ଓଡ଼ିଶାରେ ଅନ୍‌ଲାଇନ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର

 

ଓଡି଼ଶାରେ ପ୍ରସ୍ତାବିତ ଅନ୍‌ଲାଇନ ଶିକ୍ଷା ଏକ ଉଦ୍ୟମ ନୁହେଁ ବରଂ ଶିକ୍ଷା ପାଇଁ ଏକ କ୍ଷମା ପ୍ରାର୍ଥନା। କରୋନାରୂପକ ବାଧ୍ୟବାଧକତାରେ ପଡ଼ି ଓଡ଼ିଶା ସରକାର ଏବେ ଅନ୍‌ଲାଇନ୍‌ ଶିକ୍ଷାକୁ ଆପଣେଇବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କିନ୍ତୁ ବର୍ଷ ବର୍ଷର ଅବହେଳା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଏତେ ରୁଗ୍‌ଣ ଓ ଜରାଗ୍ରସ୍ତ କରି ଦେଇଛି ଯେ ଅନ୍‌ଲାଇନ୍‌ ଶିକ୍ଷା ତା’ର ଦୋଷ ଦୁର୍ବଳତାକୁ ଖାଲି ପଦାରେ ପକାଇବ, ଶିକ୍ଷକକୁଳ ଛାତ୍ରୀଛାତ୍ରଙ୍କ ଆଗରେ ଉପହସିତ ହେବେ ଏବଂ ଛାତ୍ର ସମାଜ ବିଶେଷ ଉପକୃତ ହେବେ ନାହିଁ। ଉଚ୍ଚଶିକ୍ଷାକୁ ଉଦାହରଣ ହିସାବରେ ନେଇ ଏକଥାର ଯଥାର୍ଥତା ସାବ୍ୟସ୍ତ କରାଯାଇ ପାରେ।
ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଗଣମାଧ୍ୟମ କରୋନା ଯୋଦ୍ଧା ହୋଇଥିଲା ବେଳେ କରୋନା କବଳିତ ଉଚ୍ଚଶିକ୍ଷାର ଯୋଦ୍ଧା ହେଲେ ଶିକ୍ଷକ। ହେଲେ କାହାନ୍ତି ଶିକ୍ଷକ? ବର୍ଷ ବର୍ଷ ଅଧ୍ୟାପକ ପଦବୀ ପୂରଣ ନ କରିବା, ଅଳ୍ପ କିଛି ପଦବୀ ପୂରଣ କଲାବେଳେ ଅବସରକ୍ରମେ ପୁଣି ତାଠୁ ବେଶି ଶୂନ୍ୟସ୍ଥାନ ସୃଷ୍ଟି ହୋଇ ଖାଲିସ୍ଥାନ ସବୁବେଳେ ପ୍ରାୟ ସମାନ ରହିବା ଓଡ଼ିଶାର ଉଚ୍ଚଶିକ୍ଷାର ବୈଶିଷ୍ଟ୍ୟ। ଓଡ଼ିଶାର ସରକାରୀ ମହାବିଦ୍ୟାଳୟରେ ପାଖାପାଖି ତିନିହଜାର ପଦବୀରୁ ଅଧାପଦବୀ ଅର୍ଥାତ ୧୫୦୦ରୁ ଊର୍ଦ୍ଧ୍ୱ ପଦବୀ ଖାଲି। ଏଣେ ଅଧ୍ୟାପକ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯାଇଛି କିନ୍ତୁ ସେହି ଯୋଗ୍ୟତା ଭିତ୍ତିରେ ନିୟମିତ ଶିକ୍ଷକ ନିିଯୁକ୍ତି ନ କରି ଖାଲି ସ୍ନାତକୋତ୍ତର ଶ୍ରେଣୀରେ ୫୫ ପ୍ରତିଶତ ମାର୍କ ରଖିଥିବା ଯୁବତୀଯୁବକଙ୍କୁ ସ୍ଥାନୀୟତା ଭିତ୍ତିରେ ଅତିଥି ଅଧ୍ୟାପକ ହିସାବରେ ନିଯୁକ୍ତି ଦେଇ ଗୁଣାତ୍ମକତା ବୃଦ୍ଧି ସକାଶେ ଘୋଷିତ ନୀତିର ବିରୁଦ୍ଧାଚରଣ କରାଯାଉଛି। ଅନେକ କଲେଜରେ ୪୦ଜଣ ସ୍ଥାନରେ ୧୦ଜଣ ଅଧ୍ୟାପକ ଥିଲାବେଳେ, ଅନେକ ବିଷୟରେ ଆଦୌ ଅଧ୍ୟାପକ ନାହାନ୍ତି। ସେ ସବୁ ବିଷୟରେ ପାଠ କିଏ ପଢ଼ାଇବେ? କଲେଜ ଯେତେବେଳେ କାର୍ଯ୍ୟକ୍ଷମ ହେବ, ଅତିଥି ଅଧ୍ୟାପକ ଆସିବେ ସେମାନେ କ’ଣ ସଙ୍ଗେ ସଙ୍ଗେ ନିଆଁକୁ ଡେଇଁ ପଡ଼ିବେ? ଅନ୍‌ଲାଇନ୍‌ ଶିକ୍ଷାଦାନ ଏକ ବିଶେଷ ଦକ୍ଷତାପୂର୍ଣ୍ଣ କାର୍ଯ୍ୟ। ଆଧୁନିକ ଯୋଗାଯୋଗ ବିଦ୍ୟା ସହ ସୁପରିଚିତ, ଆଣ୍ଡ୍ରଏଡ୍‌ ଫୋନର କୁଶଳୀ ବ୍ୟବହାର, ଇଣ୍ଟରନେଟ୍‌ର ବିଭିନ୍ନ ଠିକଣାରେ ଉପଲବ୍ଧ ସହାୟକ ପାଠ୍ୟ ସମ୍ବନ୍ଧରେ ଧାରଣା, ନିଜସ୍ବ ଅଭିରୁଚି ଓ ଅନୁପ୍ରେରଣା ଏ ପ୍ରକାର ଶିକ୍ଷାଦାନ ପାଇଁ ଏକାନ୍ତ ଆବଶ୍ୟକ। ଯେହେତୁ ଛାତ୍ରୀଛାତ୍ରମାନଙ୍କ ଅନୁପସ୍ଥିତିରେ ପାଠପଢ଼ା ହେଉଛି ତେଣୁ ଶ୍ରେଣୀ ଶିକ୍ଷକ ଅପେକ୍ଷା ଏ ପ୍ରକାର କିସମର ଶିକ୍ଷକ ଅଧିକ ସକ୍ରିୟ, ସର୍ଜ୍ଜନଶୀଳ ଓ କଳ୍ପନାପ୍ରବଣ ହେବା ଉଚିତ। ଦୁଃଖର କଥା ଉଚ୍ଚଶିକ୍ଷାରେ ଉପଲବ୍ଧ ଶିକ୍ଷକମାନଙ୍କ ମଧ୍ୟରୁ ଶତକଡ଼ା ୮୦ ପ୍ରତିଶତ ଶିକ୍ଷକ ଶ୍ରେଣୀକକ୍ଷରେ ଆଧୁନିକ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରଯୋଗରେ ଶିକ୍ଷାଦାନ କରିବାକୁ ଅସମର୍ଥ। ସେ କ୍ଷେତ୍ରରେ ଅନ୍‌ଲାଇନ୍‌ ଶିକ୍ଷାଦାନର ସ୍ଥିତି କି ପ୍ରକାର ହେବ ସହଜରେ ଅନୁମେୟ। ଯେଉଁ ଯୁବ ଅଧ୍ୟାପକମାନଙ୍କୁ ଏ ଦିଗରେ ଆଗ୍ରହାନ୍ବିତ କରି ଗଢ଼ିତୋଳି ହୁଅନ୍ତା, ସେମାନଙ୍କ ପ୍ରତିଶତ ବହୁତ କମ୍‌। ଯେଉଁ ୬୦୬ ଜଣ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା, କରୋନା ପରିପ୍ରେକ୍ଷୀରେ ତା’ର ଭବିଷ୍ୟତ କ’ଣ କେବଳ ଭଗବାନ ଜାଣନ୍ତି। ସରକାର ଏବେ ଅନ୍‌ଲାଇନ୍‌ ଶିକ୍ଷା ଓ ଇ-ଲର୍ନିଂ କାର୍ଯ୍ୟକ୍ଷମ କରିବାକୁ ଏକ କମିଟି ଗଢ଼ିଛନ୍ତି। ବହୁ କମିଟି ଗଢ଼ାଯାଇଛି କିନ୍ତୁ ଖାଲିଥିବା ଅଧ୍ୟାପକ ପଦବୀ କିପରି ପୂରଣ ହୋଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର କଲେଜମାନଙ୍କର ୨୫ବର୍ଷ ପୂର୍ବରୁ ଯେଉଁ ସୁନାମ ଥିଲା ତାହା କିପରି ଫେରିଆସିବ ସେ ବାବଦରେ କିଛି କମିଟି ନାହିଁ। ଅନ୍‌ଲାଇନ୍‌ ହେଉ ଅବା ଅଫ୍‌ଲାଇନ୍‌, ସବୁ ପ୍ରକାର ଶିକ୍ଷା ପାଇଁ ଲୋଡ଼ା ଯୋଗ୍ୟ ଶିକ୍ଷକ, ଯେଉଁମାନେ ଏକାଗ୍ର ହୋଇଥିବେ ଏବଂ ଯେଉଁମାନଙ୍କୁ କଲେଜରେ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କୁ କକ୍ଷଚ୍ୟୁତ କରାଯାଇ ନ ଥିବ।
ଅନ୍‌ଲାଇନ୍‌ ଶିକ୍ଷାଦାନର ସଫଳତା ନିର୍ଭର କରେ ତା’ ପାଇଁ ପ୍ରସ୍ତୁତ ବିଶେଷ ପାଠ୍ୟକ୍ରମ ଏବଂ ପାଠ୍ୟ, ଯାହା ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଅନୁକୂଳ। ତାହା ନ କରି ପୁରୁଣା ସିଲାବସର ଶ୍ରେଣୀକକ୍ଷ ପାଇଁ ଉଦ୍ଦିଷ୍ଟ ପାଠ୍ୟକୁ ଅନ୍‌ଲାଇନ୍‌ ଶିକ୍ଷାପାଇଁ ଟାଣିଓଟାରି ଆଣିବା ଏକ ଆତ୍ମ-ପରାଜୟୀ ପଦକ୍ଷେପ। ଅନ୍‌ଲାଇନ୍‌ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଓ ଶିକ୍ଷାପଦ୍ଧତି ଏକ ବିଶେଷ ଧରଣର ଆଧୁନିକ କାର୍ଯ୍ୟକ୍ରମ। ସେ ପାଇଁ ଆବଶ୍ୟକ କୁଶଳୀ ଶିକ୍ଷକ, ଆବଶ୍ୟକ ଭିତ୍ତିଭୂମି, ପାଠୋପଯୋଗୀ ସିଲାବସ ଏବଂ ସେ ପ୍ରକାର ଶିକ୍ଷାପାଇଁ ଆଗ୍ରହାନ୍ବିତ ଛାତ୍ରୀଛାତ୍ର। ଅନ୍‌ ହେଉ ଅବା ଅଫ୍‌ ସମସ୍ତେ ଯଦି ଯେନତେନ ପ୍ରକାରେଣ କର୍ତ୍ତବ୍ୟ ସମ୍ପାଦନ ପାଇଁ ଲାଗି ପଡ଼ନ୍ତି ସେ କ୍ଷେତ୍ରରେ ଶିକ୍ଷା ଅଶିକ୍ଷା ହୋଇ, ଅପୂର୍ଣ୍ଣାଙ୍ଗ ହୋଇ ରହିଯାଇଥିବ। ସମସ୍ତେ ଖାଲି ଖଣ୍ଡିଏ ଲେଖାଏ ପ୍ରମାଣ ପତ୍ର ଧରି ବୁଲୁଥିବେ।
ତୃତୀୟତଃ ଅନ୍‌ଲାଇନ୍‌ ଶିକ୍ଷାପାଇଁ ଉପଲବ୍ଧ ପରିବେଶ, ସୁବିଧା ସୁଯୋଗ ଓ ପ୍ରଯୁକ୍ତି ବିଦ୍ୟା। ଏପ୍ରକାର ଶିକ୍ଷା ପାଇଁ ପ୍ରଥମ ଆବଶ୍ୟକତା ସ୍ବାଭାବିକଠାରୁ ଅଧିକ ବେଗଥିବା ଇଣ୍ଟରନେଟ ଏବଂ ଆଣ୍ଡ୍ରଏଡ୍‌ ଫୋନ। ଯେହେତୁ ଶିକ୍ଷକ ତାଙ୍କ ଜାଗାରେ, ଛାତ୍ରୀଛାତ୍ରମାନେ ବିଭିନ୍ନ ଆଡ଼େ ବିକ୍ଷିପ୍ତ, ସବୁ ଜାଗାରେ ସମାନ ବେଗରେ ଇଣ୍ଟରନେଟ ସୁବିଧା ଉପଲବ୍ଧ କି? ସବୁ ଛାତ୍ରୀଛାତ୍ରଙ୍କୁ ସେ ପ୍ରକାର ଫୋନ କିଣିବାକୁ ଏବଂ ସେ ବାବଦରେ ଇଣ୍ଟରନେଟ୍‌ ବିଲ୍‌ ଖର୍ଚ୍ଚ ବହନ କରିବାକୁ ବାଧ୍ୟ କରିବା ଏକ ଅନ୍ୟାୟ ନୁହେଁ କି? ବିଶେଷତଃ ତଫସିଲଭୁକ୍ତ ଜାତି, ଉପଜାତି ଏବଂ ସମାଜର ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ? ତା’ଛଡ଼ା ମୂଳତଃ ‘ଜୁମ୍‌ ଆପ’ରେ ପଢ଼ା ଯାଉଥିବା ଏହି ଆପ୍‌ର ନିର୍ଦ୍ଦିଷ୍ଟ କିଛି ଦୁର୍ବଳତା ଅଛି, ଯାହା ଶିକ୍ଷାଦାନ ସମୟରେ ସାଧାରଣ ଶିକ୍ଷକଙ୍କୁ ବିଚଳିତ କରେ। ଏହା କଳା ବିଷୟ ପାଇଁ କିଛିଟା ସହାୟକ ହୋଇପାରେ କିନ୍ତୁ ଅନ୍ୟାନ୍ୟ ବିଷୟ ଯେଉଁଠି ବହୁତ ଲେଖାଲେଖି, ଛବି, ମାନଚିତ୍ରର କଥା ଅଛି, ସେଠି ଏହାର କିଛି ଭୂମିକା ନାହିଁ, ବିଶେଷତଃ ଯେଉଁ ରୂପରେ ଏହା ଏବେ ଚାଲିଛି।
ଅନ୍‌ଲାଇନ୍‌ ଶିକ୍ଷା କୋଚିଂ ପାଇଁ ଉପଯୋଗୀ ଏକ ଶିକ୍ଷାଦାନ ଶୈଳୀ କିନ୍ତୁ କଲେଜଗୁଡ଼ିକ କୋଚିଂ ସେଣ୍ଟର ନୁହେଁ। କଲେଜରେ ଖାଲି ପାଠପଢ଼ା ଯାଏନାହିଁ। ପିଲାମାନଙ୍କ ବ୍ୟକ୍ତିତ୍ୱର ବିକାଶ ସହିତ ସେମାନଙ୍କ ଭିତରେ ନେତୃତ୍ୱ ନେବା ଗୁଣ, ସାଂସ୍କୃତିକ, ବୌଦ୍ଧିକ, ସାମାଜିକ ଦକ୍ଷତା ଓ ଅଭିରୁଚି ଅଭିବୃଦ୍ଧି କରେଇ ଭବିଷ୍ୟତରେ ସେମାନଙ୍କୁ ଜଣେ ଜଣେ ସୁନାଗରିକ ହିସାବରେ ଗଢ଼ିବା ଗୋଟିଏ ଶିକ୍ଷାନୁଷ୍ଠାନର ଦାୟିତ୍ୱ। ଅନ୍‌ଲାଇନ୍‌ ଶିକ୍ଷା ପଛରେ ବହୁତ ପ୍ରଲୋଭନ ରହିଛି ।
ଅନେକ କିଛି ସୁବିଧାରେ, ବିନା ଦାୟିତ୍ୱରେ ହୋଇଯିବ। ପାଠପଢ଼ାର ଗୁଣବତ୍ତା ନିୟନ୍ତ୍ରଣ ଓ ପରିଚାଳନା ଅପେକ୍ଷା ସିଲାବସ ସାରିବା, ପରୀକ୍ଷା ଠିକ୍‌ ସମୟରେ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିବ। ପିଲାମାନଙ୍କ ଅନୁଷ୍ଠାନ ପ୍ରୀତି, ଗୋଷ୍ଠୀ ପ୍ରୀତି, ସମାଜ ପ୍ରତି ଉତ୍ତରଦାୟିତ୍ୱ ଭାବ ସୃଷ୍ଟି ହୋଇପାରିବ ନାହିଁ। ଏ ପ୍ରକାର ଶିକ୍ଷାଦାନରେ ପ୍ରମାଣପତ୍ର ବିତରଣ ହିଁ ମୁଖ୍ୟ କାମ ହେବ। ତେଣୁ ଏ ବାବଦରେ ଠିକ ପଦକ୍ଷେପ ନ ନେଲେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦ୍ୟାମନ୍ଦିର ନ ହୋଇ କେବଳ ପରୀକ୍ଷା କେନ୍ଦ୍ରରେ ପରିଣତ ହେବ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ୍‌, ବାଲେଶ୍ୱର
ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri