ଓଡ଼ିଶା ଓ ଅସ୍ମିତାର ବିତର୍କ

ବିଚିତ୍ର ବିଶ୍ୱାଳ

ଅସ୍ମିତା ପରି ଏକ କ୍ଳିଷ୍ଟ ଓ କମ୍‌ ଲୋକପ୍ରିୟ ଶବ୍ଦ ସମ୍ପ୍ରତି ନିର୍ବାଚନ ସମୟରେ ଆମ ରାଜ୍ୟରେ ବହୁଳ ବ୍ୟବହାର ହୋଇ ହଠାତ୍‌ ଲୋକପ୍ରିୟ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃବୃନ୍ଦ ନିର୍ବାଚନୀ ପ୍ରଚାରରେ ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା କଥା ଉଠେଇ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ବିଜୁ ଜନତା ଦଳ ବି ଓଡ଼ିଆଙ୍କ ଅସ୍ମିତା ପ୍ରସଙ୍ଗକୁ ନିର୍ବାଚନରେ ବ୍ୟବହାର କରୁଥିବାର ଦେଖାଯାଉଛି। କିନ୍ତୁ ବର୍ତ୍ତମାନ ସମୟରେ କ୍ୱଚିତ୍‌ କେହି ଥିବେ, ଯିଏକି ନେତାମାନଙ୍କର ନିର୍ବାଚନୀ ଭାଷଣକୁ ଗୁରୁତର ସହିତ ଗ୍ରହଣ କରୁଥିବେ! ସମସ୍ତେ ଜାଣିଗଲେଣି ନେତାମାନଙ୍କ ନିର୍ବାଚନୀ ଭାଷଣ ପାଣିରେ ଗାର ବ୍ୟତୀତ ଆଉ କିଛି ନୁହେଁ। ନେତାମାନଙ୍କ ଦ୍ୱାରା ଓଡ଼ିଆଙ୍କ ଅସ୍ମିତା କଥା ନିର୍ବାଚନୀ ପ୍ରସଙ୍ଗ ହେବା ପରେ ‘ଅସ୍ମିତା’ ଶବ୍ଦକୁ ନେଇ ସାମାଜିକ ଗଣମାଧ୍ୟମରେ କଟାକ୍ଷର ସୁଅ ଛୁଟୁଛି।
ଓଡ଼ିଶାର ସାମ୍ପ୍ରତିକ ଅବସ୍ଥା ଓ ଗତ ତିରିଶ ବର୍ଷର ଇତିହାସ ଉପରେ ଆଖି ପକାଇଲେ ଓଡ଼ିଶାର ତଥା ଓଡ଼ିଆଙ୍କ ଅସ୍ମିତାକୁ ନେଇ କୌଣସି ରାଜନୈତିକ ଦଳ ଗମ୍ଭୀର ଥିବା ପରି ମନେହୁଏ ନାହଁି। ସମସ୍ତେ କେବଳ ଓଡ଼ିଆଙ୍କ ଅସ୍ମିତା ପ୍ରସଙ୍ଗକୁ ରାଜନୀତିର ରୁଟି ସେକିବାରେ ବ୍ୟବହାର କରୁଛନ୍ତିି। ଶାସକ ଦଳଙ୍କ ପାଖରୁ ଏହି ପ୍ରସଙ୍ଗରେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିବା ବେଳେ ବିରୋଧୀ ବି କେଉଁଠି ହଜିଯାଇଥିବା ପରି ତଥା ବୁଝାମଣା ହୋଇଯାଇଥିବା ପରି ମନେ ହେଉଛି। ଯେଉଁ ଦୁଇଟି ଦଳ ଏବେ ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ପରସ୍ପରଙ୍କ ଉପରକୁ କାଦୁଅ ଫୋପାଡ଼ୁଛନ୍ତି, ଦୁଇମାସ ତଳେ ସେହି ଦୁଇଟି ଦଳ ପରସ୍ପରଙ୍କ ସହିତ ମେଣ୍ଟ କରିବାକୁ ଯୋଜନା କରୁଥିଲେ। ତେଣୁ ଏହା ସ୍ପଷ୍ଟ ଯେ ଶାସକ ହୁଅନ୍ତୁ କି ବିରୋଧୀ, ଓଡ଼ିଶାର ସ୍ବାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ଆଦୌ ଗମ୍ଭୀର ନୁହନ୍ତି।
ବିଜୁ ଜନତା ଦଳ ଭାଜପାର ଅସ୍ମିତା କୈନ୍ଦ୍ରିକ ପ୍ରଶ୍ନର ଉତ୍ତର ଦେଇ ଭିନ୍ନ ଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ଗଣେଇବାରେ ଲାଗିଛି। ବିଜୁ ଜନତା ଦଳ ପ୍ରଚାର କରୁଥିବା ବିଜ୍ଞାପନଗୁଡ଼ିକରେ କହୁଛି ଯେ, ଓଡ଼ିଶା ଦୁଇଟି ହକି ବିଶ୍ୱକପ୍‌ ଆୟୋଜନ କରିଛି। ହକି ଖେଳାଳିମାନଙ୍କ ଜର୍ସିରେ ଓଡ଼ିଶା ଲେଖାଯାଉଛି, ଏହା ହଁି ଓଡ଼ିଆଙ୍କ ଅସ୍ମିତା। ସତରେ କ’ଣ ଏଇ ସବୁ ଓଡ଼ିଶାର ସ୍ବାଭିମାନ ତଥା ଓଡ଼ିଆଙ୍କ ଅସ୍ମିତା? ଭାରତ ସ୍ବାଧୀନତା ପାଇବାର ୧୧ ବର୍ଷ ପୂର୍ବରୁ ମଧୁବାବୁ ଓ ଗୋପବନ୍ଧୁ ପ୍ରମୁଖଙ୍କ ପ୍ରୟାସରେ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିବା ଓଡ଼ିଶାର ଅସ୍ମିତା କ’ଣ କିଛି ରାଜନୈତିକ କାର୍ଯ୍ୟକ୍ରମ, ଯୋଜନା ଓ ନେତାଙ୍କ ପାଖରେ ସୀମିତ! ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଥିବା ମହାମନୀଷୀଙ୍କ ସ୍ବପ୍ନର ଓଡ଼ିଶା କ’ଣ ଆମେ ପାଇଛେ? ଆଜି ଅସ୍ମିତାର ବିତର୍କ କରୁଥିବା ରାଜନୈତିକ ଦଳଗୁଡ଼ିକ ଆଉ ବାର ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂରିବା ବେଳକୁ କେମିତିକା ଓଡ଼ିଶାର ପରିକଳ୍ପନା କରୁଛନ୍ତି? କ’ଣ କେବଳ ଓଡ଼ିଆ ଭାଷା କହୁଥିବା ଜଣେ ଶୀର୍ଷ ନେତା ନ ହେଲେ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ହେଲେ ଓଡ଼ିଆ ଅସ୍ମିତାର ସୁରକ୍ଷା ହୋଇଯିବ? କୋଟି କୋଟି ସାଧାରଣ ଓଡ଼ିଆ ଲୋକ ସେମାନଙ୍କ ବିତର୍କରେ ନାହାନ୍ତି କି ସ୍ବପ୍ନର ଓଡ଼ିଶା ନିର୍ମାଣରେ ବି ନାହାନ୍ତି। ଯଦି ଏହିପରି ଚାଲେ ତେବେ ଏହା ନିଶ୍ଚିତ ଯେ, ଓଡ଼ିଶାର ସ୍ବାଭିମାନ ତଥା ଓଡ଼ିଆଙ୍କ ଅସ୍ମିତା ଆହୁରି ଭୂଲୁଣ୍ଠିତ ହେବ।
ଆଜି ବି ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ନ ପାଇ ପରିସ୍ଥିତିର ଚାପରେ ସୁରଟ, ବମ୍ବେ, କେରଳ ଆଦି ଯାଇ ଅତ କଦର୍ଯ୍ୟ ଅବସ୍ଥାରେ ଦାଦନ ଖଟୁଛନ୍ତି। ସେମାନଙ୍କ ଜୀବନ ସଂଘର୍ଷର କାହାଣୀ ଯେତିକି ଦୁଃସ୍ଥ ସେତିକି କରୁଣ। ଏହି ଅସ୍ମିତାର ବିତର୍କରେ ଏମାନେ କେଉଁଠି? ଓଡ଼ିଆ ଯୁବକଙ୍କ ପାଇଁ ସମ୍ମାନଜନକ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ’ଣ ଓଡ଼ିଆ ଅସ୍ମିତା ସୁରକ୍ଷାର ଏକ ମାପକାଠି ନୁହେଁ! ଏ ବିଷୟରେ ରାଜନୈତିକ ଦଳଗୁଡ଼ିକ କେବଳ ସ୍ଲୋଗାନ୍‌ରେ ହଁି ସିମୀତ ଅଛନ୍ତି। ଓଡ଼ିଶାରେ ଥିବା କାରଖାନା ସବୁ ବନ୍ଦ ହୋଇସାରିଛି ନ ହେଲେ ଧୀରେ ଧୀରେ ବନ୍ଦ କରାଯାଉଛି। ସେସବୁର ପୁନରୁଦ୍ଧାରର ଯୋଜନା ପ୍ରାୟତଃ ବନ୍ଦ। ନୂଆ ଶିଳ୍ପ ନାଁରେ ଆଜି କେବଳ ଖଣିଭିତ୍ତିକ ଶିଳ୍ପର ସ୍ବପ୍ନ ଦେଖାଯାଉଛି। ଯେଉଁଥିରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆମ ରାଜ୍ୟରେ ଖଣି ଖୋଳି, ଲୋକମାନଙ୍କୁ ବିସ୍ଥାପିତ କରି, ଏଠାରେ ଲୁହାପଥର ଓ ବକ୍‌ସାଇଟ୍‌ ତରଳେଇ ଓଡ଼ିଶାର ମାଟି ତଳେ ଥିବା ସମ୍ପଦକୁ ନିଜ ଦେଶକୁ ବୋହିନେବେ। ଏପରି ପ୍ରକଳ୍ପରେ ସ୍ଥାନୀୟ ଲୋକମାନଙ୍କର ନିଯୁକ୍ତି ସୁଯୋଗ ବି ବହୁତ କମ୍‌। ବିସ୍ଥାପନ ସହିତ ଏପରି ଖଣିଭିତ୍ତିକ ପ୍ରକଳ୍ପ ଓଡ଼ିଶାର ପ୍ରକୃତି ପରିବେଶକୁ ନଷ୍ଟ କରିଦେଇ ଓଡ଼ିଶାକୁ ଶ୍ମଶାନରେ ପରିଣତ କରିଦେବ। ଦୁର୍ଭାଗ୍ୟର ବିଷୟ ଯେ, ଏପରି ପ୍ରକଳ୍ପକୁ ଡାକି ଆଣୁଥିବା ନେତାମାନେ ତଥା ରାଜନୈତିକ ଦଳମାନେ ଓଡ଼ିଆଙ୍କ ଅସ୍ମିତାର କଥା କହୁଛନ୍ତି। ଶହେ ବର୍ଷ ତଳେ କୁହାଯାଉଥିଲା ପ୍ରାଚୁର୍ଯ୍ୟରେ ଭରପୂର୍‌ ଥିବା ଓଡ଼ିଶା ଏକ ଗରିବ ରାଜ୍ୟ। ଆଜି ବି ଓଡ଼ିଶା ସମ୍ବନ୍ଧରେ ଠିକ୍‌ ଏହି ଆଲୋଚନା ହେଉଛି। ଓଡ଼ିଶାର ଚାଷୀମାନଙ୍କ ପରିସ୍ଥିତି ଭାରତର ଅନ୍ୟ ରାଜ୍ୟର ଚାଷୀମାନଙ୍କ ତୁଳନାରେ ଅତନ୍ତ ଦୁଃସ୍ଥ। ଆମ ରାଜ୍ୟକୁ ଧାନର ଅନ୍ୟତମ ଜନ୍ମସ୍ଥାନ କୁହାଯାଏ। ଓଡ଼ିଶାର ଚାଷୀମାନଙ୍କ ପାଖରେ ପ୍ରାୟ ତିରିଶ ହଜାରରୁ ଅଧିକ ପ୍ରକାରର ଦେଶୀ ଧାନ ବିହନ ଥିଲା। କିନ୍ତୁ ଏବେ ସେସବୁ ବୁଡ଼ିଗଲାଣି। ହାଇ-ୟିଲ୍‌ଡିଙ୍ଗ୍‌ ଓ ହାଇବ୍ରିଡ ବିହନ ନ ହେଲେ ଓଡ଼ିଶାର ଚାଷୀମାନେ ଚାଷ କଥା ଚିନ୍ତା କରିପାରିବେ ନାହଁି। ଓଡ଼ିଶାର ଏହି ଐତିହ୍ୟକୁ ଫେରେଇ ଆଣିବା ପାଇଁ ଶାସକ କି ବିରୋଧୀ କେହି ବି ଆଗ୍ରହୀ ଥିବା ପରି ଜଣାଯାଉନାହଁି। ଆଳୁ, ପିଆଜ ହେଉ କି ଡାଲି, ତେଲ, ମାଛ, ଅଧିକାଂଶ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ। ବାହାରୁ ଖାଦ୍ୟ ନ ଆସିଲେ ଓଡ଼ିଶାରେ ଚୁଲି ଜଳିପାରିବ ନାହଁି। ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ନ ପାରିବା ଓଡ଼ିଶାର ସ୍ବାଭିମାନ ପ୍ରତି ଏକ ଧକ୍କା ନୁହେଁ କି? ଓଡ଼ିଶା ସରକାର ଦାବି କରୁଛନ୍ତି, ଓଡ଼ିଶାର ଅର୍ଥନୈତିକ ପ୍ରଗତି ବହୁଗୁଣିତ ହୋଇଛି। ବଜେଟ ବଳକା ହେଉଛି। କିନ୍ତୁ ଠିକ୍‌ ତାହାର ଅପରପାର୍ଶ୍ୱରେ ଦେଖାଯାଉଛି ଯେ, ଆଜି ପ୍ରତେକ ଓଡ଼ିଆଙ୍କ ମୁଣ୍ଡ ଉପରେ ୧୮୯୮୪ ଟଙ୍କାର ଋଣ। ଯୁବକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଗାଁ ଗାଁରେ ମଦ ଦୋକାନ ଖୋଲାଯାଉଛି। କୃଷିଜାତ ଦ୍ରବ୍ୟର ସୁରକ୍ଷା ତଥା ଗଚ୍ଛିତ ରଖିବା ପାଇଁ ପ୍ରତ୍ୟେକ ଜିଲା ସ୍ତରରେ ଶୀତଳ ଭଣ୍ଡାର କି ଗୋଦାମ ଗୃହ କରିବାରେ ଅକ୍ଷମ ହୋଇଥିବା ସରକାର ମଦ ପହଞ୍ଚେଇବାରେ ସଫଳ ହୋଇଛନ୍ତି। ପ୍ରାଥମିକ ଶିକ୍ଷାର ଅବସ୍ଥା ନ କହିବା ଭଲ। ବିଦ୍ୟାଳୟର ବାହାର କାନ୍ଥ ଚକ୍‌ମକ୍‌ ହେଉଛି କିନ୍ତୁ ଗୁଣବତ୍ତାକୁ ନେଇ କାହାରି ଚିନ୍ତା ନାହଁି। ପିଲାମାନେ ସାଧାରଣ ଓଡ଼ିଆ ଭାଷା ପଢ଼ି ପାରୁନାହାନ୍ତି। ସପ୍ତମ ଶ୍ରେଣୀରେ ପଢ଼ୁଥିବା ପିଲା ତୃତୀୟ ଶ୍ରେଣୀର ସଂଖ୍ୟା ଗଣିତ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଭାଷା ଭିତ୍ତିରେ ଗଠନ ହୋଇଥିବା ଆମ ରାଜ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ଓଡ଼ିଆ ପୂର୍ଣ୍ଣ ଭାବେ ଅଫିସିଆଲ ଭାଷା ଭାବେ ବ୍ୟବହାର ହୋଇପାରିନାହଁି।
ଓଡ଼ିଶାର ସ୍ବାଭିମାନ, ସ୍ବାବଲମ୍ବନ ତଥା ଓଡ଼ିଆଙ୍କ ଅସ୍ମିତାର ବାସ୍ତବ ପରିସ୍ଥିତିର ତାଲିକା କଲେ ଏହା ଆହୁରି ଦୀର୍ଘ ହେବ। ପ୍ରତ୍ୟେକ ଓଡ଼ିଆ ଏପରି ପରିସ୍ଥିତି ସହିତ ଦିନରାତି ସଂଘର୍ଷ କରୁଛନ୍ତି। ନିକଟ ଭବିଷ୍ୟତରେ ଏଥିରୁ ମୁକ୍ତିର ଆଶା ଦେଖାଯାଉ ନାହଁି। କାରଣ ଆମ ଶାସକ ଓ ବିରୋଧୀ ସମସ୍ତଙ୍କ ପାଇଁ ଓଡ଼ିଶା କେବଳ ଏକ ନିର୍ବାଚନୀ ମୈଦାନ। ଯେଉଁଠି କୌଶଳ କରି କ୍ଷମତାର ଚୌକି ହାସଲ କରାଯାଇପାରେ। ଓଡ଼ିଶାର ସ୍ବାଭିମାନ, ଓଡ଼ିଆଙ୍କ ଅସ୍ମିତା ସେମାନଙ୍କ ପାଇଁ କେବଳ ଏକ ନିର୍ବାଚନୀ ଥୋପ। ଯାହାକୁ ସାହାରା କରି ସାଧାରଣ ଓଡ଼ିଆମାନଙ୍କ ଭାବାବେଗକୁ ଆକର୍ଷିତ କରି ସେମାନେ ଭୋଟ ହାସଲ କରିବାକୁ ଚାହାନ୍ତି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri