ଓଲଟା ସଂରକ୍ଷଣ

ବ୍ରିଟେନଭିତ୍ତିକ ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍‌ଇ) ପକ୍ଷରୁ ନିକଟରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥିରେ ୩୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇପାରି ନାହିଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ କିଭଳି ସ୍ତରରେ ରହିଛି ଏଥିରୁ ସ୍ପଷ୍ଟ ଅନୁମେୟ। ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବାର ଅର୍ଥ ନୁହେଁ ବଡ଼ କ୍ୟାମ୍ପସ ଓ କୋଠାବାଡ଼ି ସ୍ଥାପନ କରିବା। ଗବେଷଣା ଓ ନୂଆ ଅଧ୍ୟୟନ ଜରିଆରେ ଇନୋଭେଶନ ବା ଅଭିନବତ୍ୱ ଆଣିପାରୁଥିବା ଶିକ୍ଷା ଦେଶକୁ ସମୃଦ୍ଧ କରିଥାଏ। ବିଗତ ବର୍ଷଗୁଡ଼ିକୁ ଦେଖିଲେ ଭାରତର ପ୍ରତିଷ୍ଠିତ ବୈଷୟିକ, ଡାକ୍ତରୀ କିମ୍ବା ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିପାରୁଥିବା ଶିକ୍ଷାନୁଷ୍ଠାନରୁ ସେଭଳି ଗବେଷଣାଲବ୍ଧ ବିଷୟ ବାହାରି ନାହିଁ, ଯାହା କି ବିଶ୍ୱ ସମୁଦାୟକୁ ନୂତନ ଦିଗ୍‌ଦର୍ଶନ ଦେଇଥାଆନ୍ତା। ଏଠାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟୟ ହେଉଥିବା ଅର୍ଥ ବଡ଼ ଚାକିରି କରିବା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରବର୍ତ୍ତାଉଛି। ଫଳରେ ଚାକିରିଆ ମାନସିକତା ଉଚ୍ଚଶିକ୍ଷାକୁ ପଙ୍ଗୁ କରିଦେଉଛି। ଯେହେତୁ ମୋଟା ଅଙ୍କର ଅର୍ଥ ରୋଜଗାର ସକାଶେ କୌଶଳ ଶିଖାଯାଉଛି, କର୍ତ୍ତୃପକ୍ଷ ସେଥିଲାଗି ଛାତ୍ରୀଛାତ୍ରଙ୍କ ଉପରେ ଆର୍ଥିକ ବୋଝ ଲଦିବାକୁ ପ୍ରୟାସ କରୁଛନ୍ତି। ‘ଭାତ ହାଣ୍ଡିରୁ ଗୋଟିଏ ଚିପିଲା’ ଭଳି ଉଦାହରଣ ଦେଖିଲେ ଇଞ୍ଜିନିୟରିଂର ସ୍ନାତକୋତ୍ତର ଡିଗ୍ରୀ ଏମ୍‌ଟେକ୍‌ ପାଠ୍ୟକ୍ରମରେ ଅତ୍ୟଧିକ ଫି ବୃଦ୍ଧି ବିଷୟ ଆଲୋଚନାକୁ ଆସୁଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲଜି (ଆଇଆଇଟି) କାଉନ୍‌ସିଲ ଗତ ସପ୍ତାହରେ ଏମ୍‌ଟେକ୍‌ ଶିକ୍ଷା ହାସଲ କରିବା ଲାଗି ଏହାର ଫି ପାଖାପାଖି ୯୦୦ ପ୍ରତିଶତ ବା ୯ ଗୁଣା ବୃଦ୍ଧି କରିଛନ୍ତି। ଏଥିସହିତ ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌) ସ୍କୋର ଆଧାରରେ ଏମ୍‌ଟେକ୍‌ ଛାତ୍ରୀଛାତ୍ରଙ୍କୁ ମିଳୁଥିବା ୧୨,୪୦୦ ଟଙ୍କା ଷ୍ଟାଇପେଣ୍ଡକୁ ମଧ୍ୟ ଆଇଆଇଟି କାଉନ୍‌ସିଲ ବନ୍ଦ କରିଦେଇଛି। ଏଭଳି ନିଷ୍ପତ୍ତି ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ଉପରେ ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ହୋଇଛି। ଏହି ନିଷ୍ପତ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କ ଅଧ୍ୟକ୍ଷତାରେ ନିଆଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କେବଳ ଧନୀ ପରିବାର ପିଲାଙ୍କ ପାଇଁ ଏଭଳି ଉଚ୍ଚଶିକ୍ଷା ଲାଭ କରିବାର ବ୍ୟବସ୍ଥା ସୃଷ୍ଟି କରାଯାଉଛି। ଗୋଟିଏ ପଟେ ଗରିବଙ୍କ ବୋଝ ଉପରେ ନଳିତା ବିଡ଼ା ଲଦା ଯାଉଥିବା ବେଳକୁ ଅନ୍ୟପଟେ ‘ତେଲିଆ ମୁଣ୍ଡରେ ତେଲ’ ଢଳାଯାଉଛି। ଅର୍ଥାତ୍‌ ଧନୀ ପିଲାଙ୍କୁ ଉଚ୍ଚଶିକ୍ଷାର ସୁବିଧା ଯଚାଯାଉଛି। ଏହା ଏକ ପ୍ରକାର ଓଲଟା ସଂରକ୍ଷଣ ବୋଲି କୁହାଯାଇପାରେ।
ଆଇଆଇଟି କାଉନ୍‌ସିଲର ନିଷ୍ପତ୍ତିକୁ ତର୍ଜମା କଲେ ମନେହେଉଛି ଯେପରି ସରକାର ଚାହୁଁ ନାହାନ୍ତି ଗରିବ ମେଧାବୀ ଛାତ୍ରୀଛାତ୍ର ଉଚ୍ଚଶିକ୍ଷାରେ ଉତ୍କର୍ଷ ହାସଲ କରନ୍ତୁ। ଆଜିର ଶିକ୍ଷା ପରିବେଶକୁ ଦେଖିଲେ ପ୍ରଥମ ଶ୍ରେଣୀରୁ ଶିକ୍ଷା ଶେଷ ସ୍ତର ଯାଏ ଘରୋଇ ବା କର୍ପୋରେଟ୍‌ ବ୍ୟକ୍ତିଙ୍କ ଦ୍ୱାରା ଏହା ନିୟନ୍ତ୍ରିତ ହେଉଛି। ଥିଲାବାଲା ଘରର ପିଲାମାନେ ସରକାରୀ ସ୍କୁଲ ବା କଲେଜରେ ପଢ଼ିବାକୁ ଅମଙ୍ଗ। କାରଣ ସେହିସବୁ ସ୍ଥାନରେ ଉଚ୍ଚମାନର ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଅନୁକୂଳ ପାଠାଗାର ସୁବିଧା, ପାଠ ଓ ଭାବର ଆଦାନପ୍ରଦାନ ଲାଗି ବିଦେଶୀ ଶିକ୍ଷାନୁଷ୍ଠାନ ସହ ଯୋଗାଯୋଗର ବ୍ୟବସ୍ଥା ନାହିଁ। ଆଜିର ପରିସ୍ଥିତି ଦେଖିଲେ ସରକାରୀ ଶିକ୍ଷାନୁଷ୍ଠାନରେ ଭର୍ତ୍ତି ହେଉଥିବା ପିଲାମାନେ ଗରିବ କିମ୍ବା ନିମ୍ନ ବଧ୍ୟବିତ୍ତ ବର୍ଗର ରହୁଥିବା ଲକ୍ଷ୍ୟ କରାଯାଉଛି। ସେମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିଲେ ମଧ୍ୟ କୌଣସି ପ୍ରତିବାଦ ବା ଆପତ୍ତି ଉଠାଇ ନ ଥାଆନ୍ତି। ତେବେ ଆଇଆଇଟି, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌), ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ଭଳି ରାଷ୍ଟ୍ରୀୟ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଯଦି ଅର୍ଥକୁ ଗୁରୁତ୍ୱ ଦିଆଯାଇ ଛାତ୍ରୀଛାତ୍ରଙ୍କ ଉପରେ ଅନାବଶ୍ୟକ ବୋଝ ଲଦିଦିଆଯାଏ, ତାହା ହେଲେ ଉଚ୍ଚଶିକ୍ଷା କେବଳ ଧନିକ ଗୋଷ୍ଠୀର ପିଲାମାନେ ପାଇଚାଲିବେ। ଏକ ଜନମଙ୍ଗଳ ରାଷ୍ଟ୍ରରେ ଡାକ୍ତରୀ, ଇଞ୍ଜିନିୟରିଂ, ବୈଜ୍ଞାନିକ ଗବେଷଣାରେ ନିୟୋଜିତ ଅନୁଷ୍ଠାନରେ ମେଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା କଥା। ତାହା କରା ନ ଯାଇ ଗରିବ ମେଧାବୀଙ୍କ ଉପରେ ଆର୍ଥିକ ବୋଝ ଲଦି ଦିଆଗଲେ ସେମାନେ ଉପରଲିଖିତ ପ୍ରତିଷ୍ଠିତ ପ୍ରତିଷ୍ଠାନରେ ନାମ ଲେଖାଇବାକୁ ଡରିବେ। ସାଧାରଣତଃ ଜଣେ ଛାତ୍ରଙ୍କୁ ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ବ୍ୟାଙ୍କ ପକ୍ଷରୁ ଶିକ୍ଷା ଋଣ ସହଜରେ ମିଳି ନ ଥାଏ। ଏବେ ଆଇଆଇଟିରେ ଏମ୍‌ଟେକ୍‌ ପଢ଼ିବା ପାଇଁ ଯଦି ପୂର୍ବ ଅର୍ଥ ରାଶିର ୯ ଗୁଣା ଅଧିକ ଦେବାକୁ ପଡ଼ିବ, ତାହା ହେଲେ ବ୍ୟାଙ୍କଗୁଡ଼ିକ ଅଧିକ କୁନ୍ଥୁକୁନ୍ଥୁ ହେବା ସ୍ବାଭାବିକ।
ଭାରତର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର ୪.୬ ପ୍ରତିଶତ ଶିକ୍ଷାରେ ଖର୍ଚ୍ଚ କରାଯାଉଛି। ୨୦୧୯-୨୦ ବଜେଟକୁ ଦେଖିଲେ ଶିକ୍ଷା ସକାଶେ ବ୍ୟୟବରାଦ ହୋଇଥିବା ସମୁଦାୟ ୯୪,୮୫୩. ୬୪ କୋଟି ଟଙ୍କା ମଧ୍ୟରୁ ସ୍କୁଲ ସ୍ତରରେ ୫୬, ୫୩୬.୬୩ କୋଟି ଖର୍ଚ୍ଚ ପାଇଁ ଅଟକଳ କରାଯାଇଥିଲା ବେଳେ ଉଚ୍ଚଶିକ୍ଷା ସକାଶେ ମାତ୍ର ୩୮,୩୧୭.୦୧ କୋଟି ଟଙ୍କା ରଖାଯାଇଥିଲା। ଏଥିରୁ ଯେ କେହି ଅନୁମାନ କରିପାରିବେ ଯେ ଭାରତ ସରକାର ଗବେଷଣା ଦିଗରେ କେତେ କମ୍‌ ଅର୍ଥ ଖର୍ଚ୍ଚ କରୁଛନ୍ତି। ସମ୍ଭବତଃ ଏହିଭଳି ଶିକ୍ଷା ପ୍ରତି ଭାରତୀୟ ସମାଜରେ କୌଣସି ଆଦର ରହୁ ନ ଥିବାରୁ ସରକାର ମଧ୍ୟ ନିଜର ଦାୟିତ୍ୱରୁ ଓହରିଯାଉଛନ୍ତି। ଦେଖିବାକୁ ଗଲେ, ଗବେଷଣା ହେଉଛି ଉଚ୍ଚଶିକ୍ଷାର ପ୍ରମୁଖ ଅଂଶବିଶେଷ। ତେଣୁ ସରକାର ଏହାକୁ ଗୁରୁତ୍ୱ ଦେଇ ଗବେଷଣା ଦିଗରେ ବ୍ରତୀ ଅନୁଷ୍ଠାନଗୁଡ଼ିକୁ ସ୍ବତନ୍ତ୍ର ଅନୁଦାନ ଦେବା ଉଚିତ। ଆଇଆଇଟି କଥା ଦେଖିଲେ ଜଣେ ଗରିବ ମେଧାବୀ ଛାତ୍ର ଯଦି ଏମ୍‌ଟେକ୍‌ କରିବା ଲାଗି ଶିକ୍ଷାନୁଷ୍ଠାନକୁ ବର୍ଷକୁ ୨ ଲକ୍ଷ ଟଙ୍କା ଦେବେ, ତାହା ହେଲେ ତାଙ୍କ ରହିବା, ଖାଇବା, ପଢ଼ାବହି କିଣିବା ଆଦି ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ପରିସ୍ଥିତି ତାଙ୍କ ସକାଶେ ଅସମ୍ଭାଳ ହୋଇପଡ଼ିବ। ବ୍ୟାଙ୍କ ଯଦି ଆବଶ୍ୟକ ଶିକ୍ଷା ଋଣ ନ ଦିଏ, ତେବେ ଉକ୍ତ ଛାତ୍ର ଗବେଷଣାରୁ ନିବୃତ୍ତ ରହି ଛୋଟକାଟିଆ ଚାକିରି ଖୋଜିବେ। ଏହାଦ୍ୱାରା ଜଣେ ଉଦୀୟମାନ ଛାତ୍ରଙ୍କଠାରୁ ଭବିଷ୍ୟତରେ ଦେଶ ପାଇବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସେବାରୁ ବଞ୍ଚିତ ହେଲା ବୋଲି କହିବାକୁ ହେବ। ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ଦେଖାଦେଉଥିବା ପରିବର୍ତ୍ତନକୁ ଦେଖିଲେ ଆଜି ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି)କୁ ଯେଉଁ ରାଷ୍ଟ୍ର ଯେତେ ଗୁରୁତ୍ୱ ଦେଉଛି, ସେହି ଦେଶ ସେତେ ଉନ୍ନତି କରୁଥିବା ଲକ୍ଷ୍ୟ କରାଯାଉଛି। ଭାରତରେ କେବଳ ‘ବିକାଶ’ କଥା ବାରମ୍ବାର କୁହାଯାଉଛି, କିନ୍ତୁ ମୂଳଦୁଆକୁ ସୁଦୃଢ଼ କରାଯିବା ପରିବର୍ତ୍ତେ ଦୁର୍ବଳ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri