଭୁଲିଗଲେ ଯେ, ତାଙ୍କର ରାଜନୈତିକ ଉତ୍ଥାନ ଏବଂ ଦଳର ସଭାପତି ପଦ ମଣ୍ଡନ ପଛରେ ତାଙ୍କର ରାଜନୈତିକ ଦକ୍ଷତା ଓ ‘ପାରିବାପଣିଆ’ର କୌଣସି ଅବଦାନ ନ ଥିଲା, ଏକମାତ୍ର ଅବଦାନ ଥିଲା ତାଙ୍କ ନାମ ସଂଯୁକ୍ତ ସାଙ୍ଗିଆର।
ରାହୁଲ ୨୦୦୪ରେ ଆମେଥିରୁ ଲୋକ ସଭା ନିର୍ବାଚନ ଜିତି ସାଂସଦ ହେବାର ସୌଭାଗ୍ୟ ପ୍ରାପ୍ତ ହେଲେ। ତାଙ୍କ ପୂର୍ବରୁ ଆମେଥିର ସାଂସଦ ଥିଲେ ମା’ ସୋନିଆ ଗାନ୍ଧୀ ଏବଂ ସୋନିଆଙ୍କ ପୂର୍ବରୁ ରାହୁଲଙ୍କ ବାପା ରାଜୀବ ଗାନ୍ଧୀ। ରାଜୀବଙ୍କ ପୂର୍ବରୁ ଏହି ଆସନର ପ୍ରତିନିଧିତ୍ୱ କରୁଥିଲେ ତାଙ୍କ ଭାଇ ସଞ୍ଜୟ। ସେ ଦୃଷ୍ଟିରୁ ଆମେଥି ଏକ ପ୍ରକାର ଗାନ୍ଧୀ ପରିବାରର ପାରିବାରିକ ସିଟ୍‌ ଥିଲା। ୨୦୦୭ରେ ରାହୁଲଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଲା ଏବଂ ଛାତ୍ର ଓ ଯୁବକଂଗ୍ରେସର ଦାୟିତ୍ୱ ଦିଆଗଲା। ୨୦୧୩ରେ ରାହୁଲ ବନିଲେ କଂଗ୍ରେସର ଉପସଭାପତି। ତାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏ ପଦବୀ ସୃଷ୍ଟି କରାଗଲା। ୨୦୦୯ରୁ ୨୦୧୪ ଭିତରେ ପଞ୍ଚଦଶ ଲୋକ ସଭାର ସାଂସଦ ଭାବେ ରାହୁଲ ଗୋଟିଏ ବି ପ୍ରଶ୍ନ ପଚାରି ନ ଥିଲେ। ସବୁଠୁ ଖରାପ ପ୍ରଦର୍ଶନକାରୀ ପାଞ୍ଚଜଣ ସାଂସଦଙ୍କ ଭିତରେ ରାହୁଲଙ୍କ ନାମ ଥିଲା। ଲୋକ ସଭାର ଅଧାରୁ ଅଧିକ ବୈଠକରେ ସେ ଯୋଗ ଦେଇ ନ ଥିଲେ। ସାଂସଦ ପାଣ୍ଠିରୁ ମାତ୍ର ପଚାଶ ପ୍ରତିଶତ ହିଁ ସେ ଖର୍ଚ୍ଚ କରିଥିଲେ ଆମେଥିର ବିକାଶ ପାଇଁ। ସାଂସଦ ଭାବରେ ଏଭଳି ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଉପସଭାପତିର ମୁକୁଟ ମିିଳିଲା। ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ସପ୍ତଦଶ ଲୋକ ସଭା ନିର୍ବାଚନ ଲଢ଼ି ଇତିହାସରେ ସର୍ବନିମ୍ନ ୪୪ଟି ଆସନ ପାଇଲା। ହେଲେ ଦଳର ସଭାପତି ହେବାରେ କୌଣସି ପ୍ରତିବନ୍ଧକ ନ ଥିଲା। ଗାନ୍ଧୀ ପରିବାରର ଷଷ୍ଠ ସଦସ୍ୟ ଭାବରେ ରାହୁଲ ୨୦୧୭ରେ କଂଗ୍ରେସର ସଭାପତି ପଦ ଅଳଙ୍କୃତ କଲେ। ନିଜର ରାଜନୈତିକ ଦକ୍ଷତା, କୌଶଳ ବା ବୁଦ୍ଧିମତ୍ତା ପାଇଁ ନୁହେଁ, କେବଳ ଗାନ୍ଧୀ ପରିବାରର ଦାୟାଦ ଭାବରେ କଂଗ୍ରେସ ଦଳର ସଭାପତି ମୁକୁଟ ପିନ୍ଧିଥିବା ରାହୁଲ ଅନ୍ୟ ନେତାମାନଙ୍କ ଉପରେ ‘ବଂଶବାଦ’ର ଆରୋପ ଲଗାଇବା ଯେତିକି ହାସ୍ୟାସ୍ପଦ, ସେତିକି ନିନ୍ଦନୀୟ।
ଭାରତ ବର୍ତ୍ତମାନ ବିଶ୍ୱର ତରୁଣତମ ଦେଶ। ଆସନ୍ତା ବର୍ଷ ବେଳକୁ ପ୍ରତି ଭାରତୀୟର ହାରାହାରି ଆୟୁ ହୋଇଥିବ ୨୯; ପ୍ରତି ତିନି ଜଣରେ ଜଣେ ହୋଇଥିବ ତରୁଣ। ଭାରତର ତରୁଣମାନେ ଚାହାନ୍ତି ଗୁଣାତ୍ମକ ଶିକ୍ଷା, ଦକ୍ଷତାର ବିକାଶ, ଜ୍ଞାନ-ବିଜ୍ଞାନ-ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅତ୍ୟାଧୁନିକ କୌଶଳ ହାସଲ କରିବା, ବିଶ୍ୱସ୍ତରୀୟ ଭିିତ୍ତିଭୂମି, ଆଉ ଭାରତୀୟ ଭାବରେ ସମଗ୍ର ବିଶ୍ୱରେ ସମ୍ମାନ ଓ ମର୍ଯ୍ୟାଦା। ମୋଦି ସରକାର ତରୁଣ ଭାରତର ଏଇସବୁ ଆକାଂକ୍ଷାର ପରିପୂରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ‘ସ୍କିଲ୍‌ ଇଣ୍ଡିଆ’, ‘ଡିଜିଟାଲ୍‌ ଇଣ୍ଡିଆ’, ‘ଷ୍ଟାର୍ଟଅପ୍‌ ଇଣ୍ଡିଆ’ ଭଳି ଅଭିନବ ଯୋଜନାମାନ ଆରମ୍ଭ କରାଯାଇଛି। ମୋଦିଙ୍କ ଅର୍ଥନୈତିକ ନୀତିରେ ଅନେକ ତ୍ରୁଟି ଓ ବିସଙ୍ଗତି ଥାଇପାରେ, କିନ୍ତୁ ବିରୋଧୀ ଦଳର ନେତା ଭାବରେ ରାହୁଲ କୌଣସି ବିକଳ୍ପ ଯୋଜନା ଲୋକଙ୍କ ସାମ୍ନାରେ ରଖିନାହାନ୍ତି। ତାଙ୍କର ବହୁଳ ପ୍ରଚାରିତ ‘ନ୍ୟାୟ’ ଯୋଜନା କିଛି ନୁହେଁ, ପାଶ୍ଚାତ୍ୟ-ପ୍ରଭାବିତ ଏକ ପ୍ରକାର ବେକାରି ଭତ୍ତା ବ୍ୟବସ୍ଥା, ଗରିବମାନଙ୍କୁ ଚିରକାଳ ଗରିବ ରଖିବାର ସୁବିଧାବାଦୀ ରାଜନୈତିକ ଚାଲ୍‌। ‘ତରୁଣ ଭାରତ’ ମାସକୁ କେଇ ହଜାର ସରକାରୀ ହାତଟେକା ଚାହେଁନି, ସ୍ବାଭିମାନର ସହ ମୁଣ୍ଡଟେକି ନିଜ ଗୋଡ଼ରେ ଠିଆ ହେବାକୁ ଚାହେଁ। ଇନ୍ଦିରାଙ୍କ କଂଗ୍ରେସ ୧୯୭୧ରେ ‘ଗରିବୀ ହଟାଓ’ ସ୍ଲୋଗାନ୍‌ ଦେଇ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ୧୯୭୧ରୁ ୨୦୧୪- ଏଇ ୪୪ ବର୍ଷ ଭିତରେ କଂଗ୍ରେସ ଦେଶକୁ ଶାସନ କରିଛି ପାଖାପାଖି ୩୭ ବର୍ଷ। ଏ ଭିତରେ ଦାରିଦ୍ର୍ୟ କେତେ କମିଛି, କେତେ କର୍ମନିଯୁକ୍ତି ସୃଷ୍ଟି ହୋଇଛି ଆଉ କେତେ ଭିିତ୍ତିଭୂମି ନିର୍ମାଣ ହୋଇଛି? ତେଣୁ ‘ତରୁଣ ଭାରତ’ ଏ ନିର୍ବାଚନରେ କେବଳ କଂଗ୍ରେସର ବଂଶବାଦକୁ ପ୍ରତ୍ୟାଖ୍ୟାନ କରିନି, ତା’ ସହ ରାହୁଲଙ୍କର ପଶ୍ଚାତ୍‌ମୁଖୀ, ପୁରୁଣାକାଳିଆ, ଦେବାଳିଆ ଅର୍ଥନୈତିକ ଆଦର୍ଶ ଓ ଯୋଜନାକୁ ମଧ୍ୟ ପାଦରେ ଏଡ଼େଇ ଦେଇଛି।
‘ଚୌକିଦାର ଚୋର୍‌ ହେ’ ଥିଲା ରାହୁଲଙ୍କ ନିର୍ବାଚନୀ ଯୁଦ୍ଧ-ସ୍ଲୋଗାନ୍‌। ଲୋକଙ୍କ କାଠଗଡ଼ାରେ ମୋଦିଙ୍କୁ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ କରି ନିଜ ଦଳ ସପକ୍ଷରେ ଭୋଟ ସାଉଁଟିବା ଥିଲା ତାଙ୍କ ଉଦ୍ଦେଶ୍ୟ। ଏଇ ସ୍ଲୋଗାନ୍‌ ରାହୁଲଙ୍କ ପାଇଁ ଭୋଟ ଆଣିବା ବଦଳରେ ଦଳର ଭୋଟ କାଟିବାରେ ବେଶି ସାହାଯ୍ୟ କଲା। ମନମୋହନଙ୍କ ଅଧିନାୟକତ୍ୱରେ କୋଇଲା ଦୁର୍ନୀତି, ଖଣି ଦୁର୍ନୀତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି, ୨ଜି ସ୍ପେକ୍ଟ୍ରମ୍‌ ଦୁର୍ନୀତି ସଂଘଟିତ ହେଲାବେଳେ ରାହୁଲ କାହିଁକି ନୀରବ ଥିଲେ? ମନମୋହନ ସରକାର-ପ୍ରଣୀତ ‘ଅଫିସ୍‌ ଅଫ୍‌ ପ୍ରଫିଟ୍‌’ ବିଲ୍‌କୁ ଚିରି ଡଷ୍ଟବିନ୍‌ରେ ଫିଙ୍ଗି ଦେବାର ସାହସ ଦେଖେଇଥିବା ରାହୁଲଙ୍କୁ ‘ସର୍ଦ୍ଦାର ଚୋର୍‌ ହେ’ ସ୍ଲୋଗାନ ଦେବାରୁ କିଏ ରୋକିଥିଲା? ରବର୍ଟ ଭଦ୍ରାଙ୍କ ନାମରେ ଜମି ହଡ଼ପ ଓ ଅନ୍ୟାନ୍ୟ ସାଂଘାତିକ ଦୁର୍ନୀତି ମାମଲାମାନ ରୁଜୁ ହୋଇଛି। ନିଜେ ରାହୁଲ ମା’ ସୋନିଆଙ୍କ ସହ ନ୍ୟାଶନାଲ୍‌ ହେରାଲ୍‌ଡ ମାମଲାରେ ଅଭିଯୁକ୍ତ ଅଛନ୍ତି। ବୋଫର୍ସ ଦୁର୍ନୀତି ଏବଂ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଆଣ୍ଡରସନ୍‌ଙ୍କୁ ଭାରତରୁ ଖସେଇ ନେଇଯିବା ମାମଲା ଏବେ ବି ଦେଶବାସୀଙ୍କ ସ୍ମୃତିରେ ସତେଜ ଅଛି। ସେ ଦୃଷ୍ଟିରୁ ନୀତିନିଷ୍ଠତାର ପ୍ରମାଣ ଦେଇଥିବା ନରେନ୍ଦ୍ର ମୋଦିଙ୍କୁ ଚୋର-ଡକାୟତ କହି ଗାଳି ଦେବା ଦେଶବାସୀ ହଜମ କଲେନି; ରାହୁଲଙ୍କ ଅପରିପକ୍ୱତାର ଶାସ୍ତି ମିଳିଲା କଂଗ୍ରେସ ଦଳକୁ।
ଏ ଏକବିଂଶ ଶତାବ୍ଦୀର ନୂଆ ଭାରତ। ଏ ଭାରତ ସୁରକ୍ଷା ଚାହେଁ, ସମୃଦ୍ଧି ଚାହେଁ, ବିଶ୍ୱ ସମୁଦାୟରେ ସମ୍ମାନ ଚାହେଁ, ସ୍ବାଭିମାନର ସହ ଆଗକୁ ବଢ଼ିବାକୁ ଚାହେଁ। ରାହୁଲ ଓ ତାଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ସହ ନିଜକୁ ‘ସଂଯୁକ୍ତ’ କରିପାରିନାହାନ୍ତି ବା ‘ସଖ୍ୟ’ ସ୍ଥାପନ କରିପାରି ନାହାନ୍ତି। ଯେ ପର୍ଯ୍ୟନ୍ତ ରାହୁଲଙ୍କ କଂଗ୍ରେସ ଭାରତୀୟଙ୍କ ଆଶା, ଆକାଂକ୍ଷା, ସ୍ବପ୍ନ ସହ ଚେତନାଗତ ସ୍ତରରେ ନିଜକୁ ଯୋଡ଼ିପାରି ନାହିଁ, ସେ ପର୍ଯ୍ୟନ୍ତ ଭାରତରେ କଂଗ୍ରେସର ଭାଗ୍ୟୋଦୟ ସମ୍ଭବ ନୁହେଁ।
ମୋ-୯୦୪୦୦୦୩୧୨୩


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri